ଯେତେବେଳେ ଆମେ ପଢ଼ିବା ପାଇଁ ଘର ଛାଡ଼ି ଅଜଣା ଜାଗାକୁ ଯାଉ, ସାଙ୍ଗମାନେ ଆମ ପରିବାର ପାଲଟି ଯାଆନ୍ତି। ଏକାଠି ଖାଉ, ଏକାଠି ବସୁ, ଏକାଠି ପଢୁ; ହସଖୁସି, ରାଗରୁଷା, ସତରେ ଏ ସମ୍ପର୍କ ଖୁବ୍ ନିଆରା। ପାଠ ସରିଲେ ଆମେ ଯିଏ ଯାହା ବାଟରେ ଚାଲିଯାଉ। ପୁଣି କଦବା କ୍ବଚିତ୍ ଦେଖା ହେବାର ସୁଯୋଗ ମିଳେ। କିନ୍ତୁ ଯେତେ ଦୀର୍ଘ ବ୍ୟବଧାନରେ ଦେଖା ହେଲେ ବି, ସେ ସ୍ମୃତି ଓ ସମ୍ପର୍କ କିଛି ବି ବଦଳି ନଥାଏ।
ଗତ ସପ୍ତାହରେ ମୁଁ ମୋର ଜଣେ ସାଙ୍ଗ ବାହାଘରରେ ଯୋଗ ଦେବାପାଇଁ ଗ୍ରୀସ୍ ଯାଇଥିଲି। ୨୦୧୨ରେ ଆମେ ଏକାଠି ଇଂଲଣ୍ଡରେ ପଢୁଥିଲୁ। ପର୍ତ୍ତୁଗାଲ, ତାଇୱାନ୍, ଜର୍ମାନୀ, ରୁଷ୍, ଥାଇଲାଣ୍ଡ୍, ଫିନଲାଣ୍ଡ୍, ବ୍ରିଟେନ୍; ବିଶ୍ବର ବିଭିନ୍ନ କୋଣରୁ ଆମେ ସାଙ୍ଗମାନେ ୧୨ ବର୍ଷ ପରେ ଏକାଠି ହୋଇଥିଲୁ। ପୁରୁଣା ସମୟ, କିଏ କେଉଁଠି ଅଛନ୍ତି, ଏବେ କାହା ଜୀବନରେ କ’ଣ ଚାଲିଛି; ଏମିତି ଆଗକୁ କେତେ କଥା ହେବାର ଥିଲା। ଦିନେ ସନ୍ଧ୍ୟାରେ ଆଲୋଚନାର ମୋଡ଼ ବାହାଘର ଓ ପରିବାର ଆଡ଼କୁ ଗଲା। ପ୍ରାୟ ପାଶ୍ଚାତ୍ୟ ଦେଶରେ ୧୮ ବର୍ଷ ପରେ ଅଧିକାଂଶ ପିଲା ପରିବାରରୁ ଦୂରକୁ ଯାଇ ସ୍ବାଧୀନ ଓ ସ୍ବାବଲମ୍ବୀ ଜୀବନଯାପନ କରିବା ଏକ ସାଧାରଣ କଥା। ବାହାଘର ପରେ ବାପାମାଆଙ୍କ ସହ ଗୋଟିଏ ଘରେ ଏକାଠି ରହିବାର ଉଦାହରଣ ‘ନା’ ସହ ସମାନ। ତେଣୁ ମୋ ସ୍ୱାମୀ, ପୁଅ ଆଉ ମୁଁ, ଶାଶୂଶ୍ବଶୁରଙ୍କ ସହ ଏକାଠି ରହୁଛୁ ଜାଣି ମୋ ସାଙ୍ଗମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ ଆହୁରି ଆଶ୍ଚର୍ଯ୍ୟ ହେଲେ, ଯେବେ ଜାଣିଲେ ମୋ ଯାଆ, ଦେଢ଼ଶୁର ଓ ସେମାନଙ୍କ ପିଲାମାନେ ଏବଂ ଆମେ ସମସ୍ତେ ଏକାଠି ଗୋଟିଏ ଘରେ ରହୁଛୁ। ମୁଁ ହସି ହସି ଉତ୍ତର ଦେଲି, ‘‘ଆରେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ସତ କହିବାକୁ ଗଲେ, ମୁଁ ମୋ ଶାଶୂଘରେ ବହୁତ ଖୁସିରେ ଅଛି। ସେମାନେ ମୋତେ ତାଙ୍କ ଝିଅ ପରି ଭଲ ପାଆନ୍ତି। ମୋ ଯାଆ ଆଉ ମୋର ସମ୍ପର୍କ ଦି’ଭଉଣୀ ପରି। ମୁଁ ତ ଭାବୁଛି ଯୌଥ ପରିବାରରେ ଚଳିବାରେ ଅନେକ ସୁବିଧା ଅଛି। ମୁଁ ମୋ କ୍ୟାରିଅରରେ ଅଧିକ ସମୟ ଦେଇପାରୁଛି। ଘର ଚଳେଇବାର ବା ଘରକାମର ଭାର ମୋ ଉପରେ ନାହିଁ। ମୁଁ ଆଉ ମୋ ସ୍ୱାମୀ କାମରେ ବ୍ୟସ୍ତ ଥିଲା ବେଳେ ଆମର ଅନୁପସ୍ଥିତିର ଅନୁଭବ କେହି ବି ମୋ ପୁଅକୁ କରିବାକୁ ଦିଅନ୍ତି ନାହିଁ। ଘରେ ଯେତେ ଲୋକ, ତା’ ପାଇଁ ସେତେ ଭଲପାଇବା। ଆମେ ସମସ୍ତେ ପରସ୍ପରକୁ ବୁଝୁ, ପସନ୍ଦ-ନାପସନ୍ଦକୁ ଆଦର ସମ୍ମାନ କରୁ। ଖାଲି ମୁଁ ବୋଲି ନୁହେଁ, ଏହା ହେଉଛି ଆମ ଦେଶର ଏକ ସାଧାରଣ ପ୍ରଥା।’’ ସେମାନେ ମତେ ପ୍ରଶ୍ନ କଲେ, ‘‘ଭାରତରେ କ’ଣ ସମସ୍ତେ ଏମିତି ଏକାଠି ରହୁଛନ୍ତି?’’ ମୁଁ କହିଲି- ‘‘ନା, ସମସ୍ତେ ନୁହନ୍ତି। ସମୟ ଆଉ ପରିସ୍ଥିତି ବଦଳୁଛି। ହେଲେ ଗୋଟିଏ ସହରରେ ବାପାମାଆଙ୍କ ଠାରୁ ଅଲଗା ଆଉ ଏକ ଘରେ ପୁଅବୋହୂ ରହିବାକୁ ଆଜି ବି ଆମ ସମାଜ ଭଲ ଆଖିରେ ଦେଖେନାହିଁ।’’
ସେଦିନ ଠାରୁ ଏ ପ୍ରସଙ୍ଗର ବିଭିନ୍ନ ଦିଗକୁ ନେଇ ଭାବିବାକୁ ମୁଁ ବାଧ୍ୟ ହେଲି। ମୋ ଶାଶୂଘର ପରି ଘର ଓ ସମ୍ପର୍କୀୟ ପାଇବା ନିଶ୍ଚିତ ଭାବରେ ମୋ ପାଇଁ ସୌଭାଗ୍ୟ। ଏହା ସତ ଯେ ଆମ ପରି ଏମିତି ଅନେକ ପରିବାର ଥିବେ ଯେଉଁମାନେ ଗୋଟିଏ ଘରେ ସୌହାର୍ଦ୍ଦ୍ୟର ସହ ରହୁଥିବେ। ହେଲେ ଏହା ମଧ୍ୟ ଆମକୁ ସ୍ୱୀକାର କରିବାକୁ ହେବ; ଏମିତି ଅନେକ ପରିବାର ବି ଆମ ଚାରିପାଖରେ ଅଛନ୍ତି, ଯେଉଁମାନେ ଏକାଠି ଥିଲେ ବି ସେମାନଙ୍କ ସମ୍ପର୍କ ଅଶାନ୍ତି ଓ ତିକ୍ତତାରେ ପରିପୂର୍ଣ୍ଣ।
ଯେତେବେଳେ ଗୋଟିଏ ଝିଅ ବାହାହୋଇ ଶାଶୂଘରକୁ ଯାଏ, ତା’ର ଚାରିପାଖର ପୃଥିବୀ ବଦଳିଯାଏ। ଭାବିଲେ ବହୁତ ଅଜବ ଲାଗେ! ହଠାତ୍ ତା’ର ଘର ବଦଳିଯାଏ। କିଛି ଅଜଣା ଲୋକଙ୍କୁ ନେଇ ଗଢ଼ା ଏକ ପରିବାର ତା’ର ସବୁଦିନିଆ ସଂସାର ପାଲଟିଯାଏ। ଶାଶୂଘରର ସଦସ୍ୟମାନଙ୍କ ପାଇଁ ମଧ୍ୟ ହଠାତ୍ ଜଣେ ଅଜଣା ଆଗନ୍ତୁକକୁ ନିଜ ପରିବାରରେ ସାମିଲ କରିନେବା ସବୁବେଳେ ସହଜ ହୋଇ ନଥାଏ। ଅନ୍ୟ ସବୁ ସମ୍ପର୍କ ପରି ମଧ୍ୟ ଏ ସମ୍ପର୍କକୁ ମଧୁର ଓ ମଜବୁତ୍ କରିବା ପାଇଁ ପ୍ରୟାସ ଓ ଆନ୍ତରିକତାର ଆବଶ୍ୟକତା ରହିଛି। ଶାଶୂଘର ଲୋକ, ବିଶେଷ କରି ଶାଶୂ-ବୋହୂ ଉଭୟଙ୍କୁ ଅନେକଥର ଅନେକ କଥାରେ ତ୍ୟାଗ ଓ ବୁଝାମଣା କରିବାକୁ ପଡ଼ିଥାଏ।
ମଣିଷ ହିସାବରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟଠାରୁ ଭିନ୍ନ। ଆମର ନିଜର ଇଛା ଓ ଅନିଚ୍ଛା, ନିଜସ୍ୱ ସ୍ୱାଧୀନ ଚିନ୍ତାଧାରା, ସ୍ୱତନ୍ତ୍ର ପ୍ରକୃତି ଓ ପ୍ରବୃତ୍ତି ରହିଛି। ତେଣୁ କଥା କଟାକଟି ହେବା, ମନ ନ ମିଶିବା, ଅଶାନ୍ତି ଉପୁଜିବା ଆଦୌ ଅସ୍ୱାଭାବିକ ନୁହେଁ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି; ପ୍ରଥା ଅଛି ବୋଲି ଏକାଠି ରହିବା, ହେଲେ ସବୁବେଳେ ପାଟିତୁଣ୍ଡ, ରାଗ-ଅଭିମାନ, ଅନବରତ କଳିକଜିଆ ଆଉ ଝଗଡ଼ାରେ ଲିପ୍ତ ସମ୍ପର୍କର କ’ଣ ଅର୍ଥ ଅଛି ! ଏହା ଘରର ପରିବେଶକୁ ବିଷାକ୍ତ କରିଦିଏ। ତା’ ଛଡ଼ା ପିଲାଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ। କେବେ କେବେ ପରିସ୍ଥିତି ଏମିତି ଅନିୟନ୍ତ୍ରିତ ହୋଇଯାଏ ଯେ କଥା ଥାନାଫାଣ୍ଡି, କୋର୍ଟକଚେରି ଆଉ ଶେଷରେ ଛାଡ଼ପତ୍ର ପର୍ଯ୍ୟନ୍ତ ଚାଲିଯାଏ।
ଗୋଟିଏ ଘରେ କେବଳ ବାପାମାଆ, ପୁଅବୋହୂ ଏକାଠି ରହିବା ଏକ ସୁସ୍ଥ ସମ୍ପର୍କ ବା ପରିବାରର ମାନଦଣ୍ଡ ନୁହେଁ। ଆମେ ଜାଣିବାରେ, ଏମିତି ଅନେକ ପରିବାର ଅଛନ୍ତି, ଯେଉଁମାନେ ଗୋଟିଏ ଛାତ ତଳେ ଏକାଠି ରହନ୍ତି ନାହିଁ। ହେଲେ ଉତ୍ସବ, ପର୍ବପର୍ବାଣି, ରବିବାର ଓ ବିଶେଷ ଦିନଗୁଡ଼ିକରେ ଏକାଠି ହୁଅନ୍ତି। ସେମାନଙ୍କ ଭିତରେ ନିୟମିତ ଯିବାଆସିବା ଲାଗି ରହିଥାଏ। ପିଲାମାନେ ବଡ଼ମାନଙ୍କର ଦେହପା’ର ଯତ୍ନ ନିଅନ୍ତି। ଏଣୁ ଗୋଟିଏ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଯେଉଁଠି ସମ୍ଭବ, ସେଇଠି ସମସ୍ତେ ଏକାଠି ଗୋଟିଏ ଛାତ ତଳେ ହସଖୁସିରେ ରହନ୍ତୁ, ବାଧ୍ୟବାଧକତାରେ ନୁହେଁ। ମୋ ମତରେ, ଏକାଠି ଗୋଟିଏ ଘରେ ମୁହଁ ଫୁଲେଇ ରହିବା ଏବଂ ପରସ୍ପରର ଛାଇ ନଦେଖିବାଠୁ ଭଲ ହେବ- ଦୂରରେ ରହିବା, କିନ୍ତୁ ଖୁସିରେ ରହିବା।
ତନୟା ପଟ୍ଟନାୟକ
ସଂପାଦକ