ହାସ୍ୟରସର ଅପମିଶ୍ରଣ ବିନା ଶୁଦ୍ଧ ଭୂତ ସିନେମା ନିର୍ମାଣ କରନ୍ତି ନିର୍ଦେଶକ ବିଶାଲ ଫୁରିୟା। ତାଙ୍କ ସିନେମାର ଅନ୍ୟତମ ବିଶେଷତ୍ବ ହେଲା ସେଥିରେ ପୁରୁଷପ୍ରଧାନ ବିଚାର ଓ ପରମ୍ପରାକୁ ଆହ୍ବାନ ଥାଏ। ତେବେ ମହତ୍ ଉଦ୍ଦେଶ୍ୟ ନେଇ ଗୋଟିଏ କାହାଣୀ ଦେଖାଇବାର ଚେଷ୍ଟା ଯେ ସବୁବେଳେ ପରଦାରେ ମନୋରଂଜନଧର୍ମୀ ବା ପ୍ରଭାବଶାଳୀ ହୁଏ ନାହିଁ ତାହାର ସଦ୍ୟତମ ଉଦାହରଣ ହେଉଛି ‘ମାଆ’। କାଜୋଲଙ୍କ ପ୍ରଭାବଶାଳୀ ଅଭିନୟକୁ ଛାଡ଼ିଦେଲେ ଆଉ କୌଣସି ଦୃଷ୍ଟିରୁ ଏହି ସିନେମା ଦେଖିବା ପାଇଁ ପରାମର୍ଶ ଦେବା ଭୁଲ୍ ହେବ।
ଗ୍ରାମୀଣ ଭାରତ ହେଉଛି ଭୂତ ଗପ ତଥା କିଂବଦନ୍ତିର ଗନ୍ତାଘର। ‘ତୁମ୍ବାଡ଼’ ଓ ‘ମୁଞ୍ଜା’ ସିନେମା ପରି ‘ମାଆ’ ମଧ୍ୟ ଏକ ଆଞ୍ଚଳିକ (ବଙ୍ଗାଳୀ) କାହାଣୀ ଦ୍ବାରା ଅନୁପ୍ରାଣିତ ଏବଂ ଅଜୟ ଦେବଗନ ଅଭିନୀତ ‘ସଇତାନ’ର ଅନୁକରଣରେ ନିର୍ମିତ। ଆରମ୍ଭରେ ୪୦ ବର୍ଷ ତଳର ଏକ ଘଟଣା ଦେଖିବାକୁ ମିଳୁଛି, ଯେଉଁଥିରେ ଏକ ଶିଶୁକନ୍ୟା ଜନ୍ମ ହେବା ପରେ ତା’ ମାଆ ହାତରେ ଶିଶୁଟିର ବଳି ଦିଆଯାଉଛି। ଏହା ପରେ କାହାଣୀଟି ସିଧାସଳଖ ବର୍ତ୍ତମାନ କାଳକୁ ଫେରି ଏକ ସହରୀ ପରିବାରକୁ ଦେଖାଉଛି। ସେ ପରିବାରର ସଦସ୍ୟମାନେ ହେଉଛନ୍ତି ମାଆ ଅମ୍ବିକା (କାଜୋଲ), ବାପା ଶୁଭଙ୍କର (ଇନ୍ଦ୍ରନୀଲ ସେନଗୁପ୍ତା) ଓ ଝିଅ ଶ୍ବେତା (ଖେରିନ ଶର୍ମା)। ବହୁ ବର୍ଷ ହେଲା ନିଜ ଗାଁ ‘ଚନ୍ଦ୍ରପୁର’ ଫେରି ନଥିବା ଶୁଭଙ୍କର ନିଜ ପିତାଙ୍କ ମୃତ୍ୟୁର ଖବର ପାଇ ଏକାକୀ ଗାଁକୁ ଯାଉଛି। ତେବେ ଗାଁରୁ ଫେରିବା ବାଟରେ ହିଁ ବୃକ୍ଷରୂପୀ ଦୈତ୍ୟ ତାକୁ ମାରିଦେଉଛି। ଅଧିକାଂଶ ଭୂତ କାହାଣୀରେ ଚରିତ୍ରମାନେ ଯେମିତି ସାଧାରଣଜ୍ଞାନକୁ ଭ୍ରୂକ୍ଷେପ ନ କରି ବିପଦ ଆଡ଼କୁ ଅଗ୍ରସର ହୁଅନ୍ତି ଠିକ୍ ସେହିପରି ଗାଁକୁ ଯିବାକୁ ଶୁଭଙ୍କରର ବାରଣ ଏବଂ ବିପଦର ସ୍ପଷ୍ଟ ସଂକେତ ସତ୍ତ୍ବେ ଅମ୍ବିକା ଝିଅକୁ ନେଇ ସେହି ଗାଁକୁ ଯାଉଛି। ଅମ୍ବିକା ଭୌତିକ ଘଟଣାମାନଙ୍କୁ ସେ ପର୍ଯ୍ୟନ୍ତ ଅବିଶ୍ବାସ କରୁଛି ଯେ ପର୍ଯ୍ୟନ୍ତ ନିଜ ଝିଅ ଉପରେ ଆସନ୍ନ ବିପଦ ସମ୍ପର୍କରେ ସେ ଅବଗତ ନ ହୋଇଛି। ଏ ଭିତରେ ‘ରକ୍ତବୀଜ’ ନାମକ ରାକ୍ଷସ ଜନ୍ମ ହେବା ଏବଂ ଏକ ଅଶ୍ୱତ୍ଥ ଗଛ ରୂପେ ବଞ୍ଚି ରହି ଗାଁର ସବୁ ରଜସ୍ବଳା କିଶୋରୀଙ୍କୁ ଅପହରଣ କରିନେବାର କାହାଣୀକୁ ଜଣେ ଗ୍ରାମବାସୀ ବ୍ୟାଖ୍ୟା କରୁଛି, ଯାହାକୁ ଦେଖାଇବା ପାଇଁ ଏଆଇ ଦ୍ବାରା ପ୍ରସ୍ତୁତ ଆନିମେସନର ସାହାଯ୍ୟ ନିଆଯାଇଛି। ସିନେମା ଶେଷରେ ଜଣେ ମାଆ ନିଜ ଝିଅକୁ ରକ୍ଷା କରିବା ପାଇଁ କିଭଳି ଅସମ୍ଭବକୁ ସମ୍ଭବ କରିଦେଇପାରେ ତାହା ଦେଖାଇବାକୁ ଅମ୍ବିକା ନିଜେ କାଳି ମାଆଙ୍କ ଅବତାର ଧାରଣ କରୁଛି।
‘ମାଆ’ର କିଛି ଦୃଶ୍ୟରେ ଭିଏଫ୍ଏକ୍ସ ଚିତ୍ତାକର୍ଷକ ହୋଇଛି। କିନ୍ତୁ ଗୋଟିଏ ସ୍ଥାନରେ ଆନିମେସନ ପ୍ରସ୍ତୁତି କାମକୁ ଏଆଇ ଦ୍ବାରା କରାଇବାର ପ୍ରବୃତ୍ତି ନିରାଶ କଲା, କାରଣ ଏହି ଦୃଶ୍ୟଗୁଡ଼ିକ ନିର୍ମାତାଙ୍କ ଆଳସ୍ୟର ଏକ ଉଜ୍ଜ୍ବଳ ନମୁନା। ସେହିପରି ରାକ୍ଷସଟି ମାର୍ଭେଲ ସିନେମା ଚରିତ୍ର ‘ଗ୍ରୁଟ୍’ ଭଳି ଦେଖାଯିବା, ସୃଜନଶୀଳତା ଅଭାବକୁ ପଦାରେ ପକାଇଦେଇଛି। ‘ବୋଉ ବୁଟୁ ଭୂତ’ରେ ଭୂତ ଆଗମନ ଦୃଶ୍ୟଗୁଡ଼ିକ ଅନୁମାନସାପେକ୍ଷ ହୋଇ ନଥିବାରୁ ତାହା ଦର୍ଶକ ମନରେ ଯେମିତି ଛନକା ସୃଷ୍ଟି କରିପାରିଥାଏ, ‘ମାଆ’ର ଅଧିକାଂଶ ଭୂତ ଦୃଶ୍ୟର ଅଗ୍ରଗତି ଅନୁମାନସାପେକ୍ଷ ହୋଇଥିବାରୁ ତାହାର ପ୍ରଭାବ ଦୁର୍ବଳ ଲାଗୁଛି। ‘ମେରି କମ୍’, ‘ନୀରଜା’ ଓ ‘ମଇଦାନ’ ପରି ପ୍ରଭାବଶାଳୀ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଲେଖିଥିବା ସାଇଵନ୍ କ୍ବାଁଦ୍ରସ ‘ମାଆ’ର କାହାଣୀ ରଚନା କରିଥିବା କଥାଟି ସର୍ବାଧିକ ନିରାଶ କଲା, କାରଣ କାଜୋଲ ତାଙ୍କ ଚରିତ୍ରକୁ ଯଥାସମ୍ଭବ ନ୍ୟାୟ ଦେବାକୁ ଚେଷ୍ଟା କରିବା ସତ୍ତ୍ବେ ଦିଗହରା କାହାଣୀ ଓ ଦୁର୍ବଳ ଚିତ୍ରନାଟ୍ୟ ଯୋଗୁଁ ମାତ୍ର ଦୁଇ ଘଣ୍ଟା ପନ୍ଦର ମିନିଟର ଅବଧି ଯାଏ ଧୈର୍ଯ୍ୟ ଧରି ରହିବା ମଧ୍ୟ କଷ୍ଟକର ହେଉଛି।