ନୂଅ‌ାଦିଲ୍ଳୀ: କରିବାର ଇଚ୍ଛା ଆଗରେ ସବୁ ଅସୁବିଧା ହାର୍‌ ମାନେ। ହଜାର ସମସ୍ୟା ଥିବା ସତ୍ତ୍ବେ ଯଦି ମନୋବଳ ଥାଏ ତ ଜଣେ ବ୍ୟକ୍ତି ପକ୍ଷରେ ସବୁ ସମ୍ଭବ। ଏପରି ଏକ କଥା ଆମେ କେବଳ କହୁନାହୁଁ, ବରଂ ଉଦାହରଣ ବି ରହିଛି। ଆମ‌େ କହୁଛୁ ଆଇଏଏସ୍‌ ଅନୀଲ ବସାକଙ୍କ ବିଷୟରେ।

Advertisment

ପିତାଙ୍କ ସଂଘର୍ଷ, ଆର୍ଥିକ ପ୍ରତିବନ୍ଧକ ସତ୍ତ୍ବେ ମନରେ କିଛି କରିବାର ଇଚ୍ଛା ବିହାରର କିଶାନଗଞ୍ଜର ବାସିନ୍ଦା ଅନୀଲ ବସାକଙ୍କୁ ଜଣେ ଆଇଏଏସ୍‌ ଅଧିକାରୀ ହେବାକୁ ପ୍ରେରଣା ଦେଇଥିଲା। ଗାଁରୁ ଗାଁ ବୁଲି ପୋଷାକ ବିକ୍ରି କରୁଥିବା ବିନୋଦ ବସାକଙ୍କ ପୁଅ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। କେବଳ ପାସ୍ ନୁହେଁ, ବରଂ ସର୍ବଭାରତୀୟ ସ୍ତରରେ ସେ ୪୫ତମ ସ୍ଥାନ ଅଧିକାର କରି ବାପାଙ୍କ ଟେକ ରଖିଥିଲେ।

ଅନୀଲ ବହୁତ କମ ବୟସରୁ ଅନେକ ସମସ୍ୟା ଦେଖିଛନ୍ତି ନିଜ ଜୀବନରେ। ବେଳେବେଳେ ଘରେ ଖାଇବାକୁ ନଥାଏ, ବେଳେବେଳେ ବିଦ୍ୟାଳୟରେ ପହଞ୍ଚିବା କଷ୍ଟକର ହୋଇପଡେ। କିନ୍ତୁ ଅନୀଲ କେବେ ବି ସ୍କୁଲ୍‌ ଯିବା ବନ୍ଦ କରୁନଥିଲେ। ସମସ୍ତ ଅସୁବିଧାର ସମ୍ମୁଖୀନ ହେବା ପରେ କଠିନ ପରିଶ୍ରମକୁ ହିଁ ଏକମାତ୍ର ସୂତ୍ର ପରି କଶି ଚାଲିଥିଲେ ସେ। ଏହାରି ମଧ୍ୟରେ ଦ୍ୱାଦଶ ପାସ୍ କରିବା ପରେ ଜେଇଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଅନୀଲ। ଖୁବ୍ ଶୀଘ୍ର ତାଙ୍କର କଠିନ ପରିଶ୍ରମ ଫଳ ଦେଲା ଏବଂ ସେ ଆଇଆଇଟି ଦିଲ୍ଲୀରେ ଆଡମିସନ୍ ପାଇଲେ।

ଦିଲ୍ଲୀରେ ସିଭିଲ୍ ଇଞ୍ଜିନିୟରିଂ ପାଠ ପଢୁଥିବା ବେଳେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲେ। ଏଥିପାଇଁ ସେ କୋଚିଂ ବି ନେଉଥିଲେ। ପ୍ରଥମ ଥର ଅନୀଲ ୟୁପିଏସସି ପରୀକ୍ଷା ଦେଇ ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ ପ୍ରୟାସରେ ସେ ୬୧୬ ରାଙ୍କ୍‌ ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

କିନ୍ତୁ ସେ ଏଥିରେ ଖୁସି ନଥିଲେ, ତେଣୁ ସେ ତାଙ୍କ ପ୍ରସ୍ତୁତି ଜାରି ରଖିବାକୁ ସ୍ଥିର କଲେ। ତା’ପରେ ସେ ୨୦୧୮ ମସିହା ପରେ କୋଚିଂ ଛାଡି ନିଜେ ପ୍ରସ୍ତୁତ ହେବା ଆରମ୍ଭ କଲେ ଏବଂ ଏପରି ଭାବରେ ପ୍ରସ୍ତୁତ ହେଲେ ଯେ ତୃତୀୟ ପ୍ରୟାସରେ ସେ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ ବରଂ ସିଧା ୬୧୬ତମ ରାଙ୍କ୍‌ରୁ ୪୫ତମ ରାଙ୍କ୍‌ରେ ରହି ନିଜର ଆଇଏଏସ୍‌ ହେବାର ସ୍ବପ୍ନ ପୂରା କରିଥିଲେ।