‘ମାର୍ଭେଲ୍‌ କମିକ୍‌ସ’ର ବୈପ୍ଳବିକ ସୁପରହିରୋ କାହାଣୀ ‘ଦି ଫାଣ୍ଟାଷ୍ଟିକ୍ ଫୋର୍’ ଅପେକ୍ଷାକୃତ ବୟସ୍କ ପାଠକଙ୍କ ଗହଣରେ କମିକ୍‌ସର ଆବେଦନକୁ ବଢ଼ାଇଦେଇଥିଲା। ତେଣୁ  କମିକ୍‌ସ ପାଠକ ଓ ପ୍ରକାଶକ ସଂସ୍ଥା ‘ମାର୍ଭେଲ୍‌ କମିକ୍‌ସ’ ହୃଦୟରେ ଏହା ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସିଛି। ତେବେ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଅଧିକାଂଶ ମାର୍ଭେଲ ଚଳଚ୍ଚିତ୍ର (ସିକ୍ବେଲ୍‌ ଓ ରିମେକ୍‌) ପ୍ରଶଂସକଙ୍କ ଗହଣରେ ଏକପ୍ରକାର କ୍ଳାନ୍ତି ଆଣିଦେଇଥିଲା। ସମାନ କାହାଣୀକୁ ନେଇ ପୂର୍ବରୁ ଦୁଇଟି ଚଳଚ୍ଚିତ୍ର ନିର୍ମିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ଦକ୍ଷ ଅଭିନୟ ଓ ସୁନ୍ଦର ଚିତ୍ରନାଟ୍ୟ ଯୋଗୁଁ ‘ଦି ଫାଣ୍ଟାଷ୍ଟିକ୍ ଫୋର୍: ଫାଷ୍ଟ ଷ୍ଟେପ୍‌ସ’ ଏହାର ଅସଲ ଲେଖକ ଷ୍ଟାନ୍‌ ଲି’ଙ୍କ ପ୍ରତି ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ବୋଲି କହିହେବ। ଏଥି ସହିତ ‘ମାର୍ଭେଲ ସିନେମାଟିକ ୟୁନିଭର୍ସ’କୁ ମଧ୍ୟ ନୂଆ ଜୀବନ୍ୟାସ ମିଳିଛି। 

Advertisment

ଏହି ସିନେମାଟି ଏଥିପାଇଁ ମଧ୍ୟ ଉପଭୋଗ୍ୟ ଯେ ମାର୍ଭେଲ କମିକ୍‌ସର ଦୁନିଆ ଓ ଚରିତ୍ରମାନଙ୍କ ସହ ଅଳ୍ପ ପରିଚିତ ଦର୍ଶକଙ୍କୁ ଏହି କାହାଣୀ ବୁଝିବାରେ ବିଶେଷ ସମସ୍ୟା ହେବ ନାହିଁ, ଯଦିଓ ମାର୍ଭେଲ ପ୍ରଶଂସକମାନେ ହିଁ କେତେକ ନିର୍ଦ୍ଦିଷ୍ଟ ଦୃଶ୍ୟର ପ୍ରାସଙ୍ଗିକତାକୁ ଭଲଭାବେ ବୁଝିପାରିବେ। କାହାଣୀ ଆରମ୍ଭ ହୁଏ ଯେତେବେଳେ ପୃଥିବୀର ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିବା ପରେ ଆବିଷ୍କାର କରନ୍ତି ଯେ ‘କସ୍‌ମିକ୍‌ ରେଡିଏସନ୍’ ପ୍ରଭାବରେ ସେମାନଙ୍କୁ ଭିନ୍ନ ଭିନ୍ନ ମହାମାନବୀୟ କ୍ଷମତା ମିଳିଯାଇଛି। ଏ ଚାରିଜଣ ହେଲେ ରିଡ୍‌ ରିଚାର୍ଡସ (ପେଡ୍ରୋ ପାସ୍‌କାଲ୍‌), ସୁ ଷ୍ଟର୍ମ (ଭାନେସା କିର୍ବି), ବେନ ଗ୍ରିମ୍ (ଇବୋନ୍ ମସ୍-ବାଚ୍‌ରାଚ୍‌) ଓ ଜନ୍ନି ଷ୍ଟର୍ମ (ଜୋସେଫ୍‌ କ୍ବିନ୍) ଚାରି ବର୍ଷ ଧରି ପୃଥିବୀର ରକ୍ଷାକର୍ତ୍ତା ଭୂମିକା ତୁଲାଉଛନ୍ତି। ଦମ୍ପତି ରିଡ୍‌ ଓ ସୁ ସେମାନଙ୍କ ପ୍ରଥମ ସନ୍ତାନର ଗର୍ଭଧାରଣ ବିଷୟ ଜଣାପଡ଼ିବା ପରେ ପରେ ମହାକାଶରୁ ସିଲଭର ସର୍ଫର ନାମକ ରହସ୍ୟମୟ ଚରିତ୍ର ଆସି ସନ୍ଦେଶ ଦେଉଛି ଯେ ଗାଲାକ୍ଟସ୍‌ ନାମକ ଦାନବ ଖୁବ୍‌ ଶୀଘ୍ର ପୃଥିବୀକୁ ଗ୍ରାସ କରିଦେବ।

‘ଦି ଫାଣ୍ଟାଷ୍ଟିକ୍ ଫୋର୍: ଫାଷ୍ଟ ଷ୍ଟେପ୍‌ସ’
ନିର୍ଦେଶକ: ମ୍ୟାଟ୍‌ ସାକ୍‌ମ୍ୟାନ୍ 
ମୁଖ୍ୟ ଚରିତ୍ରରେ: ପେଡ୍ରୋ ପାସ୍‌କାଲ୍‌, ଭାନେସା କିର୍ବି, ଜୋସେଫ୍‌ କ୍ବିନ୍, ଇବୋନ୍ ମସ୍-ବାଚ୍‌ରାଚ୍‌

ଚାରିଜଣ ରକ୍ଷାକର୍ତ୍ତା ଗାଲାକ୍ଟସ୍‌କୁ ଏହି ଯୋଜନାରୁ ନିବୃତ୍ତ କରିବା ପାଇଁ ସୁଦୂର ମହାକାଶ ଯାତ୍ରାରେ ଯାଉଛନ୍ତି, କିନ୍ତୁ ସେଠାରେ ଗାଲାକ୍ଟସ ଗୋଟିଏ ସର୍ତ୍ତରେ ପୃଥିବୀ ଧ୍ବଂସ ଯୋଜନା ବାତିଲ କରିବାକୁ ରାଜି ହେଉଛି, ଯାହା ହେଲା- ରିଡ୍‌ ଓ ସୁ ସେମାନଙ୍କ ସନ୍ତାନକୁ ତାକୁ ହସ୍ତାନ୍ତର କରିଦିଅନ୍ତୁ, କାରଣ ସେ ଅଚିନ୍ତନୀୟ ଶକ୍ତିର ଅଧିକାରୀ ହେବା ସେ ଅନୁମାନ କରୁଛି। ତେବେ ଏ ପ୍ରସ୍ତାବକୁ ଅସ୍ବୀକାର କରି ସେମାନେ ପୃଥିବୀ ଫେରିଆସୁଛନ୍ତି। ପୃଥିବୀବାସୀ ଏ ବିଷୟରେ ଜାଣିବା ପରେ ସେମାନେ ଚାରିଜଣ ମହାନାୟକଙ୍କୁ ଖଳନାୟକ ରୂପେ ଦେଖୁଛନ୍ତି। ତେବେ ସୁ ଲୋକଙ୍କୁ ବୁଝାଇବାରେ ସକ୍ଷମ ହେଉଛନ୍ତି ଯେ ସେମାନେ ଗାଲାକ୍ଟସ୍‌କୁ ପରାସ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ। ଏହା ପରେ ଯେଉଁ ନିର୍ଣ୍ଣାୟକ ଲଢ଼େଇ ହେଉଛି ତାହା ରୋମାଞ୍ଚର ଏକ ସୁଖଦ ଅନୁଭୂତି ସୁନିଶ୍ଚିତ କରେ। 

ଏଲିଅନ ଆକ୍ରମଣକୁ ନେଇ ନିର୍ମିତ ଯାବତୀୟ ହଲିଉଡ୍‌ ଚଳଚ୍ଚିତ୍ର କାହିଁକି କେବଳ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆକ୍ରମଣ କରନ୍ତି ସେ ନେଇ ଅନେକ ବିଦ୍ରୂପାତ୍ମକ ମିମ୍ ଦେଖିବାକୁ ମିଳେ। ଏଥିରେ ମଧ୍ୟ ଏ ବିପଦର ସନ୍ଦେଶ ପ୍ରଥମେ ଆମେରିକୀୟମାନଙ୍କୁ ମିଳୁଛି, କିନ୍ତୁ ଏକ ପରିବର୍ତ୍ତନ ସ୍ବରୂପ ସମଗ୍ର ପୃଥିବୀ ଉପରେ ବିଲୁପ୍ତିର କଳା ବାଦଲ ଛାଇଯାଇଛି। ସୁନ୍ଦର ରୋଟ୍ରୋ ସେଟ୍‌ ଡିଜାଇନ୍‌, ଚମକପ୍ରଦ ଭିଜୁଆଲ୍‌ ଇଫେକ୍ଟ ଓ ପୃଷ୍ଠଭୂମି ସଂଗୀତ ଏହାକୁ ବୈଷୟିକ ଦୃଷ୍ଟିରୁ ନିଖୁଣ ପର୍ଯ୍ୟାୟଭୁକ୍ତ କରିଛି। ପେଡ୍ରୋ ଓ ଭାନେସାଙ୍କ ଯୋଡ଼ି ତଥା ଚାରିଜଣଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁତା ମଧ୍ୟ କୃତ୍ରିମ ଲାଗିଲା ନାହିଁ। ଖଳନାୟକର ବିଶାଳତା ଓ ଶକ୍ତି ମନରେ ଭୟ ଓ ଆଶଙ୍କା ଜନ୍ମାଇବା ସହିତ ଅବିସ୍ମରଣୀୟ ଖଳନାୟକ ‘ଥାନୋସ୍‌’ କଥା ମନେ ପକାଇଦେଲା। ଏସବୁ ସତ୍ତ୍ବେ ଦ୍ବିତୀୟ ଥର ଦେଖିବା ଭଳି କୌଣସି ଉପାଦାନ ଏହି ସିେନମାରେ ନାହିଁ। ପୁଣି ଏହାର କାହାଣୀ ଖୁବ୍ ସରଳ ମନେ ହେଲା। ତେବେ ଏହାର ପରବର୍ତ୍ତୀ ଭାଗରେ ନବଜାତ ପୁତ୍ର ସନ୍ତାନର ଅଭ୍ୟୁଦୟ ଅବଧାରିତ ହୋଇଥିବାରୁ ତାହା ଅଧିକ ରୋମାଞ୍ଚର ପ୍ରତିଶ୍ରୁତି ବହନ କରୁଛି।