ତେଜୁଛି ଚାଷୀ ଆନ୍ଦୋଳନ : ରାଜ୍ୟରେ ବି ବିରୋଧର ସ୍ବର

କୃଷି ଆଇନ ବିରୋଧରେ ଆହୁରି ଉଗ୍ରରୂପ ଧାରଣ କରିଛି ଚାଷୀ ଆନ୍ଦୋଳନ। ସାରା ଦେଶରେ ଚାଷୀ ଧୀରେ ଧୀରେ ଆନ୍ଦୋଳନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଡ଼ି ହେବାରେ ଲାଗିଛନ୍ତି। ଆମ ରାଜ୍ୟରେ ମଧ୍ୟ ଏହାକୁ ନେଇ ଜନମତ ସୃଷ୍ଟି ହୋଇଛି। ‘ସମ୍ବାଦ’କୁ ମତ ଦେଇଥିବା ଚାଷୀ, ଚାଷୀନେତା ଆନ୍ଦୋଳନ ସପକ୍ଷରେ ମୁହଁ ଖୋଲିବା ସହ କେନ୍ଦ୍ର ସରକାରଙ୍କ ନୂଆ କୃଷି ସଂସ୍କାର ଆଇନକୁ ତୀବ୍ର ବିରୋଧ କରିଛନ୍ତି। ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।

କୃଷକଙ୍କ ପ୍ରତିବାଦ ଓ ବିକ୍ଷୋଭକୁ ନୈତିକ ସମର୍ଥନ ଦେଉଛି କଂଗ୍ରେସ
୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ଦ୍ବାରା ଦିଲ୍ଲୀରେ ନିରନ୍ତର ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି। ଆସନ୍ତାକାଲି ଚାଷୀଙ୍କ ଆମରଣ ଅନଶନ ସପକ୍ଷରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। କୃଷକମାନଙ୍କ ଦାବିକୁ ସମ୍ମାନ ଜଣାଇ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ କଂଗ୍ରେସ ନୈତିକ ସମର୍ଥନ ଦେଉଛି। ସୋମବାର ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀମାନେ ଦଳୀୟ ପତାକା ଓ ବ୍ୟାନର ସହ ଅନ୍ନଦାତାମାନଙ୍କୁ ନୈତିକ ସମର୍ଥନ ପୂର୍ବକ ବିକ୍ଷୋଭ କରିବେ। ଏପରିକି ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନେ କଳା ଆଇନ ପ୍ରତ୍ୟାହାର ଦାବିରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କେନ୍ଦ୍ର ବିଜେପି ସରକାରଙ୍କ କୃଷକମାରଣ ନୀତି ଓ ରାଜ୍ୟର ବିଜେଡି ସରକାରଙ୍କ ଦୋମୁହାଁ ନୀତି ଉପରେ ଲୋକଙ୍କୁ ଜଣାଇବେ।

ନିରଞ୍ଜନ ପଟ୍ଟନାୟକ, ସଭାପତି, ପ୍ରଦେଶ କଂଗ୍ରେସ କମିଟି

ନୂଆ ଆଇନ୍‌ରେ ଯାହା ଅଛି ଚାଷୀ ଜାଣିସାରିଲେଣି
ନୂଆ କୃଷି ଆଇନ୍‌ ସମ୍ପୂର୍ଣ୍ଣ ଚାଷୀ ବିରୋଧୀ। ଏହି ଆଇନ୍‌ରେ ଯାହା ଅଛି ତାହା ଚାଷୀ ଜାଣିସାରିଲେଣି। ବିଜେପି ଆଉ ଯେତେ କହିଲେ ବି ଚାଷୀ ବୁଝିବେ ନାହିଁ। ଚାଷୀ ସେମାନଙ୍କ ପ୍ରତି ହେ‌ଉଥିବା ପ୍ରତାରଣାକୁ ସେମାନେ ଭଲ ଭାବେ ବୁଝିସାରିଲେଣି। ବିଜେଡି, ବିଜେପି ଚାଷୀଙ୍କ ସହିତ ନାହାନ୍ତି। ଏଇଟା ବାରମ୍ବାର ପ୍ରମାଣିତ ହୋଇଛି। ସଂସଦରେ ବିଲ୍‌ ପାସ୍‌ ହେଲା ବେଳେ ବିଜେଡି କାନ୍ଥର ବିଲେଇ ହୋଇଗଲା। ଦଳ କେଉଁ ପଟକୁ ଯିବ, ନିର୍ଦ୍ଧାରଣ କରିପାରୁ ନାହିଁ। ଦୋମୁହାଁ ନୀତି ଧରିଛି। କଂଗ୍ରେସ ସବୁବେଳେ ଚାଷୀଙ୍କ ସହ ଅଛି। ଚାଷୀଙ୍କ ଆନ୍ଦୋଳନ ସହ କଂଗ୍ରେସ ସକ୍ରିୟ ଭାବେ ସାମିଲ୍‌ ହେଉଛି ଓ ଆଗକୁ ହେବ।
ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ

କେନ୍ଦ୍ର ସରକାର ଏମ୍‌ଏସ୍‌ପି ବୃଦ୍ଧି କରନ୍ତୁ
ଓଡ଼ିଶାର ଚାଷୀଙ୍କ ପାଇଁ ବିଜେଡି ସବୁ‌େବଳେ ରହିଛି। ଚାଷୀଙ୍କ ସମସ୍ତ ସମସ୍ୟା ପ୍ରତି ବିଜେଡି ସମ୍ବେଦନଶୀଳ। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍‌ ବୈଠକରେ ସଂକଳ୍ପ ପାରିତ କରାଇଛନ୍ତି। ଏମ୍‌ଏସ୍‌ପି ନେଇ ସ୍ବାମୀନାଥନ୍ କମିଟିର ସୁପାରିସ୍‌କୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏମ୍‌ଏସ୍‌ପି ପାଇଁ ଅ‌ାମେ ଦିଲ୍ଲୀ ଯାଏ ଲଢ଼ିଛୁ।
ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ, ବିଜେଡି

ନିଃସର୍ତ୍ତରେ ଆଇନ ରଦ୍ଦ କରାଯାଉ
କୃଷକ ଓ ଖାଉଟିମାନଙ୍କ ସ୍ବାର୍ଥ ବିରୋଧରେ ଯାଇ କୃଷି ଓ ଖାଦ୍ୟ ନିରାପତ୍ତାକୁ ବିପନ୍ନ କରି କେନ୍ଦ୍ର ସରକାର ତିନିଟି କୃଷି ଆଇନ୍‌କୁ ଜବରଦସ୍ତ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ବହୁ ଚାଷୀ ସଂଗଠନ ଗଣତାନ୍ତ୍ରିକ ଉପାୟରେ ଏହାର ପ୍ରତିବାଦ କଲା ପରେ ଏବେ ନୂଆଦିଲ୍ଲୀ‌େର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାର ଚାଷୀ ସଂଗଠନ ସହ ଆଲୋଚନା କରି ସମାଧାନ ବାଟ ବାହାର କରିବା ବଦଳରେ ଜିଦ୍‌ଖୋର ମନୋବୃତ୍ତି ରଖି କର୍ପୋରେଟ୍‌ ସଂସ୍ଥାକୁ ସନ୍ତୁଷ୍ଟ କରବା ପାଇଁ କୃଷି ବିଲ୍‌ ପ୍ରତ୍ୟାହାର କରିବାକୁ ରାଜି ହେଉ ନାହାନ୍ତି। ସରକାର ତୁରନ୍ତ ନିଃସର୍ତ୍ତରେ ଆଇନ୍‌ ରଦ୍ଦ କରନ୍ତୁ। ନଚେତ ଆଗାମୀ ଦିନରେ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ। ତାହା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ସେଥି ପାଇଁ ସରକାର ଦାୟୀ ରହିବେ।
ରାମକୃଷ୍ଣ ପଣ୍ଡା, ବରିଷ୍ଠ ସିପିଆଇ ନେତା

ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି
କଂଗ୍ରେସ ଓ ବାମ ଦଳଗୁଡ଼ିକ ଦ୍ୱାରା ପ୍ରାୟୋଜିତ କିଛି କୃଷକ ସଂଗଠନ କୃଷି ଆଇନର ଭୁଲ୍ ତର୍ଜମା କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। କୃଷି ଆଇନକୁ ନେଇ ବିଜେପି ଚାଷୀଙ୍କୁ ବୁଝାଇବ। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ସମାବେଶ କରାଯିବ। ଏଥିରେ ସାଧାରଣ କୃଷକମାନଙ୍କୁ ସାମିଲ କରାଯାଇ ନୂଆ କୃଷି ଆଇନ ଦ୍ୱାରା ସେମାନେ କିପରି ଲାଭାନ୍ୱିତ ହୋଇପାରିବେ ସେ ନେଇ ବୁଝାଯିବ। ତା’ସହିତ ସେମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର କରାଯିବ। କେବଳ ଓଡ଼ିଶା ନୁହେଁ, ଦଳ ପକ୍ଷରୁ ଦେଶର ୭୦୦ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ। ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହି ଆଇନ୍ ଅଣାଯାଇଛି। ତେଣୁ କିଛି ଲୋକଙ୍କୁ ଭୟ କରି ଏଥିରୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ। ଓଡ଼ିଶାରେ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦାୟିତ୍ବ ହଟାଇ କ୍ୟାବିନେଟ୍‌ରେ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ସଂକଳ୍ପ ନେବା ଓ କେନ୍ଦ୍ରକୁ ଚିଠି ଲେଖିବା ଏକ ଭାଣ୍ଡାମୀ।
ପ୍ରଦୀପ ପୁରୋହିତ, ସଭାପତି, ବିଜେପି କୃଷକ ମୋର୍ଚ୍ଚା

ସମ୍ବନ୍ଧିତ ଖବର