ଗୁଳି ଖାଇବା ପରେ ହସ୍ପିଟାଲ୍‌ ଯିବା ପରିବର୍ତ୍ତେ ଝିଅକୁ ଆଗ ପରୀକ୍ଷା କେନ୍ଦ୍ରରେ ଛାଡ଼ି ହସ୍ପିଟାଲ୍‌ ଗଲେ ବାପା

ବେଗୁସରାଇ: ମାଆବାପା ହେଉଛନ୍ତି ଈଶ୍ୱରଙ୍କ ରୂପ। ଏହି କଥାଟି ପୁଣି ଥରେ ସତ ହୋଇଛି। ଅତି ପାଖରୁ ଦୁର୍ବୃତ୍ତଙ୍କ ଗୁଳି ଖାଇବା ପରେ ବି ଜଣେ ବାପା ଗୁରୁତର ଅବସ୍ଥାରେ ପ୍ରଥମେ ହସ୍ପିଟାଲ୍‌ ଯିବା ପରିବର୍ତ୍ତେ ଆଗ ନିଜ ଝିଅକୁ ଗାଡ଼ିରେ ନେଇ ପରୀକ୍ଷା ସେଣ୍ଟର୍‌ରେ ଛାଡ଼ିବା ଘଟଣା ଏକ ନୂଆ ଉଦାହରଣ ସୃଷ୍ଟି କରିଛି।

ଘଟଣାଟି ହେଉଛି ପଶ୍ଚିମବଙ୍ଗର ବେଗୁରସାଇ ଜିଲ୍ଲାର। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ବୁଧବାର ଗୁଳି ଖାଇବା ପରେ ନିଜ ଝିଅକୁ ନେଇ ପ୍ରଥମେ ପରୀକ୍ଷା ସେଣ୍ଟର୍‌କୁ ଯାଇଥିଲେ। ପରୀକ୍ଷା ସେଣ୍ଟର୍‌ରେ ଝିଅକୁ ଛାଡ଼ି ଦେବା ପରେ ସେ ନିଜକୁ ନେଇ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ଏହି ମହାନ ବାପାଙ୍କ ୧୮ ବର୍ଷୀୟା ଝିଅ ଦାମିନୀ ଏ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଦାମିନୀଙ୍କ କହିବା କଥା ହେଲା ସେ ନିଜ ବାପା ରାମ କ୍ରିପାଲ୍‌ ସିଂଙ୍କ ସହ ପରୀକ୍ଷା ଦେବାକୁ ଯାଉଥିବା ବାଟରେ ୬ ଜଣ ଡକାୟତ ଆସି ସେ ଦୁହିଁଙ୍କୁ ରୋକି ଦେଇଥିଲେ। ସେଠାରେ ଠେଲାପେଲା ଲାଗିବାରୁ ଦୁବୃର୍ତ୍ତମାନେ ରାମ କ୍ରିପାଲଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରିଥିଲେ। ନିଜ କ୍ଷତ ପ୍ରତି ଗୁରୁତ୍ୱ ନ ଦେଇ ରାମ କ୍ରିପାଲ୍‌ ପ୍ରଥମେ ଝିଅକୁ ପରୀକ୍ଷା କେନ୍ଦ୍ରରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର