ନିଜକୁ ନିଜେ ବିବାହ ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିବା ପରେ ମନ ବଦଳାଇଲେ କ୍ଷମା

ଅହମ୍ମଦାବାଦ୍‌: ଗୁଜୁରାଟର କ୍ଷମା ବିନ୍ଦୁ ନାମ୍ନୀ ଯୁବତୀ ନିଜକୁ ନିଜେ ବିବାହ କରିବା ନିଷ୍ପତ୍ତି ନେବା ପରେ ତାଙ୍କୁ ମନ୍ଦିରରେ ବିବାହ କରେଇ ଦେବେନି ବୋଲି କହିଥିଲେ ସହରର ବିଜେପି ୟୁନିଟ୍‌ ମୁଖ୍ୟ ସୁନୀତା ଶୁକ୍ଳା।

କ୍ଷମା ବିନ୍ଦୁଙ୍କ ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ଳା କହିଥିଲେ, ‘ସେ ଯଦି ମନ୍ଦିରରେ ବାହା ହେବାକୁ ଚାହୁଁ ଥାଆନ୍ତି, ଆମେ ତାହା କରାଇ ଦେବୁନାହିଁ। ଏ ପ୍ରକାର ବିବାହ ହିନ୍ଦୁବାଦ ବିରୋଧୀ। ବିନ୍ଦୁ ମାନସିକ ବିକାରଗ୍ରସ୍ତ। ପୁଅଟିଏ ପୁଅକୁ ଅଥବା ଝିଅଟିଏ ଝିଅକୁ ବିଭା ହେବା କଥା ହିନ୍ଦୁ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ। ମୁଁ ଉକ୍ତ ବିବାହ ଅନୁଷ୍ଠାନସ୍ଥଳୀର ବିରୋଧ କରୁଛି। କୌଣସି ମନ୍ଦିରରେ ସେ ଆତ୍ମ-ବିବାହ କରିପାରିବେ ନାହିଁ। ଏଭଳି ବିବାହ ହିନ୍ଦୁବାଦର ବିରୁଦ୍ଧାଚରଣ କରେ। ଏ ବିବାହ ହିନ୍ଦୁ ଜନସଂଖ୍ୟା ହ୍ରାସ କରିବ। ଯଦି କୌଣସି କଥା ଧର୍ମର ବିରୁଦ୍ଧାଚରଣ କରେ, ତେବେ ଆଉ କୌଣସି ପ୍ରଥା ଅନୁସରଣ କରାଯାଇ ପାରିବ ନାହିଁ।’

ଏହି ସବୁ ବିବାଦ ପରେ କ୍ଷମା ନିଜର ମନ ବଦଳାଇଛନ୍ତି। ସେ ଆଉ ମନ୍ଦିରରେ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କ୍ଷମା କହିଛନ୍ତି, ‘ମୋ ନିଷ୍ପତ୍ତି ଯଦି କାହାର ଭାବନାକୁ ଆଘାତ ଦେଇଛି ମୁଁ କ୍ଷମା ମାଗୁଛି। ମୁଁ ଆଉ ମନ୍ଦିରରେ ବିବାହ କରିବି ନାହିଁ।’

ଜୁନ୍‌ ୧୧ ତାରିଖ ଦିନ ଆତ୍ମ-ବିବାହ (ନିଜକୁ ନିଜେ ବାହାହେବା) କରିବା ଲାଗି ନିଷ୍ପତ୍ତି ନେଇଥିଲେ ବଡ଼ୋଦରାର ୨୪ ବର୍ଷୀୟ କ୍ଷମା ବିନ୍ଦୁ। ଆତ୍ମ-ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କ୍ଷମା ହେଉଛନ୍ତି ସମାଜବିଜ୍ଞାନରେ ସ୍ନାତକ ହାସଲ କରି ସମ୍ପ୍ରତି ଏକ ଘରୋଇ କମ୍ପାନିରେ ବରିଷ୍ଠ ‘ରିକ୍ରୁଟ୍‌ମେଣ୍ଟ୍‌ ଅଫିସର୍‌’ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ପିତାମାତା ଇଞ୍ଜିନିୟର। ବାପା ଦକ୍ଷିଣ ଆଫ୍ରିକାରେ ଓ ମାଆ ଅହମଦାବାଦରେ ରହୁଛନ୍ତି। କ୍ଷମା ନିଜକୁ ଏତେ ସୁଖ ପାଆନ୍ତି ଯେ, ନିଜ ଭିତରେ ହିଁ ସେ ନିଜର ବର ଖୋଜିପାଇଛନ୍ତି। ତେଣୁ, ସେ ଆତ୍ମ-ବିବାହ ସିଦ୍ଧାନ୍ତ ନେଇଛନ୍ତି।

ସମ୍ବନ୍ଧିତ ଖବର