ଆମମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ସ୍ବପ୍ନବିଳାସୀ ହୋଇଥିଲେ ହେଁ କ୍ବଚିତ୍ କ୍ଷେତ୍ରରେ ଆମମାନଙ୍କର ସ୍ବପ୍ନ ବାସ୍ତବ ରୂପ ନେଇଥାଏ। ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ବୁଡ଼ିଯାଇଥିବା ପ୍ରସିଦ୍ଧ ଜାହାଜ ‘ଟାଇଟାନିକ’ ଆକୃତିର ଏକ ସ୍ବପ୍ନର ମହଲ ନିର୍ମାଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୋଲକାତା ସହରରେ ବସବାସ କରୁଥିବା ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ମୂଳବାସିନ୍ଦା ୫୨ ବର୍ଷୀୟ ମିଣ୍ଟୁ ରାମ ପିଲାଟି ଦିନରୁ ହିଁ ଟାଇଟାନିକ୍ ଆକୃତିର ଏକ ଘର ଭିତରେ ଜୀବନ କାଟିବାର ସ୍ବପ୍ନ ଦେଖିଥିଲେ। ଥରେ ଦୁର୍ଗାପୂଜା ଅବସରରେ ଟାଇଟାନିକ ଆକୃତିର ଏକ ପୂଜା ମଣ୍ଡପ ଦେଖି ସେ ଖୁବ୍ ପ୍ରଭାବିତ ହୋଇଥିଲେ। ମିଣ୍ଟୁ ଟାଇଟାନିକ ଆକୃତିର ଘର ତିଆରି କରିବାର ସଂକଳ୍ପ କରି ଅର୍ଥ ଯୋଗାଡ଼ ନିମନ୍ତେ ଅନ୍ୟଠାରୁ ଚାଷଜମି ଭଡ଼ାରେ ଆଣି ପରିବା ଚାଷ ଆରମ୍ଭ କରିଥିଲେ। ମାତ୍ର ନଗଣ୍ୟ ସମ୍ବଳ ବିନିମୟରେ ତାଙ୍କର ସ୍ବପ୍ନର ଭବନ ନିର୍ମାଣ କରିବା ପାଇଁ କୌଣସି ନିର୍ମାଣ ଯନ୍ତ୍ରୀ କି ମିସ୍ତ୍ରି ତାଙ୍କୁ ଭରସା ଦେଇନଥିଲେ। ତେଣୁ ସେ ନିଜେ ହିଁ ନିଜର ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଦୃଢ଼ମନସ୍କ ହୋଇଥିଲେ।
ଏଥିପାଇଁ ସେ ନେପାଳ ଯାଇ ସେଠାରେ ତିନିବର୍ଷ କାଳ କୋଠାବାଡ଼ିର ନିର୍ମାଣ ଶୈଳୀ ଅନୁଧ୍ୟାନ କରିଥିଲେ। ଶେଷରେ ବିଗତ ୧୩ ବର୍ଷ ହେଲା ସେ ତାଙ୍କ ‘ଟାଇଟାନିକ ଗୃହ’ ନିର୍ମାଣରେ ଲାଗିପଡ଼ିଛନ୍ତି। ନିଜର ସୀମିତ ସମ୍ବଳ ଭିତରେ ସେ ବର୍ତ୍ତମାନ ସୁଦ୍ଧା ଏଥିରେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ଅର୍ଥ ଅଭାବରୁ କାର୍ଯ୍ୟ ବିଳମ୍ବିତ ହୋଇଚାଲିଛି। ଅଦ୍ୟାବଧି ତିନି ମହଲା ବିଶିଷ୍ଟ ୩୯ ଫୁଟ ଲମ୍ବ, ୧୩ ଫୁଟ ଓସାର ଓ ୩୦ ଫୁଟ ଉଚ୍ଚ ଗୃହର ମୁଖ୍ୟ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଆଗାମୀ ଦିନରେ ‘ଟାଇଟାନିକ’ ଜାହାଜର ସମର୍ଥକମାନେ ମିଣ୍ଟୁଙ୍କ ଉଦ୍ୟମକୁ ଉତ୍ସାହିତ କରିବା ଲାଗି କିଛି କିଛି ଆର୍ଥିକ ସାହାଯ୍ୟ ଯୋଗାଇଲେ ସେ ସେଥିରେ ଅନ୍ତିମ ସ୍ପର୍ଶ ଦେଇପାରିବେ ବୋଲି ମିଣ୍ଟୁ ଆଶାବାଦୀ ଅଛନ୍ତି। ସେ ତାଙ୍କ ସ୍ବପ୍ନ ଭବନର ସବା ଉପର ମହଲାରେ ଟାଇଟାନିକପ୍ରେମୀଙ୍କ ପାଇଁ ଏକ ଚା’ ଦୋକାନ ଖୋଲିବେ ବୋଲି ମଧ୍ୟ ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/45j65dg4jgdjggjj.jpg)