ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାପାଙ୍କ ମୃତ୍ୟୁର ତିନିଦିନ ପରେ ଝିଅର ବିବାହ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ହଠାତ ଏକ ବାଜପକ୍ଷୀ ଆସି ପହଞ୍ଚିଥିଲା। ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନାଯୋଗ୍ୟ, ରଞ୍ଜରା ଗ୍ରାମରେ ରହୁଥିବା ଜାଲମ ସିଂହ ଲୋଧିଙ୍କ ଝିଅ ଇମରତିଙ୍କ ବିବାହ ଏପ୍ରିଲ ୨୧ ତାରିଖରେ ସ୍ଥିର ହୋଇଥିଲା। ଏହାର ତିନିଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୮ ତାରିଖରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଜାଲମଙ୍କ ମୃତ୍ୟୁ ହୋଇଯାଇଥିଲା। ଝିଅର ବିବାହ ପାଇଁ ସମସ୍ତ ରୀତିନୀତି ସରିଥିବାରୁ ଗ୍ରାମବାସୀ ମନ୍ଦିରରେ ବିବାହ ପାଇଁ ସ୍ଥିର କରିଥିଲେ।
ଏଭଳି ସ୍ଥିତିରେ ହଠାତ ଜାଲମ ସିଂହ ଲୋଧିଙ୍କ ଘରେ ଏକ ବାଜପକ୍ଷୀ ଆସି ପହଞ୍ଚିଥିଲା। ଲୋକେ ତାକୁ ଯେତେ ଉଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଯାଇ ନଥିଲା। ଜାଲମଙ୍କ ସ୍ତ୍ରୀ ନୈନିବାଇ ପକ୍ଷୀକୁ କ୍ଷୀର ପିଇବାକୁ ଦେଇଥିଲେ। ଏହାପରେ ଉକ୍ତ ବାଜପକ୍ଷୀ ଜାଲମଙ୍କ ଘରେ ରହିଥିଲା।
ମନ୍ଦିରରେ ଜାଲମଙ୍କ କନ୍ୟା ଇମରତି ବିବାହ ଚାଲିଥିଲା। ବରମାଳ ସମୟ ଯେତେବେଳେ ଆସିଥିଲା ବାଜପକ୍ଷୀ ହଠାତ ଉଡ଼ି ଆସି ଇମରତିଙ୍କ କାନ୍ଧରେ ବସିଥିଲା। ଏଦୃଶ୍ୟ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, ଜାଲମ ତାଙ୍କ କନ୍ୟା ଇମରତିଙ୍କୁ ଖୁବ ଭଲ ପାଆନ୍ତି। ଝିଅର ବିବାହ ଧୁମଧାମରେ କରିବେ ବୋଲି ସେ ଅନେକ ପ୍ରସ୍ତୁତି କରି ସାରିଥିଲେ। କିନ୍ତୁ ଦୁଃଖର ବିଷୟ ଝିଅ ବିବାହକୁ ଆଉ ତିନିଦିନ ବାକି ଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲି ଯାଇଥିଲା। ଜାଲମ ଏହି ବାଜପକ୍ଷୀ ରୁପରେ ଝିଅକୁ ଆର୍ଶୀବାଦ ଦେବାକୁ ଆସିଥିବା ଆମେମାନେ ଅନୁମାନ କରୁଛୁ।