ଗତ ସପ୍ତାହରେ ଘଟିଥିବା ଏକ ମର୍ମନ୍ତୁଦ ଘଟଣାର ହୃଦୟ ବିଦାରକ ଦୃଶ୍ୟକୁ ଯେତେ ଚେଷ୍ଟା କଲେ ବି ମନରୁ ଲିଭେଇ ପାରୁନି। ସିସିଟିଭିରେ କଏଦ ହୋଇଥିବା ସେ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମହାରାଷ୍ଟ୍ର ଭୟଣ୍ଡର ରେଳଷ୍ଟେସନ୍‌ର ପ୍ଲାଟଫର୍ମରେ ବାପା ଓ ପୁଅ ହାତ ଧରାଧରି ହୋଇ ଚାଲୁଛନ୍ତି। ଆଖିରୁ ଲୁହ ପୋଛୁଛନ୍ତି। କିଛି ମୁହୂର୍ତ୍ତ ପରେ ପ୍ଲାଟଫର୍ମରୁ ରେଳଧାରଣାକୁ ଓହ୍ଲାଉଛନ୍ତି। ଅପର ପାର୍ଶ୍ୱରୁ ଏକ ରେଳଗାଡ଼ି ଆସୁଛି। ଉଭୟ ଧାରଣା ଉପରେ ଶୋଇଯାଉଛନ୍ତି ଏବଂ ସେମାନଙ୍କ ଉପରେ ରେଳଗାଡ଼ି ଚଢ଼ିଚାଲିଯାଉଛି। ବାପାର ବୟସ ୬୫ ବର୍ଷ ଓ ପୁଅକୁ ମାତ୍ର ୩୫। ଗତ ବର୍ଷ ତା’ର ବାହାଘର ହୋଇଥିଲା। କୁହାଯାଉଛି, ଷ୍ଟକ୍‌ବଜାରରେ ଆର୍ଥିକ କ୍ଷତି ସହି ନପାରି ବାପ-ପୁଅ ଏଭଳି ନିଷ୍ଠୁର ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିଲେ। ଆମେ ଯେବେ ବି ଏପରି ଏକ ଘଟଣା ସମ୍ବନ୍ଧରେ ଶୁଣୁ; ସେତେବେଳେ ଭାବୁ, ଆର୍ଥିକ କ୍ଷତିର ପରିଣାମ କେତେ ଭୟଙ୍କର ହୋଇପାରେ ଯେ ଜଣେ ନିଜ ଜୀବନ ହାରିବାକୁ ବାଧ୍ୟ ହୁଏ! ତେବେ ଏଗାରଶହ କୋଟିର ଋଣ ଭାରରେ ବୁଡ଼ିଥିବା ବିଖ୍ୟାତ କାଫେ କଫି ଡେ ସାମ୍ରାଜ୍ୟର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ପରି ସୁପ୍ରସିଦ୍ଧ ଉଦ୍ୟୋଗପତି ହୁଅନ୍ତୁ କିମ୍ବା ଅନ୍‌ଲାଇନ୍ ଟ୍ରେଡିଙ୍ଗ୍‌ରେ କ୍ଷତି ସହୁଥିବା କଲେଜପଢ଼ୁଆ ବା ଚାକିରିଆ ଯୁବକ, ଅଥବା ଋଣଗ୍ରସ୍ତ ଚାଷୀ; ଦୁର୍ଭାଗ୍ୟବଶତଃ ଆର୍ଥିକ ଚାପ ଯୋଗୁଁ ଘଟୁଥିବା ଆତ୍ମହତ୍ୟା ଆଦୌ ଅସାଧାରଣ ନୁହେଁ।

Advertisment

ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ଏକ ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୩ ମସିହା ମଧ୍ୟରେ ଷ୍ଟକ୍‌ମାର୍କେଟରେ ୧୨ କୋଟି ନୂଆ ନିବେଶକ ପଞ୍ଜିକୃତ ହୋଇଛନ୍ତି। ଭାରତୀୟ ବଜାର କ୍ଷିପ୍ର ଗତିରେ ବଢୁଛି ଓ ପର୍ଯ୍ୟାପ୍ତ ଆର୍ଥିକ ସଚେତନତା ଯୋଗୁଁ ଅଧିକରୁ ଅଧିକ ଭାରତୀୟ, ବିଶେଷତଃ ଯୁବବର୍ଗ ସେମାନଙ୍କର କଷ୍ଟାର୍ଜିତ ଧନକୁ ଏସ୍ଆଇପି, ଷ୍ଟକ୍ ଓ ବଣ୍ଡ୍ ଆଦିରେ ନିବେଶ କରିବା ପାଇଁ ଆଗ୍ରହ ରଖୁଛନ୍ତି। ତା’ ଛଡ଼ା ଆଜିକାଲି ବିନା କୌଣସି ଦଲାଲ, ଉପଦେଷ୍ଟାରେ, ଟେକ୍ନୋଲୋଜି ଦ୍ୱାରା ବିଭିନ୍ନ ସରଳ ଆର୍ଥିକ ପ୍ଲାଟ୍‌ଫର୍ମ, ଆପ୍ଲିକେସନ୍ ଜରିଆରେ ଖୁବ୍‌ ସୁବିଧାରେ ନିବେଶ କରିହେଉଛି। ଫୋନ୍‌ରେ ମାତ୍ର ଗୋଟିଏ କ୍ଲିକ୍‌ରେ ଆଖିପିଛୁଳାକେ ଲକ୍ଷଲକ୍ଷ ଟଙ୍କାର ଦେଣନେଣ ହୋଇପାରୁଛି। ଦାୟିତ୍ୱସମ୍ପନ୍ନ ବା ସୂଚିତ ନିବେଶ ହେଉଛି ଉପଯୁକ୍ତ ରିଟର୍ଣ୍ଣ ଏବଂ ଆପଣଙ୍କ ଧନରାଶି ବୃଦ୍ଧିର ଅପେକ୍ଷାକୃତ ସୁରକ୍ଷିତ ଉପାୟ। କିନ୍ତୁ ଯେତେବେଳେ ବିନିଯୋଗ ଜୁଆରେ ପରିଣତ ହୁଏ, ସେତେବେଳେ ସମସ୍ୟା ଆରମ୍ଭ ହୋଇଯାଏ। ଇଏ ହେଉଛି ତୁରନ୍ତ ସନ୍ତୁଷ୍ଟିର ଯୁଗ। ଆମକୁ ସବୁକିଛି ତୁରନ୍ତ ଦରକାର। ସାଙ୍ଗେସାଙ୍ଗେ ଖାଦ୍ୟ, ତତ୍‌କ୍ଷଣାତ ସଉଦା କିମ୍ବା ଆବଶ୍ୟକ ସାମଗ୍ରୀ ପାଖରେ ପହଞ୍ଚିଯିବା ଦରକାର। ସେଇଭଳି ଆମକୁ ଆମ ଧନରାଶିରେ ମଧ୍ୟ ତୁରନ୍ତ ବୃଦ୍ଧି ଦରକାର। ଅଳ୍ପ ସମୟରେ ଅଧିକ ଧନଲାଭର ଲୋଭ ଯୁବକମାନଙ୍କୁ ଗ୍ରାସ କରୁଛି। ସୋସିଆଲ୍ ମିଡିଆରେ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ସେମାନେ ଖୁବ୍‌ ଶୀଘ୍ର ପ୍ରଭାବିତ ହୋଇଯାଉଛନ୍ତି ଓ ଆର୍ଥିକ ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ ବିନା, ପର୍ଯ୍ୟାପ୍ତ ଜ୍ଞାନ ନଥାଇ ଅନ୍‌ଲାଇନ୍‌ ଟ୍ରେଡିଙ୍ଗ୍, କ୍ରିପ୍ଟୋ ଟ୍ରେଡିଙ୍ଗ୍, ବେଟିଙ୍ଗ୍, ଗେମିଙ୍ଗ୍ ଓ ଅନ୍ୟ ସନ୍ଦେହପୂର୍ଣ୍ଣ ସଂସ୍ଥା ବା ପ୍ରଣାଳୀର ଫାନ୍ଦରେ ପଡ଼ିଯାଉଛନ୍ତି।

ଯେତେବେଳେ ଅପ୍ରତ୍ୟାଶିତ ବୃଦ୍ଧି ପାଇଁ ଆମେ ଆମର କିମ୍ବା ଆମ ପରିବାରର କଷ୍ଟ ଉପାର୍ଜିତ ଟଙ୍କାକୁ କ୍ଷତି ସହିବାର ଆଶଙ୍କା ଥିଲେ ବି ବିନିଯୋଗ କରୁଛୁ, ସେତେବେଳେ ଏହାକୁ ନିବେଶ କୁହାଯାଇପାରିବ ନାହିଁ। ଏହା ଏକ ଜୁଆ ଖେଳ। ଏହା ଏକ ମାୟାଜାଲ ଏବଂ ଏଥିରୁ ମୁକୁଳିବା ଖୁବ୍ କଠିନ। ଲୋକମାନେ ଏଭଳି ଆର୍ଥିକ କ୍ଷତିର ଭରଣା ପାଇଁ ଧାର କରଜ କରିବା ଏକ ସାଧାରଣ କଥା। ଏହି କରଜକୁ ଶୁଝିବା ପାଇଁ ଆଉ ଏକ କରଜ, ପୁଣି ଏକ ଋଣ। ପରିଣାମ କେବଳ ହତାଶା, ଅବସାଦ ଓ ଅନେକ ସମୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ। ଜୁଆରେ କେବେ ବି କାହାର ଲାଭ ହୋଇନାହିଁ। ସେ ପଶା ଖେଳି ନିଜର ସମ୍ପୂର୍ଣ୍ଣ ରାଜ୍ୟ, ଏମିତିକି ବାଜିରେ ନିଜ ପତ୍ନୀଙ୍କୁ ହାରିଥିବା ଧର୍ମରାଜ ଯୁଧିଷ୍ଠିର ହୁଅନ୍ତୁ ବା ବର୍ଷବର୍ଷ ଧରି ସେମାନଙ୍କ ଟଙ୍କା ଫେରିପାଇବାକୁ ବିକଳ ହୋଇ ଅପେକ୍ଷା କରିଥିବା ଲକ୍ଷଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀ; ସମସ୍ତଙ୍କ ପାଇଁ, ସବୁବେଳେ ବିପର୍ଯ୍ୟୟରେ ହିଁ ଜୁଆ ଖେଳର ଅନ୍ତ ଘଟିଥାଏ।

ଶୁଣିବାକୁ ଅତି ସାଧାରଣ ଓ ବିରକ୍ତିକର ଲାଗିପାରେ। କିନ୍ତୁ ଏହା ହିଁ ସତ୍ୟ ଯେ ସଫଳତା ପାଇଁ କୌଣସି ‘ସର୍ଟକଟ୍’ ନାହିଁ। ଯଦି ଆମେ ନିଜ ଚଉହଦିକୁ ଥରେ ଦେଖିବା ଓ ରାତାରାତି ସଫଳ ହୋଇଯାଇଥିବା କୌଣସି ବ୍ୟକ୍ତିବିଶେଷଙ୍କ ବିଷୟରେ ଥରେ ଅନୁଧ୍ୟାନ କରିବା, ତେବେ ଏହି କଥାକୁ ବୁଝିପାରିବା। ସେ ଆମର ପଡ଼ୋଶୀ, କେହି ଜଣା ବା ଅଜଣା ହୋଇଥାଇପାରନ୍ତି। ହେଲେ ତଥାକଥିତ ‘ସର୍ଟକଟ୍’ ସଫଳତା ଅଧିକ ସମୟ ତିଷ୍ଠି ନଥାଏ। ପାଣି ଫୋଟକା ପରି ଚାହୁଁଚାହୁଁ ଫାଟିଯାଏ। ଅପର ପକ୍ଷରେ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ କଥା ଥରେ ବିଚାରକୁ ନିଆଯାଉ। ପ୍ରାୟ ସମସ୍ତେ ଅତି ସାଧାରଣ ଅବସ୍ଥାରୁ ଜୀବନ ଆରମ୍ଭ କରିଥିବେ ଏବଂ ଧୀରେ ସୁସ୍ଥେ ନିଷ୍ଠା ଓ ପରିଶ୍ରମ ବଳରେ ତାଙ୍କର ସମ୍ପତ୍ତି ବୃଦ୍ଧି କରିଥିବେ। ଉଚ୍ଚାକାଂକ୍ଷୀ ହେବା, ଧନ ଅର୍ଜନ ଓ ବୃଦ୍ଧିର ଲକ୍ଷ୍ୟ ରଖିବା ଏବଂ ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ଅପରାଧ ନୁହେଁ। ହେଲେ ନିବେଶ କରିବା ପୂର୍ବରୁ ନିଜ ଆର୍ଥିକ ସ୍ଥିତି, କ୍ଷତି ସହିବାର ସାମର୍ଥ୍ୟ, ପ୍ରତିକୂଳ ପରିସ୍ଥିତିର ମୁକାବିଲା କ୍ଷମତା ଆଦି ସମ୍ପର୍କରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସଫଳତା କଥା ତ କହିପାରିବିନି, କିନ୍ତୁ କୌଣସି ବ୍ୟକ୍ତି ବା ଯୋଜନା ଯଦି ରାତାରାତି ମାଲାମାଲ୍ କରିବାର ପ୍ରତିଶ୍ରୁତି ଦେଉଥାଏ, ତେବେ ତାହା ନିଶ୍ଚୟ ସର୍ବନାଶର ସର୍ଟକଟ୍।

ତନୟା ପଟ୍ଟନାୟକ
ସଂପାଦକ