ନୂଆଦିଲ୍ଲୀ: ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଗଲେ ସେ ଦୁଃଖକୁ ମଲା ଯାଏଁ ଭୁଲି ହୋଇ ନଥାଏ। ଆମେରିକାରେ ବସବାସ କରୁଥିବା ତିନିଜଣ ଭଉଣୀଙ୍କ କ୍ଷେତ୍ରରେ ଏମିତି କିଛି ଘଟଣା ଘଟିଥିଲା। ଏହି ତିନି ଭଉଣୀଙ୍କୁ ତାଙ୍କ ବାପା ମାତ୍ର ୩୯ବର୍ଷ ବୟସରେ ଛାଡ଼ି ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଥିଲେ।
ଏହାପରେ କିସନ୍ଦ୍ରା ଓ ତାଙ୍କ ଦୁଇଭଉଣୀ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ି ଥିଲେ। ଅନେକ ଦିନ ପର୍ଯ୍ୟନ୍ତ ବାପାଙ୍କୁ ଝୁରିଝୁରି ଖାଇବା ପିଇବା ଭୁଲି ଯାଇଥିଲେ ତିନିଜଣ ଝିଅ। ବାପାଙ୍କ ମୃତ୍ୟୁର ଦୁଃଖକୁ ଛାତିରେ ଚାପି ରଖିଥିବା ତିନିଭଉଣୀଙ୍କ ମୁହଁରେ ଦୀର୍ଘ ୪ବର୍ଷ ପରେ ହସ ଫେରିଛି। ସେମାନେ ତାଙ୍କ ମୃତ ବାପାଙ୍କୁ ଫେରି ପାଇଛନ୍ତି ବୋଲି କହିଛନ୍ତି।
ଘଟଣାଟି ହେଉଛି ଏପରି, କିସନ୍ଦ୍ରାଙ୍କ ବାପା ଏଷ୍ଟେବନ ସେଣ୍ଟିୟାଗେ ୨୦୧୯ ଜୁନ ମାସରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏମିତି କି ସେ କୋମାକୁ ଚାଲି ଯାଇଥିଲେ। ଲାଇପ ସପୋର୍ଟରେ ଥିଲେ। ଏହି ସପୋର୍ଟ କାଢ଼ିବା ମାତ୍ରେ ତାଙ୍କ ଜୀବନ ଚାଲିଯିବ ବୋଲି ଡାକ୍ତର କହିଥିଲେ।
ଏହାପରେ କିସନ୍ଦ୍ରା ପରିବାରଲୋକଙ୍କ ସହ ଆଲୋଚନା କରି ତାଙ୍କ ବାପାଙ୍କୁ ସବୁଦିନ ପାଇଁ ବଞ୍ଚାଇ ରଖିବା ହେତୁ ହୃଦୟଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାପାଙ୍କ ହୃଦୟ ଦାନ କରି ଦେଇଥିଲେ ତିନିଭଉଣୀ।
କିସନ୍ଦ୍ରା ନିକଟରେ କହିଛନ୍ତି, ‘ ହୃଦୟ ଦାନ କରିବା ପରେ ଆମେ ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲୁ। ବାପାଙ୍କ ହୃଦୟ କେଉଁ ବ୍ୟକ୍ତିଙ୍କ ଶରୀରରେ ଲାଗିଲା ତାହାର ସୂଚନା ରଖି ପାରି ନଥିଲୁ। କିନ୍ତୁ ବିଶ୍ବାସ ଥିଲା କି ଆମେ ଦିନେ ନା ଦିନେ ସେହି ଲୋକଙ୍କୁ ଭେଟିବୁ ଯାହାଙ୍କ ଶରୀରରେ ବାପାଙ୍କ ହୃଦୟ ଲାଗିଛି।
ସତକୁ ସତ ୪ବର୍ଷ ପରେ ଅନେକ ଚେଷ୍ଟାପରେ ପିଟର ନାମକ ବ୍ୟକ୍ତିଙ୍କୁ ଭେଟିଥିଲୁ। ପିଟରଙ୍କ ଶରୀରରେ ଆମ ବାପାଙ୍କ ହୃଦୟ ସଫଳ ପ୍ରତିରୋପଣ ହୋଇଥିଲା। ପିଟରଙ୍କ ହୃଦସ୍ପନ୍ଦନ ଶୁଣି ଆମେ ବାପାଙ୍କୁ ଫେରି ପାଇଗଲୁ ଭଲି ଲାଗିଥିଲା। ଦୀର୍ଘ ଚାରିବର୍ଷ ପରେ ଆମ ତିନି ଭଉଣୀଙ୍କୁ ବାପା ମିଳି ଯାଇଛନ୍ତି। ଆମ ବିଷୟରେ ଜାଣିବା ପରେ ପିଟର ବି ଆମକୁ ବାପା ଭଳି ସ୍ନେହ କରୁଛନ୍ତି।