ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଁ ସମ୍ବଲପୁର ଯାଇଥିଲି। ସକାଳୁ ସକାଳୁ ସ୍ୱାଧୀନତା ସଂଗ୍ରାମୀ ବେଶ ହୋଇ ଶୋଭାଯାତ୍ରାରେ ବାହାରିପଡ଼ିଥିବା କୁନି କୁନି ପିଲାଙ୍କୁ ଦେଖି ଖୁବ୍ ଖୁସି ଲାଗିଲା। ପୁଣି ଉତ୍ସାହର ସହ ସେମାନେ ଦୋହରାଉଥିଲେ ନେତାଜୀଙ୍କର ସେଇ ଐତିହାସିକ ଉକ୍ତି-‘‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।’’ ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର। ସେଠାରେ ପହଞ୍ଚିବା ପରେ କେତେଜଣ ଅଳ୍ପ ବୟସ୍କ ଝିଅଙ୍କ ଉପରେ ମୋର ନଜର ପଡ଼ିଲା। ସେମାନଙ୍କ ମୁହଁରେ ଥିଲା ମନଖୋଲା ହସ ଆଉ ହାତରେ ଖଣ୍ଡେ ଖଣ୍ଡେ ମାନପତ୍ର। ସେମାନେ ସମସ୍ତେ ପ୍ରଥମ ଥର ପାଇଁ ରକ୍ତଦାନ କରି ଖୁବ୍ ଉତ୍ସାହିତ ଥିଲେ। ମୁଁ ପଚାରିଲି,‘‘ଡର ଲାଗିଲାନି?’’ ସେମାନଙ୍କ ଭିତରୁ ଜଣେ କହିଲା,‘‘ହଁ। ଆରମ୍ଭରେ ତ ବହୁତ ଡର ଲାଗିଲା। ଏବେ କିନ୍ତୁ ବହୁତ ଭଲ ଲାଗୁଛି ଆଉ ଭବିଷ୍ୟତରେ ମୁଁ ନିଶ୍ଚୟ ରକ୍ତଦାନ କରିବି।’’ ଝିଅଟି ମୁହଁରୁ ଏଇ ପଦକ କଥା ଶୁଣି ମୋର ପ୍ରଥମ ରକ୍ତଦାନର ଅନୁଭୂତି ମନେପଡ଼ିଗଲା।
୨୦୧୦ ମସିହାର କଥା। ରମାଦେବୀ ମହାବିଦ୍ୟାଳୟରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ମୁଁ ଯୋଗ ଦେଇଥିଲି। ଯୁବସୁଲଭ ଉଦ୍ଦାମତାରେ ଭରପୂର ବାତାବରଣ, ସମସ୍ତଙ୍କ ଭିତରେ ଉତ୍ସାହ। ପ୍ରାୟ ସମସ୍ତେ ପ୍ରଥମଥର ରକ୍ତଦାନ କରୁଥିଲେ। ଗୋଟିଏ କୋଣରେ ଠିଆହୋଇ ମୁଁ ସେମାନଙ୍କୁ ଦେଖୁଥିଲି। ଭିତରେ ଭିତରେ ଗୋଟିଏ କଥା ମୋତେ ଭାରି ସଙ୍କୁଚିତ ଓ ବିଚଳିତ କରୁଥିଲା, ଯାହା ସେଠାରେ ମୋ ଛଡ଼ା ଆଉ କେହି ଜାଣି ନଥିଲେ। କାରଣ ମୁଁ କେବେ ରକ୍ତଦାନ କରି ନଥିଲି। ମତେ ରକ୍ତ ଦେବାକୁ ଖୁବ୍ ଭୟ ଲାଗୁଥିଲା। ମୋ ପାଇଁ ଏହା ଲଜ୍ଜାକର ଥିଲା ଏବଂ କେହି ଏହା ଜାଣନ୍ତୁ ବୋଲି ମୁଁ ଚାହୁ ନଥିଲି। ଲୋକେ କ’ଣ କହିବେ? ବାପା ରାଜ୍ୟ ସାରା ବୁଲି ବୁଲି ରକ୍ତଦାନ କଥା କହୁଛନ୍ତି, ଚାରିଆଡ଼େ ଶିବିର କରୁଛନ୍ତି, ଏଣେ ଝିଅକୁ କୋଡ଼ିଏ ବର୍ଷ ହେଲାଣି ଏଯାଏ ଥରେ ବି ରକ୍ତଦାନ କରିନାହିଁ! ଏହି ଭାବନା ମାଡ଼ିପଡୁଥିଲା। ଏଇ ସମୟରେ ଜଣେ ପାଖକୁ ଆସି ମୋତେ ପଚାରିଲେ,‘‘ଆରେ ତନୟା, ତମେ ଆଜି ରକ୍ତ ଦେଉଛ କି? ସଙ୍ଗେ ସଙ୍ଗେ ମୋ ପାଟିରୁ ବାହାରିପଡ଼ିଲା,‘‘ହଁ, ହଁ। ଆଜି ଦେଉଛି।’’ ମୁଁ ଗୋଟେ ଦୀର୍ଘଶ୍ୱାସ ନେଲି। ରକ୍ତଦାନ ପୂର୍ବର ପରୀକ୍ଷା ସବୁ କରେଇ ସାରି ଫର୍ମ ପୂରଣ କଲି। ଚାହୁଁ ଚାହୁଁ ମୁଁ କେତେବେଳେ ଆସି ଖଟ ଉପରେ ପଡ଼ିଯାଇଛି, ଆଉ ଗୋଟେ ମୋଟା ସିରିଞ୍ଜ ମୋ ଶିରାରେ ଫୋଡ଼ି ହେବା ପାଇଁ ଯେମିତି ଅପେକ୍ଷା କରିଛି। ଏବେ କ’ଣ ହେବ? କିଛିଟା ଭୟ, କିଛି ଉଦ୍ଦୀପନା, ତା’ପରେ ଆଶ୍ବସ୍ତି ଆଉ ଶେଷରେ ଅବର୍ଣ୍ଣନୀୟ ଆନନ୍ଦ!
ସେ ଦିନର ଅନୁଭୂତି ବାସ୍ତବିକ ଅତୁଳନୀୟ। ତା’ ପରଠାରୁ ମୁଁ ଅନେକ ବାର ରକ୍ତଦାନ କରିଛି ଏବଂ ପ୍ରତ୍ୟେକ ଥର ରକ୍ତଦାନ ପରେ ମୁଁ ଆନନ୍ଦ ପାଇଛି। ରକ୍ତ ଏତେ ସ୍ୱତନ୍ତ୍ର କାହିଁକି? ସ୍ୱାଧୀନତା ପାଇଁ ନେତାଜୀଙ୍କ ରକ୍ତର ସିଂହନାଦ ଆମ ଦେଶ ଲାଗି ଥିଲା ବଳିଦାନର ସର୍ବୋତ୍ତମ ପ୍ରତୀକ। ସ୍ବେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଦେହ ଚିରି ରକ୍ତଦେବା ଆଜି ସର୍ବଶ୍ରେଷ୍ଠ ଦାନ ବା ସେବା ରୂପେ ପରିଗଣିତ। ସେହି ସମୟରେ ଆମ ପାଇଁ ସବୁଠାରୁ ମୂଲ୍ୟବାନ ଥିଲା ସ୍ୱାଧୀନତା। ସୁଭାଷ ଆମକୁ ରକ୍ତ ବଦଳରେ ବ୍ରିଟିସ୍ ଶାସନରୁ ମୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିର ପରିପ୍ରେକ୍ଷୀରେ ରକ୍ତଦାନର ମହତ୍ତ୍ବ ଭିନ୍ନ, ଏହା ଅନେକଙ୍କୁ ରୋଗରୁ ମୁକ୍ତି ଦେଇ ସୁସ୍ଥ ଜୀବନଯାପନ କରିବାର ସ୍ୱାଧୀନତା ପ୍ରଦାନ କରୁଛି। ଯେତେବେଳେ ଆମେ ଯୁବପିଢ଼ିଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରୁ; ସେମାନଙ୍କୁ ବୁଝାଉ, ରକ୍ତ ଏପରି ଏକ ଦ୍ରବ୍ୟ, ଯାହା କୌଣସି କାରଖାନାରେ ଉତ୍ପାଦିତ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ପୃଥିବୀର ସବୁଠାରୁ ବିତ୍ତଶାଳୀ ହୋଇପାରେ, ସବୁଠାରୁ ଶକ୍ତିଶାଳୀ କିମ୍ବା ପ୍ରଭାବଶାଳୀ ହୋଇପାରେ, କିନ୍ତୁ ଯେତେବେଳେ ତାଙ୍କର ରକ୍ତର ଆବଶ୍ୟକତା ପଡ଼େ, ତାଙ୍କୁ ଆଉ ଜଣଙ୍କର ସାହାଯ୍ୟ ନେବାକୁ ହୁଏ। ସତରେ ପ୍ରତିଦାନର ଆଶା ନରଖି ରକ୍ତଦାନ କରିବା ଏକ ମହାନ୍ କାର୍ଯ୍ୟ। ଆଉ ଯେତେବେଳେ ଆମେ ଜାଣୁ ଯେ ଜଣଙ୍କର ଜୀବନରକ୍ଷା ଲାଗି ଏହି କାର୍ଯ୍ୟ କରୁଛେ, ସେତେବେଳେ ମନରେ ଅସୀମ ଶକ୍ତି ଓ ଗଭୀର ଆତ୍ମସନ୍ତୋଷ ଭରିଯାଏ। ରକ୍ତଦାନ ପରର ଆନନ୍ଦ ଅବର୍ଣ୍ଣନୀୟ, ଏହାକୁ କେବଳ ଅନୁଭବ ହିଁ କରାଯାଇପାରେ।
ରକ୍ତଦାନକୁ ନେଇ ମୋର ଏଇ ଅନୁଭୂତି ଅଳ୍ପବହୁତେ ଅନେକଙ୍କର ପ୍ରଥମ ରକ୍ତଦାନର ଅନୁଭୂତି ସହ ସମାନ। ହେଲେ ପ୍ରତିଥର ରକ୍ତଦାନ ବେଳେ ପ୍ରତ୍ୟେକ ସେଇ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରନ୍ତି। ସମସ୍ତେ ସୀମାରେ ଠିଆ ହୋଇ ଦେଶ ପାଇଁ ଲଢ଼ିପାରିବେ ନାହିଁ। ସମସ୍ତେ ସୈନିକ କିମ୍ବା ସଂଗ୍ରାମୀ ହୋଇପାରିବେ ନାହିଁ। ସମସ୍ତେ ସୁଭାଷ କିମ୍ବା ସୁରେନ୍ଦ୍ର ସାଏ ହେବା ସମ୍ଭବ ନୁହେଁ। କିନ୍ତୁ ରକ୍ତ ଅଭାବରୁ କାହାକୁ ମରିବାକୁ ନଦେବାର ସଂକଳ୍ପ ଏକ ଯୁଦ୍ଧଠାରୁ କମ୍ ନୁହେଁ ଏବଂ ଏଇ ଲଢ଼େଇରେ ସାମିଲ ପ୍ରତ୍ୟେକ ରକ୍ତଦାତା ଜଣେ ଯୋଦ୍ଧାଠାରୁ କମ୍ ନୁହନ୍ତି।
ତନୟା ପଟ୍ଟନାୟକ
ସଂପାଦକ