ଭୁବନେଶ୍ୱର: ବାତ୍ୟାକୁ ବାରି ପାରିଥିଲା ବାଘ! ଏଥିପାଇଁ ତ ‘ଫନି’ ସ୍ଥଳଭାଗ ଛୁଇଁବା ଆଗରୁ ଇତସ୍ତତ ହୋଇ ଖୁଆଡି ଭିତରେ ଏଣେ ତେଣେ ଘୁରି ବୁଲୁଥିଲେ ନନ୍ଦନକାନନ ବାଘ। ‘ଫନି’କୁ ନେଇ ଭାରତୀୟ ପାଣି ବିଭାଗର ସୂଚନା ଅନୁସାରେ ପଦକ୍ଷେପ ନେଇଥିଲେ ନନ୍ଦନକାନ କର୍ତ୍ତୃପକ୍ଷ। ଝଡ଼ର ୪୮ ଘଂଟା ଆଗରୁ ମୁଖ୍ୟ ଖୁଆଡରୁ ବାଘ, ସିଂହ ଭଳି ହିଂସ୍ର ଜନ୍ତୁକୁ ସ୍ୱତନ୍ତ୍ର ଖୁଆଡିକୁ ସ୍ଥାନାନ୍ତର କରାଯାଇଥିଲା। ଫଳରେ ବାତ୍ୟା ଯୋଗୁଁ ନନ୍ଦନକାନନର ସୌନ୍ଦର୍ଯ୍ୟମୟ ପରିବେଶ ନଷ୍ଟ ହୋଇଛି ସିନା ସେଠାରେ ଥିବା ଜୀବଜନ୍ତୁଙ୍କର କୌଣସି କ୍ଷୟ କ୍ଷତି ହୋଇନାହିଁ।
ପ୍ରକୃତିର ନିୟମ ବଦଳିଲେ ପୂର୍ବାନୁମାନ କରିପାରନ୍ତି ଜୀବଜନ୍ତୁ। ପକ୍ଷୀ ହୁଅନ୍ତୁ ଅବା ହିଂସ୍ର ଜନ୍ତୁ, ପ୍ରକୃତି ଯେବେ ଯେବେ କରାଳ ରୂପ ଧାରଣ କରେ, ଏହାର ପୂର୍ବାଭାଷ ଅନୁମାନ କରିପାରନ୍ତି ସେମାନେ। ଏଇ ଯେମିତି ବାତ୍ୟା ‘ଫନି’ ସମୟରେ ବିଚଳିତ ହୋଇ ଏଣେତେଣ ଘୁରିବୁଲୁଥିଲେ ନନ୍ଦନକାନନର ବାଘମାନେ। ସ୍ୱତନ୍ତ୍ର ଖୁଆଡ଼ରେ ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ବାଘମାନେ ବିଚଳିତ ହେବାର କାରଣ ଜଣାପଡୁନଥିଲା। ବାଘ ଖୁଆଡ଼ର କେୟାର ଟେକର ଭାଷ୍କର ସାମଲ କହିଛନ୍ତି।
ବାତ୍ୟା ‘ଫନି’ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ଯଥେଷ୍ଟ ପୂର୍ବରୁ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ପାଇବା ମାତ୍ରେ ସଜାଗ ହୋଇଯାଇଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରାଣୀ ଉଦ୍ୟାନରେ ବାଘ, ସିଂହ, ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ଖୁଆଡ଼ର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ନନ୍ଦନକାନନରେ ଥିବା ବାଘଙ୍କୁ ସ୍ୱତନ୍ତ୍ର ଖୁଆଡ଼ରେ ରଖିବା ସହ ସେଠାରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ। ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ବାଘଙ୍କୁ ମୁଖ୍ୟ ଖୁଆଡ଼ରେ ଛଡ଼ାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦେଶକ।
ଆସନ୍ତା ୨୧ ତାରିଖରେ ନନ୍ଦନକାନନକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି ରାଜ୍ୟ ସରକାର ଦିନ ଧାର୍ଯ୍ୟ କରିଛନ୍ତି। ଏହାର ଦିନକ ପୂର୍ବରୁ ବାଘମାନଙ୍କୁ ସ୍ୱତନ୍ତ୍ର ଖୁଆଡ଼ରୁ ମୁଖ୍ୟ ଖୁଆଡ଼ରେ ଛାଡ଼ିବା ନେଇ ନିଷ୍ପତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/vlcsnap-2019-05-14-16h28m39s950-750x430.png)
