ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ପେସାଧାରୀମାନଙ୍କ ମଧ୍ୟରୁ ସିଂହଭାଗ କର୍ମଚାରୀ ମେଟାବୋଲିକ୍ ଡିସ୍ଫଙ୍କସନ୍ ଆସୋସିଏଟେଡ୍ ଫ୍ୟାଟି ଲିଭର ଡିଜିଜ୍ (ଏମ୍ଏଏଫ୍ଏଲ୍ଡି)ରେ ପୀଡ଼ିତ ବୋଲି ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଭାରତରେ ପ୍ରାୟ ୫୪ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଆଇଟି ଶିଳ୍ପରେ ଶାରୀରିକ ପରିଶ୍ରମବିହୀନ କାର୍ଯ୍ୟ ସଂସ୍କୃତି ରହିଛି। ତେଣୁ କର୍ମସ୍ଥଳରେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା, କାର୍ଯ୍ୟଚାପ, ଖରାପ ଖାଦ୍ୟାଭ୍ୟାସ, ଅସ୍ବାଭାବିକ ଶୟନ ଓ ଶାରୀରିକ ନିଷ୍କ୍ରିୟତା ଯୋଗୁଁ ପ୍ରାୟ ୮୪ ପ୍ରତିଶତ ଆଇଟି ବୃତ୍ତିଧାରୀ ଫ୍ୟାଟି ଲିଭର୍ର ଶିକାର ହୋଇଥା’ନ୍ତି ବୋଲି ଅନୁଧ୍ୟାନରୁ ଜଣାଯାଇଛି।
ଏହି ଅଧ୍ୟୟନରେ ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇ ମଧ୍ୟରେ ହାଇଦ୍ରାବାଦର ୩୪୫ ଜଣ ଆଇଟି ବୃତ୍ତିଧାରୀଙ୍କୁ ସାମିଲ କରି ଗବେଷକମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଯକୃତ୍ ବା ଲିଭରରେ ୫ ପ୍ରତିଶତରୁ ଅଧିକ ଚର୍ବି ଗଚ୍ଛିତ ହେବା ଅବସ୍ଥାକୁ ଫ୍ୟାଟି ଲିଭର କୁହାଯାଏ, ଯାହା ସିରୋସିସ୍ ଓ ଲିଭର କ୍ୟାନ୍ସର ଭଳି ରୋଗ ସୃଷ୍ଟି କରେ। ଠିକଣା ସମୟକେ ଯଦି ଏହି ସମସ୍ୟାକୁ ଦୂର କରାନଯାଏ, ତେବେ ପ୍ରତ୍ୟଙ୍ଗ ପ୍ରତିରୋପଣ ଅପରିହାର୍ଯ୍ୟ ହୋଇପଡ଼େ। ଅଧ୍ୟୟନରେ ସାମିଲ ଥିବା ଆଇଟି ବୃତ୍ତିଧାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ମେଦବହୁଳ ହୋଇଥିବା ବେଳେ ୩୪ ପ୍ରତିଶତଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ସହ ଜଡ଼ିତ ମେଟାବୋଲିକ୍ ସିଣ୍ଡ୍ରୋମ୍ ପରି ରୋଗ ସମସ୍ୟା ରହିଥିବା ଜଣାଯାଇଛି। ତେଣୁ ଆଇଟି ଉଦ୍ୟୋଗଗୁଡ଼ିକ ଏଥିପାଇଁ ସୁଦକ୍ଷ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କରିବାକୁ ଗୁରୁତ୍ବାରୋପ କରାଯାଇଛି। ଯଦିଓ ଅନେକ ଉଦ୍ୟୋଗରେ ଉନ୍ନତ ସ୍ବାସ୍ଥ୍ୟ ଯୋଜନାମାନ କାର୍ଯ୍ୟକାରୀ ହେଉଛି, ତେବେ କର୍ମଚାରୀମାନେ ସକ୍ରିୟ ଭାବେ ଶାରୀରିକ ପରିଶ୍ରମ କରିବାକୁ ଗବେଷକମାନେ ପରାମର୍ଶ କରିଛନ୍ତି। ନିୟମିତ ଡାକ୍ତରୀ ପରୀକ୍ଷା, ଉନ୍ନତ କାର୍ଯ୍ୟ-ଜୀବନ ସନ୍ତୁଳନ ଓ ଫ୍ୟାଟି ଲିଭର ରୋଗ ନିର୍ଣ୍ଣୟ ଦ୍ବାରା ଏଭଳି ସ୍ଥିତିକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/D6df42oR10mKzBEab29S.jpg)