ରିକ୍ସା ଟାଣୁଥିଲେ, ଏବେ ଆଇଇଏସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ଜମ୍ମୁ-କଶ୍ମୀରର ଅହମ୍ମଦ

ଜମ୍ମୁ: କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ, ଏହା ପ୍ରମାଣ କରି ଦେଖାଇଛନ୍ତି ଜମ୍ମୁ-କଶ୍ମୀରର ତନବୀର ଅହମ୍ମଦ ଖାନ | ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାର ଜଣେ କୃଷକଙ୍କ ପୁଅ ତନବୀର ଅହମ୍ମଦ ଖାନ ୟୁପିଏସସି ଦ୍ୱାରା ପରିଚାଳିତ ସମ୍ମାନଜନକ ଭାରତୀୟ ଅର୍ଥନୈତିକ ସେବା (ଆଇଇଏସ) ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି |

ଖାନ ଆରମ୍ଭରୁ ଜଣେ ଭଲ ଛାତ୍ର ଥିଲେ | ସ୍କୁଲ ଓ କଲେଜରେ ସେ ଭଲ ପାଠ ପଢ଼ୁଥିବା ବେଳେ କଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ତୃତୀୟ ମାନ୍ୟତା ପାଇ କଶ୍ମୀର ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ | ଏହା ପରେ ସେ କୋଲକାତା ଯିବା ସହ ସେଠାରେ ଦର୍ଶନଶାସ୍ତ୍ରରେ ସ୍ନାତ୍ତକୋତ୍ତର କରିଥିଲେ | କୋଲକାତାରେ ସେ ପାଠ ପଢିବା ସହ ଅନେକ ସମୟରେ ରିକ୍ସା ମଧ୍ୟ ଟାଣୁଥିଲେ |

ଖାନଙ୍କ କହିବା ମୁତାବକ, କୋଭିଡ୍ ସମୟରେ, ମୁଁ ନିଜକୁ ରୁମର ଚାରି କାନ୍ଥ ଭିତରେ ସୀମିତ ରଖି ଆଇଇଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି | କୋଭିଡକୁ ମୋର ଅଧ୍ୟୟନର କାର୍ଯ୍ୟସୂଚୀକୁ କେବେବି ପ୍ରଭାବିତ କରିବାକୁ ଦେଇନଥିଲି | ମୁଁ ବହୁତ କଠିନ ପରିଶ୍ରମ କଲି ଏବଂ ମୋର ପ୍ରଥମ ପ୍ରୟାସକୁ ମୋର ଶେଷ ପ୍ରୟାସ ଭାବରେ ଧରିନେଲି ଏବଂ ଶେଷରେ, ମୁଁ ଏହି ସଫଳତା ହାସଲ କରିପାରିଛି |

ସମ୍ବନ୍ଧିତ ଖବର