ସକାଳେ ଚାକିରି, ଅପରାହ୍ନରେ ବେପାର; ସାଇକେଲ୍‌ରେ ମୋମୋ ବିକ୍ରି କରି ଭାଇରାଲ୍‌ ହେଲେ ଏହି ପରିଶ୍ରମୀ ବ୍ୟକ୍ତି

ଫରିଦ‌ାବାଦ୍‌: କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପରିଶ୍ରମୀ ବ୍ୟକ୍ତି ସବୁଆଡ଼େ ଆଦର ପାଏ। ନିକଟରେ ୟୁଟ୍ୟୁବ୍‌ରେ ଜଣେ ପରିଶ୍ରମୀ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିଷୟ ପୁଣି ଥରେ ଆଲୋଚନା ଯୋଗ୍ୟ ପାଲଟିିଛି।

ଫରିଦାବାଦ୍‌ର ଜଣେ ବ୍ୟକ୍ତି ତାଙ୍କ ସାଇକେଲ୍‌ରେ ବୋହି ମୋମୋ ବିକ୍ରି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଫୁଡି ଭିସାଲ୍‌ରେ ପୋଷ୍ଟ୍‌ ହୋଇଛି।

ପଶ୍ଚିମବଙ୍ଗର ଏହି ମୋମୋ ବିକାଳି ଜଣକ ନିଜ ସାଇକେଲ୍‌ କ୍ୟାରିୟର୍‌ ପଛରେ ଏକ ପ୍ଲାଷ୍ଟିକ୍‌ ପାତ୍ର ଭିତରେ ଷ୍ଟିମର୍‌ ରଖି ସେଥିରେ ମୋମୋ ବୋହି କରି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କୁ ବିକ୍ରି କରିବାକୁ ଫରିଦାବାଦ୍‌ରେ କୌଣସି ଜାଗା ନମିଳିବାରୁ ସେ ଏହିପରି ଭାବେ ନିଜ ବେପାର ତୁଲାଉଛନ୍ତି।

କ୍ୟାରିୟର୍‌ରେ ମୋମୋ ରଖିଥିବା ବେଳେ ସାଇକେଲ୍‌ ହ୍ୟାଣ୍ଡେଲ୍‌ରେ ଏକ ଖୀର କ୍ୟାନ୍‌ରେ ଲଙ୍କା ଚଟଣୀ ଓ ଅନ୍ୟ ହ୍ୟାଣ୍ଡେଲ୍‌ରେ କାଗଜ ପ୍ଲେଟ୍‌ ରଖିଛନ୍ତି। ପ୍ଲେଟ୍‌ ଫୋପାଡ଼ିବା ପାଇଁ ମଧ୍ୟ ସେ ଏକ ବ୍ୟାଗ୍‌ ତାଙ୍କ ସାଇକେଲ୍‌ରେ ଟାଙ୍ଗିଛନ୍ତି।

ଏହି ବ୍ୟକ୍ତି ଜଣକ ସକାଳୁ ଗୋଟେ ସ୍ଥାନରେ ଚାକିରି କରୁଥିବା ବେଳେ ଅପରାହ୍ନ ୪-୫ଟା ସମୟରେ ସେ ମୋ‌ମୋ ବିକିଥାନ୍ତି। ସେ ୬ଟି ଭେଜ୍‌ ମୋ‌ମୋକୁ ୨୦ ଟଙ୍କା ନେଉଥିବା ବେଳେ ୧୨ଟାକୁ ନେଉଛନ୍ତି ୪୦ ଟଙ୍କା।

ଏହି ଭିଡିଓଟି ଅନ୍‌ଲାଇନ୍‌ରେ ସେୟାର୍‌ ହେବା ପରେ ଏହାର ଭିୟୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ହୋଇ ସାରିଲାଣି।

 

ସମ୍ବନ୍ଧିତ ଖବର