ଜୁଲାଇ ୨୩ ତାରିଖ ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ। ରିଅଲ୍ ଇଷ୍ଟେଟ୍ ଠାରୁ ସୂଚକାଙ୍କ ଅପସାରଣ କରିନେବା ହେଉ କିମ୍ବା ନିର୍ଦ୍ଦିଷ୍ଟ ରାଜ୍ୟଙ୍କୁ ବଡ଼ ଧରଣର ପ୍ୟାକେଜ୍ ଦେବା ଅଥବା ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ; ବଜେଟ୍ର ଏଭଳି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ବିବାଦ, ବିତର୍କ ଓ ଆଲୋଚନା ଏଯାଏ ମଧ୍ୟ ଥମିନାହିଁ। ବଜେଟ୍ ଘୋଷଣା ହେବାର କିଛିଦିନ ପରେ ମୁଁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ସେଠାରେ ମୁଁ ଯେଉଁ ଟେବୁଲ୍ରେ ଥିଲି, ମୋ ସହ କିଛି ଉଦ୍ୟୋଗୀ, ଜଣେ ଡାକ୍ତର, ଜଣେ ସାମ୍ବାଦିକ ଏବଂ ଆଇଟି କ୍ଷେତ୍ରରୁ ଦୁଇଜଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ନିଜ ନିଜ କ୍ଷେତ୍ରରେ ବେଶ୍ ଜଣାଶୁଣା ଓ ପ୍ରତିଷ୍ଠିତ। ଆଲୋଚନା ବେଳେ ସ୍ୱାଭାବିକ ଭାବରେ ପ୍ରସଙ୍ଗ ବୁଲି ବୁଲି ଆସି ବଜେଟ୍ରେ ପହଞ୍ଚିବା ମାତ୍ରେ ବିଚାର ଓ ମତମନ୍ତବ୍ୟର ଏକ ବନ୍ୟା ଯେମିତି ସେଠାରେ ବହିଗଲା। ଭାରତ ଇତିହାସରେ ସୀତାରମଣ କିପରି ସବୁଠାରୁ ନୈରାଶ୍ୟଜନକ ଅର୍ଥମନ୍ତ୍ରୀ, ସୂଚକାଙ୍କ ହଟିବା ଦ୍ୱାରା ମଧ୍ୟବିତ୍ତ ପରିବାର କିପରି ପ୍ରଭାବିତ ହେବେ, ପ୍ରସ୍ତାବିତ ବଜେଟ୍ କିପରି କଳା ଟଙ୍କା ପ୍ରସାରଣରେ ସହାୟକ ହେବ, ପୁଣି ମୋଦୀ ସରକାର କିପରି ତା’ର ଆଭିମୁଖ୍ୟରେ ଖୁବ୍ ଭାବିଷ୍ୟବାଦୀ ଓ ପ୍ରଗତିଶୀଳ, ଏଇ ବଜେଟ୍ କେବଳ ଜନତୁଷ୍ଟୀକରଣ ପରିବର୍ତ୍ତେ ଉନ୍ନତି ଓ ଅଭିବୃଦ୍ଧିରେ ଗୁରୁତ୍ବ ଦେଇଛି, ଏଞ୍ଜେଲ୍ ଟ୍ୟାକ୍ସ କିପରି ଷ୍ଟାର୍ଟଅପ୍ ଉଦ୍ୟୋଗ ପାଇଁ ସହାୟକ ହେବ, ଇତ୍ୟାଦି ଇତ୍ୟାଦି। ସମସ୍ତଙ୍କର ନିଜସ୍ବ ମତ ଥିଲା। ମୁଁ ବି ମୋ ମତ ଦେଲି।
ଆମ ସହ ଏକାଠି ବସିଥିବା ଏକ ସଫଳ ଆଇଟି ଉଦ୍ୟୋଗର ଅଧ୍ୟକ୍ଷ କିନ୍ତୁ ଅସ୍ୱାଭାବିକ ଭାବରେ ନିରବ ଥିଲେ। କେହି ଜଣେ ତାଙ୍କୁ ପଚାରିଲେ - ‘‘ଆପଣଙ୍କ ମତ କ’ଣ ? ଆପଣ ସାଧାରଣତଃ ନିଜ ମତକୁ ନେଇ ବେଶ୍ ସ୍ପଷ୍ଟବାଦୀ। ଆଜି ଚୁପ୍ କାହିଁକି?’’ସେ ଉତ୍ତର ଦେଲେ, “ଏଥରର ବଜେଟ୍ ସଂପର୍କରେ ମୋର ବିଶେଷ ଧାରଣା ନାହିଁ। ମୁଁ ଭଲକରି ବୁଝିନାହିଁ। ତେଣୁ ଏଥର ବଜେଟ୍କୁ ନେଇ ମୋର କୌଣସି ମତ ନାହିଁ।” ତାଙ୍କ ଉତ୍ତରରେ ମୁଁ ଆଶ୍ଚର୍ଯ୍ୟାନ୍ବିତ ହେଲି। କେତେ ସରଳ ଭାବରେ ସେ କହିଦେଇ ପାରିଲେ ଯେ ସେ ଏ ବିଷୟରେ ଜାଣନ୍ତି ନାହିଁ। ପରେ ସେଦିନ ସନ୍ଧ୍ୟାରେ ମୁଁ ତାଙ୍କୁ କହିଲି, ତାଙ୍କର ସିଧାସଳଖ କଥା ମତେ ଖୁବ୍ ଭଲ ଲାଗିଲା। ସେ ହସି ହସି କହିଲେ, “ମୁଁ ଜାଣିନି ବୋଲି କହିବା ସମ୍ଭବତଃ ସବୁଠାରୁ କଠିନ କାର୍ଯ୍ୟ। ହେଲେ ମୁଁ ଭାବେ - ଏହା ଏକ ମହାଶକ୍ତି ! ୨୫ ବର୍ଷ ତଳେ ମୁଁ ଆମେରିକାର ଏକ ବଡ଼ ଟେକ୍ କମ୍ପାନିରେ କାମ କରୁଥିଲି। ସେଠାରେ ମୋ ବସ୍ଙ୍କ ଠାରୁ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଟି ପାଇଛି। ଦିନେ ଏକ ନିବେଶକ ବୈଠକରେ ଆମ ପାଇଁ କିଛି ଏମିତି କଠିନ ପ୍ରଶ୍ନ ଆସିଲା, ଯାହା ଲାଗି ଆମେ ଆଦୌ ପ୍ରସ୍ତୁତ ନଥିଲୁ। ଉକ୍ତ ପ୍ରକଳ୍ପଟି ଆମ ସଂସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମ ଭିତରେ ଥିବା କିଛି ଉଚ୍ଚ ପରିଚାଳନା ଅଧିକାରୀ ପରିସ୍ଥିତିରୁ ମୁକୁଳିବା ପାଇଁ ଉଦ୍ଭଟ୍ଟ ଉତ୍ତର ଦେବା ଆରମ୍ଭ କଲେ। ସମସ୍ତେ ଭାବିଥିଲେ ଅନ୍ତତଃ ବସ୍ ସମସ୍ତଙ୍କୁ ଏହି ଅସହଜ ପରିସ୍ଥିତିରୁ ଉଦ୍ଧାର କରିନେବେ। କିନ୍ତୁ ସେ କେବଳ ଏତିକି କହିଲେ, ‘ଆମେ ଏ ଦିଗରେ ଚିନ୍ତା କରିନାହୁଁ। ଆମକୁ କିଛି ସମୟ ଦିଅନ୍ତୁ। ଆମେ ପୁନଃପ୍ରସ୍ତୁତି କରି ଆସିବୁ।’ ପରେ ଆମର ଜଣେ ବରିଷ୍ଠ କର୍ମଚାରୀ କହିଲେ, ଆମେ ଜାଣିନେ ବୋଲି ସ୍ୱୀକାର କରିବା ଅପେକ୍ଷା କିଛି ବି କହି ପରିସ୍ଥିତିକୁ ଟାଳି ପାରିଥାନ୍ତେ! ସେମାନେ ଆମ ବିଷୟରେ କ’ଣ ଭାବୁଥିବେ! ହେଲେ ବସ୍ ଆମ ସମସ୍ତଙ୍କୁ କହିଲେ,‘ଯେତେବେଳେ କୌଣସି ବିଷୟ ବା ପରିସ୍ଥିତି ସମ୍ବନ୍ଧରେ ଆମର ଧାରଣା ନଥାଏ ବା ଯଥେଷ୍ଟ ଜ୍ଞାନ ନଥାଏ, ସେତେବେଳେ କିଛି ନଜାଣି ‘ସବ୍ଜାନ୍ତା’ହୋଇ ନିଜକୁ ବୋକା ପ୍ରମାଣିତ କରିବା ଅପେକ୍ଷା ‘ମୁଁ ଜାଣିନି’ ବୋଲି ମାନିନେବା ଶ୍ରେୟସ୍କର।”
ଆଜିର ସମୟରେ ସମସ୍ତଙ୍କୁ ଲାଗେ ନିଜର ପ୍ରାସଙ୍ଗିକତା ବଜାୟ ରଖିବା ଏବଂ ଅନ୍ୟମାନଙ୍କ ପାଖରେ ନିଜକୁ ସ୍ମାର୍ଟ ପ୍ରମାଣିତ କରିବାକୁ ହେଲେ ସବୁ କଥାରେ ମତ ଦେବାଟା ନିହାତି ଜରୁରି। ଆମେ ଭାବୁ ‘ମୁଁ ଜାଣିନି’ କହିଦେଲେ ଲୋକେ ଆମକୁ ବୋକା ଭାବିବେ, ନୀଚଦୃଷ୍ଟିରେ ଦେଖିବେ, ଆମ ସମ୍ମାନସ୍ୱୀକୃତି କମିଯିବ ଏବଂ ସେମାନଙ୍କ ନିକଟରେ ଆମେ ଗ୍ରହଣୀୟ ହେବାନାହିଁ। ତେଣୁ ଆମେ ସବୁବେଳେ ନିଜକୁ, ଆମ ଗୁରୁତ୍ବକୁ ଏବଂ ନିଜ ମୂଲ୍ୟକୁ ପ୍ରମାଣିତ କରିବା ପାଇଁ ଚେଷ୍ଟାକରୁ। କିନ୍ତୁ ବାସ୍ତବତା ହେଉଛି, ସମସ୍ତେ ସବୁକଥା ଜାଣନ୍ତି ନାହିଁ ବା ଜାଣିବା ମଧ୍ୟ ସମ୍ଭବ ନୁହେଁ। ଥରେ ଏହି ବାସ୍ତବତାକୁ ଗ୍ରହଣ କରିନେଲେ ଆମ ପାଇଁ ସବୁକିଛି ସହଜ ହେଇଯିବ। ଏ ବିଶାଳ ବ୍ରହ୍ମାଣ୍ଡରେ ଆମେ ହେଉଛୁ କ୍ଷୁଦ୍ରାତିକ୍ଷୁଦ୍ର। ଯଦି ଆମେ ସବୁ ଜାଣିଥିବାର ମନୋବୃତ୍ତି ରଖିବା ତେବେ ଆମର ଜ୍ଞାନ ସୀମିତ ହୋଇ ରହିଯିବ। କିନ୍ତୁ ଥରେ ସବ୍ଜାନ୍ତାର ମିଛ ଅହଂକାରରୁ ଦୂରେଇ ‘ମୁଁ ଜାଣିନି’ ବୋଲି ମାନିନେଲେ ଜ୍ଞାନର ଅନେକ ବାଟ ଆମ ପାଇଁ ଆପେ ଆପେ ଉନ୍ମୁକ୍ତ ହୋଇଯିବ।
ତନୟା ପଟ୍ଟନାୟକ
ସଂପାଦକ