ମୋପାଖକୁ ଗୋଟେ ଚିଠି ଆସିଥିଲା। ଚିଠିରେ ଲେଖାଥିଲା, ‘‘ମୁଁ ସରୋଜିନୀ ପାଣିଗ୍ରାହୀ। ଜଣେ ସାହସୀ ମା’ର ଅଯୋଗ୍ୟ ଝିଅ। ଆପଣଙ୍କ ଲେଖାରେ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଅନୁଭୂତି ପଢ଼ିବାକୁ ମିଳେ। ଚିଠିରେ ମୁଁ ମୋ ବୋଉର କାହାଣୀ ଲେଖୁଛି। ଯଦି କେବେ ସୁବିଧା ହୁଏ, ଆପଣଙ୍କ ସ୍ତମ୍ଭରେ ମୋ ବୋଉର କାହାଣୀକୁ ସ୍ଥାନ ଦେବେ।’’ ଆଜି ମାତୃଦିବସରେ ସରୋଜିନୀଙ୍କ ଚିଠିର କିଛି ଅଂଶ ଏଠି ପ୍ରକାଶ କରିବାକୁ ଉଚିତ ମନେକରୁଛି।
‘‘୧୯୮୪ରେ ଆମ ଗାଁ ବନ୍ୟାରେ ଭୀଷଣ ଭାବରେ ପ୍ରଭାବିତ ହୋଇଥାଏ। ଘର, ଗୋରୁଗାଈ, ଫସଲ ସବୁ ନଷ୍ଟ ହୋଇଯାଇଥାଏ। ଭଲ ସୁଯୋଗ ଏବଂ ଏକ ନୂତନ ଜୀବନର ଆଶା ନେଇ ବାପା ଆମମାନଙ୍କୁ ଗାଁରୁ ଭୁବନେଶ୍ୱର ନେଇ ଆସିଲେ। ଭୁବନେଶ୍ୱରରେ ଗୋଟେ ବଡ଼ ଲୁଗା ଦୋକାନରେ ବାପା ସେଲ୍‌ସମ୍ୟାନ୍ ଚାକିରିଟିଏ ପାଇଲେ। ଗୋଟେ ଛୋଟ ଦୁଇ ବଖୁରିଆ ଭଡ଼ାଘରେ ଆମେ ରହିଲୁ। ପାଖ ସରକାରୀ ସ୍କୁଲ୍‌ରେ ଭାଇର ପଞ୍ଚମ ଆଉ ମୋର ତୃତୀୟ ଶ୍ରେଣୀରେ ନାଁ ଲେଖାହେଲା। ଆମେ ଆମ ଛୋଟ ଦୁନିଆରେ ଖୁସିଥିଲୁ। ସହରକୁ ଆସିବାର ବର୍ଷେ ପରେ ବାପା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ, ଆଉ ବର୍ଷଟେ ପରେ ଆମକୁ ଛାଡ଼ି ଚାଲିଗଲେ। ଚଉତିରିଶ ବର୍ଷରେ ମୋ ବୋଉ ବିଧବା ହେଇଗଲା। କ୍ଷଣିକରେ ଆମ ଜୀବନ ଓଲଟପାଲଟ ହେଇଗଲା। କିଛିଦିନ ଭିତରେ ଆମର ସମସ୍ତ ସଞ୍ଚୟ ଶେଷ ହେଇଗଲା। ଯାହାକିଛି ଅଳ୍ପ ଗହଣାଗାଣ୍ଠି ଥିଲା, ବୋଉ ବିକିଦେଲା। ଏମିତି ଦିନ ଆସିଲା ଘରେ ଖାଇବା ପାଇଁ ଦାନାଟିଏ ବି ନଥିଲା। ଗାଁକୁ ଫେରିଯିବାକୁ ଅନେକ ଲୋକ ପରାମର୍ଶ ଦେଲେ। ହେଲେ ବୋଉ ପାଇଁ ସେଇଟା ବିକଳ୍ପ ନଥିଲା। ଆମ ପାଠପଢ଼ାରେ ଯେମିତି କୌଣସି ବାଧା ନଆସୁ, ଆମେ କେମିତି ଦି’ଓଳି ଭଲରେ ଗଣ୍ଡେ ଖାଇବାକୁ ପାଉ, ତାହା ହିଁ ବୋଉର ଏକମାତ୍ର ଉଦ୍ଦେଶ୍ୟ ଥିଲା। ଏଇ ଉଦ୍ଦେଶ୍ୟ ଖୁବ୍‌ଶୀଘ୍ର ଜିଦ୍‌ରେ ବଦଳିଗଲା। ମୋ ବୋଉ ଅନ୍ୟଘରେ ଯାଇ କାମ କଲା। ଓଳା, ପୋଛା, ଲୁଗାଧୁଆ, ବାସନମଜା। ଭଡ଼ାଘର ଛାଡ଼ି ପାଖ ବସ୍ତିରେ ଯାଇ ଆମେ ରହିଲୁ। ସେଦିନଗୁଡ଼ିକ ସବୁଠାରୁ ଯନ୍ତ୍ରଣାଦାୟକ ଥିଲା। ନା ମାମୁଘର, ନା ଜେଜେଙ୍କ ଘର, କେହି ସାହାଯ୍ୟ ପାଇଁ ଆଗକୁ ଆସିଲେ ନାହିଁ। ମୋ ବୋଉ ଏକଦମ୍ ଏକୁଟିଆ ହେଇଯାଇଥିଲା। ହେଲେ ତା’ର ଅସହାୟପଣ ସେ କେବେହେଲେ ଆମକୁ ଅନୁଭବ କରିବାକୁ ଦେଉ ନଥିଲା। ଏତେ ଯନ୍ତ୍ରଣା ପାଇ ବି ତା’ ଆଖିରେ ଲୁହ ନଥିଲା। ଅନେକ ରାତି ସେ ଭୋକଉପାସରେ ଶୋଇଛି। ନିଜ ପାଇଁ ସେ କେବେ କିଛି କିଣିବାର ମୋର ମନେନାହିଁ। ହେଲେ ସେତିକି ଯଥେଷ୍ଟ ନଥିଲା। ଆମ ପଢ଼ା ଚିନ୍ତାରେ ସେ ସବୁବେଳେ ଘାରି ହେଉଥିଲା। ବୋଉ ଘରପାଖ ଏକ ଦର୍‌ଜୀ ଦୋକାନରେ ସିଲେଇ କାମ କରିବା ଆରମ୍ଭ କରିଦେଲା। ଆମ ପାଇଁ ସେ ଦିନରାତି ଏକ କରିଦେଲା। ଆମକୁ ମଣିଷ କରିବା ପାଇଁ ବୋଉ ମେସିନ୍ ହେଇଯାଇଥିଲା। ଭାଇ ବି.କମ୍. ପଢ଼ି ଚାକିରି କଲା। ବି.ଏ. ସରିଲା ପରେ ମୋ ବାହାଘର ବ୍ରହ୍ମପୁରରେ ହେଇଗଲା। ପୁଅ ଚାକିରି କଲା, ଝିଅ ବାହାହେଲା, ଏଥର ମୋର ଚିନ୍ତାଗଲା କହି ବୋଉ ଭାରି ଖୁସି ହେଉଥିଲା। କିଛି ବର୍ଷ ପରେ ଭାଇ ବାହାହେଲା। ଆରମ୍ଭରୁ ହିଁ ବୋଉ ସାଙ୍ଗରେ ଭାଉଜର ପଡ଼ିଲା ନାହିଁ। ଛୋଟ ଛୋଟ କଥାକୁ ନେଇ ଭାଉଜ ସବୁବେଳେ ପାଟିତୁଣ୍ଡ କରୁଥିଲା। ତଥାପି ବୋଉ ସବୁବେଳେ ଚଳେଇ ନେଉଥିଲା। ଅସୁସ୍ଥତା ଯୋଗୁଁ ବୋଉକୁ ଦର୍‌ଜୀ ଦୋକାନ କାମ ଛାଡ଼ିବାକୁ ପଡ଼ିଲା। ତା’ ପରଠୁ ଘରେ ଅଶାନ୍ତି ଆହୁରି ବଢ଼ିଗଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ ଦିନେ ବୋଉକୁ ନେଇ ଭାଇ ବୃଦ୍ଧାଶ୍ରମରେ ଛାଡ଼ିଦେଇଆସିଲା। ଜାଣିବା ପରେ ମୁଁ ଭୁବନେଶ୍ୱର ଯାଇ ସେମାନଙ୍କ ଭିତରେ ବୁଝାମଣା ପାଇଁ ଅନେକ ଚେଷ୍ଟା କଲି। ହେଲେ ପାରିଲି ନାହିଁ। ଭାଇ ନିରବ ରହିଲା, ବୋଉ ବୃଦ୍ଧାଶ୍ରମରେ ରହିବା ପାଇଁ ଜିଦ୍ କଲା। କହିଲା, ସେ କାହା ଉପରେ ବୋଝ ହେବ ନାହିଁ। ମୁଁ ଯେତେ ବୁଝେଇଲେ ବି ମୋ ସାଙ୍ଗରେ ମୋ ଶାଶୂଘରକୁ ଯିବାକୁ ମନାକଲା। ଦଶବର୍ଷ ବୋଉ ବୃଦ୍ଧାଶ୍ରମରେ ରହିଲା ଓ ସେଇଠି ସେ ତା’ର ଶେଷନିଃଶ୍ୱାସ ତ୍ୟାଗ କଲା।’’
‘‘ବୋଉ ଯିବା ପରଠୁ ଗୋଟେ ରାତି ବି ମୁଁ ଶାନ୍ତିରେ ଶୋଇନି। ବୋଉ ପାଇଁ କିଛି କରିପାରିଲିନି। ଏଇ ଚିନ୍ତା ଆଜିଯାଏଁ ମୋ ପଛ ଛାଡ଼ିନାହିଁ। ବୋଉକୁ ପାଖରେ ରଖିବା ପାଇଁ ଭାଇକୁ ବୁଝେଇ ପାରିଲିନି, କି ମୋ ସାଙ୍ଗରେ ଆସିବା ପାଇଁ ବୋଉକୁ ରାଜି କରାଇପାରିଲିନି। ମୁଁ ଯେତେବେଳେ ବି ତାକୁ ପଚାରେ, ସେ କହେ ମୁଁ ଖୁସିରେ ଅଛି। ସେ ମିଛ କହୁଥିଲା। ସେ ଯେ ଖୁସିରେ ନାହିଁ, ଏକଥା ମୋତେ ଜଳଜଳ ହେଇ ଦେଖାଯାଉଥିଲା। ମରିବା ପାଇଁ ମୋ ବୋଉର ବୟସ ହେଇ ନଥିଲା। ରୋଗରେ ନୁହଁ, ମୋ ବୋଉ ଏକୁଟିଆପଣ ଓ ଅବସାଦରେ ଚାଲିଗଲା। ତା’ କଥା ନଶୁଣି ତାକୁ ଜବରଦସ୍ତି ମୋ ସାଙ୍ଗରେ ନେଇଆସିଥା’ନ୍ତି କି? ଏଇ ଅନୁତାପରେ ମୁଁ ସବୁବେଳେ ଜଳୁଛି। ବୋଉ ସବୁବେଳେ ଆମ ପାଖରେ ଛାଇ ପରି ଥିଲା। ମଲାବେଳେ ଭାଇ କି ମୁଁ ଆମେ କେହି ତା’ ପାଖରେ ନଥିଲୁ। ନିଜ ଭାଗ୍ୟ ସହ ଲଢ଼ି ସେ ଆମ ଭବିଷ୍ୟତ ଗଢ଼ିଥିଲା, ହେଲେ ଆମେ ଆମ ସାମାନ୍ୟତମ କର୍ତ୍ତବ୍ୟ କରିବାରେ ବିଫଳ ହେଲୁ। ଆମ ପାଇଁ ସେ ତା’ର ସବୁ ଖୁସି ତ୍ୟାଗ କରିଦେଲା ଆଉ ଆମେ ଆମ ସୁବିଧା ପାଇଁ କେଡ଼େ ସହଜରେ ତାକୁ ତ୍ୟାଗ କରିଦେଲୁ। ଆଜି ଇଚ୍ଛା ହେଉଛି ବୋଉକୁ ଜାବୁଡ଼ିଧରି କହନ୍ତି- ‘ମୋ ବୋଉ ଦୁନିଆର ସବୁଠୁ ସାହସୀ ଆଉ ଶ୍ରେଷ୍ଠ ବୋଉ’। ହେଲେ ସେ ଆଉ ନାହିଁ।’’

Advertisment

ତନୟା ପଟ୍ଟନାୟକ
ସଂପାଦକ