କୁହାଯାଏ, ବାପ କାନ୍ଦିଲେ କ’ଣ ହବ, ଝିଅ ଜନମ ପରଘରକୁ। ଝିଅମାନେ ଯୁଦ୍ଧକ୍ଷେତ୍ର ଠାରୁ ଆରମ୍ଭ କରି ମହାକାଶରେ ପହଞ୍ଚିଲେଣି। ଯାଉଣୁଆସୁଣୁ ଆମେ ନାରୀ ସଶକ୍ତୀକରଣ କଥା କହୁଛୁ। ତଥାପି ଝିଅଟିଏ ଜନ୍ମ ହଉହଉ ଆଜି ବି ବାପାମାଆଙ୍କର ମୁଖ୍ୟ ଚିନ୍ତା ତା’ ବାହାଘର। ପାଠପଢ଼ା ସରୁସରୁ ମୋ ସାଙ୍ଗ ରାଧିକା ପାଇଁ ପୁଅ ଖୋଜା ଆରମ୍ଭ ହୋଇଯାଇଥିଲା। ତା’ ପାଇଁ ଯୋଗ୍ୟ ଜୀବନସାଥୀ ବାଛିବାର ଦାୟିତ୍ବ ସେ ବାପାମାଆଙ୍କ ଉପରେ ଛାଡ଼ିଦେଇଥିଲା। ବାହାଘରକୁ ନେଇ ତା’ ବାପାଙ୍କର ଥିଲା ଅନେକ ସ୍ବପ୍ନ, ସେ ଖୁବ୍ ଉତ୍ସାହିତ ଥିଲେ। ଝିଅ ପାଇଁ ବର ଖୋଜାରେ ସାମାନ୍ୟ ବୁଝାମଣା କରିବାକୁ ପ୍ରସ୍ତୁତ ନଥିଲେ। ସାହିପଡ଼ିଶା, ବନ୍ଧୁବାନ୍ଧବ, ମଧ୍ୟସ୍ଥି, ମାଟ୍ରିମୋନିଆଲ୍ ସାଇଟ୍, କେହି ବାଦ୍ ପଡ଼ିଲେ ନାହିଁ; ଚାରିଆଡୁ ପ୍ରସ୍ତାବ ଆସୁଥିଲା। ହେଲେ ରାଧିକାର ବାପା ସହଜେ ସନ୍ତୁଷ୍ଟ ହେବା ଲୋକ ନଥିଲେ। ଗୋଟିଏ ବୋଲି ଝିଅ ପାଇଁ ସେ ଦୁନିଆର ସବୁଠାରୁ ଭଲ ପୁଅଟିଏ ଖୋଜୁଥିଲେ। ଶିକ୍ଷାଦୀକ୍ଷା, ଘରପରିବାର, ଚାଲିଚଳଣ, ଚାକିରି, ଦରମା; ଜ୍ବାଇଁ ପାଇଁ ଶ୍ବଶୁର ଯୋଗ୍ୟତାର ଏକ ଲମ୍ବା ତାଲିକା ତିଆରି କରିଥିଲେ। ସୁନ୍ଦରଅସୁନ୍ଦର, ଗୋରାକଳା, ଉଚ୍ଚାଗେଡ଼ା ଆଦି ତନ୍ନତନ୍ନ ପରଖି କେବଳ ବଛାବଛା ପ୍ରସ୍ତାବ ଝିଅକୁ ଦେଖାଉଥିଲେ।
ପ୍ରଥମ ପାତ୍ର, ଯାହାକୁ ନେଇ କଥା ଆଗକୁ ବଢ଼ିଲା, ସେ ଥିଲେ ଜଣେ ଡାକ୍ତର। ଦେଖିବାକୁ ଆକର୍ଷଣୀୟ। ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାରେ ଚାକିରି ଏବଂ ବାପାମାଆଙ୍କର ଗୋଟିଏ ବୋଲି ପୁଅ। ଆନୁଷ୍ଠାନିକ ଭାବେ ପୁଅ ଓ ତା’ ଘର ଲୋକ ଝିଅଘରକୁ ଆସିଲେ। ଖିଆପିଆ, ଦେଖାଚାହାଁ, କଥାବାର୍ତ୍ତା; ଯାହା ଯେମିତି ହେବା କଥା ହେଲା। ପୁଅ-ଝିଅଙ୍କୁ ଏକାନ୍ତରେ ସାକ୍ଷାତ ପାଇଁ ଯଥେଷ୍ଟ ସମୟ ମିଳିଲା। ରାଧିକାର ଘରଲୋକ ବେଶ୍ ଖୁସି ଥିଲେ। ପରଦିନ ସକାଳେ ପୁଅଘରୁ ଖବର ଆସିଲା, ସେମାନେ ରାଜି। ବାପା ସମ୍ମତି ପାଇଁ ରାଧିକା ଆଡ଼କୁ ଚାହିଁଲେ। ରାଧିକା କହିଲା, ‘‘ହଁ କହିବା ପୂର୍ବରୁ ମୁଁ ସେ ପିଲା ସହ ଏକୁଟିଆରେ କିଛି ସମୟ ବିତେଇବାକୁ ଚାହୁଁଛି।’’ ଉଲ୍ଲସିତ ହୋଇ ବାପା କହିଲେ, ‘‘ଠିକ୍ ଅଛି, ମୁଁ ଫୋନ୍ କରି ଡାକି ଦଉଛି।’’ ରାଧିକା କହିଲା, ‘‘ଘରେ ନୁହେଁ, ମୁଁ ରେସ୍ତୋରାଁରେ ଭେଟିବି।’’ ରାଧିକାର ବାପା ଟିକେ ଇତସ୍ତତଃ ହେଲେ। ସେ ଥିଲେ ସ୍ବଭାବରେ ରକ୍ଷଣଶୀଳ। ବିବାହ ପୂର୍ବରୁ ପୁଅ-ଝିଅଙ୍କର ଏମିତି ମିଳାମିଶା ତାଙ୍କର ଆଦୌ ପସନ୍ଦ ନଥିଲା। ହେଲେ ରାଧିକା ଜିଦ୍ ଧରିଲା। ବାଧ୍ୟ ହୋଇ ସେ ରାଜି ହେଲେ। ତା’ ପରଦିନ ଖରାବେଳେ ଘର ପାଖ ଚାଇନିଜ୍ ରେସ୍ତୋରାଁରେ ଉଭୟଙ୍କ ସାକ୍ଷାତ୍ ହେଲା। ସେଠୁ ଫେରି ରାଧିକା ମନା କରିଦେଲା। କାରଣ ପଚାରିବାରୁ, କେବଳ ଏତିକି କହିଲା, ‘‘ସେ ମୋତେ ପସନ୍ଦ ନୁହେଁ।’’ ବାପା ଯେତେ ଜାଣିବାକୁ ଚାହିଲେ ମଧ୍ୟ ସେ କିଛି କହିଲା ନାହିଁ। ଏ ଘଟଣାକୁ ନେଇ ତା’ ବାପା ଖୁବ୍‌ ବିବ୍ରତ ଥିଲେ।

Advertisment

କିଛି ଦିନ ଭିତରେ ପରିସ୍ଥିତି ସ୍ବାଭାବିକ ହେଲା, ଘରକୁ ଦ୍ୱିତୀୟ ପ୍ରସ୍ତାବ ଆସିଲା। ଏଥରର ପାତ୍ର ପୂର୍ବ ଠାରୁ ବଳି କରି। ସମ୍ଭ୍ରାନ୍ତ ବ୍ୟବସାୟୀ ପରିବାରର ସୁଯୋଗ୍ୟ ଦାୟାଦ। ଆଉ ଥରେ ଖିଆପିଆ, ଦେଖାଚାହାଁ, କଥାବାର୍ତ୍ତା ଓ ଏକାନ୍ତରେ ଆଲୋଚନା, ଯେମିତି ଯାହା ହେବା କଥା ସବୁ ହେଲା। ଫୋନ୍ ଆସିଲା, ପୁଅ ଘର ରାଜି। ହେଲେ ରାଧିକା ପୁଣି ଥରେ ପୁଅ ସହ ରେସ୍ତୋରାଁ ଯିବା କଥା ଉଠାଇଲା। ପୁଅ ସହ ସାକ୍ଷାତ କରି ରେସ୍ତୋରାଁରୁ ଫେରିବା ପରେ ବାହାଘର ପାଇଁ ମନା କରିଦେଲା। ଯେତେ ଖୋଳିତାଡ଼ି ପଚାରିଲେ ବି କିଛି କହିଲା ନାହିଁ। ଏହି ଘଟଣା ପରେ ରାଧିକାର ବାପା ପ୍ରଚଣ୍ଡ ବିରକ୍ତ ହେଲେ। ତା’ ମା’ ଆମ ସାଙ୍ଗମାନଙ୍କୁ ଫୋନ୍ କରି ତାକୁ ବୁଝେଇବା ପାଇଁ ଅନୁରୋଧ କଲେ। ଅତ୍ୟନ୍ତ ଚିନ୍ତିତ ହୋଇ କହିଲେ, ‘‘ତା’ ବାପା ବାଛିବାଛି ଭଲଭଲ ପ୍ରସ୍ତାବ ଆଣୁଛନ୍ତି, ସବୁ କିଛି ଠିକ୍ ହୋଇ କଥା ଆଗେଇଲା ବେଳକୁ ସେ କ’ଣ ସେମାନଙ୍କୁ ନେଇ ରେସ୍ତୋରାଁ ଯାଉଛି ଆଉ ତା’ପରେ ଘରକୁ ଆସି ମନା କରିଦେଉଛି। କ’ଣ ହଉଛି, ଆମେ କିଛି ବୁଝିପାରୁନୁ। ଝିଅ ତମେମାନେ ତାକୁ ଟିକେ ପଚାର। ଏମିତି ଗୋଟେ ପରେ ଗୋଟେ ପ୍ରସ୍ତାବ ଭାଙ୍ଗିଲେ କେମିତି ହେବ? ଭଲ ପିଲାଟେ କ’ଣ ଆଉ ସହଜେ ମିଳିବ?’’ ଆମେ ପଚାରିବାରୁ ସେ ଆମ କଥାକୁ ଫୁ କରି ଉଡ଼େଇଦେଲା ଓ କହିଲା, ‘‘ବାହା ହେବା କ’ଣ ଖେଳଘର କଥା ହେଇଛି!’’

ଏବେ ଆସିଲେ ତୃତୀୟ ପାତ୍ର। ଦିଲ୍ଲୀର ଏକ ବଡ଼ ବ୍ୟାଙ୍କରେ ମ୍ୟାନେଜର। ପୁଣି ଥରେ ଖିଆପିଆ, ଦେଖାଚାହାଁ ଓ ଏକାନ୍ତରେ ଗପସପ। ଏଥର ବି ଭଲ ଖବର ଆସିଲା। ହେଲେ ବାପା ମୁହଁ ଫୁଲେଇ ଗୁମ୍ ମାରି ବସିଲେ। ରାଧିକାଠାରୁ କୌଣସି ଉତ୍ତର ଅପେକ୍ଷା ନରଖି ଶୁଣେଇଲା ଭଳି କହିଲେ, ‘‘ଯା, ରେସ୍ତୋରାଁ ପର୍ବଟା ସାରି ଦେଇ ଆସ।’’ ଏଥର କିନ୍ତୁ ରେସ୍ତୋରାଁରୁ ଫେରିବା ପରେ ରାଧିକାର ଉତ୍ତର ‘ହଁ’ ଥିଲା। ବାପା କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ। ତା’ପରେ ଖୁସିରେ ଝିଅକୁ ପାଖରେ ବସେଇ ପଚାରିଲେ, ‘‘ବାକି ସବୁ କଥା ପଛରେ। ତୁ ଆଗ କହିଲୁ ମା, ଏମାନଙ୍କୁ ତୁ ସେ ରେସ୍ତୋରାଁ କାହିଁକି ନେଇକି ଯାଉଥିଲୁ?’’ ରାଧିକା କହିଲା,‘‘ତମେ ଖୋଜିଥିବା ପୁଅମାନଙ୍କର ଯୋଗ୍ୟତାକୁ ନେଇ ମୋର କୌଣସି ସନ୍ଦେହ ନଥିଲା। ମତେ କେବଳ ସେମାନଙ୍କ ଚରିତ୍ର ଓ ସଂସ୍କାର ବିଷୟରେ ଜାଣିବାର ଥିଲା। କାରଣ ତାହା କୌଣସି କଲେଜରେ ପଢ଼ାଯାଏ ନାହିଁ କି କୌଣସି ଚାକିରିରେ ଅର୍ଜନ କରାଯାଏ ନାହିଁ। ରେସ୍ତୋରାଁରେ ୱେଟରମାନଙ୍କ ପ୍ରତି ସେମାନଙ୍କ ବ୍ୟବହାରକୁ ମୁଁ ଲକ୍ଷ୍ୟ କରୁଥିଲି। ଯେଉଁମାନଙ୍କ ପାଖରେ ଆମର କୌଣସି ସ୍ବାର୍ଥ ବା କାମ ଥାଏ, ସେମାନଙ୍କ ପ୍ରତି ଆମ ଆଚରଣ ଭଲ ହେବା ସ୍ବାଭାବିକ; ସେ ପରିବାରରେ କେହି ଗୁରୁଜନ ହୁଅନ୍ତୁ, ଶିକ୍ଷକ କିମ୍ବା ଅଧ୍ୟାପକ, କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଧିକାରୀ ହୁଅନ୍ତୁ ବା କ୍ଷମତାଶାଳୀ ବ୍ୟକ୍ତିବିଶେଷ। କିନ୍ତୁ ଯେଉଁମାନଙ୍କଠାରୁ କିଛି ବି ପାଇବାର ଆଶା ନଥାଏ ବା ଯେଉଁମାନେ ଆମ ପାଇଁ କିଛି କରିବାର ସାମର୍ଥ୍ୟ ରଖନ୍ତି ନାହିଁ, ସେମାନଙ୍କ ପ୍ରତି ଜଣଙ୍କର ବ୍ୟବହାର ହିଁ ତା’ର ପ୍ରକୃତ ଚରିତ୍ରର ପରିଚୟ ଦେଇଥାଏ।’’

ତନୟା ପଟ୍ଟନାୟକ
ସଂପାଦକ