ପ୍ରତିଟି ସନ୍ତାନର ଜୀବନରେ ଉଭୟ ମାତା ଓ ପିତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏମିତି ବି ପରିସ୍ଥିତି ଆସେ ଯେତେବେଳେ ପିତାକୁ ଉଭୟ ମାତା-ପିତାର କର୍ତ୍ତବ୍ୟ ନିର୍ବାହ କରିବାକୁ ପଡ଼େ। ଆମ ଚତୁଃପାର୍ଶ୍ବରେ ଏମିତି ଅନେକ ମଣିଷ ଅଛନ୍ତି; ଯେଉଁମାନେ ପରିସ୍ଥିତିର ଦାସ ହୋଇ ହେଉ, ଅଥବା ସମୟର ଆହ୍ବାନରେ ହେଉ, ନିଜ ସନ୍ତାନକୁ ବଡ଼ କରିବା ଲାଗି ଏକା ଏକା ଲକ୍ଷ୍ୟପଥରେ ମାଡ଼ିଚାଲିଛନ୍ତି। ଏକକ ପିତୃତ୍ବ କିଛି ନୂଆ କଥା ନୁହେଁ, ପୋଥିପୁରାଣରୁ ଆରମ୍ଭ କରି ସାହିତ୍ୟ ଓ ସମାଜରେ ଏହାର ମାଳ ମାଳ ଉଦାହରଣ ରହିଛି। ପିତୃତ୍ବ ଦିବସରେ ସେଭଳି ଏକକ ଅଭିଭାବକଙ୍କ ନିଆରା କାହାଣୀ। 

Advertisment

ଶୁଚିସ୍ମିତା ବାରିକ

ବିଶ୍ୱ ଆଜି ପିତୃତ୍ୱ ଦିବସ ପାଳନ କରୁଥିବା ବେଳେ ଜଣେ ଭିନ୍ନ ପିତାର କାହାଣୀ ଆମେ ଉପସ୍ଥାପନ କରୁଛୁ। ବିବାହର ୫ମାସ ପରେ ମନୋମାଳିନ୍ୟ ଯୋଗୁଁ ପତ୍ନୀଙ୍କଠାରୁ ଅଲଗା ହୋଇଥିବା ଅବନୀ ପୋଷ୍ୟସନ୍ତାନ ଗ୍ରହଣ କରନ୍ତି ଏବଂ ଏକାକୀ ପୁତ୍ର ଅମିତେଶକୁ ଲାଳନପାଳନ କରି ଜଣେ ସଫଳ ମଣିଷ ଭାବେ ଗଢ଼ିତୋଳିଛନ୍ତି। ‘‘ବିବାହର ମାତ୍ର ୫ ମାସ ମଧ୍ୟରେ ମୋର ବିବାହ ବିଚ୍ଛେଦ ଘଟିଥିଲା। ବିଚ୍ଛେଦ ପରେ ମୁଁ ପୁନର୍ବାର ବିବାହ ନ କରିବାକୁ ନିଷ୍ପତ୍ତି ନେଲି। ଏହାପରେ ମୁଁ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ନେଲି। ୨୦୦୮ରେ ମୁଁ ଅମିତେଶକୁ ଘରକୁ ଆଣିଲି। ସେତେବେଳକୁ ଅମିତେଶ ମାତ୍ର ୨ ବର୍ଷର। ମୋ ମା’ ଏଥିପାଇଁ ଆଦୌ ସମ୍ମତ ନଥିଲେ। କିନ୍ତୁ ମୋ ଭଉଣୀର ସମର୍ଥନରେ ମୁଁ ତାଙ୍କୁ ରାଜି କରାଇଲି। ଆଜିର ଦିନରେ ଅମିତେଶ ୧୭ ବର୍ଷ ବୟସରେ ପଦାର୍ପଣ କରିସାରିଛି। ସେ ଇଲେକ୍ଟ୍ରିକାଲ୍‌ ଡିପ୍ଲୋମା ଇଂଜିନିୟରିଂ ପଢୁଛି।’’ ନିଜ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣାର ସ୍ମୃତିଚାରଣ କରନ୍ତି ଅବନୀପ୍ରସାଦ ଦାଶ।

ପୁରାଣ ଓ ମହାକାବ୍ୟରେ ଏକାକୀ ପିତା
ପ୍ରାଚୀନ ଭାରତୀୟ ସାହିତ୍ୟରେ ଏକକ ପିତୃତ୍ବର ବହୁ ଉଦାହରଣ ରହିଛି। ଏହି କ୍ରମରେ ଆମେ ମହାକାବ୍ୟ ମହାଭାରତର ବହୁଚର୍ଚ୍ଚିତ ଚରିତ୍ର ‌ ଦ୍ରୋଣଙ୍କ ପିତା ଭରଦ୍ବାଜଙ୍କୁ ଗ୍ରହଣ କରିପାରିବା। ସେ ଏକା ଏକା ଦ୍ରୋଣଙ୍କୁ ଲାଳନପାଳନ କରି ଦ୍ରୋଣାଚାର୍ଯ୍ୟରେ ପରିଣତ କରିଥିଲେ।ମହାଭାରତ କାହାଣୀ ଅନୁଯାୟୀ, ଗଙ୍ଗାକୂଳରେ ଆଶ୍ରମ କରିଥିବା ଭରଦ୍ୱାଜ ଥରେ ନଦୀରେ ସ୍ନାନ କରୁଥିବା ଅବସ୍ଥାରେ ସ୍ବର୍ଗକନ୍ୟା ଘର୍ତାସୀଙ୍କୁ ଦେଖିପକାଇଲେ। ଘର୍ତାସୀ ଲଜ୍ଜିତ ହୋଇ ତାଙ୍କର ପୋଷାକ ଛାଡ଼ି ପ୍ରସ୍ଥାନ କରିଥିଲେ। ତାଙ୍କୁ ବିବସ୍ତ୍ର ଅବସ୍ଥାରେ ଦେଖି ଭରଦ୍ବାଜଙ୍କର ବୀର୍ଯ୍ୟସ୍ରାବ ହୋଇଥିଲା। ସେ ଏହି ବୀର୍ଯ୍ୟକୁ ଏକ ‌ପାତ୍ରରେ ସଂଗ୍ରହ କରି ରଖିଥିଲେ, ଯେଉଁଥିରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପାତ୍ରରୁ ଜନ୍ମ ହୋଇଥିବାରୁ ଭରଦ୍ବାଜ ପୁତ୍ରର ନାମ ରଖିଥିଲେ ଦ୍ରୋଣ। ଏହାପରେ ସେ ଦ୍ରୋଣଙ୍କୁ ଆଶ୍ରମରେ ରଖି ଲାଳନପାଳନ କରିଥିଲେ। ଦ୍ରୋଣ ପିତା ଭରଦ୍ବାଜଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା କରିଥିଲେ। ସେ ଯୁଦ୍ଧବିଦ୍ୟାରେ ଅତୁଳନୀୟ ଦକ୍ଷତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଭରଦ୍ବାଜ କ୍ରିପିଙ୍କ ସହ ଦ୍ରୋଣଙ୍କ ବିବାହ କରାଇଥିଲେ।

ସେହିପରି ଋଷି ବିଶ୍ବାମିତ୍ର ଓ ଅପ୍‌ସରା ମେନକାଙ୍କ କନ୍ୟା ଶକୁନ୍ତଳାଙ୍କ ପାଳିତ ପିତା କଣ୍ବ ମୁନିଙ୍କୁ ଆମେ ଏକକ ପିତୃତ୍ବର ସଫଳ ଉଦାହରଣ ଭାବେ ଗ୍ରହଣ କରିପାରିବା। ବ୍ରହ୍ମର୍ଷି ବିଶ୍ବାମିତ୍ରଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ଅପ୍‌ସରା ମେନକାଙ୍କୁ ପଠାଇଥିଲେ। ମେନକା ନିଜର ସୌନ୍ଦର୍ଯ୍ୟ ବଳରେ ବିଶ୍ବାମିତ୍ରଙ୍କୁ ବଶ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ମିଳନ‌ରୁ ଶକୁନ୍ତଳା ଜନ୍ମ ହୋଇଥିଲେ। କିନ୍ତୁ ବିଶ୍ବାମିତ୍ର ତାଙ୍କୁ ଗ୍ରହଣ କରିନଥିଲେ। ଫଳରେ ସେ ଜଙ୍ଗଲ ଭିତରେ ପଡ଼ିରହିଥିଲେ। ତାଙ୍କୁ ଶକୁନପକ୍ଷୀ ଆକ୍ରମଣ କରିବାକୁ ଯାଉଥିବା ବେଳେ କଣ୍ବ ମୁନି ଉଦ୍ଧାର କରି ନିଜ ଆଶ୍ରମକୁ ଆଣି ତାଙ୍କ ନାମ ଶକୁନ୍ତଳା ରଖିଥିଲେ। କଣ୍ବମୁନି ଶକୁନ୍ତଳାଙ୍କୁ ଉଭୟ ପିତାମାତାର ସ୍ନେହ ଦେଇ ଲାଳିତପାଳିତ କରିବା ସହ ଶିକ୍ଷାଦୀକ୍ଷା ପ୍ରଦାନ କରିଥିଲେ। ଶକୁନ୍ତଳାଙ୍କ ପାଳିତ ପିତା ଭାବରେ କଣ୍ବଙ୍କ ଭୂମିକା ଏକକ ଅଭିଭାବକତ୍ବର ଏକ ମହନୀୟ ଉଦାହରଣ।

“ଅମିତେଶ ୫ ବର୍ଷର ହୋଇଥିବା ବେଳେ ମୁଁ ଆଉ ଏକ ପୋଷ୍ୟକନ୍ୟା ସନ୍ତାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ଯାହାଦ୍ୱାରା ଦୁହେଁ ଏକ ସମ୍ପୂର୍ଣ୍ଣ ପରିବାର ଭଳି ଅନୁଭବ କରିବେ ଓ ଭବିଷ୍ୟତରେ ଭାଇଭଉଣୀ ଭଳି ରହିବେ। କିନ୍ତୁ ପୋଷ୍ୟସନ୍ତାନ ଗ୍ରହଣ ସମୟରେ ବିଭିନ୍ନ ଅସୁବିଧା ମୁକାବିଲା କରିବାରେ ଘାଣ୍ଟି ହୋଇପଡ଼ିଲି। ଆଇନଗତ ସମସ୍ୟା ଠାରୁ ଅଧିକ ଥିଲା ବ୍ୟକ୍ତିଗତ ସମସ୍ୟା। ମୁଁ ଜଣେ ପୁରୁଷ, ତେଣୁ କିପରି ଗୋଟିଏ ଛୋଟ ଛୁଆର ଲାଳନପାଳନ କରିପାରିବି? କିପରି ମା’ର ସ୍ନେହ, ମମତା ଓ ଆବେଗ ମୁଁ ସନ୍ତାନକୁ ଦେଇପାରିବି? ଏଭଳି ଅନେକ ପ୍ରଶ୍ନରେ ମୁଁ ଛନ୍ଦି ହୋଇଗଲି। ଅବଶ୍ୟ ଶେଷରେ ମୁଁ ଜିତିଲି। ଆଜି ସେହି ଅନାଥ ଶିଶୁ ଯତ୍ନ ଗୃହକୁ ପ୍ରମାଣ କରି ଦେଖାଇଦେଲି ଯେ ଜଣେ ଏକାକୀ ବାପା ତା’ ଛୁଆକୁ ଅତ୍ୟନ୍ତ ଯତ୍ନ ସହକାରେ ପାଳନ କରିପାରିବ ଏବଂ ନାରୀ ପରି ପୁରୁଷର ମଧ୍ୟ ସନ୍ତାନ ପାଳନରେ ସ୍ନେହମମତା ଓ ଆଦର ଯତ୍ନ ରହିଥାଏ।”

ନିଜର ଅତୀତକୁ ମନେ ପକାଇ ଅବନୀପ୍ରସାଦ ଦାଶ କହନ୍ତି, “ମୋର ବିବାହ ବିଚ୍ଛେଦ ପରେ ଏବଂ ଅମିତେଶକୁ ପୋଷ୍ୟସନ୍ତାନ ଭାବରେ ମୁଁ ଯେତେବେଳେ ଗ୍ରହଣ କରିଥିଲି, ସେତେବେଳେ ସାମାଜିକ ତାଡ଼ନାର ଯେଉଁ ଯନ୍ତ୍ରଣା ତାହା ମୋ ପାଇଁ ସବୁଠାରୁ କଷ୍ଟଦାୟକ ଥିଲା। ଏପରିକି ସାହିପଡ଼ିଶା ଓ ମୋ ସହକର୍ମୀ  ମୋତେ ଜଣେ ପୁରୁଷ ନୁହେଁ ବରଂ ଛକା ବୋଲି ଆକ୍ଷେପ କରୁଥିଲେ। ମୁଁ କିନ୍ତୁ  ଅମିତେଶ ମୁହଁକୁ ଚାହିଁ ସବୁ ନିନ୍ଦା ଓ ଅପବାଦକୁ ସହିଯାଉଥିଲି। ଏହାହିଁ ଆମ ବାପପୁଅ ସମ୍ପର୍କକୁ ଅଧିକ ସୁଦୃଢ଼ କରିଥିଲା।’’

ନିଜ ବାପାଙ୍କୁ ନେଇ ଅମିତେଶ କହନ୍ତି, ‘‘ମୋ ପାଇଁ ମୋ ବାବା ଦୁନିଆର ସୁପର୍‌ ହିରୋ। ମୋର ମା’ ନାହିଁ, ଏହା ମୁଁ କେବେ ଅନୁଭବ କରିନି। ମୋ ବାବାଙ୍କ ସହିତ ମୋର ଗୋଟିଏ ଅଭୁଲା ସ୍ମୃତି ରହିଛି। ମୁଁ ସେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲି। ଆମ ବାଡ଼ିରେ ଥିବା ଛୋଟ ଆମ୍ବଗଛରେ ସବୁବେଳେ ଚଢୁଥିଲି। ବାବା ଯେତେ ମନାକଲେ ବି ମାନୁ ନଥିଲି। ଦିନେ ମୁଁ ପଡ଼ିଗଲି ଓ  ମୋ ହାତ ମାଡ଼ ହୋଇଗଲା। ମୋ ଜେଜେମା’ ଓ ପିଉସୀ ଯେତେବେଳେ ମୋତେ ଡାକ୍ତରଖାନା ନେବାକୁ ବ‌ାହାରିଲେ, ହଠାତ୍‌ ବାବା ମୋତେ ଧରି ପିଲାଙ୍କ ଭଳି ଜୋର୍‌ରେ କାନ୍ଦିଲେ ଏବଂ କହିଲେ, ତା’ର ମା’ ନଥିଲେ କ’ଣ ହେଲା, ମୁଁ ତା’ର ସବୁକିଛି। ଏହା କହି ସେ ମୋତେ ଡାକ୍ତରଙ୍କ ପାଖକୁ ନେଲେ। ମୋ ହାତ ଭଲ ହେବା ପର୍ଯ୍ୟନ୍ତ ସେ ମା’ ଭଳି ସେବାଶୁଶ୍ରୂଷା କରିଥିଲେ।’’
(ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନଦେଇ ଛଦ୍ମନାମ ବ୍ୟବହାର କରାଯାଇଛି।)