ଆମ ଚାରିପଟରେ ଏମିତି ଅନେକ ଯୋଗ୍ୟ ପିତା ଅଛନ୍ତି ଯାହାଙ୍କର କନ୍ୟାମାନେ ବିଭିନ୍ନ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ, ଦେଶ ବିଦେଶରେ ନାଁ କରିଛନ୍ତି। କିନ୍ତୁ ହାତଗଣତି କେତେଜଣ କନ୍ୟା ପିତାଙ୍କ ସ୍ବପ୍ନରେ ନିଜକୁ ଖୋଜି ପାଇଛନ୍ତି। ତାଙ୍କର ପେସା ଓ ନିଶାକୁ ଆପଣାଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ସେମିତି କେତେଜଣ ପିତା ଓ ଦୁହିତାଙ୍କୁ ଭେଟିବା ଆସନ୍ତୁ...
ଅସୀମ ବସୁ-ଭାସ୍ବତୀ ବସୁ
କଳା ସଂସ୍କୃତିକୁ ଭଲ ପାଉଥିବା ଅଥଚ ଅସୀମ ବସୁଙ୍କୁ ଜାଣିନଥିବା ଲୋକ ଓଡ଼ିଶାରେ ଖୁବ୍ କମ୍ ଅଛନ୍ତି। କଳା ଓ ସଂସ୍କୃତି ଜଗତର ପ୍ରାୟ ସବୁ ପରିସରରେ ତାଙ୍କର ପାରଦର୍ଶିତା ଥିଲା। ଚିତ୍ର ଆଙ୍କିବା ହେଉ କିମ୍ବା ଡିଜାଇନିଂ ଅବା ନାଟ୍ୟ ନିର୍ଦ୍ଦେଶନା, ଅଭିନୟ ଅବା ଲେଖାଲେଖି, ସବୁଥିରେ ସେ ଥିଲେ ପାରଙ୍ଗମ ଓ ଜଣେ ବହୁମୁଖୀ ପ୍ରତିଭା। ସେ ନିଜ ହାତରେ ଅନେକ ଶିଳ୍ପୀ ଓ କଳାକାରଙ୍କୁ ଗଢ଼ିଥିଲେ। ଯେଉଁମାନେ କିଛି ଶିଖିବା ପାଇଁ କିମ୍ବା କଳାକାର ବା ଶିଳ୍ପୀ ହେବାପାଇଁ ନୂଆ କରି ଭୁବନେଶ୍ବର ଆସୁଥିଲେ ସେ ତାଙ୍କୁ ରହିବା, ଖାଇବା ଓ ଖର୍ଚ୍ଚର ସୁବିଧା କରିଦେଉଥିଲେ। ସାରା ଦେଶରେ ତାଙ୍କ ପରିଚିତ ଲୋକମାନେ ବିଛେଇ ହୋଇ ରହିଥିଲେ। ଏହି କାରଣରୁ ତାଙ୍କ ଯିବା ପରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ତାଙ୍କ ଦଶାହ ଓ ଏକାଦଶାହ ପାଳନ କରି ଶୋକସଭା କରୁଥିଲେ। ଏପରିକି ଗୋଆ ଫିଲ୍ମ ଫେଷ୍ଟିଭାଲ୍ରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଯେଉଁଥିରୁ ତାଙ୍କ ଲୋକପ୍ରିୟତା ସ୍ପଷ୍ଟ ବାରି ହୋଇପଡ଼େ ବୋଲି କହନ୍ତି କିଂବଦନ୍ତି କଳାକାର ଅସୀମ ବସୁଙ୍କ ସୁପୁତ୍ରୀ ଭାସ୍ବତୀ ବସୁ।
‘ମୋ ଜୀବନରେ ତାଙ୍କୁ ବାପା ହିସାବରେ ନୁହେଁ ବରଂ ଜେଣ ବନ୍ଧୁ ହିସାବରେ ପାଇଛି। ଛୋଟ ବେଳୁ ସେ ପ୍ରାୟତଃ ବାହାରେ ରହୁଥିଲେ। ଘରେ ଖାଲି ମୁଁ ଆଉ ମୋ ମାଆ ରହୁଥିଲୁ। କିନ୍ତୁ ଯେତେବେଳେ ମୋର ହେତୁ ପାଇଲା ତାଙ୍କ ସହିତ ମୋର ନୂଆ ଭାବରେ ପରିଚୟ ଘଟିଲା। ସେତେବେଳେ ମୁଁ ତାଙ୍କୁ ଖୁବ୍ ପାଖରୁ ଜାଣିଲି। ଅଭିନେତ୍ରୀ ଭାବେ ମୁଁ ମୋର ସବୁ ଶ୍ରେୟ ବାବୁଜୀଙ୍କୁ ଦେବି। କାରଣ ଯେହେତୁ ଅସୀମ ବସୁଙ୍କ ଝିଅ ତେଣୁ ତାଙ୍କ ଜିନ୍ ମୋ ଭିତରେ ରହିଛି। ଯଦି ଅସୀମ ବସୁ ମୋ ବାପା ହୋଇ ନଥାନ୍ତେ ତେବେ ମୁଁ ଆଜି ହୁଏତ ଆଉ କ’ଣ ହୋଇଥାନ୍ତି। ତାଙ୍କ ପ୍ରେରଣାରେ ମୁଁ କବିତା ପଢ଼ି ଶିଖିଛି, ଲେଖିଛି ଏପରିକି ତାଙ୍କ ବ୍ୟକ୍ତିତ୍ବ ମୋତେ ଗଢ଼ିଛି ଅଭିନେତ୍ରୀ ଭାବେ ଏବଂ ତାଙ୍କଠୁ ଧୈର୍ଯ୍ୟ ଓ ସହନଶୀଳତା ପୁଞ୍ଜି ଭାବରେ ପାଇଛି। ମୋ ଅଭିନେତ୍ରୀ ଜୀବନ କଥା ଯଦି କହିବେ, ତେବେ ତାଙ୍କ ଝିଅ ହିସାବରେ ବାହାରେ ବହୁତ ଲୋକଙ୍କ ସହ ଏମିତିରେ ପରିଚିିତି ଥିଲା। କିନ୍ତୁ ତାଙ୍କର କିଛି ନୈତିକ ଆଦର୍ଶ ମଧ୍ୟ ଥିଲା। ସେ ସବୁବେଳେ କହୁଥିଲେ, ଯେତିକି ତୁ ପାରିବୁ ତୋ ନିଜ ଶକ୍ତିରେ ଛିଡ଼ା ହେବୁ। କୋଉଠି ବି ସେ ମୋ ନାଁ ସୁପାରିସ କରିନଥିଲେ କି ମୁଁ କେବେ ତାଙ୍କ ନାଁ ଅନୁସାରେ କାମ ପାଇନଥିଲି। ଗୁରୁ ହିସାବରେ ତାଙ୍କ ନିର୍ଦ୍ଦେଶନାରେ ବହୁତ କିଛି ଶିଖିଛି। ବାବୁଜୀ ରାଗୁଥିଲେ, ହେଲେ ତାଙ୍କ ପାଖରେ ଅଦ୍ଭୁତ ଧୈର୍ଯ୍ୟ ଥିଲା, ସହଜରେ ହାର୍ ମାନୁ ନଥିଲେ ସେ। ଏଣୁ ତାଙ୍କ ବିଷୟରେ ଅଧିକ କିଛି କହିବା ମୋ ସାମର୍ଥ୍ୟ ଥିଲା ଭଳି ମୋତେ ଲାଗୁନି’ ବୋଲି କହନ୍ତି ଅଭିନେତ୍ରୀ ଭାସ୍ବତୀ ବସୁ।
କେଳୁଚରଣ ମହାପାତ୍ର-ସୁଜାତା ମହାପାତ୍ର
ଓଡ଼ିଶୀ ନୃତ୍ୟ ଜଗତରେ ଯେଉଁ କେତେଜଣଙ୍କ ନାଁ ପ୍ରଥମେ ମନକୁ ଆସେ ସେମାନଙ୍କ ଭିତରେ କେଳୁଚରଣ ମହାପାତ୍ର ସର୍ବପ୍ରଥମ। ତାଙ୍କଠାରୁ ଓଡ଼ିଶୀ ନୃତ୍ୟର ପୁନରୁତ୍ଥାନ ହୋଇଥିଲା ଏବଂ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। କେଳୁଚରଣ ‘ପଦ୍ମବିଭୂଷଣ’ ପାଇବାରେ ପ୍ରଥମ ଓଡ଼ିଆ ଥିଲେ। ସେ ପୁରୀର ଶିଳ୍ପୀଗ୍ରାମ ରଘୁରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିତା ଚିନ୍ତାମଣି ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ। ପିଲାବେଳେ ଗାଁରେ ହେଉଥିବା ଯାତ୍ରା ଓ ସଂକୀର୍ତ୍ତନର ପ୍ରଭାବ ପଡ଼ିଥିଲା ତାଙ୍କ ଉପରେ। କେଳୁଚରଣ ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ‘କୁଞ୍ଜ ବିହାରୀ ରାସ ଲୀଳା’ ଦଳରେ ନୃତ୍ୟ, ସଙ୍ଗୀତ, ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ଅପ୍, ନୃତ୍ୟ ସଂଯୋଜନା ସହିତ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ। ଏହାପରେ ସେ ଓଡ଼ିଶୀ ଉପରେ ଗବେଷଣା କରି ଓଡ଼ିଶୀ ନୃତ୍ୟକୁ ପରିଚିତି ଦେଇଥିଲେ। ମାହାରୀ ନୃତ୍ୟର ଭାବ ଓ େଗାଟିପୁଅର ଅଙ୍ଗଭଙ୍ଗୀକୁ ଓଡ଼ିଶୀ ନୃତ୍ୟ ନିଜର କରିଛି ବୋଲି କେଳୁଚରଣ କହୁଥିଲେ। ଠିକ୍ ସେମିତି ତାଙ୍କ ବୋହୂ ସୁଜାତା ମହାପାତ୍ର ମଧ୍ୟ ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ। ପିଲାବେଳୁ ମାଆଙ୍କ ଠାରୁ ନୃତ୍ୟ ଓ ସଂଗୀତ ଶିକ୍ଷା କରିଥିଲେ ସୁଜାତା। ଏହାପରେ ୧୯୮୭ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସେ କେଳୁଚରଣ ମହାପାତ୍ରଙ୍କ ପାଖରୁ ଓଡ଼ିଶୀ ନୃତ୍ୟ ଶିକ୍ଷାକଲେ। ଗୁରୁ କେଳୁଚରଣଙ୍କ ପୁତ୍ର ରତିକାନ୍ତ ମହାପାତ୍ରଙ୍କୁ ବିବାହ କରି କେଳୁଚରଣଙ୍କ ବୋହୂ ହେବାର ସୌଭାଗ୍ୟ ପାଇଲେ ସୁଜାତା। ସୁଜାତାଙ୍କ ପାଖରେ କେଳୁଚରଣ ଚାହୁଁଥିବା ସମସ୍ତ ଗୁଣ ଓ ପାରଦର୍ଶିତା ଥିବାରୁ ସେ ତାଙ୍କୁ ନିଜ ବୋହୂ ନୁହେଁ ବରଂ ଝିଅ ରୂପେ ଗ୍ରହଣ କଲେ। ସୁଜାତା ମଧ୍ୟ ଗୁରୁଙ୍କୁ ଶ୍ବଶୁର ରୂପେ ପାଇ କେଳୁଚରଣଙ୍କୁ ନିଜ ପିତାଙ୍କ ସମାନ ମର୍ଯ୍ୟାଦା ଦେଲେ। ଦୁହେଁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଏବଂ ଓଡ଼ିଶୀ ନୃତ୍ୟକୁ ଜଗନ୍ନାଥଙ୍କ ସେବା ଭାବି ଗୁରୁ କେଳୁଚରଣ ଓ ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟକୁ ପୁରପଲ୍ଲୀ ତଥା ଦେଶ ବିଦେଶେର ପରିଚିତ କରାଇଲେ।
ସିକନ୍ଦର ଓ ନାଜିଆ ଆଲାମ୍
ସିକନ୍ଦର୍ ଆଲାମ୍ ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ। ଭଜନ, ଜଣାଣ, ଗଜଲ୍, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ୍ କମ୍ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୬୨ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ସଂଗୀତସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରି ସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରି ନାଜିଆ ଆଲାମ୍ ମଧ୍ୟ ସଂଗୀତ ଜଗତରେ ପାଦ ଥାପିଛନ୍ତି। ନାଜିଆ କଣ୍ଠଶିଳ୍ପୀ ଦମ୍ପତି ମହମ୍ମଦ ସିକନ୍ଦର୍ ଆଲାମ୍ ଓ ନଇମା ଆଲାମ୍ଙ୍କ ସାନ ଝିଅ। ସେ ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ। ମୁଖ୍ୟତଃ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି। ନାଜିଆ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗାୟିକା। ସେ ବିଭିନ୍ନ ଓଡ଼ିଆ ଧାରାବାହିକରେ ଗୀତ ମଧ୍ୟ ଗାଇଛନ୍ତି। ଡିଡି ଓଡ଼ିଆରେ ପ୍ରସାରିତ ଦୁହିତା, ବିଧାତାର ଖେଳ, ମୁଁ ତୁମକୁ ଭଲପାଏ ଭଳି ଲୋକପ୍ରିୟ ଧାରାବାହିକରେ ସେ କଣ୍ଠଦାନ କରିଥିଲେ। ସେ ଭଜନ ସମାରୋହ ଓ ମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛନ୍ତି। ନାଜିଆ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଅଳଙ୍କାର ସମ୍ମାନ ସହ ଉଭୟ ଓଡ଼ିଶୀ ସଙ୍ଗୀତ ଓ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ନାଜିଆ ଆଲାମ୍ ତାଙ୍କ ବାପା ଓ ମା’ଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ।
ପ୍ରକାଶ ଓ ଦୀପିକା ପାଦୁକୋଣ
ପ୍ରକାଶ ପାଦୁକୋଣ ଜଣେ ପ୍ରାକ୍ତନ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି। କର୍ଣ୍ଣାଟକରେ ଜନ୍ମିତ ଏହି ଖେଳାଳି ଦେଶ ପାଇଁ ବହୁ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଦେଶ ଭିତରେ ବହୁତ ପ୍ରସିଦ୍ଧି ହାସଲ କରିଥିଲେ। ସେ ୧୯୭୨ ମସିହାରେ ଖେଳ ଜଗତର ଶ୍ରେଷ୍ଠ ପୁରସ୍କାର ‘ଅର୍ଜୁନ ପୁରସ୍କାର’ ପାଇଥିଲେ। ତାଙ୍କର ଦୁଇ ଝିଅ ଦୀପିକା ଓ ଅନିଶା। ଦୀପିକା ହିନ୍ଦୀ ଫିଲ୍ମର ଜଣେ ଆଗଧାଡ଼ିର ଅଭିନେତ୍ରୀ। କିନ୍ତୁ ଅନିଶା ଜଣେ ଗଲ୍ଫ ଖେଳାଳି। ବର୍ତ୍ତମାନ ପ୍ରକାଶ ତାଙ୍କ ପତ୍ନୀ ଓ ସାନ ଝିଅ ଅନିଶାଙ୍କ ସହ ବାଙ୍ଗାଲୋରରେ ରହୁଛନ୍ତି। ପିତା ରମେଶ ପାଦୁକୋଣଙ୍କ ଦ୍ୱାରା ଶିକ୍ଷିତ ଓ ଅନୁପ୍ରାଣିତ ହୋଇ ପ୍ରକାଶ ବ୍ୟାଡ୍ମିଣ୍ଟନ୍ ଖେଳ ପ୍ରତି ଆଗ୍ରହୀ ହେଇଥିଲେ। ପ୍ରକାଶଙ୍କର ଝିଅ ହୋଇଥିବାରୁ ଦୀପିକା ଛୋଟବେଳୁ ବ୍ୟାଡ୍ମିଣ୍ଟନ୍ ଖେଳୁଥିଲେ ଏବଂ କୈଶୋର ଅବସ୍ଥାରେ ସେ ଜାତୀୟସ୍ତରର ବିଜେତା ମଧ୍ୟ ଥିଲେ। ମାତ୍ର ପରେ ସେ ଖେଳରୁ ଦୂରେଇ ଯାଇ ମଡେଲିଂରେ ଯୋଗ ଦେଇଥିଲେ ଏବଂ ୨୦୦୬ରେ ଏକ କନ୍ନଡ଼ ଚଳଚ୍ଚିତ୍ର ‘ଐଶ୍ୱର୍ଯ୍ୟା’ରେ ଅଭିନୟ କରିବାର ପ୍ରଥମ ସୁଯୋଗ ପାଇଥିଲେ। ଏହାପରେ ସେ ୨୦୦୭ରେ ଅଭିନେତା ଶାହାରୁଖ ଖାନ୍ଙ୍କ ସହିତ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର୍ ପୁରସ୍କାର ମଧ୍ୟ ମିଳିଥିଲା। ଦୀପିକା ୩ଟି ଫିଲ୍ମଫେୟାର୍ ପୁରସ୍କାର ସହ ୬ଟି ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।