‘ଷ୍ଟାର୍‌ ବନିବା ପାଇଁ ଶଶୁରଘର ଛାଡ଼ିଥିଲେ, ବାରମ୍ବାର ଡାକିବାକୁ ଗଲା ପରେ ବି ମୋ ସହ ଆ‌ସିନାହାନ୍ତି’

ନୂଆଦିଲ୍ଳୀ: ଓଡ଼ିଆ ଝିଅ ଅଭିଲିପ୍ସାଙ୍କ ପରେ ‘ହର ହର ଶମ୍ଭୁ’ ଗୀତ ଗାଇ ଚର୍ଚ୍ଚାର ପରିସରକୁ ଆସିଥିବା ମୁସ୍‌ଲମାନ ଗାୟିକା ଫରମାନି ନାଜଙ୍କ ସଂପର୍କରେ ଗୋଟାଏ ପରେ ଗୋଟାଏ ଖୁଲାସା ହେବାରେ ଲାଗିଛି। ଏବେ ତାଙ୍କ ସ୍ବାମୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି କି ସେ ଲୋକପ୍ରିୟ ହେବା ପାଇଁ ହିଁ ନିଜ ପରିବାର ଛାଡ଼ିଥିଲେ।

ଆମେ ପୂର୍ବରୁ ଜାଣିଛେ ଯେ ଫରମାନିଙ୍କୁ ତାଙ୍କ ସ୍ବାମୀ ପରିତ୍ୟାଗ କରିବା ପରେ ସେ ନିଜ ପିଲାକୁ ଧରି ଏକୁଟିଆ ସଂଘର୍ଷ କରି ଚଳୁଥିଲେ। ତାଙ୍କ ଭାଗ୍ୟ ତାଙ୍କୁ ସାଥ୍‌ ଦେବାରୁ ଜଣେ ମୁସ୍‌ଲିମ୍‌ ହୋଇ ମଧ୍ୟ ଶିବ ଭଜନ ଗାଇ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ପୂର୍ବରୁ ଫରମାନି ତାଙ୍କ ସ୍ବାମୀଙ୍କୁ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ ଆଣିଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ୨୦୧୮ ମସିହାରେ ତାଙ୍କର ପୁଅଟିଏ ହୋଇଥିଲା। ତାଙ୍କ ପୁଅର ଏକ ବେମାରୀ ଥିବାରୁ ତାଙ୍କ ସ୍ବାମୀ ଓ ଶଶୁରଘର ଲୋକ ତାଙ୍କୁ ଘରୁ ତଡ଼ି ଦେଇଥିବା ସେ କହିଥିଲେ।

ମାତ୍ର ତାଙ୍କର ଏହି ଅଭିଯୋଗକୁ ତାଙ୍କ ସ୍ବାମୀ ଖଣ୍ଡନ କରି କହିଛନ୍ତି ଯେ ଫରମାନି ନିଜ ଇଚ୍ଛାରେ ଶଶୁରଘର ଛାଡ଼ି ବାପଘରକୁ ଯାଇଥିଲେ ଓ ଆଉ ଫେରୁନାହାନ୍ତି। ସେ ତାଙ୍କୁ ଫେରାଇ ଆଣିବାକୁ ଅନେକ ଥର ତାଙ୍କ ଶଶୁରଘରକୁ ଗଲା ପରେ ବି ଫରମାନି ଫେରିନାହାନ୍ତି। ଏପରିକି ତାଙ୍କ ପୁଅକୁ ବି ତାଙ୍କ ସହ ସାକ୍ଷାତ୍‌ କରାଉନାହାନ୍ତି।

ଜିତୁ ଶର୍ମା ଓ ଅଭିଲିପ୍ସା ପଣ୍ଡା ଗାଇଥିବା ଶିବ ଭଜନ ‘ହର ହର ଶମ୍ଭୁ ଶିବ ମହାଦେବ’ ଚଳିତ ସିଜିନରେ ଲୋକପ୍ରିୟ ହୋଇଛି। ବିଶେଷ କରି ଶ୍ରାବଣ ଜଳଲାଗି ପାଇଁ କାଉଡ଼ିଆମାନଙ୍କ ମୁହଁରେ ବି ଏହି ଭଜନ ବହୁ ଭାବେ ଶୁଣିବାକୁ ମିଳୁଛି। ଶ୍ରାବଣ ମାସରେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗାୟିକା ଫରମାନି ତାଙ୍କ ୟୁଟ୍ୟୁବ୍ ଚାନେଲରେ ଗୀତ ଅପଲୋଡ୍ କରିଥିଲେ। ଅନେକେ ଫରମାନିଙ୍କ କଣ୍ଠରେ ଏହି ଭଜନକୁ ପ୍ରଶଂସା କରିଛନ୍ତି। ହେଲେ ହିନ୍ଦୁମାନଙ୍କ ଏହି ଲୋକପ୍ରିୟ ଭଜନକୁ ଗାଇବା ପରେ ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଗାୟିକା ଫରମାନି ନାଜ ଆପଣା ସମ୍ପ୍ରଦାୟର ଏକ ବର୍ଗର କ୍ରୋଧର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର