ସାଧାରଣ ନିର୍ବାଚନ ପାଇଁ ବର୍ଷର ପ୍ରଥମାର୍ଦ୍ଧରେ ରାଜଧାନୀରେ କିଛି ଉନ୍ନତିମୂଳକ କାମ ହୋଇପାରିଲାନି। ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀ ଯେଉଁ ନୂଆ ବଧୂ ପରି ସଜେଇ ହୋଇଥିଲା ତାକୁ ପ୍ରଳୟଙ୍କାରୀ ବାତ୍ୟା ଫନି ଧ୍ବଂସବିଧ୍ବଂସ କରିଦେଲା। ବାତ୍ୟାର ତାଣ୍ଡବ ଏପରି ଥିଲା ଯେ, ରାଜଧାନୀ ଧ୍ବଂସସ୍ତୁପ ପାଲଟିଗଲା। ଫନି ରାଜଧାନୀକୁ ୧୦ବର୍ଷ ତଳକୁ ନେଇଗଲା। କିନ୍ତୁ ରାଜ୍ୟ ସରକାରଙ୍କ ତତ୍ପରତା ଯୋଗୁଁ ଦୁଇ ମାସରେ ରାଜଧାନୀ ସୌନ୍ଦର୍ଯ୍ୟ ପୁଣି ଫେରି ପାଇଲା। ନିର୍ବାଚନ ଓ ବାତ୍ୟା ଯୋଗୁଁ ରାଜଧାନୀରେ କିଛି ବି ଗୋଟେ ବଡ଼ ପ୍ରକଳ୍ପ ହୋଇପାରିଲାନି। ବାତ୍ୟାର ୪ମାସ ପରେ ସରକାର ଗୁଡ଼ାଏ ସୁନେଲି ସ୍ବପ୍ନ ଦେଖାଇ ଚାଲିଲେ। ନୂଆ ଯୋଜନା ପାଇଁ ଏମ୍‌ଓୟୁ ସ୍ବାକ୍ଷର ହେଲା। ହେଲେ କାମ ଆରମ୍ଭ ହେଲାନି। ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ୨୦୧୯ରେ ଦେଖାଇଥିବା ସୁନେଲି ସ୍ବପ୍ନ କେବେ ରୂପ ପାଇବ ତାହାକୁ ଅପେକ୍ଷା।

Advertisment

ପ୍ରସ୍ତୁତି: ବିଶ୍ବଜିତ ଦାଶ, ଅଳଙ୍କରଣ: ରବି

ବାତ୍ୟା ଉଜାଡ଼ିଦେଲା
ମେ ୩ ଥିଲା ଭୁବନେଶ୍ବର ପାଇଁ ଏକ କଳାର ଦିନ। ବାତ୍ୟା ଫନି ରାଜଧାନୀରେ ଏମିତି ପ୍ରଳୟ ରଚିଲା ଯେ, ସବୁ ଧ୍ବସବିଧ୍ବଂସ କରିଦେଲା। ୧୫୦କିମିରୁ ଅଧିକ ବେଗରେ ପବନ ରାଜଧାନୀର ସବୁଜିମାକୁ ମୋଡ଼ି ମକ୍‌ଚି ଦେଲା। ପବନ ଆଗରେ ଯାହା ପଡ଼ିଲା ତା’ର ଡଙ୍କ ମୋଡ଼ି ହୋଇଗଲା। ୨୦୧୮ର ହକି ବିଶ୍ବକପ୍‌ ପାଇଁ ସଜେଇ ହୋଇଥିବା ରାଜଧାନୀ ମେ ୩ତାରିଖ ଅପରାହ୍ନ ବେଳକୁ କ୍ଷତାକ୍ତ ସହର ପାଲଟିଯାଇଥିଲା। ୧୯୯୯ ମହାବାତ୍ୟାରେ ରାଜଧାନୀ ଭୁବନେଶ୍ବର ଯେତିକି କ୍ଷତ ପାଇନଥିଲା ୨୦୧୯ର ଫନି ତା’ଠାରୁ ଢେରଗୁଣା ଅଧିକ କ୍ଷତାକ୍ତ କରିଦେଲା। ବାତ୍ୟାର ପ୍ରଳୟ ଏପରି ଥିଲା ଯେ, ପୂରା ରାଜଧାନୀ ଶ୍ରୀହୀନ ହୋଇଗଲା। ଲୋକ ପାଣି, ଲାଇନ୍ ପାଇଁ ଦୁଇ ସପ୍ତାହ ଡହଳବିକଳ ହେଲେ। ରାଜଧାନୀ ଛାଡ଼ି ଗାଁକୁ ପଳାଇଲେ।

ବାତ୍ୟାରେ ଭୁବନେଶ୍ବର ତହସିଲ ଅଧୀନରେ ୧୮୩ଟି ଗାଁରେ ମୋଟ୍‌ ୧୩୨୫୬ଟି ଘର ଭାଙ୍ଗିଲା। ଯେଉଁଥିରେ ୧୩୭୯ଟି ଛାତଘର ବି ଭାଙ୍ଗିଥିଲା। ୬୩୭ଟି ବେସରକାରୀ ଘର ଆଂଶିକ ଭାଙ୍ଗିଲା, ୫୩୮ଟି ସରକାରୀ କାର୍ଯ୍ୟାଳୟ, ୧୦୩୩୦ଟି ସରକାରୀ କ୍ବାର୍ଟର୍ସ ବାତ୍ୟା ମାଡ଼ରେ ଭାଙ୍ଗିଗଲା। ଯାହାର ଆକଳନ ‌‌େହଲା ଭୁବନେଶ୍ବରରେ ୬୬କୋଟି ୭୮ଲକ୍ଷ ୫୦ହଜାର ଟଙ୍କାର ସରକାରୀ କାର୍ଯ୍ୟାଳୟ, ୨୨୯କୋଟି ୪ଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ସରକାରୀ କ୍ବାର୍ଟର୍ସ ନଷ୍ଟ ହେଲା।

ଯେଉଁ ରାଜଧାନୀ ତା’ର ସବୁଜିମା ପାଇଁ ସାରା‌ ଦେଶରେ ପ୍ରଶଂସିତ ହେଉଥିଲା ବାତ୍ୟାରେ ୧୩୨୫୬ ଗଛ ଉପୁଡ଼ି ମାଟିରେ ମିଶିଗଲା। କିନ୍ତୁ ପ୍ରଶାସନର ତତ୍ପରତା ଯୋଗୁଁ ବାତ୍ୟାର ୭ମାସ ପରେ ରାଜଧାନୀରେ ବାତ୍ୟା ଫନି ଯେ ପ୍ରଳୟ ରଚିଥିଲା ତା’ର ଚିହ୍ନବର୍ଣ୍ଣ ନାହିଁ।

publive-image

ବର୍ଷା ନିଦ ହଜାଇଲା
ଗତ କିଛି ବର୍ଷ ହେଲା ବର୍ଷା ବିତ୍ପାତ ଯୋଗୁଁ ରାଜଧାନୀବାସୀ କିଲବିଲ୍‌ ହେଉଥିଲେ ହେଁ ବିଏମ୍‌ସି ଏହାର ସ୍ଥାୟୀ ପ୍ରତିକାର କରିପାରିଲାନି। ଯାହାର ଦଶା ରାଜଧାନୀବାସୀ ଏଥର ଭୋଗିଲେ। ଜୁଲାଇ ଓ ଅକ୍ଟୋବର ମାସରେ ଦୁଇ ଥର ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହେଲା। ଲୋକ ଦିନ ଦିନ ଧରି ଜଳବନ୍ଦୀ ହୋଇ ରହିଲେ। କିନ୍ତୁ ଡ୍ରେନ୍ ପୁନରୁଦ୍ଧାର ଓ ନୂଆ ଡ୍ରେନ୍ ନିର୍ମାଣ ନେଇ ବିଏମ୍‌ସି ଯେଉଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲା ତାହାକୁ କାର୍ଯ୍ୟକାରୀ ନକରିପାରିବାର ପରିଣାମ ରାଜଧାନୀବାସୀ ଭୋଗିଲେ।

publive-image

ବନ୍ଦ କରିଦେଲେ ପଥ ଉତ୍ସବ
ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଯାନବାହନ କମ୍ ବ୍ୟବହାର ଉଦ୍ଦେଶ୍ୟ ରଖି ୨୦୧୬ରେ ଆରମ୍ଭ ହୋଇଥିଲା ରାହଗିରି। ବର୍ଷକ ପରେ ଏହା ପଥ ଉତ୍ସବ ନାମରେ ନାମିତ ହୋଇଥିଲା। ବିଏମ୍‌ସି-ବିଡିଏ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଚାଲିଥିବା ଏହି ଉତ୍ସବ ବିଭିନ୍ନ କାରଣ ଯୋଗୁଁ ଯଦିଓ ନିୟମିତ ହେଉନଥିଲା କିନ୍ତୁ ମାର୍ଚ୍ଚ ମାସରେ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଗଲା। ରବିବାର ସକାଳେ ଜନପଥରେ ରାଜଧାନୀବାସୀଙ୍କର ଯେଉଁ ଭିଡ଼ ଦେଖିବାକୁ ମିଳୁଥିଲା ତାହା ଆଉ ଦେଖିବାକୁ ମିଳିଲାନି।

ପାର୍କିଂ ଫି’ ଆଦାୟ ଉପରେ ରୋକ୍
ବିଭିନ୍ନ ସପିଂ ମଲ୍‌, ହସ୍ପିଟାଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବେଆଇନ୍ ଭାବେ ଆଦାୟ ହେଉଥିବା ପାର୍କିଂ ଫି ନେଇ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପାଇବା ପରେ ବିଡିଏ ଏହା ଉପରେ ରୋକ୍‌ ଲଗାଇଥିଲା। ବିଡିଏ ଓ ବିଏମ୍‌ସିର ନୋଟିସ୍‌ ପରେ ଏହି ପାର୍କିଂ ଫି’ ଆଦାୟ ବନ୍ଦ ହୋଇଥିଲା। କିନ୍ତୁ ବର୍ଷ ଶେଷକୁ ଏସ୍‌ପ୍ଲାନେଡ୍ ୱାନ୍ ମଲ୍‌ ପୁଣି ପାର୍କିଂ ଫି’ ଆଦାୟ କରିବାରୁ ଏହାକୁ ନେଇ ଜୋରଦାର୍ ବିରୋଧ ହୋଇଥିଲା। ଏପରିକି ଗୋଟିଏ ଦିନ ଏହି ମଲ୍‌କୁ ସାମ୍ବାଦିକମାନେ ବନ୍ଦ କରିଦେଇଥିଲେ।

ବିଧାୟକ କଲୋନି ପାଇଁ ନୂଆ ଯୋଜନା
ୟୁନିଟ-୪ସ୍ଥିତ ବିଧାୟକ କଲୋନିରେ ଥିବା ୪୨ଟି କ୍ବାର୍ଟର୍ସକୁ ଭା‌ଙ୍ଗି ସେଠାରେ ଆପାର୍ଟମେଣ୍ଟ ଢାଞ୍ଚାରେ ଫ୍ଲାଟ୍‌ ନିର୍ମାଣ କରିବାକୁ ଯୋଜନା ହେଲା। ୨୨ଜଣ ବିଧାୟକ କ୍ବାର୍ଟର୍ସ ଛାଡ଼ିବା ପରେ କ୍ବାର୍ଟର୍ସ ଭଙ୍ଗା କାମ ଆରମ୍ଭ ହେଲା। ହେଲେ ହଠାତ୍ ଏହି ଉଚ୍ଛେଦ ବନ୍ଦ ହୋଇଯିବାରୁ ଏହି ପ୍ରକଳ୍ପ କେବେ ଆରମ୍ଭ ହେବ ସେନେଇ ଅନିଶ୍ଚିତତା ଦେଖାଦେଇଛି।

publive-image Telegraph India

ଅନନ୍ତଙ୍କ ମାଷ୍ଟର ଷ୍ଟ୍ରୋକ୍‌
ବିଏମ୍‌ସିର ଦୁଇ ଦୁଇ ଥର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ। ହେଲେ ତାଙ୍କୁ ବିଧାୟକ ଟିକେଟ୍ ନଦେବା ପାଇଁ ଜୋରଦାର ପ୍ରସ୍ତୁତି ହୋଇଥିଲା। ଏପରିକି ତାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଅନନ୍ତ ଏପରି ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ଯେ, ଭୁବନେଶ୍ବର ମଧ୍ୟ ବିଧାୟକ ଟିକେଟ୍ ହାତେଇଲେ। ଆଉ ଏକତରଫା ବିଜୟ ବି ହାସଲ କଲେ। ସେହିପରି ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ହଠାତ୍ ଉଭା ହୋଇଥିଲେ ସୁଶାନ୍ତ ରାଉତ। ଏହି ଆସନରେ ବିଜେଡି ବାରମ୍ବାର ପ୍ରାର୍ଥୀ ବଦଳାଇଥିଲେ ହେଁ ସୁଶାନ୍ତ ବି ଏକତରଫା ବିଜୟ ହାସଲ କରିଥିଲେ। କିନ୍ତୁ ଏକାମ୍ର ଭୁବନେଶ୍ବର ଆସନରୁ ଲଗାତର ତୃତୀୟ ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା ଏଥର ବଡ଼ ବ୍ୟବଧାନରେ ଜିତିବା ସହ ମନ୍ତ୍ରୀ ପଦ ବି ହାତେଇଥିଲେ। ଅପରପକ୍ଷେ ବିଜେଡି ଏଥର ଭୁବନେଶ୍ବର ସାଂସଦ ପ୍ରାର୍ଥୀଭାବେ ଅରୁପ ପଟ୍ଟନାୟକଙ୍କୁ ଛିଡ଼ା କରିଥିଲେ ହେଁ ବିଜେପି ପ୍ରାର୍ଥୀ ତଥା ବିଏମ୍‌ସିର ପୂର୍ବତନ କମିସନର ଅପରାଜିତା ଷଡଙ୍ଗୀ ଶାସକ ଦଳର ସବୁ ଗଣିତକୁ ମାତ୍‌ ଦେଇ ବିଜୟୀ ହୋଇଥିଲେ।

ବିନା କର୍ପୋରେଟରରେ ଚାଲିଲା ବିଏମ୍‌ସି
ଜାନୁଆରି ୯‌େର ବିଏମ୍‌ସିର ନିର୍ବାଚିତ କର୍ପୋ‌େରଟରଙ୍କ କାର୍ଯ୍ୟକାଳ ସରିଲା। ରାଜ୍ୟର ସବୁଠୁ ପ୍ରଭାବଶାଳୀ ମହାନଗର ନିଗମ କୁହାଯାଉଥିବା ବିଏମ୍‌ସିର ନିର୍ବାଚନ କିନ୍ତୁ ଏଥର ଆଉ ନିର୍ବାଚନ ହୋଇପାରିଲାନି। ପୌର ନିର୍ବାଚନ ଆଇନ ସଂଶୋଧନକୁ ଲାଗୁ କରିବାରେ ରାଜ୍ୟ ସରକାର ପଛଘୁଞ୍ଚା ଦେବାରୁ ଚଳିତବର୍ଷ ବିଏମ୍‌ସିର ନିର୍ବାଚନ ହୋଇପାରିଲାନି। ବିନା କର୍ପେ‌ାରେଟରରେ ଚାଲିଲା ବିଏମ୍‌ସି। ଏପରିକି ବର୍ଷକରେ ତିନି ଜଣ କମିସନର ବଦଳିଲେ, ପ୍ରଶାସକଙ୍କର ବାରମ୍ବାର ବଦଳି ହେଲା। ଯାହାର ପ୍ରଭାବ ରାଜଧାନୀର ଗଳିକନ୍ଦିରେ ଦେଖିବାକୁ ମିଳିଲା।