କେ. ଶିବନ୍ : ସାଧାରଣ କୃଷକର ପୁଅରୁ ଇସ୍ରୋ ମୁଖ୍ୟ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମୁଖ୍ୟ ପଦରେ ଏବେ ରକେଟ ବିଜ୍ଞାନୀ କେ ଶିବନ୍ ରହିଛନ୍ତି। ସେ ଏକ ସାଧାରଣ କୃଷକ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ କୃଷକ ଥିଲେ। ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାରେ ତାଙ୍କର ଘର ଏବଂ ସେ ସେଠାରେ ତାମିଲ ମିଡିୟମ୍ ସ୍କୁଲରେ ଶିକ୍ଷାଲାଭ କରିଛନ୍ତି। ଶିବନଙ୍କ ଛାତ୍ର ଜୀବନ ସମୟକୁ ମନେ ପକାଇ ସେ କହିଛନ୍ତି, ଶିବନ ନିଜକୁ ନିଜେ ତିଆରି କରିଛନ୍ତି। ଛାତ୍ରାବସ୍ଥାରେ ସେ କଠିନ କରିଶ୍ରମ କରିଛନ୍ତି। କେବେ ବି ସେ ଟ୍ୟୁସନ୍ ଏବଂ କୋଚିଂ କ୍ଲାସକୁ ଯାଇନାହାନ୍ତି। ତାଙ୍କ ନିଜ ଗାଁ ତରକନଭିଲାଇର ସରକାରୀ ବିଦ୍ୟାଳୟ ଏବଂ ନିକଟସ୍ଥ ବାଲାନଗୁମାରଭିଲାଇରେ ସେ ପଢ଼ୁଥିଲେ। ଏହା ପରେ ସେ ନାଗରକୋଏଲସ୍ଥିତ ସେଣ୍ଟ ହିନ୍ଦୁ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଏହା ପରେ ୧୯୮୦ ମସିହାରେ ସେ ଏରୋନଟିକାଲ ଇଞ୍ଜିନିୟରିଂରେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରି ହାସଲ କରିବା ପରେ ୧୯୮୨ରେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏରୋସ୍ପେସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଏବଂ ୨୦୦୬ରେ ସେ ଆଇଆଇଟି, ବମ୍ବେରୁ ଏରୋସ୍ସେସ୍ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି।

ଶିବନ୍‌ ଯେତେବେଳେ କଲେଜରେ ପଢ଼ୁଥିଲେ ‌ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ବିଏସସି(ଗଣିତ)ରେ ୧୦୦ ପ୍ରତିଶତ ନମ୍ବର ରଖି ସେ ଯେତେବେଳେ ଉତ୍ତୀର୍ଣ୍ଣ ହେଲେ ସେତେବେଳେ ତାଙ୍କ ବାପାଙ୍କ ମାନସିକତାରେ ପରିବର୍ତ୍ତନ ଆସିଲା ବୋଲି ଶିବନ କୁହନ୍ତି। ପିଲାଦିନେ ସେ ଚପଲ ପିନ୍ଧିନାହାନ୍ତି। କଲେ‌ଜକୁ ପଢ଼ିବା ପାଇଁ ସେ ଧୋତି ପିନ୍ଧି ଯାଆନ୍ତି। ଯେତେବେଳେ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପଢ଼ିଲେ ସେତେବେଳେ ସେ ପ୍ରଥମ ଥର ପାଇଁ ପ୍ୟାଣ୍ଟ ପିନ୍ଧିଲେ ବୋଲି ଶିବନ୍ କୁହନ୍ତି। ୨୦୧୮ ଜାନୁଆରିରେ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ବ ନେବା ପୂର୍ବରୁ ସେ ଇସ୍ରୋର ପ୍ରାୟ ସମସ୍ତ ରକେଟ କାର୍ଯ୍ୟକ୍ରମ ପାଇଁ କାମ କରୁଥିଲେ। ରକେଟ ବିକାଶ କରୁଥିବା ସଂସ୍ଥା ବିକ୍ରମ ସରାଭାଇ ମହାକାଶ ‌କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କ୍ରାୟୋଜେନିକ ଇଞ୍ଜିନ, ପିଏସଏଲଭି, ଜିଏସଏଲଭି ଏବଂ ପୁନଃବ୍ୟବହାରକ୍ଷମ ଲଞ୍ଚ ଭେଇକିଲ (ଆରଏଲଭି)ର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ୧୯୮୨ ମସିହାରେ ସେ ଇସ୍ରୋରେ ଯୋଗ ଦେଇଥିଲେ। ଇସ୍ରୋର ପିଏସଏଲଭି (‌ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ) ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପର ମିସନ୍ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍ ଏବଂ ଆନାଲିସିସ୍‌ରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା।

ସମ୍ବନ୍ଧିତ ଖବର