ବଢ଼ୁଛି ଫେସନ୍‌ ଗହଣାର ଚାହିଦା

ସମ୍ବାଦ ଜୁଏଲାରି ଫୋରମ୍‌ ୨୦୧୮

ଭୁବନେଶ୍ୱର : ଦେଶରେ ବିକ୍ରି ହେଉଥିବା ୯୦% ଗହଣା ହେଉଛି ୨୪ କ୍ୟାରେଟ୍‌ ସୁନା। ଅନ୍ୟ ଗହଣାଗୁଡ଼ିକର ଚାହିଦା ଏତେ ଅଧିକ ନାହିଁ। କିନ୍ତୁ ଧୀରେ ଧୀରେ ଫେସନ୍‌ ଗହଣାର ଚାହିଦା ବଢ଼ୁଛି। ଯୁବପିଢ଼ି ଓ ଆଧୁନିକ ଯୁଗର ମହିଳାମାନେ ଫେସନ୍‌ ଗହଣା ପ୍ରତି ଆକର୍ଷିତ ହେଉଛନ୍ତି। ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଛି ବୋଲି ରାଜ୍ୟରେ ଗହଣା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ କହିଛନ୍ତି।

ସମ୍ବାଦ ଜୁଏଲାରି ଫୋରମ୍‌ ୨୦୧୮ରେ ଅନୁଷ୍ଠିତ ପ୍ୟାନେଲ୍‌ ଆଲୋଚନାରେ ଭାଗ ନେଇଥିବା ବ୍ୟବସାୟୀମାନେ ଏହି ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ଉଦ୍ୟୋଗୀ ତଥା ଗହଣା ଡିଜାଇନର୍‌ ସ୍ୱସ୍ତି ମିଶ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଏହି ପ୍ୟାନେଲ୍‌ ଆଲୋଚନାରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ୨୦୦୫-୨୦୧୫ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୮୫୦ ଟନ୍‌ର ସୁନା ବିକ୍ରି ହେଉଥିଲା। ସେଥି ମଧ୍ୟରୁ ୫୫% ସୁନା ଅଳଙ୍କାର ଓ ଗହଣା ଆକାରରେ ବିକ୍ରି ହେଉଥିଲା। ବଳକା ୨୩% ସୁନାକୁ ନିବେଶ ପାଇଁ କିଣା ହେଉଥିବା ବେଳେ ୧୨% ସୁନା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ରହୁଥିଲା ଓ ୧୦% ସୁନା ଶିଳ୍ପସଂସ୍ଥାରେ ବ୍ୟବହାର ହେଉଥିଲା। ୨୦୧୬ ପରେ ସୁନା ବିକ୍ରି ୨୫% ହ୍ରାସ ପାଇଛି। ବ୍ୟବସାୟରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଗ୍ରହଣ କରିଥିବା କେତେକ ନୀତି ଓ ଜିଏସ୍‌ଟି ଲାଗୁ ହେବା ଯୋଗୁ ଗହଣା ବ୍ୟବସାୟରେ ସାମୟିକ ଅସ୍ଥିରତା ଦେଖାଦେଇଛି। ଆଗାମୀ ୨-୩ ବର୍ଷ ଭିତରେ ତାହା ସ୍ଥିର ହୋଇଯିବ। ପୁଣି ଥରେ ଗହଣା ବଜାର ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇ ଚାଲିବ ବୋଲି ସେ ଆଶା ପୋଷଣ କରିଛନ୍ତି।

ଏହି ଅବସରରେ ଶ୍ରୀ ଅର୍ଣ୍ଣାମେଣ୍ଟ୍‌ସ୍‌ ଜୁଏଲର୍ସର ପରିଚାଳନା ନିର୍ଦେଶକ ଭେଙ୍କଟେସ୍‌ ଶୀଲା କହିଛନ୍ତି ଯେ, ଜୁଏଲାରି ବଜାରର ଟ୍ରେଣ୍ଡ୍‌ ବଦଳୁଛି। ବିବାହ ଉତ୍ସବ ଓ ପାର୍ଟି ଆଦିରେ ପିନ୍ଧିବା ପାଇଁ ଲୋକମାନେ ଫେସନ୍‌ ଗହଣା ଖରିଦ କରୁଛନ୍ତି। ଗ୍ରାହକମାନେ ଫେସନ୍‌ ଗହଣା ପ୍ରତି ଧୀରେ ଧୀରେ ଆକର୍ଷିତ ହେଉଛନ୍ତି ବୋଲି ସେ କହିଛନ୍ତି।

ଇ-କମର୍ସରେ ଗହଣା ବିକ୍ରି ବିଷୟରେ ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ବିକ୍ରି ହେଉଥିବା ମୋଟ୍‌ ଗହଣା ମଧ୍ୟରୁ ମାତ୍ର ୯% ଅନ୍‌ଲାଇନ୍‌ରେ ବିକ୍ରି ହେଉଛି। ଏହା ନଗଣ୍ୟ ସ୍ତରରେ ରହିଛି। ଅନ୍‌ଲାଇନ୍‌ ଗହଣା ବଜାର ସୁଦୃଢ଼ ହେବା ପାଇଁ ଆହୁରି ବହୁତ ସମୟ ଲାଗିବ ବୋଲି ସେ କହିଛନ୍ତି। ୮୦% ଗ୍ରାହକ ଗହଣା କିଣିବା ବେଳେ ତାହାର ଫେରସ୍ତ ମୂଲ୍ୟ ଜାଣିବାକୁ ପ୍ରୟାସ କରନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ଲାବଣ୍ୟ ଜୁଏଲର୍ସର ପରିଚାଳନା ନିର୍ଦେଶକ ସତ୍ୟେନ୍ଦ୍ର ମିଶ୍ର କହିଛନ୍ତି ଯେ, ମୁଁ ଗହଣା ବଜାରରେ ନୂତନ ଭାବେ ପ୍ରବେଶ କରିଛି। କିନ୍ତୁ ଏତିକି ଜାଣିଛି ଯେ ଆମ ଷ୍ଟୋର୍‌ରେ ପ୍ରବେଶ କରୁଥିବା ପ୍ରତି ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଆମକୁ ବିଭିନ୍ନ ପ୍ରକାରର ଗହଣା ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ପ୍ୟାନେଲ୍‌ ଆଲୋଚନାରୁ ଏହା ସ୍ପଷ୍ଟ ହୋଇଛି ଯେ ଆଗାମୀ ଦିନରେ ବ୍ୟବସାୟୀମାନେ ଡିଜାଇନ୍‌ ଓ ଗୁଣାତ୍ମକ ମାନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବେ। ଆଗାମୀ ୧୦ ବର୍ଷ ଭିତରେ ଗହଣା ବଜାରରେ ବଡ଼ ଧରଣର ପରିବର୍ତନ ହେବ। ଲୋକମାନେ ବ୍ରାଣ୍ଡେଡ୍‌ ଗହଣାକୁ ଅଧିକ ପସନ୍ଦ କରିବେ। ଭୁବନେଶ୍ୱର ବଜାର ବ୍ରାଣ୍ଡେଡ୍‌ ଗହଣା ପାଇଁ ପ୍ରସ୍ତୁତ ହୋଇଗଲାଣି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର