ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବାପା କହିଲେ, ‘ପୁଅରେ ତୋ ଉଦ୍ୟମ ପାଇଁ ମୋର ସ୍ବପ୍ନ ପୂରା ହୋଇପାରିଛି’

ନୂଆଦିଲ୍ଲୀ: କିଛିଦିନ ହେବ ବିଭିନ୍ନ ପରୀକ୍ଷାର ଫଳାଫଳ ବାହାରିବା ଜାରି ରହିଛି। ଏହି କ୍ରମରେ ବିଭିନ୍ନ ରାଜ୍ୟରେ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାଫଳକୁ ନେଇ ଅନେକ ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି। ଯାହାକୁ ଲୋକେ ଖୁବ ପସନ୍ଦ ବି କରୁଛନ୍ତି। ଏହି କ୍ରମରେ ଗୁଜୁରାଟର ବାପା-ପୁଅ ଯୋଡ଼ି କମାଲ କରିଛନ୍ତି। ଏହି ଯୋଡ଼ି ଏବେ ଚର୍ଚ୍ଚାରେ ରହିଛନ୍ତି।  ବାପା-ପୁଅଙ୍କ ଯୋଡ଼ି ଏକା ସହିତ ବୋର୍ଡ ପରୀକ୍ଷା ଦେଇ ସଫଳତାପ୍ରାପ୍ତ କରିଛନ୍ତି।

ନିକଟରେ ଗୁଜୁରାଟ ବୋର୍ଡ ପରୀକ୍ଷାର ଫଳାଫଳ ବାହାରିଛି। ଏହି ପରୀକ୍ଷା ଦେଇଥିବା ବାପା-ପୁଅ ଯୋଡ଼ି କମାଲ କରିଥିବା ଖବର ଆସିଛି। ଦୁହେଁ ଉକ୍ତ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋସିଆଲ ମିଡିଆରେ ବାପା-ପୁଅ ଯୋଡ଼ିଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି। ଲୋକେ ଏମାନଙ୍କ ସଫଳତା ବିଷୟରେ ଜାଣିବାକୁ ଚାହିଁଛନ୍ତି।

ଏହି ବାପ ଓ ପୁଅ ଯୋଡ଼ି ଗୁଜୁରାଟର ଅହମ୍ମଦାବାଦରେ ବସବାସ କରନ୍ତି। ବାପାଙ୍କ ନାମ ବୀରେନ୍ଦ୍ର ଓ ପୁଅଙ୍କ ନାମ ଯୁବରାଜ ବୋଲି ଜଣାପଡ଼ିଛି। ବୀରେନ୍ଦ୍ର ଓ ଯୁବରାଜ ଦ୍ବାରକାଦାସ ପରମାନନ୍ଦ ହାୟର ସେକେଣ୍ଡାରି ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ବାପା ବୀରେନ୍ଦ୍ର ୪୫ ପ୍ରତିଶତ ନମ୍ବର ରଖିଥିବା ବେଳେ ପୁଅ ଯୁବରାଜ ୭୯ ପ୍ରତିଶତ ନମ୍ବର ରଖିଛନ୍ତି।

ଏହି ଘଟଣାକୁ ନେଇ ବାପା ବୀରେନ୍ଦ୍ର କହନ୍ତି, ‘ମୁଁ ପରିବାର ପାଇଁ ୧୯୯୮ ମସିହାରେ ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିଲି। ତା’ପରେ ମୋର ବିବାହ ହୋଇ ଯାଇଥିଲା। ବିବାହ ପରେ ପିଲାଙ୍କ ପାଇଁ ସମୟ ଦେବାରେ ଦିନ କଟି ଯାଉ୍‌ଥିଲା।

ପୁଅ ଯୁବରାଜ ଯେତେ‌ବେଳେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲା। ମୋତେ ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା। ମୁଁ ପୁଅଠାରୁ ସମସ୍ତ ପାଠପଢ଼ା ବିଷୟରେ ବୁଝି ତା’ ସହିତ ବୋର୍ଡ ପରୀକ୍ଷା ଦେଇଥିଲି। ଯାହାର ଫଳଫଳ ଆପଣମାନଙ୍କ ସାମ୍ନାରେ। ମୁଁ ଯୁବରାଜକୁ କହିବି ପୁଅରେ ଆଜି ତୋ ଉଦ୍ୟମ ପାଇଁ ମୋର ଅନେକ ଦିନର ସ୍ବପ୍ନ ପୂରା ହୋଇଛି।’

ସମ୍ବନ୍ଧିତ ଖବର