ଗତ ଫେବ୍ରୁଆରି ମାସରେ ଭୁବନେଶ୍ବରରେ ଆୟୋଜିତ ପ୍ରାଣୀମେଳାକୁ ରାଜସ୍ଥାନରୁ ଆସିଥିଲା ଭୀମ୍‌। ୬ ଫୁଟ୍‌ ୮ ଇଞ୍ଚ୍‌ ଡେଙ୍ଗା ୩ ବର୍ଷୀୟ ବୃହଦ୍‌କାୟ ମଇଁଷି ଭୀମ୍‌ ସେଠାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତା’ର ତତ୍ତ୍ବାବଧାରକ କହନ୍ତି, ‘‘ଭୀମ୍‌ ଗୋଟାଏ ମଲ୍ଲବୀର ସଦୃଶ। ତା’ ପାଇଁ ନିୟମିତ ଉପଯୁକ୍ତ ଭୋଜନ ଓ ଯତ୍ନ ଲୋଡ଼ା। ଭୀମ୍‌କୁ ଆମେ କାଜୁବାଦାମ ସମେତ ଅନ୍ୟାନ୍ୟ ଡ୍ରାଏଫ୍ରୁଟ୍‌ ଖାଇବାକୁ ଦେଉଛୁ।’’

Advertisment

ଭୁବନେଶ୍ବର ମେଳାରେ ଭୀମ୍‌ର ଫଟୋ ଉଠାଇବାକୁ ପ୍ରାଣୀପ୍ରେମୀଙ୍କର ଖୁବ୍‌ ଆଗ୍ରହ ଥିଲା। ରାଜଧାନୀର ବଡ଼ଗଡ଼ରେ ଆ‌େୟାଜିତ ପ୍ରାଣୀ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଲାଗି ଭୀମ୍‌କୁ ଯୋଧପୁରରୁ ଅଣାଯାଇଥିଲା। ପ୍ରଦର୍ଶନୀକୁ ବୁଲି ଆସିଥିବା ଲୋକେ ଭୀମ୍‌ ବିଷୟରେ ଅସୁମାରି ପ୍ରଶ୍ନ ପଚାରୁଥିଲେ। ବେଶୀ ପ୍ରଶ୍ନ ହେଉଥିଲା ତା’ର ଚକଚକିଆ କଳା ମଚମଚ ଶରୀର ଉପରେ। ଭୀମ୍‌ ଦୈନିକ କିଲେ ଭେସ୍‌ଲିନ୍‌ ଓ ନଡ଼ିଆତେଲ ମାଖି ହେଉଥିବା ଜାଣି ସେମାନେ ବିସ୍ମିତ ହୋଇଯାଉଥିଲେ।
ଭୀମକାନ୍ତ ଚେହେରା ପାଇଥିବା ମଇଁଷି ଭୀମ୍‌କୁ ତା’ର ମାଲିକ କିନ୍ତୁ କ୍ଷୀର ଦେବା ପାଇଁ ରଖିନାହିଁ! ତା’ର ବୀର୍ଜ୍ୟ ବିକ୍ରି ହୋଇ କୋଟି କୋଟି ଟଙ୍କା ଆୟ କରୁଛି ମାଲିକ। କୃତ୍ରିମ ପ୍ରଜନନ ଲାଗି ଆବଶ୍ୟକ ଉନ୍ନତମାନର ବୀର୍ଜ୍ୟ ଏଭଳି ସୁସ୍ଥସବଳ ମଇଁଷିଙ୍କଠାରୁ ସଂଗ୍ରହ କରାଯାଇଥାଏ। ଏହି କ୍ରମରେ ଭୀମ୍‌ ଔରସରୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୬ ଲକ୍ଷ ବାଛୁରୀ ଜାତ ‌େହାଇଛନ୍ତି। ଭୀମ୍‌ର ଔରସ ନେବା ଲାଗି ଆୟର୍‌ଲାଣ୍ଡ୍‌, ପାକିସ୍ତାନ, କାନାଡା, ନେପାଳ ଓ ବାଂଲାଦେଶ ଭଳି କେତେକ ବିଦେଶୀ ରା‌ଷ୍ଟ୍ର ବି ଆଗ୍ରହ ବ୍ୟକ୍ତ କରିଛନ୍ତି। ଭୀମ୍‌ର ବର୍ତ୍ତମାନର ବଜାର ଦର ୩୪ କୋଟି ଟଙ୍କା ବୋଲି ଏହାର ମାଲିକ ସୂଚନା ଦେଇଛନ୍ତି।

ଭୀମ୍‌ର ଅସଂଖ୍ୟ ସନ୍ତାନସନ୍ତତିଙ୍କ ମଧ୍ୟରୁ ପୁଅ ‘ସିଂହମ୍‌’ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ତା’ର ମୂଲ୍ୟ  ୩ କୋଟି ଟଙ୍କା ଏବଂ ତା’ ବୀର୍ଯ୍ୟ ବ୍ୟବସାୟରୁ ବାର୍ଷିକ ୧ କୋଟି ଟଙ୍କା ଆୟ ହେଉଛି। ସମ୍ପ୍ରତି ରାଜସ୍ଥାନର ସିକର ପ୍ରାଣୀସମ୍ପଦ ମେଳାରେ ଯୋଗ ଦେଇଥିଲା ‘ସିଂହମ୍‌’। ଚଳିତ ବର୍ଷ ବେରି ଗ୍ରାମରେ ଆ‌େୟାଜିତ ଉକ୍ତ ରାଜ୍ୟସ୍ତରୀୟ ପ୍ରାଣୀସମ୍ପଦ ମେଳାରେ ପଲ ପଲ ଓଟ, ଅଶ୍ବ, ଗାଈ ଓ ଭିନ୍ନ ଭିନ୍ନ ପ୍ରଜାତିର ମଇଁଷିଙ୍କ ମଧ୍ୟରେ ବାରି ହୋଇପଡୁଥିଲା ‘ସିଂହମ୍‌’। ଚହଟଚିକ୍କଣ ଚେହେରା ଓ ଉନ୍ନତ ପ୍ରଜାତି ଜାତ ‘ସିଂହମ୍‌’ ଥିଲା ସେ ମେଳାର ପ୍ରଧାନ ଆକର୍ଷଣ। 

‘ମୁରା’ ପ୍ରଜାତିରେ ସେ ମଇଁଷିର ଖାମିଦ ହେଉଛନ୍ତି ପ୍ରାଣୀ ଚିକିତ୍ସକ ମୁକେଶ ଦୁଧ୍‌ୱାଲା। ‘ସିଂହମ୍‌’ର ବି‌େଶଷ ବୈଶିଷ୍ଟ୍ୟ ବାବଦରେ ଡାକ୍ତର ମୁକେଶ କହନ୍ତି, ‘‘ମାତ୍ର ୩୪ ମାସର ଏ ମଇଁଷିକୁ ମେଳାରେ ପଶୁସମ୍ପଦ ବ୍ୟବସାୟୀମାନେ ପ୍ରାୟ ୩ କୋଟି ଟଙ୍କା ଦେଇ ନିଲାମ ଧରିବାକୁ ଆଗ୍ରହ ବ୍ୟକ୍ତ କରୁଛନ୍ତି। କିନ୍ତୁ, ଏଭଳି ଶ୍ରେଷ୍ଠ ପ୍ରାଣୀସମ୍ପଦ ବିକ୍ରି କରିବା ମୋର ଉଦ୍ଦେଶ୍ୟ ନୁହେଁ। ଏ ବୃହଦ୍‌କାୟ ମଇଁଷିକୁ ସମ୍ଭାଳିବା ପାଇଁ ଥରକେ ୫ଜଣ ଲୋକ ଆବଶ୍ୟକ। ସୁଗଠିତ ଶରୀର ଓ ସୁଶ୍ରୀ ମୁଖମଣ୍ଡଳ ହେଉଛି ଏହାର ସ୍ବତନ୍ତ୍ରତା।’’

ସୁପ୍ରଜାତି ଜାତ ହୋଇଥିବାରୁ ସମଗ୍ର ଦେଶରେ ‘ସିଂହମ୍‌’ ଔରସର ଚାହିଦା ମଧ୍ୟ କାହିଁରେ କେତେ। ବୁନ୍ଦାଏ ‘ସିଂହମ୍‌’ ବୀର୍ଜ୍ୟର ମୂଲ୍ୟ ୨୪୦୦ ଟଙ୍କା। ଥରକରେ ‘ସିଂହମ୍‌’ଠାରୁ ନିଷ୍କାସିତ କରାଯାଉଥିବା ୧୦ରୁ ୧୪ ମିଲିଲିଟର୍‌ ବୀର୍ଜ୍ୟରୁ ୭୦୦ରୁ ୯୦୦ ଡୋଜ୍‌ ଔରସ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ମୁକେଶ କହନ୍ତି। ବର୍ଷକୁ ‘ସିଂହମ୍‌’ ବୀର୍ଜ୍ୟରୁ ପ୍ରାୟ ୧ କୋଟି ଟଙ୍କା ଉପାର୍ଜନ ହୁଏ।
‘ସିଂହମ୍‌’ର ମା’ ମଧ୍ୟ ସୁଗଠିତା ଓ ସବଳା। ସେ ଥରକେ ୨୪ ଲିଟର୍‌ ଦୁଗ୍ଧ ଦିଏ। ଏହାହିଁ ମୁରା ପ୍ରଜାତି ମଇଁଷିଙ୍କ ବୈଶିଷ୍ଟ୍ୟ। ଘାସ ଓ ଅନ୍ୟାନ୍ୟ ଆହାର ଖାଉଥିବା ସାଧାରଣ ଗୃହପାଳିତ ପ୍ରାଣୀଙ୍କ ପରି ‘ସିଂହମ୍‌’ ନୁହେଁ। ଚେହେରା ଅକ୍ଷୁଣ୍ଣ ରହିବା ଲାଗି ତାକୁ ବିଶେଷଧରଣର ଗୁଆଁର ଆଉ କପାମଞ୍ଜି ସମେତ କେତେକ ନିର୍ଦ୍ଦିଷ୍ଟ ଭୋଜନ ଦିଆଯାଉଛି। ଗୋଟିଏ ମୁରା ପ୍ରଜାତି ଜାତ ମଇଁଷିର ମୂଲ୍ୟ ୫୦ ହଜାର ଟଙ୍କାରୁ ନେଇ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।