ଚାଷୀଙ୍କ ସଂଖ୍ୟାକୁ ନେଇ ବିବାଦ, ପ୍ରଶ୍ନକାଳରେ ଉଠିଲା ଚାଷ ପ୍ରସଙ୍ଗ

ଚାଷରେ ରୁଚି ରଖୁଥିବା ବିଧାୟକଙ୍କୁ ଡାକି ଆଲୋଚନା ହେବ : ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ ? ୨୦୧୦ ତୁଳନାରେ ୨୦୧୯ରେ ଏହି ସଂଖ୍ୟା ହ୍ରାସ ପାଇଛି କି ନାହିଁ ? ସରକାରଙ୍କ ଭୁଲ୍‌ କୃଷି ନୀତି ଯୋଗୁ ବହୁ କୃଷକ ପରିବାର କୃଷି ଛାଡ଼ୁଥିବା ଅଭିଯୋଗ ସତ୍ୟ କି ? ଶିକ୍ଷିତ ଯୁବକମାନଙ୍କୁ କୃଷି କ୍ଷେତ୍ରକୁ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ବିଫଳ ହୋଇଛି କି ?

ତାରା ପ୍ରସାଦ ବାହିନୀପତିଙ୍କ ଏହି ପ୍ରଶ୍ନକୁ ନେଇ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। କୃଷକଙ୍କ ସଂଖ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିବାଦ ବି ଦେଖାଦେଇଥିଲା। ବିରୋଧୀ ଦଳ ସଭ୍ୟ ଓ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ମଧ୍ୟ ଏକ ପ୍ରକାର କଥା କଟାକଟି ହୋଇଥିଲା। ଏଥି ପାଇଁ ଗୃହ ବେଶ୍‌ ସରଗରମ ଥିଲା।

ମନ୍ତ୍ରୀ ଶ୍ରୀ ସାହୁଙ୍କ ଉତ୍ତର ଥିଲା, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେଥି ମଧ୍ୟରୁ ୩୨.୮୦ ଲକ୍ଷ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ। ପରବର୍ତ୍ତୀ ଜନଗଣନା ୨୦୨୧ ମସିହାରେ ହେବ ଓ ଏହା ପରେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହାର ଠିକ୍ ଆକଳନ କରିହେବ। ସରକାରଙ୍କ କୃଷି ନୀତି ଯୋଗୁ ବହୁ କୃଷକ ପରିବାର କୃଷି ଛାଡ଼ୁଥିବା ଅଭିଯୋଗ ସତ୍ୟ ନୁହେଁ। ଶିକ୍ଷିତ ଯୁବକମାନଙ୍କୁ କୃଷି କ୍ଷେତ୍ରକୁ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରିଛନ୍ତି, ତାହା ବିଫଳ ହୋଇ ନାହିଁ।

କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ସନ୍ତୁଷ୍ଟ ହୋଇ ନ ଥିଲେ। କେତେ ଶିକ୍ଷିତ ଯୁବକ କୃଷିରେ ସାମିଲ ହୋଇଛନ୍ତି, ମନ୍ତ୍ରୀ ତାହାର ଉତ୍ତର ଦେବାକୁ ସେ କହିଥିଲେ। କୃଷି ଭିତ୍ତିକ ଉଦ୍ୟୋଗରେ ଶିକ୍ଷିତ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପ‌େରାକ୍ଷ ଭାବେ କେତେ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି, ମନ୍ତ୍ରୀ ତାହାର ତଥ୍ୟ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମନ୍ତ୍ରୀଙ୍କ ମୂଳ ଉତ୍ତରକୁ ନେଇ ଆପତ୍ତି ଉଠାଇଥିଲେ। କହିଥିଲେ, ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ। ୨୦୧୯ରେ କେତେ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି, ତାହାର ତଥ୍ୟ ମନ୍ତ୍ରୀଙ୍କ ପାଖରେ ନାହିଁ। ସେ ୨୦୨୧ ଜନଗଣନା ଯାଏ ଅପେକ୍ଷା କରିବାକୁ କହୁଛନ୍ତି। ଯଦି ଏବେ ତଥ୍ୟ ନାହିଁ, ‌େ‌ତବେ କାଳିଆ ଯୋଜନାରେ ଟଙ୍କା କେମିତି ବଣ୍ଟାଯାଉଛି ? କାହାକୁ ବଣ୍ଟାଯାଉଛି ?

କୃଷି ମନ୍ତ୍ରୀ କହିଥିଲେ, ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ମୁଁ ନିର୍ଦ୍ଦିଷ୍ଟ ଉତ୍ତର ଦେଇଛି। ଯେହେତୁ ୨୦୧୧ରେ ଜନଗଣନା ଆଧାରରେ ତଥ୍ୟ ଦିଆଯାଇଛି, ତେଣୁ ମୁଁ ୨୦୨୧ରେ ପୁଣି ତଥ୍ୟ ମିଳିବ ବୋଲି କହିଛି। କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ପ୍ରାୟ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆସରିଲାଣି। ଏହି ପ୍ରକ୍ରିୟା ଚାଲିଛି। କିଛି ଦିନ ପରେ ଏଥିରୁ ଚାଷୀଙ୍କ ସଂଖ୍ୟା ନେଇ ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିବ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ମଧ୍ୟ ମନ୍ତ୍ରୀଙ୍କ ଉତ୍ତର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ତ୍ରୀ ଠିକ୍ ଭାବେ ସୂଚନା ଦେଉ ନାହାନ୍ତି ବୋଲି କହିଥିଲେ। ସେହି ସମୟରେ ଶ୍ରୀ ବାହିନୀପତି ମଧ୍ୟ ଠିଆ ହୋଇ ପ୍ରତିବାଦ କରିଥିଲେ। ତେବେ ପ୍ରଶ୍ନ ଅନୁଯାୟୀ ଉତ୍ତର ଦିଆଯାଉଛି ବୋଲି ମନ୍ତ୍ରୀ ଜଣାଇଥିଲେ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ଫନି ଦ୍ବାରା ବହୁ ଜଳସେଚନ ପଏଣ୍ଟ୍‌ ଖରାପ ହୋଇଯାଇଛି। ଚାଷ ପାଇଁ ପାଣି ନାହିଁ। ତେଣୁ ତୁରନ୍ତ ଜଳସମ୍ପଦ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟ ବୈଠକ ଡକାଯାଉ। ସଂପୃକ୍ତ ଅଞ୍ଚଳର ବିଧାୟକମାନେ ମଧ୍ୟ ବୈଠକରେ ରୁହନ୍ତୁ।

ମନ୍ତ୍ରୀ କହିଥିଲେ, ବିଧାୟକମାନଙ୍କୁ ଡାକି ଆଲୋଚନା ପାଇଁ ଯୋଜନା କରିଛୁ। ବିଶେଷ କରି ଚାଷରେ ଆଗ୍ରହ ଥିବା ବିଧାୟକମାନଙ୍କୁ ଡାକିବୁ।

ସଭ୍ୟ ଅଶ୍ବିନୀ ପାତ୍ର, ଭାସ୍କର ମଢ଼େଇ, ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶେଷରେ କହିଥିଲେ, ୨୦୦୧-୨୦୧୧, ୨୦୧୧-୧୯ ପର୍ଯ୍ୟନ୍ତ ଚାଷୀଙ୍କ ସଂଖ୍ୟା ଅନୁଧ୍ୟାନ କରାଯିବ। ଜନସଂଖ୍ୟା ବଢ଼ୁଛି, ସେହି ତୁଳନାରେ ଉତ୍ପାଦନ ବି ବଢ଼ୁଛି। ତେଣୁ ଚାଷୀଙ୍କ ସଂଖ୍ୟା କମୁଛି ବୋଲି ମୁଁ ଭାବୁ ନାହିଁ। ତେବେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟକୁ ଅନୁଧ୍ୟାନ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.