ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆରେ ଘଟିଥିବା ଏକ ଘଟଣା ବିଷୟରେ ମୁଁ ଆଜି ଲେଖୁଛି। ଜର୍ଜିଆ ରାଜ୍ୟର ବାସିନ୍ଦା ପ୍ୟାମ୍ କର୍ଣ୍ଣି ଦିନେ ଏକ ସ୍ଥାନୀୟ କଫି ଦୋକାନରେ ପହଞ୍ଚିଲେ। ସେଠାରେ ନିଜ ପାଇଁ କଫି ଓ କିଛି ଜଳଖିଆ ମଗାଇଲେ। ଦୋକାନର ମାଲିକ ମ୍ୟାଥ୍ୟୁ, ପ୍ୟାମ୍ଙ୍କୁ ବରାଦ ମୁତାବକ ଖାଦ୍ୟପେୟ ଆଣି ପରଷି ଦେଲା। କଫି ପିଉପିଉ ମ୍ୟାଥ୍ୟୁକୁ ପ୍ୟାମ୍ ପଚାରିଲେ, ‘‘କିଛିଦିନ ତଳେ ଏଇଠାରେ, ଡିସେମ୍ବର ମାସର ପ୍ରଚଣ୍ଡ ଜାଡ଼ ରାତିରେ, ରାସ୍ତାର ଆର କଡ଼ରେ ଏକ ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହେଉଥିଲା। ମୃତକଙ୍କୁ ଶେଷ ସମ୍ମାନ ଦେବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ବହୁଲୋକ ଏକାଠି ହୋଇଥିଲେ। ହଠାତ୍ ଜଣେ ଅଜଣା ବ୍ୟକ୍ତି ସେଠାରେ ଆବିର୍ଭୂତ ହୋଇ ସମବେତ ଲୋକଙ୍କୁ ଗରମ ଗରମ କଫି ପରିବେଷଣ କରିବାକୁ ଲାଗିଲା। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଲୋକଟି ମୃତକଙ୍କ ପରିବାର ସହ ଆଦୌ ପରିଚିତ ନଥିଲା। ସେ ଶୂନ୍ୟରୁ ଆସିବା ପରି କୁଆଡ଼ୁ ଆସିଲା ଏବଂ ଚୁପ୍ଚାପ୍ ସମସ୍ତଙ୍କୁ କଫି ବାଣ୍ଟିବା ଆରମ୍ଭ କଲା। ସେଠାରେ ଉପସ୍ଥିତ ସମସ୍ତେ ତାକୁ ଦେଖୁଥିଲେ, ହେଲେ ସେ କିଏ, କେହି ଜାଣିପାରୁ ନଥିଲେ। ସମସ୍ତେ ଉତ୍ସୁକତାର ସହ ତାକୁ ଚାହୁଁଥିଲେ ଏବଂ ମନେମନେ ଭାବୁଥିଲେ, ଏ ଲୋକଟି କିଏ, କାହିଁକି ଏ ହାଡ଼ଭଙ୍ଗା ଶୀତରାତିରେ ସମସ୍ତଙ୍କୁ କଫି ପିଆଇ ଚାଲିଛି! କିଛି ସମୟ ଭିତରେ ସେ ଲୋକଟି ସେମିତି ଝଡ଼ ପରି କୁଆଡ଼େ ଉଭାନ ହୋଇଗଲା, ଠିକ୍ ଯେମିତି ତା’ର ଆବିର୍ଭାବ ହେଇଥିଲା।’’
ପ୍ୟାମ୍ ମ୍ୟାଥ୍ୟୁକୁ ଚାହିଁ କହିଲେ, ‘‘ମୁଁ ତୁମକୁ କିଛି ପଚାରିବା ପାଇଁ ଚାହୁଁଛି। ମତେ କାହିଁକି କେଜାଣି ଲାଗୁଛି, ସେ ଲୋକଜଣକ ତୁମେ। ତୁମେ ଥିଲ ନା?’’ ମ୍ୟାଥ୍ୟୁ ମୁଣ୍ଡ ହଲେଇ କହିଲା, ‘‘ହଁ। ମୋର ସେ ରାତି କଥା ମନେଅଛି। ଭୟଙ୍କର ଶୀତରାତି। ଅନ୍ତିମ ସମ୍ମାନ ଜ୍ଞାପନ କରିବା ପାଇଁ ସେଠାରେ ବହୁ ଲୋକ ଏକତ୍ରିତ ହୋଇଥିଲେ। ମୃତକର ପରିବାର ପାଇଁ ମୁଁ ଖୁବ୍ ଦୁଃଖୀ ଥିଲି। ହେଲେ ମୁଁ ସେ ସମୟରେ ସେମାନଙ୍କ ପାଇଁ କିଛି ବି କରିପାରି ନଥାନ୍ତି। ମତେ ତ କେବଳ କଫି ତିଆରି କରିବା ଛଡ଼ା ଆଉ କିଛି ଜଣା ନଥିଲା। ତେଣୁ ମୁଁ କଫି ତିଆରି କଲି। ଯେତେ ଲୋକଙ୍କୁ ଦେଇପାରେ, କଫି ଦେଇ ଚାଲିଲି।’’
ପ୍ୟାମ୍ କହିଲେ, ‘‘ସେଦିନ ରାତିରେ ଯାହା ପାଇଁ ସମସ୍ତେ ସେଠାରେ ଉପସ୍ଥିତ ଥିଲେ, ସେ ଥିଲା ମୋର ଷୋହଳ ବର୍ଷର ପୁଅ। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସେ ଅସମୟରେ ମୃତ୍ୟୁବରଣ କରିଥିଲା। ଆମର ସମଗ୍ର ପରିବାର ଏ ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ତୁମର ଏହି ସଦୟ ସ୍ୱଭାବ ପାଇଁ ସେତେବେଳେ ସେହି ହାଡ଼ଭଙ୍ଗା ଶୀତରେ ଗରମ କଫି କପେ ପାଇ ସମସ୍ତେ ସାମାନ୍ୟ ସହଜବୋଧ କରିଥିଲେ। ତୁମେ ଗଲା ପରେ ଉପସ୍ଥିତ ସଭିଏଁ ମନେ ମନେ ତୁମକୁ ଖୋଜୁଥାଆନ୍ତି, କିଏ ଏଇ ଲୋକ, ଯିଏ ଦେବଦୂତ ପରି ଆସି ବିନା କୌଣସି ଅପେକ୍ଷାରେ ସମସ୍ତଙ୍କୁ ସହୃଦୟତାର ସହ ଟିକିଏ ଆଶ୍ବସ୍ତି ଦେଇଗଲା! ତୁମରି ପାଇଁ ଲୋକମାନଙ୍କ ଭିତରେ ସେଦିନ ବିଶ୍ୱାସ ଜନ୍ମିଥିଲା ଯେ ଦୁନିଆରେ ଏବେ ବି ମଣିଷପଣିଆ ଅଛି। ସେଦିନ ତୁମକୁ କୃତଜ୍ଞତା ଜଣାଇ ପାରି ନଥିଲି। ତୁମର ଦୟା ଓ ବିଚାରଶୀଳ ଭାବନା ପାଇଁ ମୁଁ ତୁମକୁ ଆଜି ମୋ ହୃଦୟରୁ ଗଭୀର କୃତଜ୍ଞତା ଜଣାଉଛି।’’
ସମଗ୍ର ଘଟଣାକୁ ପ୍ୟାମ୍ ତାଙ୍କର ଏକ ବ୍ଲଗ୍ରେ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘‘ମ୍ୟାଥ୍ୟୁଙ୍କର ଏକ ନିର୍ଦ୍ଦିଷ୍ଟ ଅଭିବ୍ୟକ୍ତିରେ ସେ ଅଟକିଯାଇଥିଲେ- ତାହା ଥିଲା, ମତେ ତ କେବଳ କଫି ତିଆରି କରିବା ଛଡ଼ା ଆଉ କିଛି ଜଣା ନଥିଲା। ତେଣୁ ମୁଁ କଫି ତିଆରି କଲି।’’
ଆମେ ସମସ୍ତେ ଜୀବନରେ ବହୁତ ବଡ଼ ବଡ଼ କାମ କରିବାକୁ ଚାହୁଁ। କିନ୍ତୁ ଆମର ଆତ୍ମବିଶ୍ୱାସର ଅଭାବ ଥାଏ। ଆମେ ଭାବୁ, ଆମେ କେତେ କ୍ଷୁଦ୍ର! କିନ୍ତୁ କେବେ କେବେ ଏଇ କ୍ଷୁଦ୍ର ଓ ସରଳ କଥା ଜୀବନରେ ଗଭୀର ପ୍ରଭାବ ପକାଇ ପାରେ। ଆମର ଛୋଟ ପ୍ରୟାସଟିଏ କେବେ କାହା ପାଇଁ ବଡ଼ ସାହାଯ୍ୟ ହୋଇପାରେ। ଆମେ ସବୁବେଳେ ଭାବୁ, ଆମର କ’ଣ ନାହିଁ, କ’ଣ ଅଭାବ ରହିଛି, ମୁଁ ଅସମର୍ଥ, ମୋ ପାଇଁ ଏହା ଅସମ୍ଭବ, ଇତ୍ୟାଦି ଇତ୍ୟାଦି। ଏସବୁ ନକାରାତ୍ମକ ଚିନ୍ତା ବଦଳରେ, ଆମେ ସକାରାତ୍ମକ ହୋଇ ହୃଦୟଙ୍ଗମ କରିବା ଉଚିତ କି ଭଗବାନଙ୍କର ଆଶୀର୍ବାଦ ସମସ୍ତଙ୍କ ପାଇଁ ରହିଛି; ସେ ସମସ୍ତଙ୍କୁ କିଛି ନା କିଛି ସାମର୍ଥ୍ୟ, କ୍ଷମତା ପ୍ରଦାନ କରିଛନ୍ତି। ସବୁବେଳେ ବିଶାଳ କାମ କରି ଦୁନିଆରେ ନିଜକୁ ପ୍ରମାଣ କରିବାର ଆବଶ୍ୟକତା ନାହିଁ। ନିଜ ଶକ୍ତି ଓ ସାମର୍ଥ୍ୟରେ ଯଥାସମ୍ଭବ ମହତ୍ କାର୍ଯ୍ୟ କରି ଆମେ ସମାଜରେ ଗଭୀର ଛାପ ଛାଡ଼ିଯାଇ ପାରିବା। ପରିବର୍ତ୍ତନର ଦୂତ ସାଜି ପାରିବା। ଏକ ସୁନ୍ଦର ପୃଥିବୀ ଗଢ଼ିବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରିବା।
ତନୟା ପଟ୍ଟନାୟକ
ସଂପାଦକ