କିଛି ଦିନ ତଳେ ଏକ ସାମାଜିକ ଉତ୍ସବରେ ମୋର ଜଣେ ସମ୍ପର୍କୀୟା ମୋତେ ଅସ୍ବାଭାବିକ ମନେହେଉଥିବା ପ୍ରଶ୍ନଟିଏ ପଚାରିଲେ-‘‘ଆରେ ମା, ତୁ ତ ଏତେ ଆଡ଼େ ଯାଉଛୁ, ଏତେ ଲୋକଙ୍କ ସହ ମିଶୁଛୁ, ମତେ କିଛି ପ୍ରସ୍ତାବ ଦେ! ମୁଁ କ’ଣ କରିପାରିବି? ଘରେ ବସି ବସି ଆଉ ଭଲ ଲାଗୁନି। ମୋର କିଛି ଅଭାବ ନାହିଁ। ତଥାପି ଖାଲି ସମୟ କେମିତି କାଟିବି ଜାଣିପାରୁନି।’’ ଭଦ୍ରମହିଳାଙ୍କ ବୟସ ସତୁରିରୁ ଅଧିକ। ତାଙ୍କର ପିଲାମାନେ ସମସ୍ତେ ବିବାହିତ ଓ ଭଲରେ ଅବସ୍ଥାପିତ। ତଥାପି କେଉଁଠି ନା କେଉଁଠି ତାଙ୍କୁ ଭିତରେ ଭିତରେ ଅସମ୍ପୂର୍ଣ୍ଣବୋଧ ହେଉଥିଲା। ନିଜ ସମୟକୁ କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ ପାଇଁ ଉପଯୋଗ କରିବା ଉଚିତ ବୋଲି ସେ ମନେ କରୁଥିଲେ।

Advertisment

ପୃଥିବୀର କୋଣଅନୁକୋଣରେ ଆମେ ଏମିତି ଅଗଣିତ ଲୋକଙ୍କୁ ଦେଖିବାକୁ ପାଇବା, ଯେଉଁମାନେ ବୟସକୁ ଭ୍ରୂକ୍ଷେପ ନକରି, ବୃଦ୍ଧାବସ୍ଥାରେ ବି ପୁଣିଥରେ ନିଜର ପରିଚୟ ଖୋଜି ପାଇଛନ୍ତି ଏବଂ ଆନନ୍ଦରେ ଅଛନ୍ତି। ୯୪ ବର୍ଷ ବୟସରେ ନିଜ ହାତ ତିଆରି ମିଠାକୁ ନେଇ ଉଦ୍ୟୋଗପତି ସାଜିଥିବା ଚଣ୍ଡୀଗଡ଼ର ହର୍‌ଭଜନ୍ କୌର ହୁଅନ୍ତୁ ବା ୭୩ ବର୍ଷ ବୟସରେ ଶିକ୍ଷାଲାଭ କରିବା ପାଇଁ ସ୍କୁଲ୍ ଯାଇଥିବା ମିଜୋରାମ୍‌ର ଲାଲରିଙ୍ଗଥାରା। ଏପରି ମଣିଷମାନେ ସମାଜ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏବଂ ଯେବେ ବି ସୁଯୋଗ ମିଳିଛି ଏମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ବୟସ କେବେହେଲେ ବାଧକ ନୁହେଁ। ମୋର ସବୁଠାରୁ ପ୍ରିୟ ଉଦାହରଣ ହେଉଛନ୍ତି ପ୍ରୀତୀଶ ଚନ୍ଦ୍ର ବାସା। ସେ ମୋ ବାପାଙ୍କର ଅତି ଘନିଷ୍ଠ ଏବଂ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ। ପୁଅର ଦୁଃଖଦ ମୃତ୍ୟୁ ପରେ ସମାଜ ଲାଗି କିଛି କରିବାର ଇଚ୍ଛା ତାଙ୍କ ଭିତରେ ଜାଗ୍ରତ ହେଲା। ୨୦୨୨ ମେ ୧୫ ତାରିଖ ଦିନ ପୁଅର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ସେ କିଛି ଡାକ୍ତର ବନ୍ଧୁଙ୍କ ସହ ମିଶି ଆରମ୍ଭ କଲେ ଏକ ମହତ୍ ପ୍ରୟାସ- ‘ଅତୁଟ ବନ୍ଧନ’। ଏହା ପଛରେ ଥିଲା ସରକାରୀ ମେଡିକାଲ୍‌ କଲେଜରେ ପଢୁଥିବା ଗରିବ ମେଧାବୀ ଛାତ୍ରମାନଙ୍କୁ ସ୍ବେଚ୍ଛାକୃତ ଦାତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ପ୍ରଦାନ କରିବାର ପରିକଳ୍ପନା।

ତିନି/ଚାରି ଜଣ ଗରିବ ମେଧାବୀ ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କ୍ଷୁଦ୍ର ପ୍ରୟାସ ସେଦିନ ବୃହତ୍‌ ଆକାର ନେଲା, ଯେଉଁଦିନ ପ୍ରୀତୀଶବାବୁଙ୍କର ହୃଦ୍‌ବୋଧ ହେଲା ଯେ କତିପୟ ନୁହେଁ, ବହୁ ଛାତ୍ରଙ୍କୁ ଏପରି ସହାୟତାର ଆବଶ୍ୟକତା ରହିଛି। କିଏ ଅନାଥ ତ କିଏ ଦୁଇ ଓଳି ଖାଇବାପାଇଁ ସଂଘର୍ଷ କରୁଛି। ସେ ପ୍ରଥମ ବର୍ଷରେ ୫୦ ଜଣ ଛାତ୍ରଙ୍କୁ ଚିହ୍ନଟ କରିବାର ଲକ୍ଷ୍ୟ ରଖିଲେ। ତା’ପରେ ଏମାନଙ୍କ ପାଇଁ ପ୍ରାୟୋଜକ ବା ଦାତା ଯୋଗାଡ଼ିବା ପାଇଁ ଲାଗିପଡ଼ିଲେ। ଧୀରେ ଧୀରେ ଅଧିକ ଛାତ୍ର ଓ ପ୍ରାୟୋଜକ ଯୋଡ଼ିହୋଇ ‘ଅତୁଟ ବନ୍ଧନ’ ପରିବାର ଏକ ବିଶାଳ ଅନୁଷ୍ଠାନରେ ପରିଣତ ହେଲା। ଆଜିର ଦିନରେ ୧୮୦ ଜଣ ଯୋଗ୍ୟ ଗରିବ ମେଧାବୀ ଡାକ୍ତରୀ ଛାତ୍ରଙ୍କୁ ‘ଅତୁଟ ବନ୍ଧନ’ ସହାୟତା ପ୍ରଦାନ କରୁଛି। ‘ଅତୁଟ ବନ୍ଧନ’ର ସହାୟତା ପାଇବା ପାଇଁ ଏକମାତ୍ର ମାନଦଣ୍ଡ ହେଉଛି ଛାତ୍ର/ଛାତ୍ରୀ ଜଣକ କୌଣସି ସରକାରୀ ମେଡିକାଲ୍‌ କଲେଜରେ ପଢ଼ିବା ଲାଗି ଯୋଗ୍ୟ ବିବେଚିତ ହୋଇଥିବେ ଏବଂ ତାଙ୍କ ପରିବାର ଡାକ୍ତରୀ ଶିକ୍ଷାପାଇଁ ଆବଶ୍ୟକ ସାଧନ ଯୋଗାଇବାରେ ଆର୍ଥିକ ସ୍ତରରେ ସମର୍ଥ ନଥିବେ। ପ୍ରଥମେ ଆର୍ଥିକ ପୃଷ୍ଠଭୂମି ଯାଞ୍ଚ ହୋଇଗଲା ପରେ ‘ଅତୁଟ ବନ୍ଧନ’ ଉପଯୁକ୍ତ ଛାତ୍ରଙ୍କ ପାଇଁ ପ୍ରାୟୋଜକ ସନ୍ଧାନରେ ଲାଗିପଡ଼େ। ପ୍ରାୟୋଜକ ସିଧାସଳଖ ଅର୍ଥ ଛାତ୍ରଙ୍କୁ ପଠାନ୍ତି। କିନ୍ତୁ କଥା ଏଇଠାରେ ସରେ ନାହିଁ। ଆର୍ଥିକ ସହାୟତା ସହିତ ସେମାନେ ନିୟମିତ ଛାତ୍ରଙ୍କ ସହ ସମ୍ପର୍କରେ ରହନ୍ତି, ଫଳରେ ଉଭୟଙ୍କ ଭିତରେ ଏକ ଭାବନାର ବନ୍ଧନ ସୃଷ୍ଟିହୁଏ। ଆଜି ‘ଅତୁଟ ବନ୍ଧନ’ ପରିବାର ସହ ସମାଜର ତଥାକଥିତ ନିମ୍ନ ବର୍ଗ ଭାବେ ପରିଗଣିତ ଗୁପ୍‌ଚୁପ୍‌ବିକାଳି, ରିକ୍ସାଚଲାଳି ଓ ଦିନମଜୁରିଆଙ୍କ ପିଲାମାନେ ଡାକ୍ତର ହେବାର ସ୍ବପ୍ନ ସାକାର କରୁଛନ୍ତି। ଯଦିଓ କେତେକ କର୍ପୋରେଟ୍ ହାଉସ୍, ପ୍ରତିଷ୍ଠିତ ବ୍ୟବସାୟୀ ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି, କିନ୍ତୁ ଅଧିକାଂଶ ଦାତା ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷ। ସେମାନଙ୍କ ପାଖରେ ଅର୍ଥର ପ୍ରାଚୁର୍ଯ୍ୟ ନଥାଇପାରେ, କିନ୍ତୁ ‘ଅତୁଟ ବନ୍ଧନ’ ଜରିଆରେ ସମାଜ ଲାଗି କିଛି କରିବାର ଉପାୟ ସେମାନେ ଖୋଜି ପାଇଛନ୍ତି।

ପ୍ରୀତୀଶବାବୁ କହନ୍ତି, ‘‘ଜଣଙ୍କ ପାଖରେ ପ୍ରଚୁର ଅର୍ଥ, ଧନ ଓ ଐଶ୍ୱର୍ଯ୍ୟ ଥାଇପାରେ, କିନ୍ତୁ ପ୍ରକୃତ ଆନନ୍ଦ ଅନ୍ୟପାଇଁ କିଛି କରିବାରେ ଥାଏ। ‘ଅତୁଟ ବନ୍ଧନ’ ପାଇଁ ପ୍ରାୟୋଜକ ସନ୍ଧାନ କରିବା ସମୟରେ ଏତେ ସଂଖ୍ୟକ ଲୋକ ଏଭଳି ଏକ ମହତ କାର୍ଯ୍ୟ ପାଇଁ ଦାନ କରିବାଲାଗି ଆଗ୍ରହୀ ହେଉଥିବା ଦେଖି ମୁଁ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ସତରେ ଏ ଦୁନିଆରେ ଦେବାବାଲା ବହୁତ ଅଛନ୍ତି। ମୋର ଏକମାତ୍ର ଲକ୍ଷ୍ୟ ସେମାନଙ୍କୁ ଏକତ୍ର କରି ଅଭାବୀ ଛାତ୍ର ଓ ଏମାନଙ୍କ ମଧ୍ୟରେ ଏକ ବାସ୍ତବ ବନ୍ଧନର ସେତୁଟିଏ ନିର୍ମାଣ କରିବା।’’

ତନୟା ପଟ୍ଟନାୟକ
ସଂପାଦକ