ଆନ୍ଦୋଳନରତ ଚାଷୀଙ୍କର ମାଗଣାରେ ଦାଢ଼ି, ନିଶ ଓ କେଶ କାଟୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୫ ଦିନରେ ପହଞ୍ଚିଛି। ହାଡ ଭଙ୍ଗା ଶୀତରେ ସିଙ୍ଘୁ ସୀମାରେ ଅସୁବିଧା ହେଉଥିବା ସ‌ତ୍ତ୍ବେ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀଙ୍କ ସମର୍ଥନରେ ଅନେକ ଲୋକ ଆଗେଇ ଆସିଛନ୍ତି। କିଛି ଲୋକ ଆନ୍ଦୋଳନକାରୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଉ ଥିବା ବେଳେ କେହି କେହି ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀଙ୍କୁ ଗରମ ପୋଷାକ ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ ଖୋଲା ଆକାଶ ତଳେ ବସି ଆନ୍ଦୋଳନ କରୁଥିବା ଚାଷୀଙ୍କୁ କିଛିଲୋକ ଔଷଧ ଦେବା ସହିତ ହିଟର, ୱାସିଂ ମେସିନ ଓ ‌ରୁଟି ତିଆରି କରିବା ପାଇଁ ମେସିନ ବି ଯୋଗାଇ ଦେଉଛନ୍ତି।

ଏହି କ୍ରମରେ ଜଣେ ବ୍ୟକ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଲବ ସିଂହ ଠାକୁର। ସେ ତାଙ୍କ ସ୍ବଇଚ୍ଛାରେ ଚାଷୀମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ହରିୟାଣାର କୁରୁକ୍ଷେତ୍ରରେ ଲବ ସିଂହ ଠାକୁରଙ୍କ ଏକ ପାର୍ଲର ଅଛି। ଚାଷୀଙ୍କ ଆନ୍ଦୋଳନକୁ ଦେଖି ସେ ତାଙ୍କ ପାର୍ଲରକୁ ସିଙ୍ଘୁ ସୀମାକୁ ଉଠାଇ ଆଣିଛନ୍ତି। ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ସେ ଚାଷୀଙ୍କୁ କିପରି ସାହାଯ୍ୟ କରିବେ। ତେଣୁ ଯେଉଁ ଆନ୍ଦୋଳନରତ ଚାଷୀଙ୍କୁ ନିଶ, ଦାଢ଼ି ଓ କେଶ ବଢ଼ି ଯାଇଛି ସେମାନଙ୍କୁ ମାଗଣାରେ ସେବା ଯୋଗାଉଛନ୍ତି।

ଅନ୍ୟପକ୍ଷରେ ଆଜି ଆନ୍ଦୋଳନରତ ଚାଷୀ ବୁରାଡ଼ି ନିରଙ୍କରୀ ସମାଗମ ପଡ଼ିଆରେ ଏକତ୍ରିତ ହୋଇ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଶୋଭାଯାତ୍ରା ଆୟୋଜନ କରିଥିଲେ। ଚାଷୀମାନେ ଆଜିର ଦିନକୁ ‘ସହିଦ ଦିବସ’ ଭାବେ ପାଳନ କରିଛନ୍ତି। ସେହିଭଳି କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ-ଜୟପୁର, ଦିଲ୍ଲୀ-ନୋଏଡା ଏବଂ ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧିତ ଖବର