ବଦଳୁଛି ଉପବାସର ଧାରା। ଧର୍ମବିଶ୍ବାସରୁ ଆରମ୍ଭ ହୋଇ ଏହା ଏବେ ସୌନ୍ଦର୍ଯ୍ୟତତ୍ତ୍ବରେ ପହଞ୍ଚି ସାରିଲାଣି। ପାରମ୍ପରିକ ଉପବାସର ପଦ୍ଧତିରେ ବିଭିନ୍ନ ପରିବର୍ତ୍ତନ ଆସିଛି ମଣିଷର ଆବଶ୍ୟକତା ଅନୁଯାୟୀ। ଓଜନ ହ୍ରାସ ପାଇଁ ଇଣ୍ଟର୍‌ମିଟେଣ୍ଟ୍‌ ଫାଷ୍ଟିଙ୍ଗ୍‌, ଏକ୍ସଟେଣ୍ଡେଡ୍‌ ଫାଷ୍ଟିଙ୍ଗ୍‌, ଅଲଟର୍‌ନେଟ୍‌ ଡେ ଫାଷ୍ଟ୍‌ିଙ୍ଗ୍, ପାର୍ସିଆଲ୍‌ ଫାଷ୍ଟିଙ୍ଗ୍ ଦେଖିବାକୁ ମିଳୁଥିବା ବେଳେ ଆଜିକାଲି ତ୍ବଚା ସୁରକ୍ଷା ପାଇଁ ଲୋକେ ସ୍କିନ୍‌ ଫାଷ୍ଟିଙ୍ଗ୍ ବା ତ୍ବଚା ଉପବାସ କରୁଛନ୍ତି। ଏସବୁ ସତ୍ତ୍ବେ ଉପବାସର ଲାଭ କେବଳ ଶରୀରକୁ ମିଳିନଥାଏ, ଏହା ମଣିଷର ମନ ଓ ଆଧ୍ୟାତ୍ମିକ ଜୀବନ ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ। ଉପବାସକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ।
ଉପସ୍ଥାପନା: ପ୍ରଗତି ସାହୁ

Advertisment

ସ୍ବାସ୍ଥ୍ୟ ହିଁ ସଂପଦ- ପିଲାଦିନେ ବହିରେ ପଢ଼ିଥିବା ଏହି ତିନିଟି ଶବ୍ଦକୁ ହୁଏତ ସେତେବେଳେ ଅଧିକାଂଶ ବିଶେଷ ଗୁରୁତ୍ବ ଦେଇ ନଥାନ୍ତି। କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହାର ଗୁରୁତ୍ବକୁ ଉପଲବ୍ଧି କରିବା ଆରମ୍ଭ କରନ୍ତି। ଆଉ କରୋନା ମହାମାରୀ ପରେ ଆମ ଭିତରେ ସ୍ବାସ୍ଥ୍ୟ ସଚେତନତା ବହୁ ଭାବେ ବୃଦ୍ଧିପାଇଛି। ସହଜ ଉପାୟରେ କିଭଳି ସୁସ୍ଥ ଓ ସକ୍ରିୟ ରହିହେବ, ସେ ବାଟ ଖୋଜିବାରେ ଅଧିକାଂଶ ବ୍ୟଗ୍ର। ଏ ଭିତରେ ବୋଝ ଉପରେ ନଳିତା ବିଡ଼ା ପରି ଉଭା ହୋଇଛି ମେଦବହୁଳତା ଭଳି ରୋଗ। ଭାରତରେ ଏହା କ୍ରମଶଃ କାୟାବିସ୍ତାର କରୁଛି। ମେଦବୃଦ୍ଧି ଯୋଗୁଁ ସବୁ ପ୍ରକାର ବେମାରି ମାଡ଼ିବସୁଛି। ହୃତ୍‌ପିଣ୍ଡ, ଯକୃତ, ବୃକ୍‌କ ଓ ମସ୍ତିଷ୍କ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗ କ୍ଷତିଗ୍ରସ୍ତ ହେଉଛି। ଏପରି ସ୍ଥଳରେ ମେଦହ୍ରାସ/ଓଜନ ହ୍ରାସ କରି ପତଳା ହୋଇ ସୁସ୍ଥ, ସକ୍ରିୟ ଓ ନିରୋଗ ରହିବାକୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଖାଦ୍ୟପେୟରେ ସଞ୍ଜମତା ଅବଲମ୍ବନ ସହ ଅନେକ ଏଥିଲାଗି ସମୟାନ୍ତର ଉପବାସ ବା ଇଣ୍ଟରମିଟ୍ଟାଣ୍ଟ ଫାଷ୍ଟିଂ ରାସ୍ତା ଆପଣାଉଛନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନର ଉପବାସ ନିୟମିତ ଖାଦ୍ୟ ନିୟନ୍ତ୍ରଣ ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି।

ଆଜି ସମଗ୍ର ବିଶ୍ବ ଉପବାସ ଧାରା ଆପଣାଇ ସୁସ୍ଥ ରହିବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛି, ତାହା ଭାରତୀୟଙ୍କ ପାଇଁ ଆଦୌ ନୂଆ ନୁହେଁ। କାରଣ ଆମର ପୂର୍ବପୁରୁଷ ବିଭିନ୍ନ ସାଂସ୍କୃତିକ-ସାମାଜିକ ଓ ଧର୍ମୀୟ ଅନୁଷ୍ଠାନ ମାଧ୍ୟମରେ ଉପବାସକୁ ଜୀବନଶୈଳୀର ଅଂଶ ଭାବେ ଅନ୍ତର୍ଭୁକ୍ତ କରିଥିଲେ। କେବଳ ହିନ୍ଦୁ ଧର୍ମଧାରା ନୁହେଁ, ଇସଲାମ୍‌ପନ୍ଥୀ ଓ ଖ୍ରୀଷ୍ଟିୟଙ୍କ ପରମ୍ପରାରେ ମଧ୍ୟ ଉପବାସ ପାଳନର ପ୍ରଥା ବହୁ ପୁରାତନ କାଳରୁ ରହିଆସିଛି। ଅସଲରେ, ସୁସ୍ଥ ଜୀବନ ଲାଗି ଉପବାସର ଗୁରୁତ୍ବ ବୁଝି ତାହାକୁ ବିଭିନ୍ନ ପୂଜାପ୍ରଥା ଭିତରେ ଜୀବନଧା‌ରାରେ ଖଞ୍ଜି ଦେଇଥିଲେ ପୂର୍ବସୂରୀ।  

ସେ ହିନ୍ଦୁମାନଙ୍କର ଷୋଳ ସୋମବାର ହେଉ ବା ମୁସଲମାନମାନଙ୍କର ରୋଜା, ବୌଦ୍ଧମାନଙ୍କର ଏକ ଆହାର ବ୍ରତ ଅଥବା ଜୈନମାନଙ୍କର ରାତ୍ରିଭୋଜନ ତ୍ୟାଗ ଓ ଶୁଦ୍ଧିକରଣ ସପ୍ତାହ ହେଉ, ଉପବାସ ପ୍ରଥା ମାନବ ସମାଜରେ ବହୁକାଳରୁ ରହିଆସିଛି। ବାରମାସରେ ତେରପର୍ବ ପାଳନ କରୁଥିବା ଅ‌ାମ ଓଡ଼ିଆମାନେ ଭିନ୍ନ ଭିନ୍ନ ପୂଜାବ୍ରତରେ ଉପବାସ ରଖିଥାନ୍ତି। ଉପବାସ ଶରୀର ପାଇଁ ଅତ୍ୟାବଶ୍ୟକ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଏଥିପ୍ରତି ସଜାଗ ରହିବାକୁ ପଡ଼େ। ଖାଦ୍ୟ ବିଜ୍ଞାନ କହୁଛି ଯେ ଉପବାସ ଦେହ ପାଇଁ ଜରୁରି। ଏହା ଆମ ଶରୀରର ଓଜନ ଠିକ୍‌ ରଖିବା ସହ ମସ୍ତିଷ୍କ ସୁପରିଚାଳନାରେ ସାହାଯ୍ୟ କରିଥାଏ। ଏଣୁ ଆମପାଇଁ ସଠିକ୍‌ ଉପାୟ ଓ ଆବଶ୍ୟକ ବ୍ୟବଧାନରେ ଉପବାସ ବା ଫାଷ୍ଟିଂ ଜରୁରି। ତେବେ ଉପବାସ ସାଧାରଣତଃ ୨୪ରୁ ୭୨ ଘଣ୍ଟା ବ୍ୟବଧାନରେ କରାଯାଇଥାଏ। ଇତିହାସ କହେ, ସାଂସ୍କୃତିକ ଓ ଧାର୍ମିକ ପ୍ରଥା ଭାବରେ ଉପବାସ ପ୍ରାଚୀନ କାଳରୁ ଆରମ୍ଭ ହୋଇଛି।  ହିନ୍ଦୁ, ଇସଲାମ୍‌ ଓ ଖ୍ରୀଷ୍ଟଧର୍ମ ସମେତ ବିଭିନ୍ନ ପନ୍ଥାରେ ଚିକିତ୍ସା, ଆଧ୍ୟାତ୍ମିକତା ତଥା ମାନସିକ ପୂରଣ ଉଦ୍ଦେଶ୍ୟ ନିମନ୍ତେ ଉପବାସ କରାଯାଉଥିବା ପ୍ରମାଣ ରହିଛି। ଚିକିତ୍ସା କ୍ଷେତ୍ରରେ ଉପବାସର ଉପଚାରାତ୍ମକ କ୍ଷମତା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତକ ପର୍ଯ୍ୟନ୍ତ ଚାଲିଥିବା ଜଣାଅଛି। ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସ୍ କେତେକ ରୋଗର ଚିକିତ୍ସା ପାଇଁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନ କରିବା ଲାଗି ପରାମର୍ଶ ଦେଉଥିଲେ। ଆଦିମ ସଭ୍ୟତାରେ ବି ଉପବାସର ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ମହତ୍ତ୍ବ ଥିଲା।

ହିନ୍ଦୁ ଧର୍ମଧାରାରେ ଉପବାସ
କୁହାଯାଏ, ଯଦି ଦୀର୍ଘଦିନ ସୁସ୍ଥ ରହିବାକୁ ଚାହାନ୍ତି, ତେବେ କିଛି ନିୟମ ପାଳନ କରିବା ଆବଶ୍ୟକ। ସେଥିରୁ ଉପବାସ ବ୍ରତ ଗୋଟିଏ। ହିନ୍ଦୁମାନେ ବିଭିନ୍ନ ବିଶେଷ ଦିନରେ ଉପବାସ ପାଳିଥାଆନ୍ତି। କିଏ ଏକାଦଶୀରେ ତ କିଏ ପୂର୍ଣ୍ଣମୀରେ, ପୁଣି କିଏ ସଂକ୍ରାନ୍ତିରେ ଉପବାସ ରଖନ୍ତି। ଅନେକ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ କିମ୍ବା ମାନସିକ ପୂରଣ ଲାଗି ସପ୍ତାହର ଗୋଟିଏ କିମ୍ବା ଦୁଇଟି ଦିନ ଉପବାସ କରନ୍ତି। ତେବେ ନବରାତ୍ରୀ, ମହାଶିବରାତ୍ରୀ ଓ ଜନ୍ମାଷ୍ଟମୀରେ ସାରାଦେଶର ଲୋକେ ଉପବାସ ବ୍ରତ ପାଳନ କରନ୍ତି। ସେହିଭଳି ଧର୍ମମାସ କାର୍ତ୍ତିକ ଓ ଶୈବ ଉପାସନାର ମାସ ଶ୍ରାବଣରେ ଉପବାସ କରିବା ପରମ୍ପରା ହିନ୍ଦୁମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଓଡ଼ିଶାରେ ସୁଦଶା ବ୍ରତ, ସାବିତ୍ରୀ ଅମାବାସ୍ୟା, ମାର୍ଗଶୀ‌ର ଗୁରୁବାର, ଚୈତ୍ର ମଙ୍ଗଳବାରରେ ମହିଳାମାନେ ଉପବାସ କରିଥାଆନ୍ତି। ପ୍ରତ୍ୟେକ ଧର୍ମରେ ବା ଧର୍ମଗ୍ରନ୍ଥରେ ଉପବାସ ସମ୍ବନ୍ଧୀୟ କିଛି ନା କିଛି ଉପଦେଶ ପ୍ରଦାନ କରାଯାଇଛି। ଏଥିରେ ତା’ର ମୌଳିକ ଉଦ୍ଦେଶ୍ୟ ସଂଯମ ରକ୍ଷା ବୋଲି ବିବେଚିତ ହୋଇଛି। ସଂଯମ ରକ୍ଷାର ଅର୍ଥ ଉଭୟ ଶରୀର ଓ ମନକୁ କୁଖାଦ୍ୟ, କୁଅଭ୍ୟାସ, କୁଆଚରଣ ଇତ୍ୟାଦିଠାରୁ ଦୂରେଇ ରଖିବା।

ଜୈନ ଓ ବୌଦ୍ଧଧର୍ମରେ ରାତ୍ରି ଉପବାସ
‌ଜୈନଧର୍ମ ପରମ୍ପରା ଅନୁସାରେ, ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଇବା ଅନୁଚିତ। ଏହା ପଛରେ ଅନେକ କାରଣ ରହିଛି। କୁହାଯାଏ ଯେ, ରାତିରେ ବହୁ ପରିମାଣରେ ସୂକ୍ଷ୍ମଜୀବ ବିଚରଣ କରନ୍ତି। ଏପରି ପରିସ୍ଥିତିରେ, ସୂର୍ଯ୍ୟାସ୍ତ ପରେ ଖାଦ୍ୟ ପ୍ରସ୍ତୁତ କଲେ ସୂକ୍ଷ୍ମଜୀବମାନେ ଖାଦ୍ୟରେ ମିଶନ୍ତି ଏବଂ ଖାଦ୍ୟ ସହିତ ଆମ ଶରୀରରେ ପ୍ରବେଶ କରନ୍ତି। ପରୋକ୍ଷ ଭାବେ ଏହି ସୂକ୍ଷ୍ମଜୀବଙ୍କୁ ଖାଇବା ହିଂସା ବୋଲି ଜୈନଧର୍ମରେ ବିବେଚନା କରାଯାଏ। ତା’ଛଡ଼ା ସୂର୍ଯ୍ୟାସ୍ତ ପରେ ହଜମଶକ୍ତି ମନ୍ଥର ହୋଇଯାଏ। ତେଣୁ, ଖାଦ୍ୟ ବିଳମ୍ବରେ ହଜମ ହୁଏ। ଏହା ମଧ୍ୟ ଏକ ଧାର୍ମିକ ବିଶ୍ୱାସ ଯେ ହଜମ ପ୍ରକ୍ରିୟା ପଦ୍ମଫୁଲ ଭଳି। ଯାହା ସୂର୍ଯ୍ୟୋଦୟ ହେଲେ ଉନ୍ମୁକ୍ତ ହୁଏ ଏବଂ ସୂର୍ଯ୍ୟାସ୍ତ ହେଲେ ମୁଦି ହୁଏ। ତେଣୁ, ସୂର୍ଯ୍ୟାସ୍ତ ପରେ ଖାଇବା ଅନୁଚିତ ବୋଲି ସେମାନେ କହନ୍ତି। ସେହିପରି ବୌଦ୍ଧଧର୍ମାଲମ୍ବୀମାନେ ବି ରାତିରେ ଖାଆନ୍ତି ନାହିଁ। ମଧ୍ୟାହ୍ନଭୋଜନ ପରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ପାଇଁ ପୁଣି ପରଦିନ ମଧ୍ୟାହ୍ନଭୋଜନ ପର୍ଯ୍ୟନ୍ତ କିଛି ଖାଇବା ମନା। ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ବୌଦ୍ଧଧର୍ମାବଲମ୍ବୀମାନେ ଉପବାସ ରହିଥାନ୍ତି। ଉପବାସ ଦିନମାନଙ୍କରେ ସେମାନେ ମାଂସାହାରରୁ ନିବୃତ୍ତ ରହନ୍ତି, ଧର୍ମାନୁଷ୍ଠାନ ପାଳନ କରନ୍ତି ଏବଂ ଶୁଭକର୍ମ କରନ୍ତି। ସେମାନଙ୍କ ମତରେ ଉପବାସ ଓଜନ ହ୍ରାସ ଏବଂ ରକ୍ତଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଓଡ଼ିଶାର ସ୍ବକୀୟ ଧର୍ମ ପରମ୍ପରା ଭାବେ ଖ୍ୟାତ ମହିମା ଧର୍ମରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଭୋଜନ ନିଷେଧ କରାଯାଇଛି। ବିଶେଷ କରି ଯେଉଁ ଅଲେଖବାବା ମାନେ ଗୃହତ୍ୟାଗୀ ସେମାନଙ୍କୁ ସଂଧ୍ୟା ପରେ ଭୋଜନ ଅନୁମତି ନଥାଏ।

ଇସଲାମ୍‌ ଓ ଖ୍ରୀଷ୍ଟଧର୍ମରେ ଉପବାସ
ଇସ୍‌ଲାମ୍‌ ଧର୍ମାବଲମ୍ବୀଙ୍କ ରମ୍‌ଜାନ୍‌ ଉପବାସ ବେଶ୍‌ ପ୍ରସିଦ୍ଧ। ସମଗ୍ର ବିଶ୍ବରେ ଏହା ପାଳିତ ହୁଏ। ପବିତ୍ର ମାସ ରମ୍‌ଜାନ୍‌ରେ ମୁସଲମାନ୍‌ମାନେ ଏକ ମାସ ଧରି ଉପବାସ ପାଳନ କରିଥାନ୍ତି। ତିରିଶ ଦିନ ଧରି ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ରହିଥାନ୍ତି। ଏ ଉପବାସକୁ ରୋଜା କୁହାଯାଏ। ଦୈନିକ ଉପବାସ ଶେଷରେ ସନ୍ଧ୍ୟାବେଳେ ଇଫ୍‌ତାର୍‌ ପାଳନ କରାଯାଏ। ଇସ୍‌ଲାମ୍‌ ଧର୍ମବିଶ୍ୱାସ ମତରେ, ରମଜାନ୍‌ ମାସରେ ଉପବାସ କରିବା କେବଳ ଭୋକିଲା ଏବଂ ଶୋଷିଲା ରହିବା ନୁହେଁ; ଏହାର ଅର୍ଥ ହେଉଛି ନିଜ ବିଶ୍ୱାସ ବଜାୟ ରଖିବା। ମନକୁ ଆସୁଥିବା ଖରାପ ଚିନ୍ତା ତ୍ୟାଗକରିବା ଏବଂ ପାପକର୍ମରୁ ଦୂରେଇ ରହିବା। ଏହି ମାସରେ ଉପବାସ କରୁଥିବା ବ୍ୟକ୍ତି ମିଛ କହିବା କିମ୍ବା ମିଛ ପ୍ରତିଶ୍ରୁତି ଦେବା ଅନୁଚିତ। ସେହିପରି ଖ୍ରୀଷ୍ଟିଆନ୍ ସଂପ୍ରଦାୟରେ ମଧ୍ୟ ଇଷ୍ଟର୍‌ ପୂର୍ବରୁ ଲୋକେ ଚାଳିଶ ଦିନ ଖାଦ୍ୟ ଏବଂ ଆମୋଦପ୍ରମୋଦରୁ ନିବୃତ୍ତ ରହନ୍ତି। ଉପବାସ ସମୟରେ ସେମାନେ ନିରାମିଷ ଖାଆନ୍ତି ଓ ମଦ୍ୟପାନ କରନ୍ତି ନାହିଁ। କିନ୍ତୁ ଇଷ୍ଟର୍‌ ଦିନ ମଦ ଏବଂ କେକ୍‌ ଭୋଜନ କରି ଉପବାସ ଭାଙ୍ଗନ୍ତି।

ମୋଦୀ, ଫ୍ରିଡ୍‌ମ୍ୟାନ୍‌ ଓ ଉପବାସ  
ଏକ ପୋଡ୍‌କାଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ସହ କରିଥିବା ଆଲୋଚନା ସଂପର୍କରେ ଖବର ପ୍ରକାଶ ପାଇଛି। ଏ ପ୍ରସଙ୍ଗରେ ଫ୍ରିଡ୍‌ମ୍ୟାନ୍‌ କହିଥିଲେ ଯେ ପୋଡ୍‌କାଷ୍ଟ୍‌ ପୂର୍ବରୁ ସେ ୪୫ ଘଣ୍ଟା ଉପବାସ କରିଥିଲେ। ଏହି ବାର୍ତ୍ତାଳାପ ସମୟରେ ଉପଯୁକ୍ତ ମାନସିକତା ବଜାୟ ରଖିବା ସହ ଆଧ୍ୟାତ୍ମିକ ସ୍ତରକୁ ଯିବା ପାଇଁ ପ୍ରାୟ ଦୁଇ ଦିନ ବା ୪୫ ଘଣ୍ଟା ହେବ କୌଣସି ଖାଦ୍ୟ ନଖାଇ କେବଳ ପାଣି ପିଉଛି।  ଫ୍ରିଡ୍‌ମ୍ୟାନ୍‌ ଉପବାସ କରୁଥିବା ଜାଣି ପ୍ରଧାନମନ୍ତ୍ରୀ ମୋଦୀ ଆନନ୍ଦିତ ହୋଇଥିଲେ। ଉତ୍ତରରେ କହିଥିଲେ, ଆପଣ ମୋ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଉପବାସ କରୁଛନ୍ତି ଜାଣି ମୁଁ ଖୁସି। ଇନ୍ଦ୍ରିୟର ତୀକ୍ଷ୍ମତା, ମାନସିକ ସ୍ପଷ୍ଟତା ଏବଂ ଜୀବନ ଧାରାରେ ଶୃଙ୍ଖଳା ସୃଷ୍ଟି ଆଦି ଉପକାରିତା ଉପବାସ ଦ୍ବାରା ସମ୍ଭବ ବୋଲି ‌ମୋଦୀ କହିଥିଲେ। ନିଜକୁ ଶୃଙ୍ଖଳିତ ଓ ସନ୍ତୁଳିତ କରିବା ପାଇଁ ଉପବାସ ଏକ ଶକ୍ତିଶାଳୀ ସାଧନ। ଯେତେବେଳେ ଆପଣ ଉପବାସ କରନ୍ତି, ଆପଣଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ବିଶେଷ ଭାବରେ ଗନ୍ଧ, ସ୍ପର୍ଶ ଏବଂ ସ୍ବାଦ ଇନ୍ଦ୍ରିୟ ଅତି ସମ୍ବେଦନଶୀଳ ହୋଇଯାଏ।

ଓଜନ ହ୍ରାସ କରୁଛି ଉପବାସ
ଓଜନ ହ୍ରାସ ପାଇଁ ଉପବାସ ଏକ ମହୌଷଧୀ। ଏହି କ୍ରମରେ ଇଣ୍ଟର୍‌ମିଟେଣ୍ଟ୍‌ ଫାଷ୍ଟିଙ୍ଗ୍‌ ଏବେ ବେଶ୍‌ ଲୋକପ୍ରିୟ ହେ‌ାଇଛି। ଏହି ଉପବାସ ଓଜନ କମାଇବାର ସବୁଠୁ ସହଜ ଉପାୟ ବୋଲି କୁହାଯାଉଛି। ଏଥିରେ କିଛି ଘଣ୍ଟା ପାଇଁ ଉପବାସ ରଖିବା ପରେ ଖାଇବାକୁ ହୋଇଥାଏ। ଇଣ୍ଟର୍‌ମିଟେଣ୍ଟ୍‌ ଫାଷ୍ଟିଙ୍ଗ୍‌ରେ ଜଣେ ବ୍ୟକ୍ତି ନିଜ ଡାଏଟ୍‌କୁ ନିର୍ଦ୍ଦିଷ୍ଟ ସମୟସୀମାଯାଏ ସୀମିତ ରଖିଥାଆନ୍ତି ଏବଂ ଅଧିକ ସମୟଯାଏ ଉପବାସ ରହିଥାନ୍ତି। ଉପବାସ ଯୋଗୁ କ୍ଷୁଧା ସୃଷ୍ଟିକାରୀ ହର୍‌ମୋନ୍‌ ହ୍ରାସପାଏ ଏବଂ ମେଟା‌ବଲିଜିମ୍‌ ବୃଦ୍ଧିପାଏ। ଧୀରେ ଧୀରେ ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ। ସେମିତି ଏକ୍ସଟେଣ୍ଡେଡ୍‌ ଫାଷ୍ଟିଙ୍ଗ୍‌। ଏହା ମଧ୍ୟ ଓଜନ କମ୍‌ କରିବାର ଆଉ ଏକ ଶକ୍ତଶାଳୀ ଉପବାସ। ଏଥିରେ ୨୪ରୁ ୭୨ ଘଣ୍ଟା ବା ତା’ଠାରୁ ଅଧିକ ସମୟ ଉପବାସ ରହିବାକୁ ପଡ଼ିଥାଏ। ଉପବାସର ଆଉ ଏକ ପ୍ରକାର ହେଉଛି ଦିନେ ଛାଡ଼ି ଦିନେ ଖାଇବା। ଏହାକୁ କୁହାଯାଉଛି ଅଲଟର୍‌ନେଟ୍‌ ଡେ ଫାଷ୍ଟ୍‌ିଙ୍ଗ୍। ଅନ୍ୟ ଏକ ଉପବାସ ପ୍ରଣାଳୀ ହେଉଛି ପାର୍ସିଆଲ୍‌ ଫାଷ୍ଟିଙ୍ଗ୍। ଏଥିରେ ସମ୍ପୂର୍ଣ୍ଣ ଭାବେ ଉପବାସ ରଖାଯାଏନି ବରଂ କିଛି ନିର୍ଦ୍ଦିଷ୍ଟ ଖାଦ୍ୟସାମଗ୍ରୀ ଏବଂ କ୍ୟାଲୋରିଠାରୁ ଦୂରେଇ ରହିବାକୁ ପଡ଼ିଥାଏ।

ସୌନ୍ଦର୍ଯ୍ୟ ପାଇଁ ତ୍ବଚା ଉପବାସ
ସ୍ବାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟର ଗୂଢ଼ ସମ୍ବନ୍ଧ ରହିଛି। ସେଥିପାଇଁ ମହିଳା ଓ ପୁରୁଷ ନିର୍ବିଶେଷରେ ଅନେକେ ନିଜ ତ୍ବଚାର ଯତ୍ନ ନେଇଥାନ୍ତି। ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଉତ୍ପାଦ ବ୍ୟବହାର କରାଯାଏ। ତେବେ ଏସବୁର ଅଧିକ ଉପଯୋଗ କାରଣରୁ ତ୍ବଚାର ପ୍ରାକୃତିକ ଚମକ ନଷ୍ଟହୁଏ। ତ୍ବଚା ଶୁଷ୍କ ଦେଖାଯାଏ। ତେଣୁ, ଆଜିକାଲି ତ୍ବଚା ସୁରକ୍ଷା ପାଇଁ ଲୋକେ ସ୍କିନ୍‌ ଫାଷ୍ଟିଙ୍ଗ୍ ବା ତ୍ବଚା ଉପବାସ କରୁଛନ୍ତି। ଯେମିତି ଶରୀରକୁ ପୁନଃଶକ୍ତିସଂପନ୍ନ କରିବା ଲାଗି ବିଶ୍ରାମ ସହ ସମସ୍ତ ପ୍ରକାର କାର୍ଯ୍ୟଚାପରୁ ବିରତି ନେବା ଆବଶ୍ୟକ, ଠିକ୍‌ ସେମିତି ତ୍ବଚା ପାଇଁ ମଧ୍ୟ କିଛି ଦିନ ବିରତି ଦରକାର ହୋଇଥାଏ। ଯୁବପିଢ଼ିଙ୍କ ମଧ୍ୟରେ ଦିନକୁ ଦିନ ସ୍କିନ୍‌ ଫାଷ୍ଟିଙ୍ଗ୍ ଟ୍ରେଣ୍ଡ୍‌ ଲୋକପ୍ରିୟ ହେବାରେ ଲାଗିଛି। ସ୍କିନ୍‌ ଫାଷ୍ଟିଙ୍ଗ୍‌ ସମୟରେ କୌଣସି ପ୍ରସାଧାନ ସାମଗ୍ରୀ ଯଥା; ସିରମ୍‌, ଟୋନର୍‌, କ୍ଲିଞ୍ଜର୍‌, ମଏଶ୍ଚରାଇଜର୍‌ର ବ୍ୟବହାର ନିଷେଧ ଥାଏ।। ଏହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ସ୍ବାଭାବିକ ଭାବେ ଆର୍ଦ୍ରତା ଆହରଣ ପାଇଁ ତ୍ବଚାକୁ ଛାଡ଼ି ଦିଆଯାଇଥାଏ। ଏହି ସମୟରେ ସ୍କିନ୍‌ କେୟାର୍‌ ରୁଟିନ୍‌ଠାରୁ ଦୂରେଇ ରହିବାକୁ ପଡ଼ିଥାଏ। ଫଳରେ ତ୍ବଚା ସ୍ବଭାବିକ ଭାବେ ସତେଜ ହୁଏ। ଏହି ପଦ୍ଧତି ତ୍ବଚାରୁ ସମସ୍ତ ଅଶୋଧିତ ଉପାଦାନ ବାହାର କରିବାରେ ସହାୟକ ହୋଇଥାଏ। ପୁଣିଥରେ ତ୍ବଚାର ପ୍ରାକୃତିକ ଉଜ୍ବଳତା ଫେରିଆସେ। ଏହି ସମୟରେ ଚନ୍ଦନ, ହଳଦୀ, ନିମପତ୍ର, ମହୁ ଓ ଦହି ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। 

ଭାରତୀୟ ସଂସ୍କୃତିରେ ଉପବାସ ଚାରି ପ୍ରକାର
ସଂପ୍ରତି ଉପବାସ ଶବ୍ଦକୁ ଯେଉଁ ଭାବରେ ପ୍ରୟୋଗ କରାଯାଉଛି ପ୍ରକୃତରେ ଏହାର ଅର୍ଥ ତାହା ନୁହେଁ। ‘ଉପ’ ଶବ୍ଦର ଅର୍ଥ ନିକଟ ଓ ‘ବାସ’ ଶବ୍ଦର ଅର୍ଥ ବସିବା। ଶାବ୍ଦିକ ଅର୍ଥରେ ଉପବାସ ହେଉଛି ଈଶ୍ବରଙ୍କ ନିକଟରେ ଉପବେଶନ କରି ନିଜକୁ ସମର୍ପଣ କରିବା। ତାତ୍ତ୍ବିକ ଭାବେ ଏହାସହିତ ନ ଖାଦ୍ୟପେୟର କୌଣସି ସମ୍ପର୍କ ନାହିଁ। ପ୍ରଥମ କଥା ହେଉଛି, ଅଧିକ ଖାଇଲେ ଶରୀର ମାନ୍ଦାଳିଆ ଲାଗିବ ଏବଂ ଧ୍ୟାନ କରିବାରେ ଅସୁବିଧା ହେବ। ତେଣୁ ଅଳ୍ପ ଖାଦ୍ୟ ଆହରଣ କରିବା ବିଧେୟ। ଆଦୌ ନ ଖାଇ ବିଭିନ୍ନ ପ୍ରକାର ରୋଗକୁ ନିମନ୍ତ୍ରଣ କରିବା ମଧ୍ୟ ସ୍ପୃହଣୀୟ ନୁହେଁ। ଶରୀରକୁ ସନ୍ତୁଳିତ ଆହାର ଯୋଗାଇ ଈଶ୍ବରଙ୍କ ପାଖରେ ବସିବା ଲାଗି ନିଜକୁ ପ୍ରସ୍ତୁତ କରିବାର ଅର୍ଥ ହେଉଛି ଉପବାସ। ଶରୀର ରକ୍ଷା କରିବା ପାଇଁ ଉପବାସ କରିବା ଜରୁରି। ଭାରତୀୟ ସଂସ୍କୃତିରେ ୪ ପ୍ରକାର ଉପବାସ ରହିଛି, ପୂର୍ଣ୍ଣଉପବାସ, ଅର୍ଦ୍ଧଉପବାସ, ଜଳଉପବାସ ଓ ଫଳଉପବାସ। ପୂର୍ଣ୍ଣଉପବାସରେ କେବଳ ଜଳ ପିଅନ୍ତି, ଯଦ୍ଦ୍ବାରା ଶରୀରରେ ଥିବା ଅପକାରୀ ପଦାର୍ଥ ବାହାରି ଶରୀର ସୁସ୍ଥ ରହେ। ଅର୍ଦ୍ଧଉପବାସରେ ଦିନସାରା ଜଳ ପିଇ ରାତିରେ ଅନ୍ନ ସେବନ କରାଯାଏ। ଫଳଉପବାସରେ କେବଳ ଫଳାହାର କରାଯାଏ  ଏବଂ ଜଳଉପବାସରେ ତରଳ ପଦାର୍ଥ ଯେପରି କ୍ଷୀର, ସରବତ, ପଇଡ଼ପାଣି ପିଇ ଦିନ ଅତିବାହିତ କରାଯାଏ। ଉପବାସ କଲେ ଯେ କେବଳ ଈଶ୍ବରଭକ୍ତିି ବଢ଼ିବ ବା ମାନସିକ ପୂରଣ ହେବ, ତାହା ନୁ‌ହେଁ, ଏହା ଆମ ଶରୀରର ସୁସ୍ଥତା ପାଇଁ ଅତ୍ୟାବଶ୍ୟକ। ଏହାଦ୍ବାରା ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
-ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା,ବୈଦିକ ବିଦ୍ବାନ୍‌

ଫ୍ୟାଟ୍‌ ଟୁ ଫିଟ୍‌
କେବଳ ଧାର୍ମିକ ମହତ୍ତ୍ବ ଲାଗି ନୁହେଁ, ଫ୍ୟାଟ୍‌ ଟୁ ଫିଟ୍‌ ହେବା ପାଇଁ ଲୋକେ ଉପବାସ କରୁଛନ୍ତି। ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ ବା ବଡି ଡିଟକ୍ସ କରେ ଏବଂ ପାଚନକ୍ରିୟା ସକ୍ରିୟ କରେ। ଉପବାସ ସାରିବା ପରେ କିଛି ଲୋକଙ୍କୁ ଅଧିକ ଭୋକ ଲାଗିଥାଏ। କିନ୍ତୁ ଏହି ସମୟରେ ଅଧିକ ମସଲାଯୁକ୍ତ, ଫାଷ୍ଟ୍‌ଫୁଡ୍‌ ଓ ଖଟା ଜାତୀୟ ଫଳ ଆହାର କରିବା ଉଚିତ ନୁହେଁ। ଏହାଦ୍ବାରା ପେଟବ୍ୟଥା ହେବା ସହିତ ଝାଡ଼ାବାନ୍ତି ପରି ସମସ୍ୟା ହୋଇପାରେ। ପ୍ରତି ପର୍ବରେ ଆମେ କିଛି ନା କିଛି ଖାଦ୍ୟ ଉପରେ ଧ୍ୟାନ ଦେଇଥାଉ ଯାହା ସ୍ବାସ୍ଥ୍ୟକର ହୋଇଥାଏ, ଯେପରି ଉପବାସରେ ଗୁଡ଼ପାଣି ଓ ପଣା ପିଇବା, କାକୁଡ଼ି ଓ ଅନ୍ୟାନ୍ୟ ଫଳ ଆହରଣ କରିବା ଇତ୍ୟାଦି। କେତେକ ପର୍ବରେ ରାତ୍ରି ଭୋଜନ ବର୍ଜନ କରାଯାଏ। ଫଳରେ ଶରୀର ହାଲୁକା ଲାଗିବ‌ା ସହିତ କିଛି କ୍ୟାଲୋରି ବର୍ଜନ କରିହୁଏ। ମାସରେ ୪ ଥର ଉପବାସ ରହିବା ଦ୍ୱାରା ଲିଭର୍‌ ସୁସ୍ଥ ରହେ ବୋଲି କୁହାଯାଏ। ଉପବାସ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ। ଫଳରେ ହଜମ ପ୍ରକ୍ରିୟାରେ କୌଣସି ଅସୁବିଧା ହୋଇ ନଥାଏ। ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍‌ ସ୍ତର କମ୍‌ କରିଥାଏ। ନିଜ ଶରୀରର କ୍ଷମତା ଅନୁସାରେ ଉପବାସ ରଖନ୍ତୁ। ଉପବାସ ସମୟରେ କମ୍‌ ପାଣି ପିଇଲେ ବଦହଜମୀ, ଅର୍ଶ ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ। ଉପବାସ ରହିବା ସମୟରେ ଚା ଓ କଫି ପିଇବା ଅନୁଚିତ।
-ଶୁଚିସ୍ମିତା ମହାରଣା,ନ୍ୟୁଟ୍ରିସନ୍‌ ଓ ଫିଟ୍‌ନେସ୍ କନ୍‌ସଲ୍‌ଟାଣ୍ଟ୍‌

ସେୟରୀ ଖାଇ ଆରମ୍ଭ, ଇଫ୍‌ତାରୀରେ ଉଦ୍‌ଯାପନ
ରମଜାନ୍‌ ଭଳି ପବିତ୍ର ମାସକୁ ପ୍ରତିବର୍ଷ ସବୁ ମୁସଲ୍‌ମାନ ଭାଇଭଉଣୀ ଅପେକ୍ଷା କରିଥାଆନ୍ତି। ଏହି ମାସରେ ୩୦ ଦିନଯାକ ସମସ୍ତେ କାଷ୍ଠା ଉପବାସ କରିଥାଉ। ସୂ‌େର୍ଯ୍ୟାଦୟ ପୂର୍ବରୁ ବା ରାତି ୪ଟାରେ ‌େସୟରୀ ବା ଖାଦ୍ୟ ଖାଇ ଉପବାସ ରଖଯାଏ। ସୂର୍ଯ୍ୟାସ୍ତ ପରେ ବା ସଂଧ୍ୟା ୬ଟାରେ ଇଫ୍‌ତାରୀ ଖାଇ ପୁଣି ଉପବାସ ଭାଙ୍ଗାଯାଏ। ଏମିତି ୩୦ ଦିନ ରୋଜା ରଖିବା ସହିତ ସ୍ବତନ୍ତ୍ର ନମାଜ୍‌ ପାଠ ହୋଇଥାଏ। ଏହି ମାସ ପୁଣ୍ୟ ଅର୍ଜନର ମାସ। ପେଟ ଥଣ୍ଡା ପାଇଁ ଡ୍ରାଏଫ୍ରୁଟ୍‌ ଯଥା:- କାଜୁ, କିସ୍‌ମିସ୍‌, ଫାଲୁଦା ଓ ସର୍ବତ ପିଇଥାଉ। ଆମେ ଉପବାସରେ ବିଶ୍ବାସ କରୁ। ଏହାଦ୍ବାରା ଆମ ଶରୀର ହାଲୁକା ରହେ ଏବଂ ଅଧିକ ସମୟ ଆଲ୍ଲାଙ୍କୁ ଡାକିହୁଏ। ଖାଦ୍ୟ ନଖାଇ ମଧ୍ୟ ଆମେ ବଳ ପାଇଥାଉ, କାରଣ ବିଶ୍ବାସ ହିଁ ଆମ ଉପବାସକୁ ସାମର୍ଥ୍ୟ ଦେଇଥାଏ।
 -ମୌଲାନା ନସିମ୍‌ ଖାନ୍‌ ହବିବ, ଝାରପଡ଼ା, ଭୁବନେଶ୍ବର