ଏନ୍‌ସିଆର୍‌ବି ରିପୋର୍ଟରେ ଭିନ୍ନ ଚିତ୍ର : ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ‘ଶୂନ’!

ନୂଆଦିଲ୍ଲୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟାକୁ ନେଇ ଖବର ଆସୁଛି। କେ‌ତେବେ‌ଳେ ଚାଷୀ ଫସଲ ହାନି ଯୋଗୁ ଆତ୍ମହତ୍ୟା କରୁଛନ୍ତି ତ ଆଉ କେତେବେଳେ ଋଣ ଶୁଝିନପାରି ଜୀବନ ହାରି ଦେଉଛନ୍ତି। କିନ୍ତୁ, ଏନ୍‌ସିଆର୍‌ବି (ନ୍ୟାସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରେ‌ା) କିନ୍ତୁ ଭିନ୍ନ ଚିତ୍ର ଦେଇଛି। ୨୦୧୯ ମସିହାର ରିପୋର୍ଟ ଅନୁସା‌ରେ ଓଡ଼ିଶାରେ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି। ଅର୍ଥାତ୍‌ ରାଜ୍ୟରେ ଚାଷୀ ଆତ୍ମହତ୍ୟା ‘ଶୂନ୍’।

ନିକଟରେ ଏନ୍‌ସିଆର୍‌ବି ପକ୍ଷରୁ ୨୦୧୯ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ସଂକ୍ରାନ୍ତୀୟ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ‘ଶୂନ’ ବୋଲି ଦର୍ଶାଯାଇଛି। ଓଡ଼ିଶାରେ ନିଜ ମାଲିକାନାରେ ଥିବା ଜମିର ଚାଷୀ, ଭାଗଚାଷୀ ଓ କ୍ଷେତ ମଜଦୁରଙ୍କର ଆତ୍ମହତ୍ୟା ଶୂନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏନସିଆରବିର ୨୦୧୮ ରିପୋର୍ଟରେ ମଧ୍ୟ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଶୂନ ବୋଲି ଦର୍ଶାଯାଇଥିଲା। କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମଣିପୁର, ଚଣ୍ଡୀଗଡ଼, ଡାମନ ଓ ଡିଉ, ଦିଲ୍ଲୀ ଓ ଲକ୍ଷାଦ୍ବୀପ, ପୁରୁଡେରୀରେ ଚାଷୀ ଆତ୍ମହତ୍ୟା ଶୂନ ଥିବାର ଅନସିଆରବିର-୨୦୧୯ ରିପୋର୍ଟରେ କୁହାଯାଇଛି। ଅପରପକ୍ଷେ ଦେଶରେ ୨୦୧୯ ରେ ୧୦,୨୮୧ ଜଣ ନିଜ ମାଲିକାନାରେ ଥିବା ଜମିର ଚାଷୀ, ଭାଗଚାଷୀ ଓ କ୍ଷେତ ମଜଦୁରମାନେ ଆତ୍ମହତ୍ୟା କରିଥିବାର ଉଲ୍ଲେଖ କରାଯାଇଛି। ଦେଶର ଆତ୍ମହତ୍ୟା କରିଥିବା ମୋଟ ବ୍ୟକ୍ତିମାନଙ୍କ ମଧ୍ୟରୁ ୭.୪ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟର ତଥ୍ୟରୁ ଜଣାପଡିଛି। ରିପୋର୍ଟରେ ଚାଷୀ ଆତ୍ମହତ୍ୟାର କୌଣସି କାରଣ ଦର୍ଶାଯାଇ ନାହିଁ।

marathi.netive.in

ଏହି ରିପୋର୍ଟରେ ଓଡ଼ିଶାରେ ୪୫୮୨ ଜଣ ଆତ୍ମହତ୍ୟା କରିଥିବାର ଉଲ୍ଲେଖ କରାଯାଇଛି। ଆତ୍ମହତ୍ୟା ସଂଖ୍ୟା ୨୦୧୮ ତୁଳନାରେ ସାମାନ୍ୟ କମ୍। ୨୦୧୮ରେ ଆତ୍ମହତ୍ୟା ସଂଖ୍ୟା ଥିଲା ୪୫୯୨। ସର୍ବାଧିକ ୨୭୭୯ ଜଣ ପାରିବାରିକ କାରଣରୁ ଆତ୍ମହତ୍ୟା କରିଥିଲେ। ସେହିଭଳି, ବେରୋଜଗାର ପାଇଁ ଆତ୍ମହତ୍ୟା କରିଥିଲେ ୮୫୮ ଜଣ। ରିପୋର୍ଟ ଅନୁସାରେ ୭୧୩ ଜଣ ଗୃହିଣୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେହିଭଳି ୩୪୬ଜଣ ଦିନ ମଜୁରିଆ, ୧୭୭ ଜଣ ବିବାହଜନିତ କାରଣ ତଥା ୧୩୦ ଜଣ ବେମାରୀ କାରଣରୁ ଆତ୍ମହତ୍ୟା କରିଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

ରିପୋର୍ଟରେ ଆକସ୍ମିକ ଦୁର୍ଘଟଣା କ୍ୟାଟୋଗରି ଅନ୍ତର୍ଗତ ଓଡ଼ିଶାରେ ୪୨.୨ ପ୍ରତିଶତ ମୃତ୍ୟୁ ବାତ୍ୟା ଯୋଗୁଁ ହୋଇଥିବାର କୁହାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୧୪୬୬ ଜଣ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ୧୪୯୯୩ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଅନ୍ୟାନ୍ୟ କାରଣ ଯୋଗୁଁ ମୃତ୍ୟୁସଂଖ୍ୟା ୨୦୧୮ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ପ୍ରାକୃତିକ ଶକ୍ତି ଓ ଅନ୍ୟାନ୍ୟ ଆକସ୍ମିକଜନିତ ଦୁର୍ଘଟଣାରେ ଓଡ଼ିଶାରେ ସମୁଦାୟ ୧୬୪୫୯ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଓଡ଼ିଶାରେ ୨୦୧୯ରେ ପାଣିରେ ବୁଡ଼ି ୧୨୩୪ ଜଣଙ୍କ, ସାପ କାମୁଡ଼ାରେ ୧୦୪୭ ଜଣ, ଆକସ୍ମିକ ଅଗ୍ନିକାଣ୍ଡରେ ୯୭୧ ଜଣଙ୍କ ମୃତ୍ୟୁ ଘଟିଥିବାର ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଓଡ଼ିଶାରେ ୨୦୧୯ରେ ଘଟିଥିବା ଟ୍ରାଫିକ୍ ଦୁର୍ଘଟଣାର ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି। ସମୁଦାୟ ୧୧୫୦୮ ଟ୍ରାଫିକ୍ ଦୁର୍ଘଟଣା ମାମଲାରୁ ୫୭୭୯ ଜଣ ମୃତ୍ୟୁବରଣ କରିଥିବାବେଳେ ୧୧୧୭୭ ଜଣ ଆହତ ହୋଇଥିବାର ଉଲ୍ଲେଖ କରାଯାଇଛି। ୧୧୦୬୪ ସଡ଼କ ଦୁର୍ଘଟଣାରୁ ୫୩୩୩ ଜଣଙ୍କର ମୃତ୍ୟୁ ଓ ୧୧୧୭୭ ଜଣ ଆହତ ହୋଇଥିବାର ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର