ବିଶ୍ୱର ଏମିତି ଦଶ ଜଣ ମେଦ ବହୁଳ ବା ପୃଥୁଳ ଲୋକ ଅଛନ୍ତି, ଯେଉଁମାନଙ୍କୁ ଘର ବାହାରକୁ ହସ୍ପିଟାଲକୁ ନେଇ ସେମାନଙ୍କର ଜୀବନ ରକ୍ଷାର ବନ୍ଦୋବସ୍ତ କରାଯାଇଛି ଏବଂ ସେଥିପାଇଁ ଘର ଭାଙ୍ଗିବାକୁ ପଡିଛି । ଏମିତି ଜଣେ ୩୦ ବର୍ଷୀୟା ମହିଳା ହେଲେ ଇସାବେଲା ଆମାରାଲ୍ । ତାଙ୍କର ଓଜନ ୪୯୦ କିଲୋଗ୍ରାମ୍ । ସେ ଆଦୌ ଗତି କରି ପାରନ୍ତି ନାହିଁ ।
ଆର୍ଜେଣ୍ଟିନାର ବାସିନ୍ଦା ଇସାବେଲା ବେଶ କିଛି ମାସ ହେବ ଖଟରେ ବସି ରହିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଇସାବେଲାଙ୍କୁ ଏକ ହସ୍ପିଟାଲ୍ କୁ ନିଆଯିବାର ଆବଶ୍ୟକତା ପଡ଼ିଲା । ତାଙ୍କୁ ରୁମ୍ରୁ ବାହାର କରିବା ପାଇଁ ବେଡରୁମ୍ର କାନ୍ଥରେ ଏକ ବଡ଼ ଗାତ ଖୋଳିବାକୁ ପଡ଼ିଥିଲା । ଇସାବେଲାଙ୍କର ଗ୍ୟାସ୍ଷ୍ଟ୍ରିକ୍ ବାଇପାସ୍ ସର୍ଜରି କରାଯିବାର ଆବଶ୍ୟକତା ଥିଲା । ଏହି ସର୍ଜରି କରାଯିବା ପୂର୍ବରୁ ଇସାବେଲାଙ୍କର ୨୦୦ କିଲୋଗ୍ରାମ୍ ଓଜନ ହ୍ରାସ କରାଯିବା ଦରକାର ।

ଇସାବେଲାଙ୍କର ଭାଇ କାରମେନ୍ କହିଛନ୍ତି ଯେ ଭଉଣୀଙ୍କର ହସ୍ପିଟାଲକୁ ସ୍ଥାନାନ୍ତରଣରେ ସ୍ୱାସ୍ଥ୍ୟଗତ ବିପଦ ରହିଥିଲା । କିନ୍ତୁ ସେ ଭଲରେ ପହଞ୍ଚି ଯାଇଛନ୍ତି ହସ୍ପିଟାଲରେ । ଇସାବେଲା ପତଳା ହେବା ଲାଗି ମାସକ ହେବ ତରଳ ଖାଦ୍ୟ ଗ୍ରହଣ କରୁଛନ୍ତି । ହସ୍ପିଟାଲର ନିର୍ଦ୍ଦେଶକ ଆଡ୍ରିଆନ୍ ଚାପେଲେଟ୍ କହିଛନ୍ତି ଯେ ଇସାବେଲା ବର୍ତ୍ତମାନ ବିପଦର ବାହାରେ ଅଛନ୍ତି । ତାଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ତାଙ୍କ ଉପରେ ସତର୍କ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ପୂର୍ବରୁ ଆଉ ଥରେ ନିମୋନିଆରେ ପୀଡ଼ିତ ହେବା କାରଣରୁ ଇସାବେଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।