ଘରେ ମୋର ପାଞ୍ଚ ବର୍ଷର ପୁଅ। ମୁଁ ଆଉ ମୋ ସ୍ୱାମୀ, ଉଭୟଙ୍କୁ ଦିନସାରା କାମରେ ବ୍ୟସ୍ତ ରହିବାକୁ ପଡ଼େ। ତେଣୁ ପୁଅ ପାଇଁ ଅଧିକ ସମୟ ବାହାର କରିବା ସମ୍ଭବ ହୁଏ ନାହିଁ। କିନ୍ତୁ ଅଳ୍ପ ହେଉ ପଛେ, ତା’ ସହିତ କିପରି ନିୟମିତ ଭଲ ସମୟ ବିତାଇ ହେବ, ଖେଳ ଓ ଅନ୍ୟାନ୍ୟ ଦିଗରେ ସେ କିପରି ବ୍ୟସ୍ତ ରହିବ, ତାର ଜିଦ୍‌ କେମିତି କମିବ, କେମିତି ସେ ଶୃଙ୍ଖଳିତ ହେବ, ତାର ପଢ଼ାପଢ଼ି କେମିତି ଠିକଠାକ୍ ଚାଲିବ, ଏସବୁ ବିଷୟରେ ଆମେ ପ୍ରାୟତଃ ଆଲୋଚନା କରିଥାଉ। କିଛିଦିନ ତଳେ ମୋ ସ୍ୱାମୀ ଟିକେ ଚିନ୍ତିତ ହୋଇ କହିଲେ, ‘‘ପୁଅକୁ ନେଇ ମୋତେ ଟିକିଏ ବ୍ୟସ୍ତ ଲାଗୁଛି।’’ ମୁଁ ପଚାରିଲି, ‘‘କାହିଁକି? କ’ଣ ହେଇଛି କି?’’ ସେ କହିଲେ, ‘‘ପାଠ, ଖେଳ, ଶୃଙ୍ଖଳା, ଏସବୁ ସମୟ ଅନୁସାରେ ଠିକ୍ ହେଇଯିବ। କିନ୍ତୁ ଆଜିର ଦୁନିଆରେ ଗୋଟେ ପୁଅର ବାପା-ମା’ ହିସାବରେ ସେ ମହିଳାଙ୍କୁ କିପରି ସମ୍ମାନ ଦେବ, ସେକଥା ତାକୁ ଶିଖେଇବା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଯେବେ ବି ମୁଁ ନାରୀମାନଙ୍କ ସହ ଅପରାଧ ଓ ଅତ୍ୟାଚାରର ଖବର ଦେଖୁଛି, ମୋ ମନକୁ ଏକ ଅଜଣା ଆତଙ୍କ ଗ୍ରାସ କରୁଛି। ଯଦି ମୋ ପୁଅ ସେଭଳି କିଛି ଭୁଲ୍‌ କରିବସେ! ଆମେ କ’ଣ ଏ ବିଷୟରେ ତାକୁ ଯଥେଷ୍ଟ ଶିକ୍ଷା ଦେଉଛେ, ସଚେତନ କରୁଛେ? ଚାହୁଁ ଚାହୁଁ ସେ ବଡ଼ ହେଇଯିବ। କାଲି ଆଖପାଖରେ ଥିବା ମହିଳାମାନଙ୍କୁ ସେ କିପରି ସମ୍ମାନ ଦେବ, ସେ ବିଷୟରେ ଆମେ ଯଥେଷ୍ଟ ଯତ୍ନବାନ ହେଉଛୁ କି?’’
କୌଣସି ଅଘଟଣ ଘଟିଲେ ପୀଡ଼ିତା ମୁଣ୍ଡରେ ଦୋଷ ଲଦିଦେବା ଆଜିକାଲି ସମାଜରେ ଏକ ସାଧାରଣ ଅଭ୍ୟାସ ହୋଇଗଲାଣି। ଏତେ ରାତିରେ ସେ ଝିଅ ବାହାରେ କ’ଣ କରୁଥିଲା? କାହିଁକି ହାତକଟା, ଗୋଡ଼ ଲୁଚୁ ନଥିବା ପୋଷାକ ପିନ୍ଧିଥିଲା? ସମସ୍ତଙ୍କ ସହ ଉପରେ ପଡ଼ି କଥା ହେଉଥିଲା। ଅଧିକ ହେଁ ହେଁ ଫେଁ ଫେଁ ହେଉଥିଲା। ନହେଲେ କ’ଣ ସେ ଟୋକା ଏତେ ସାହସ କରିଥା’ନ୍ତା! ଝିଅର ବାପା-ମା’ ତାକୁ ଏତେ ସ୍ବାଧୀନତା କାହିଁକି ଦେଇଥିଲେ? ପୀଡ଼ିତାର ପରିସ୍ଥିତି ନ ବୁଝି ଏମିତି ମେଞ୍ଚାମେଞ୍ଚା ପ୍ରଶ୍ନ ପଚାରି ତାକୁ କ୍ଷତାକ୍ତ କରିପକାଉ।
ବ୍ୟାଗ ଭିତରେ ଲଙ୍କାଗୁଣ୍ଡ ରଖିଥିବୁ। ଡେରିରେ ବାହାରକୁ ଯିବୁନାହିଁ। ସବୁବେଳେ ସାଙ୍ଗ ବା ଦଳ ଭିତରେ ରହିବୁ। ଜୁଡୋ, କରାଟେ ଇତ୍ୟାଦି ଆତ୍ମରକ୍ଷା କୌଶଳ ଶିଖିବୁ। ସ୍ପିଡ଼୍ ଡାଏଲ୍‌ରେ ଜରୁରି ନମ୍ବର ରଖିବୁ। ଦେଖି ଚାହିଁ କଥା ହେବୁ। ଖୋଲାମେଲା ପୋଷାକ ପିନ୍ଧିବୁ ନାହିଁ। ‌ଯେମିତି ଦୁନିଆର ସବୁ ନିୟମ, ସବୁ ଉପଦେଶ କେବଳ ଝିଅମାନଙ୍କ ପାଇଁ। କିନ୍ତୁ ପୁଅମାନଙ୍କୁ ଶିକ୍ଷା ଦେବା କେବେ? ଆମେ କେବେ ଆମ ଝିଅଙ୍କୁ ଦୋଷ ଦେବା ବନ୍ଦ କରିବା ଏବଂ ପୁଅମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିବା?
ଗତ ସପ୍ତାହରେ ବଲାଙ୍ଗୀରରେ ଏକ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେଇଥିଲି। ସେଠାରେ  ଜଣେ ବରିଷ୍ଠ ଡାକ୍ତର ତଥା ଲେଖିକା ମଞ୍ଜୁବାଳା ପଣ୍ଡା ‘ସମ୍ବାଦ’ରେ ‘ଟିଚ୍ ଇଓର୍ ବୟ’ ଶୀର୍ଷକ ଏକ ସ୍ତମ୍ଭ ଆରମ୍ଭ କରିବା ପାଇଁ ମତେ ପରାମର୍ଶ ଦେଲେ। ପୁଅଙ୍କୁ ଶିଖାଅ- ଏପରି ସ୍ତମ୍ଭ ମାଧ୍ୟମରେ ଏ ପ୍ରସଙ୍ଗ ଅଧିକ ଭାବେ ଲୋକଙ୍କ ପାଖରେ ପହଞ୍ଚିବା ସହ ପୁଅମାନଙ୍କୁ ଶିକ୍ଷା ଦେବାର ଗୁରୁତ୍ୱ ସମ୍ପର୍କରେ ବୁଝାଇପାରିବ ବୋଲି ସେ ମତଦେଲେ। ପୁଣି ସେ କହିଲେ, ‘‘ପିଲାର ଶିକ୍ଷା ମାତୃଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ଜଣେ ଗର୍ଭବତୀ ମହିଳା ପୋଷଣ ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବା ଉଚିତ। ତାଙ୍କୁ କିପରି ପରିବାରର ସହଯୋଗ ମିଳିବ, ସେ ସମସ୍ତ ଚାପରୁ କେମିତି ମୁକ୍ତ ରହିବେ, ଏହା ସମସ୍ତଙ୍କର ଦାୟିତ୍ୱ। ନାରୀମାନଙ୍କ ପ୍ରତି ଉଚିତ ବ୍ୟବହାର ପ୍ରଦର୍ଶନ କରିବାର ଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଜନ୍ମରୁ ହିଁ ପୁଅମାନଙ୍କୁ ଏହି ଶିକ୍ଷା ମିଳିବା ନିହାତି ଆବଶ୍ୟକ।’’
ମୁଁ ସ୍ୱୀକାର କରୁଛି ଯେ ଏ ଦିଗରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ମୁଁ  ମଧ୍ୟ ପ୍ରତିଶ୍ରୁତି ଦେଉଛି ‘ସମ୍ବାଦ’, ‘କନକ ନ୍ୟୁଜ୍’ ଓ ‘ରେଡିଓ ଚକଲେଟ୍’ ଏ ସଂକ୍ରାନ୍ତୀୟ ଲେଖା ଓ ଖବରକୁ ଅଗ୍ରାଧିକାର ଦେଇ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ପାଖରେ ପହଞ୍ଚାଇବେ। ଏଥିସହ ସୁଚିନ୍ତିତ ଅଭିଯାନ ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ। ହେଲେ ମୁଁ ଦୃଢ଼ ଭାବରେ ଅନୁଭବ କରୁଛି, ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ପୁଲିସ୍, ସରକାର ଏ ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି । ପ୍ରକୃତ ଶିକ୍ଷା ଓ ସଂସ୍କାର ଘରୁ ହିଁ ମିଳିଥାଏ। ହୁଏତ ଆମେ ଆମ ପିଲାଙ୍କୁ ପୃଥିବୀର ସବୁ ନିୟମ ଶିଖେଇଦେବା, ସେମାନଙ୍କୁ ଲମ୍ବା ଲମ୍ବା ଭାଷଣ  ଦେବା। ଡରାଇ ଧମକାଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା। କିନ୍ତୁ ପିଲାଙ୍କର ମନ ଅଲେଖା ସିଲଟ ପରି। ସେମାନଙ୍କ ଚାରିପାଖେ ଯାହା ଘଟେ, ସେମାନେ ତାହା ହିଁ ଶିଖନ୍ତି ଏବଂ ଅନୁସରଣ କରିବା ପାଇଁ ଚେଷ୍ଟା କରନ୍ତି। ପିତାମାତା ଓ ପରିବାରର ସଦସ୍ୟଙ୍କର ଏଠାରେ ସବୁଠାରୁ ବଡ଼ ଯୋଗଦାନ ରହିଛି। ପରିବାରର ସଦସ୍ୟମାନେ କିପରି ପରସ୍ପର ସହ ବାର୍ତ୍ତାଳାପ କରୁଛନ୍ତି, ସେମାନଙ୍କ ଜୀବନଶୈଳୀ, ଘର ଭିତରେ ମହିଳାମାନଙ୍କ ସହ କିପରି ଆଚରଣ କରାଯାଉଛି, ଏସବୁ ପିଲାଙ୍କ ମନ ଗଢ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଆମମାନଙ୍କ ପରିବାର ଭିତରେ ମା’,  ଖୁଡି ଓ ଅନ୍ୟ ମହିଳାଙ୍କ ପ୍ରତି ଯେପରି ବ୍ୟବହାର ଅନ୍ୟମାନେ କରନ୍ତି, ଛୁଆମାନେ ସବୁ ଦେଖନ୍ତି, ଶିଖନ୍ତି ଏବଂ ଭବିଷ୍ୟତରେ ଏହାର ପ୍ରତିଫଳନ ସେମାନଙ୍କ ଚରିତ୍ରରେ ହୋଇଥାଏ।
ନିର୍ଭୟା ହେଉ କି ମମିତା, ସମୟ ସମୟରେ ଏଭଳି କିଛି ଅମାନବୀୟ ଘଟଣା ଦୁନିଆ ସାମ୍ନାକୁ ଆସେ, ଯାହା ଆମ ଅନ୍ତରକୁ ଦୋହଲାଇ ଦିଏ। ହେଲେ ଏମିତି ଘଟଣା ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆମ ଚାରିପାଖରେ ଘଟୁଛି। ଏହା ହିଁ ବାସ୍ତବତା। ଝିଅମାନଙ୍କର ବାପା-ମା’ ସେମାନଙ୍କର ସୁରକ୍ଷା ପାଇଁ ଯେତେ ଚିନ୍ତାଶୀଳ, ପୁଅମାନଙ୍କର ବାପା-ମା’ ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଯଦି ସେତିକି ଯତ୍ନବାନ ହୁଅନ୍ତେ, ତେବେ ଆମ ସମାଜରେ ହୁଏତ ଏପରି ବର୍ବରୋଚିତ ଘଟଣା ଅନେକ କମି ଯାଆନ୍ତା।

Advertisment

ତନୟା ପଟ୍ଟନାୟକ
ସଂପାଦକ