ଦକ୍ଷିଣିଘର ଚଳନ୍ତି ପ୍ରତିମାଙ୍କ ସେବାରେ ତୃପ୍ତି ଅନୁଭବ କରୁ: ଜଗନ୍ନାଥ କର (ମହାଜନ ସେବକ)

ଶ୍ରୀମନ୍ଦିରରେ ବେହରଣ ଦ୍ବାର ନିକଟରେ ଥିବା ଦକ୍ଷିଣିଘରେ ରହୁଥିବା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାମାନଙ୍କ ସମସ୍ତ ପ୍ରକାର ସେବା ମହାଜନ ସେବକମାନେ କରିଥାନ୍ତି। ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ହୋଇଥାଏ। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଯେଉଁ ଯେଉଁ ସେବା ଯୋଗାଇ ଦିଆଯାଇଥାଏ, ଏହି ସମୟରେ ଦକ୍ଷିଣିଘରେ ବିରାଜମାନ ଚଳନ୍ତି ପ୍ରତିମାମାନଙ୍କ ନିକଟରେ ମଧ୍ୟ ସେହିପରି ଅନୁରୂପ ସେବା କରାଯାଇଥାଏ। ଦକ୍ଷିଣିଘରେ ବିରାଜମାନ ମଦନମୋହନ, ଡାହାଣକୁ ରାମ କୃଷ୍ଣ, ଲକ୍ଷ୍ମୀ ନୃସିଂହ, ଶାଳଗ୍ରାମ, ପଞ୍ଚ ମହାଦେବ, ଦୋଳଗୋବିନ୍ଦ, ବାମପଟେ ରାମଲକ୍ଷ୍ମଣ ସୀତା, ଅମାବାସ୍ୟା ନାରାୟଣ ପ୍ରମୁଖଙ୍କୁ ନେଇ ଚନ୍ଦନଯାତ୍ରା, ଦୋଳ ଯାତ୍ରା, ରାମ ଜନ୍ମ, ନୃସିଂହ ଜନ୍ମ ନୀତି ଆଦି କରାଯାଇଥାଏ। ମହାଜନ ସେବକମାନେ ଅବକାଶ, ଶ୍ରିଙ୍ଗାର, ବଲ୍ଲଭ, ମହାପ୍ରଭୁ ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ ସେବା କରିଥାନ୍ତି। ବିଶେଷ କରି ରଥଯାତ୍ରା ସମୟରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଘଣ୍ଟ, ଛତା କାହାଳୀ ଯାଇ ବେହରଣ ଦ୍ବାରଠାରେ ଉପସ୍ଥିତ ଥାନ୍ତି। ସେଠାରେ ବିଜେ କାହାଳୀ ବାଜିବା ପରେ ଦକ୍ଷିଣିଘରେ ଥିବା ମଦନମୋହନ, ରାମ କୃଷ୍ଣ ବିଜେ କରନ୍ତି। ସାତପାହାଚ ମଙ୍ଗଳା ମନ୍ଦିର ପାଖରେ ଠାକୁରଙ୍କୁ ବିରାଜମାନ କରନ୍ତି। ବିମାନବଡ଼ୁ ସେବକମାନେ ବଡ଼ବାଡ଼ରେ ରାମ ଓ କୃଷ୍ଣଙ୍କୁ, ମହାପ୍ରଭୁଙ୍କ ନନ୍ଦିଘୋଷରେ ମଦନମୋହନଙ୍କୁ ବିରାଜମାନ କରିଥାନ୍ତି। ଏହାପରେ ବେଶ ଚିତାଲାଗି ସରିବା ପରେ ଗଜପତିଙ୍କ ଛେରାପହଁରା କରାଯାଇଥାଏ। ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଚାରମାଳ ବନ୍ଧା ସରିବା ପରେ ବିଜେ କାହାଳୀ ବାଜିବ‌ା ପରେ ମହାଜନ ସେବକମାନେ ରାମ, କୃଷ୍ଣ ଓ ମଦନମୋହନ ବିଜେ କରାଇଥାନ୍ତି।

ସେହିପରି ହେରା ପଞ୍ଚମୀରେ ଆମେ ମହାଜନ ସେବକମାନେ ମା ସାଆନ୍ତାଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ନେଇଥାଉ। ମା’ଙ୍କୁ ବେଶ କରିବା ସହିତ ପାଟ ଲାଗିକରି ମହାପ୍ରଭୁଙ୍କ ନିକଟରେ ପହଞ୍ଚାଇ ନୀତିକାନ୍ତି ସରି ରଥଭଙ୍ଗା ନୀତି ପରେ ହେରାଗୋହିରୀ ସାହି ଦେଇ ପ୍ରତ୍ୟାବର୍ତ୍ତନ କରିଥାଉ। ବାହୁଡ଼ାରେ ମଦନମୋହନ ରାମକୃଷ୍ଣଙ୍କୁ ବିଜେ କରାଇଥାଉ। ଶ୍ରୀନହରରେ ନନ୍ଦୀ‌ଘୋଷ ରଥ ପହଞ୍ଚିବା ପରେ ଚାହାଣୀ ମଣ୍ଡପରେ ଚାହାଣୀ କରାଇ ଶ୍ରୀନହରକୁ ପାଲିଙ୍କିରେ ଆସି ଗଜପତିଙ୍କ ସହିତ ମିଶି ସେଠାରେ ଲକ୍ଷ୍ମୀନାରାୟଣ ଦର୍ଶନ କରାଉ। ନୀଳାଦ୍ରି ବିଜେ ସମୟରେ ଚାହାଣୀ ମଣ୍ଡପଠାରେ ରସଗୋଲା ଭୋଗ କରାଇ ମହାଲକ୍ଷ୍ମୀଙ୍କୁ ଭଣ୍ଡାର ଘରକୁ ନେଇ ଆସିଥାଉ। ମାନଭଞ୍ଜନ କରାଇବା ପାଇଁ ପାରମ୍ପରିକ ନୀତି କରାଉ।

ନଣନ୍ଦ ଓ ଦେଢ଼ଶୁରଙ୍କୁ ରତ୍ନସିଂହାସନକୁ ଛାଡ଼ିବା ପରେ ମା’ ସାଆନ୍ତାଣୀଙ୍କ ଗଇଁଠାଳ ଫିଟା ନୀତି ବଢ଼ିଥାଏ। ମହାଜନମାନେ ମହାଲକ୍ଷ୍ମୀଙ୍କ ପଟେ ବସି ବନ୍ଦାପନା, ବିଡ଼ିଆ ମ‌ଣୋହି, ଭିତରଚ୍ଛଙ୍କ ଦ୍ବାରା ନୀତି ସମ୍ପନ୍ନ କରାଯାଇଥାଏ। ମାଧବ, ଲକ୍ଷ୍ମୀ ଓ ସରସ୍ବତୀଙ୍କୁ ନେଇ ତାଙ୍କ ସିଂହାସନରେ ବିରାଜମାନ କରିଥାଉ।

ଯେତେ ଯାନିଯାତ୍ରା ରହିଛି ସେ ସମୟରେ ମହାଜନ ସେବକମାନଙ୍କ ଭୂମିକା ରହିଥାଏ। ଶ୍ରୀଜୀଉମାନଙ୍କ ସେବା କରିବା ସମୟରେ ଠାକୁରମାନଙ୍କ ପ୍ରତ୍ୟହ ସମ୍ପୃକ୍ତ ରହିଥିବା ଅନୁଭବ କରିଥାଉ।

୨୦୨୦ ମସିହାରେ କୋଭିଡ଼ ସମୟରେ ମହାପ୍ରଭୁଙ୍କ ଦୋଳଯାତ୍ରା, ଚନ୍ଦନଯାତ୍ରା ଆଦି ଯଥାରୀତି ସଂପନ୍ନ ହୋଇପାରିନଥିଲା। ତେଣୁ ମହାଜନ ସେବକମାନେ ମନଦୁଃଖରେ ରହିଥିଲେ। କିନ୍ତୁ ୨୦୨୧ ମସିହାରେ ଦୋଳଯାତ୍ରା ଓ ଚନ୍ଦନଯାତ୍ରା କରାଇବା ପାଇଁ ଆମେମାନେ ପ୍ରଶାସନିକ ଅଧିକାରୀମାନଙ୍କୁ ନିବେଦନ କରିଥିଲୁ। ତେବେ ମହାପ୍ରଭୁଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ମସିହାରେ ଦୋଳଯାତ୍ରା ଓ ଚନ୍ଦନଯାତ୍ରା ବିନା ଭକ୍ତରେ କରାଯାଇଥିବା ଆମେ ଅନୁଭବ କରିଥିଲୁ। ମାତ୍ର ଦଶ ଜଣ ମହାଜନ ସେବକଙ୍କୁ ନେଇ ୨୧ ଦିନ ଯାକ ଚନ୍ଦନଯାତ୍ରା କରିବା ପାଇଁ ପ୍ରତିଶ୍ରୁତି ଦେବାରେ ପ୍ରଶାସନ ରାଜି ହୋଇଥିଲା। ଫଳରେ ସେବର୍ଷ ସୁରୁଖୁରୁରେ ଶ୍ରୀଜୀଉମାନଙ୍କର ଚନ୍ଦନଯାତ୍ରା ପରିଚାଳନା କରାଯାଇପାରିଥିଲା। ଏହା ମହାପ୍ରଭୁଙ୍କ ଇଛାରେ ହୋଇଥିବା ଆମେ ଅନୁଭବ କରିଥିଲୁ।

ସମ୍ବନ୍ଧିତ ଖବର