ଆକାଶହୁଁ ବଡ଼ ପିତା…

ଆମ ଓଡ଼ିଆରେ ଗୋଟିଏ ଲୋକପ୍ରିୟ ଉକ୍ତି ସୁପ୍ରଚଳିତ ଅଛି- “”ଆକାଶହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା।’’ ଏହା “ମହାଭାରତ’ର “ବନପର୍ବ’ରେ ଥିବା ବର୍ଣ୍ଣନାର ଏକ ପ୍ରତିଫଳନ। ସେଥିରେ ବକରୂପୀ ଯକ୍ଷ ପଚାରିଥିବା ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର କହିଛନ୍ତି, “”ପୃଥ୍ୱୀଠାରୁ ମାତା ଗୁରୁତ୍ୱସଂପନ୍ନା। ଆକାଶଠାରୁ ପିତା ଉଚ୍ଚତର।’’

ଯିଏ ପାଳନ କରେ ସେ ପିତା। ଏଣୁ ଏ ସଂସାରର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ “ପିତାମହ’ କୁହାଯିବା ବେଳେ, ଭଗବାନ ବିଷ୍ଣୁଙ୍କୁ “ଜଗତ୍‍ପିତା’ କୁହାଯାଇଛି। ସେହି ଅନୁସାରେ ଦେବୀ ଲକ୍ଷ୍ମୀ “ଜଗନ୍ମାତା’।
“ମହାଭାରତ’ର ଅନ୍ୟାନ୍ୟ ପର୍ବରେ ମଧ୍ୟ “ପିତା’ଙ୍କର ସଂଜ୍ଞା ଅଧିକ ବ୍ୟାପକ ଭାବରେ ପ୍ରଦତ୍ତ ହୋଇଛି। “ଅନୁଶାସନ ପର୍ବ’ରେ ଶରଶଯ୍ୟାଶାୟୀ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଛନ୍ତି- “”ଯିଏ ଜନ୍ମଦାତା, ଯିଏ ଭୟତ୍ରାତା ଓ ଯିଏ ବୃତ୍ତିଦାତା, ଶାସ୍ତ୍ର ଅନୁସାରେ ସେ ତିନିହେଁ ପିତା।’’ ପୁଣି “ଶାନ୍ତିପର୍ବ’ରେ କୁହାଯାଇଛି, “”ଦଶଜଣ “ଶ୍ରୋତ୍ରିୟ’ (ବେଦବିତ୍‍)ଙ୍କଠାରୁ ଜଣେ “ଆଚାର୍ଯ୍ୟ’ ମହତ୍ତର ଏବଂ ଦଶଜଣ “ଆଚାର୍ଯ୍ୟ’ଙ୍କଠାରୁ ଜଣେ “ଉପାଧ୍ୟାୟ’ ମହତ୍ତର। ସେହିପରି ଦଶଜଣ “ଉପାଧ୍ୟାୟ’ଙ୍କଠାରୁ ଜଣେ “ପିତା’ ଶ୍ରେଷ୍ଠତର। ଏଣୁ “ପିତା’ କାଳେକାଳେ “ପରମଦେବତା’ ଭାବରେ ସ୍ୱୀକୃତ ହୋଇ ଆସିଛନ୍ତି।

ଆମର ଶାସ୍ତ୍ରପୁରାଣରେ “ପିତା’ଙ୍କର ଗୁରୁତ୍ୱ ବାରମ୍ବାର ସ୍ୱୀକୃତ ହୋଇଛି। ଆମର ପୂର୍ବପୁରୁଷଙ୍କୁ ଆମେ କାର୍ତ୍ତିକ ଅମାବାସ୍ୟାରେ ଶ୍ରାଦ୍ଧ ଦେଉ। କାଉଁରିଆ କାଠି ଜାଳି ସେମାନଙ୍କର ସରଗପଥକୁ ଆଲୁଅ ଦେଖାଉ। ବିଶ୍ୱାସ କରୁ ଯେ ଆମେ ଶ୍ରଦ୍ଧାରେ ଦେଉଥିବା ଶ୍ରାଦ୍ଧ ଗ୍ରହଣ କରି ସେମାନେ ସ୍ୱସ୍ଥାନକୁ ବାହୁଡ଼ି ଯାଆନ୍ତି। ସେଥିପାଇଁ ଆମେ କହୁ, “”ବଡ଼ବଡ଼ୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ!’’ ସେମାନଙ୍କର ସ୍ୱଲୋକ ବା ସେମାନେ ଯେଉଁଠାରେ ଅବସ୍ଥାନ କରନ୍ତି, ତାହା ହେଉଛି “ପିତୃଲୋକ’। ସାଂଖ୍ୟ ଦର୍ଶନ ଅନୁସାରେ ଏହି ଲୋକରେ ପିତୃ, ଋଷି ଓ ପ୍ରଜାପତିମାନେ ଅବସ୍ଥାନ କରନ୍ତି।

ଆମର ଅର୍ଥାତ୍‍ ମନୁଷ୍ୟମାନଙ୍କର “ପୂର୍ବପୁରୁଷ’ଙ୍କର ୧୫ଟି ଶ୍ରେଣୀ ବୋଲି ଶାସ୍ତ୍ରମତରେ କଥିତ ଅଛି। ସେଥିରୁ, ଅଗ୍ନିସ୍ୱତ୍ୱ ଆଦି ୭ଟି ଶ୍ରେଣୀ ଓ ମରୀଚି ପ୍ରଭୃତି ୮ଟି ଶ୍ରେଣୀ। ଏହି ଅନୁସାରେ- ମରୀଚି ଇତ୍ୟାଦି ମୁନିଙ୍କଠାରୁ ଦେବତା, ଦାନବ, ଯକ୍ଷ ଓ ମାନବଙ୍କର ସୃଷ୍ଟି ହୋଇଛି। ଏ ସମସ୍ତଙ୍କର ପିତା ଦକ୍ଷ ପ୍ରଜାପତି।

ଅନ୍ୟ ମତ ଅନୁସାରେ, ଆମର “ପିତୃପୁରୁଷ’ଙ୍କର ତିନିଟି ଶ୍ରେଣୀ। ସେଥିରୁ ପ୍ରଥମଟି- “ମୃତ’ ବା ଦିବଂଗତ ପିତୃପୁରୁଷ। ସେମାନଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଦିନ ଆମେ ପିଣ୍ଡଦାନ କରିଥାଉ। ଦ୍ୱିତୀୟ ଶ୍ରେଣୀ- ଦଶ ପ୍ରଜାତି। ଏହି ଦଶ ପ୍ରଜାତି ପୃଥିବୀର ସମସ୍ତ ମନୁଷ୍ୟଙ୍କର ଜନ୍ମଦାତା ଏବଂ ତୃତୀୟ- ଆଦି ପିତୃଗଣ, ଯେଉଁମାନେ ଭଗବାନଙ୍କ ପୁତ୍ର ଭାବରେ ପ୍ରଥମେ ଜନ୍ମଗ୍ରହଣ କରିଥିଲେ।

ଆମ ଶାସ୍ତ୍ର-ପୁରାଣରେ ପିତାଙ୍କୁ ନେଇ ଅନେକ ବିଧିବିଧାନ ଆମପାଇଁ ନିର୍ଦ୍ଦେଶିତ ହୋଇଛି। ତଦନୁସାରେ, ଅମାବାସ୍ୟା ହେଉଛି- “ପିତୃତିଥି’। ଏହି ଦିନ ପିତୃଗଣ ପଞ୍ଚଦଶ କଳାଯୁକ୍ତ ଚନ୍ଦ୍ରଙ୍କର ସୁଧାପାନ କରନ୍ତି। ଗୟା ହେଉଛି “ପିତୃତୀର୍ଥ’। କାରଣ ଏହିଠାରେ ପିଣ୍ଡଦାନ କଲେ ପିତୃପୁରୁଷ ପ୍ରେତଯୋନିରୁ ମୁକ୍ତି ପାଆନ୍ତି। ଗୟା ପରି ଆମ ଓଡ଼ିଶାର ବୈତରଣୀ ମଧ୍ୟ ଗୋଟିଏ “ପିତୃତୀର୍ଥ’। ସେଥିପାଇଁ ସେଠାରେ ମଧ୍ୟ ଆମପାଇଁ ପିତୃପୁରୁଷଙ୍କୁ ପିଣ୍ଡଦାନର ବିଧାନ ନିର୍ଦ୍ଦେଶିତ ହୋଇଛି। ତାହା “ନାଭିଗୟା’ ଭାବରେ ପ୍ରଖ୍ୟାତ। ସେହିପରି, ଆଶ୍ୱିନ କୃଷ୍ଣପକ୍ଷ ହେଉଛି “ପିତୃପକ୍ଷ’। ଏହି ପକ୍ଷରେ ପନ୍ଦରଦିନ ବ୍ୟାପୀ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଏବଂ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧକର୍ମ ଓ ପିଣ୍ଡଦାନ କରାଯାଏ। ଏହି କ୍ରମରେ ଆସିଛି “ପିତୃସମ୍ବତ୍ସର’ର ବିଧାନ। ପିତାଙ୍କର ପରଲୋକ ଦିନଠାରୁ ଏକବର୍ଷ ପର୍ଯ୍ୟନ୍ତ ଏହାର ବିଧିବିଧାନ ପାଳନୀୟ। ଏହି ଗୋଟିଏ ବର୍ଷ- ପିତାଙ୍କୁ ପ୍ରତିମାସରେ ଶ୍ରାଦ୍ଧ ଦେବା ହେଉଛି ବିଧି।

ଶାସ୍ତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଧାନ ମଧ୍ୟ ଆମପାଇଁ ନିର୍ଦ୍ଦେଶିତ ହୋଇଛି। ତାହା ହେଉଛି “ପିତୃଯଜ୍ଞ’। ଏହା ଆମପାଇଁ ଶାସ୍ତ୍ର-ନିର୍ଦ୍ଦେଶିତ “ପଞ୍ଚଯଜ୍ଞ’ ବା “ପଞ୍ଚମହାଯଜ୍ଞ’ ମଧ୍ୟରୁ ଅନ୍ୟତମ। ପ୍ରତି ଗୃହସ୍ଥ ଏହି ପାଞ୍ଚଟି ଯଜ୍ଞ କରିବାର ବିଧାନ ଆମପାଇଁ ସୁପ୍ରାଚୀନ କାଳରୁ ନିର୍ଦ୍ଦେଶିତ। ଏଥି ମଧ୍ୟରେ ବୃଦ୍ଧ ପିତାମାତାଙ୍କର ରକ୍ଷଣାବେକ୍ଷଣ, ପିତୃଶ୍ରାଦ୍ଧ ଏବଂ ଉତ୍ତରପିଢ଼ିର ଯତ୍ନ ଅନ୍ତର୍ଭୁକ୍ତ। ଏଇଥିରୁ ଆସିଛି “ସପ୍ତପୁରୁଷ’ ଭାବଧାରା। ସେହି ଭାବଧାରା ମଧ୍ୟରେ ଅଛି- ଆମର “ସପ୍ତପୁରୁଷ’ ଗଣନାର ସ୍ୱତନ୍ତ୍ର ବିଧି। ଏଥିରେ ନିଜକୁ ମଝିରେ ରଖି ପୂର୍ବବର୍ତ୍ତୀ ତିନିପୁରୁଷ ଏବଂ ପରବର୍ତ୍ତୀ ତିନିପୁରୁଷଙ୍କର ଗଣନା କରାଯାଏ। ମଧ୍ୟବର୍ତ୍ତୀପୁରୁଷ ଅର୍ଥାତ୍‍ ଆମ ନିଜର ଉଚିତ କର୍ତ୍ତବ୍ୟ ଓ ଆଚରଣଦ୍ୱାରା ସପ୍ତପୁରୁଷ ଉଦ୍ଧାର ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ଏହା ଆମକୁ ସୁପଥରେ ପରିଚାଳିତ କରିବା ନିମନ୍ତେ ଉଦ୍ଦିଷ୍ଟ।

ଏହିସବୁ ଶାସ୍ତ୍ର-ପୁରାଣର ନିର୍ଦ୍ଦେଶ, ପିତା ଓ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା-ଭକ୍ତି ନିମନ୍ତେ ଆମକୁ ଉଦ୍‍ବୋଧିତ କରେ। “ପଦ୍ମପୁରାଣ’ର ଗୋଟିଏ ସୁନ୍ଦର ଶ୍ଳୋକରେ ଏହି କଥାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ କୁହାଯାଇଛି। ସେହି ଶ୍ଳୋକଟି ହେଉଛି-
“”ପିତା ସ୍ୱର୍ଗ ପିତା ଧର୍ମ ପିତା ହି ପରମଂତପଃ।
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ।ା’’

ଏହାର ତାତ୍ପର୍ଯ୍ୟ ହେଉଛି- ପିତାମାତା ଯଦି ପୁତ୍ରର ସେବାଦ୍ୱାରା ପ୍ରୀତ ବା ସନ୍ତୁଷ୍ଟ ହୁଅନ୍ତି, ତେବେ ସମସ୍ତ ଦେବତା ତୁଷ୍ଟ ହୁଅନ୍ତି; କାରଣ ତାହା ହିଁ ହେଉଛି ଧର୍ମ, ତାହାହିଁ ସ୍ୱର୍ଗ ଏବଂ ତାହାହିଁ ତପସ୍ୟା। ଏ ଦୃଷ୍ଟିରୁ “କଲ୍ୟାଣ’ ପତ୍ରିକାର “ସେବା ଅଙ୍କ’ରେ ଯଥାର୍ଥରେ କୁହାଯାଇଛି- ଯେଉଁ ପୁତ୍ରର ସେବା ଓ ସଦ୍‍ଗୁଣରେ ପିତାମାତା ତୁଷ୍ଟ ହୁଅନ୍ତି, ତାଙ୍କୁ ପ୍ରତ୍ୟହ ଗଙ୍ଗାସ୍ନାନର ପୁଣ୍ୟ ମିଳେ। କାରଣ- ମାତା ସର୍ବତୀର୍ଥମୟୀ ଏବଂ ପିତା ସର୍ବଦେବ ସ୍ୱରୂପ। ଏଣୁ ପିତା-ମାତାଙ୍କର ପରିକ୍ରମା ହିଁ ସମଗ୍ର ବିଶ୍ୱର ପରିକ୍ରମା। ଏହାର ସୁନ୍ଦର ଉଦାହରଣ ଆମ ପୁରାଣରେ ଗଣେଶ-କାର୍ତ୍ତିକ ବୁଦ୍ଧି ପରୀକ୍ଷା ଉପାଖ୍ୟାନରେ ଅଛି। ସେହି ଉପାଖ୍ୟାନ ଅନୁସାରେ, କାର୍ତ୍ତିକେୟ ଦ୍ରୁତଗାମୀ ମୟୂର ବାହନରେ ସମଗ୍ର ବିଶ୍ୱ ପରିକ୍ରମାରେ ବାହାରିଯିବା ବେଳେ, ଗଣେଶ ମୂଷିକ ବାହନରେ ପିତା-ମାତା ଶିବ-ପାର୍ବତୀଙ୍କର ଚାରିପାଖରେ ପରିକ୍ରମା କରି ସେହି ପରୀକ୍ଷାରେ ବିଜୟୀ ହୋଇଥିଲେ।

କିନ୍ତୁ ଆମପାଇଁ ସବୁଠୁ ସୁନ୍ଦର ଦୃଷ୍ଟାନ୍ତ ଅଛି ଶ୍ରୀଜଗନ୍ନାଥଙ୍କର ରୀତିନୀତି ଭିତରେ।

ପାରମ୍ପରିକ ଭାବରେ ପ୍ରତିବର୍ଷ ମାର୍ଗଶିର ମାସର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦାରେ ତିନିଦିନ ଧରି ଶ୍ରୀମନ୍ଦିରରେ “ଦେବଦୀପାବଳି’ ନୀତି ପାଳିତ ହୋଇଥାଏ। ଏଥିରୁ ପ୍ରଥମ ଦିନ ଶ୍ରୀଜଗନ୍ନାଥ “ଶ୍ରୀବାମନ’ ଭାବରେ ତାଙ୍କର ପିତା-ମାତା କଶ୍ୟପ ଓ ଅଦିତିଙ୍କୁ ଓ ଦ୍ୱିତୀୟ ଦିନ “ଶ୍ରୀରାମ’ ଭାବରେ ତାଙ୍କର ପିତା-ମାତା ଦଶରଥ-କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେଇଥାଆନ୍ତି। “ଦେବଦୀପାବଳି’ର ତୃତୀୟ ତଥା ଶେଷଦିନ ସେ “ଶ୍ରୀକୃଷ୍ଣ’ ଭାବରେ ତାଙ୍କର ପିତା-ମାତା ବସୁଦେବ-ଦେବକୀ ଓ ନନ୍ଦ-ଯଶୋଦାଙ୍କୁ ଏବଂ ଦାରୁବ୍ରହ୍ମ ସ୍ୱରୂପର ପିତା-ମାତା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦିଅନ୍ତି। ଏଥିରେ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଏମାନେ ସମସ୍ତେ ତାଙ୍କର ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗର ପିତା-ମାତା।

ଏବେ ଅନେକେ ତ୍ରିବେଣୀ ସଂଗମରେ ପିତା-ମାତାଙ୍କର ଅସ୍ଥିବିସର୍ଜନ କରୁଛନ୍ତି। ଏହା ପଛରେ ପିତା-ମାତାଙ୍କର ମୋକ୍ଷପ୍ରାପ୍ତିର ଅଭିଳାଷ ଥିଲେ ହେଁ, ପ୍ରତିବର୍ଷର ଶ୍ରାଦ୍ଧପାଳନ ଓ ପିଣ୍ଡଦାନରୁ ନିଷ୍କୃତି ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି କଥିତ ହୁଏ। କିନ୍ତୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ତାଙ୍କର ପ୍ରତି ଯୁଗର ପିତା-ମାତାଙ୍କୁ ଶ୍ରାଦ୍ଧ ଦେଇ ଆମକୁ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ତାହା ହେଉଛି- ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ କରିଦେଲେ ମଧ୍ୟ, ଆମେ ବର୍ଷକେ ଅନ୍ତତଃ ଥରେ ପିତା-ମାତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା। ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ ନ କରିବା ଯାଏ ତାଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ତିଥି ଓ ଦିବସରେ ଶ୍ରାଦ୍ଧ ଦେଉଥିବା।

ଏଣୁ ସୁପୁତ୍ର ଭାବରେ ତାଙ୍କୁ ଜୀବଦ୍ଦଶାରେ ଦେବତା ପରି ସେବା, ଭକ୍ତି କରିବା ସହିତ, ଇହଲୋକ ତ୍ୟାଗ କରିବା ପରେ ତାଙ୍କ ପ୍ରତି ଏହା ହିଁ ଆମର ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ।

ସମ୍ବନ୍ଧିତ ଖବର