ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ପ୍ରତିବର୍ଷ ୭,୦୦,୦୦୦ରୁ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରନ୍ତି। ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ୧,୬୪,୦୩୩ ଆତ୍ମହତ୍ୟା ରିପୋର୍ଟ ହୋଇଥିଲା। ଦୁନିଆର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ଭାରତର ଅଂଶ ବିଶ୍ୱରେ ଆତ୍ମହତ୍ୟା ଅଧିକ ହେବାର ଆଶଙ୍କା ରହିଛି। ତେବେ ଭାରତରେ ଆତ୍ମହତ୍ୟା ମୃତ୍ୟୁହାର ଯଥେଷ୍ଟ ଅଧିକ, ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା କ୍ରମାଗତ ବୃଦ୍ଧି ପାଉଛି। ଲାନ୍‌ସେଟ୍ ଓ ଅନ୍ୟାନ୍ୟ ବିଭିନ୍ନ ସଂଗଠନର ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ରିପୋର୍ଟରେ ଦର୍ଶାଯାଇଛି ବିଶ୍ୱର ସଂଗଠିତ ହୋଇଥିବା ଆତ୍ମହତ୍ୟାରେ ଭାରତର ଅବଦାନ ୧୯୯୦ରେ ୨୫.୩%ରୁ ୨୦୧୬ରେ ୩୬.୬%କୁ ବୃଦ୍ଧି ପାଇଛି। ଯଦି ଆମେ ଭାରତର ଆର୍ଥିକ ପ୍ରଗତିର ବିକଶିତ ରାଜ୍ୟ ସମୂହକୁ ଦେଖିବା ତେବେ ପଛୁଆ ରାଜ୍ୟରେ ମହିଳା ଆତ୍ମହତ୍ୟା ଅଧିକ ଘଟୁଛି ବୋଲି ‘ଏନ୍‌ସିଆର୍‌ବି’ ରିପୋର୍ଟରୁ ଜଣାପଡୁଛି। ୨୦୨୦-୨୧ ରିପୋର୍ଟ ଆଧାରରେ ମହିଳା ଆତ୍ମହତ୍ୟାରେ ସିକିମ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ସ୍ଥାନ ୧୪ରେ ରହିଥିଲା।

Advertisment

ବିଶିଷ୍ଟ ମନସ୍ତତ୍ତ୍ବବିତ୍‌ ଡାକ୍ତର ଗୀତା ଦାସ କହନ୍ତି, “ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ଆତ୍ମହତ୍ୟା ନିରୋଧ ମାସ ଭାବେ ପାଳନ କରାଯାଇଆସୁଛି। ଏହି ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା ତେବେ ସମଗ୍ର ପୃଥିବୀରେ ମହିଳା ଆତ୍ମହତ୍ୟା ଯେପରି ବଢ଼ି ଚାଲିଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିନ୍ତୁ ଭାରତରେ ମହିଳା ଆତ୍ମହତ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଏହାର ନିରାକରଣ ପାଇଁ ବର୍ତ୍ତମାନ ଅନେକ ବିଶେଷଜ୍ଞ ଓ ମନସ୍ତତ୍ତ୍ବବିତ୍‌ମାନେ ଗଭୀର ଅନୁଧ୍ୟାନ କରୁଛନ୍ତି। ବିଶ୍ୱର ପ୍ରାୟ ସ୍ଥାନରେ ମାନସିକ ରୋଗୀ ଓ ଚିକିତ୍ସାକୁ ଆମେ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଉ। ଯଦି ପ୍ରଥମରୁ ଏହାର ଚିକିତ୍ସା କରାଯାଆନ୍ତା ତେବେ ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଜଣକ ହୁଏତ ଆତ୍ମହତ୍ୟା ନକରି ଜଣେ ଭଲ ମଣିଷ ଭାବେ ବଞ୍ଚି ପାରିଥା’ନ୍ତା। ଆମେ ଜାଣିରଖିବା ଦରକାର, ଆମେମାନେ ହିଁ ସେହି ବ୍ୟକ୍ତିର ସବୁ ନାଗରିକ ଅଧିକାରକୁ ହନନ କରୁଛେ ଏବଂ ଏଥିପାଇଁ ଆମେ ଅପରାଧୀ ହୋଇ ରହିଛେ”।    

ଚଳିତ ବର୍ଷାଋତୁରେ କେବଳ ଜୁଲାଇ ଓ ଅଗଷ୍ଟ ମାସରେ ଏକାଧିକ ମହିଳା କାଠଯୋଡ଼ି ଓ ମହାନଦୀ ବ୍ରିଜ୍‌ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ହୁଏତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏହା ନିଶ୍ଚିତ ଯେ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରହିଛି। ସାମଜିକ ତାଡ଼ନା, ପାରିବାରିକ କଳହ, କୌଣସି କାରଣରୁ ନିରାଶା ଭାବ, ପାଠପଢ଼ା କିମ୍ବା ପ୍ରେମରେ ବ୍ୟର୍ଥତା ଭଳି ଘଟଣା ବିଭିନ୍ନ ସମୟରେ ଜଣେ ବ୍ୟକ୍ତିକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଗୋଟିଏ ଦିନରେ ଆତ୍ମହତ୍ୟାର ନିଷ୍ପତ୍ତି ନିଏ ନାହିଁ। ଯେତେବେଳେ ତା’ର ଅବସାଦଜନିତ ରୋଗ ଆରମ୍ଭ ହେବ ସେତେବେଳେ ତା’ ହାବଭାବରେ ପରିବର୍ତ୍ତନ ଆସିବ। ତା’ ଆଚାରବ୍ୟବହାର ପରିବର୍ତ୍ତନକୁ ଯଦି ପରିବାର କିମ୍ବା ବନ୍ଧୁବାନ୍ଧବ ଲକ୍ଷ୍ୟକରି ପ୍ରଥମରୁ ଚିକିତ୍ସା କରିବେ ତେବେ ବ୍ୟକ୍ତିଟି ଆତ୍ମହତ୍ୟାରୁ ବଞ୍ଚିଯିବ। ଏ କ୍ଷେତ୍ରରେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦେବା ଜରୁରି, କାରଣ ମାତ୍ର କିଛିଦିନର ଅବସାଦରେ ମହିଳା ଆତ୍ମହତ୍ୟା ନିଷ୍ପତ୍ତି ଖୁବଶୀଘ୍ର ନେଇଯାଏ, ବୋଲି ଡାକ୍ତର ଦାସ କହନ୍ତି।

ଆଜିର ଦିନରେ ମାନସିକ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ଆହ୍ୱାନ ବିଷୟରେ ଆଲୋଚନା କରି ସଚେତନ ହେଲେ ଆତ୍ମହତ୍ୟାକୁ ନିୟନ୍ତ୍ରଣ କରିପାରିବା। ସମାଜ ଓ ପରିବାରରେ କିଛି ଘଟଣା ଆମକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆଘାତ ଦେଇଥାଏ। ଏସବୁକୁ ହାଲୁକା ଭାବେ ଗ୍ରହଣ କରିବା ଜରୁରି ଏବଂ ପରସ୍ପର ପ୍ରତି ଦୃଷ୍ଟି ଦେବା ଉଚିତ। ଯଦି ଜଣାପଡ଼େ ଆମର କେହି ନିକଟ ସମ୍ପର୍କୀୟ, ପରିବାରର ସଦସ୍ୟ କିମ୍ବା ବନ୍ଧୁ ଅବସାଦର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନ ଯୋଗାଇ ଦେବା ଆବଶ୍ୟକ ଯେଉଁଠାରେ ସେମାନେ ସେମାନଙ୍କ ମନର ପ୍ରତିକ୍ରିୟା ଓ ସଂଘର୍ଷ ବିଷୟରେ ଖୋଲାଖୋଲି ଭାବେ କହିପାରିବେ। ଆମେ ଏକାଠି ମିଶି ପାର୍ଥକ୍ୟ ଓ ବିଭେଦ ଦୂର କରିପାରିବା ସହିତ ବୁଝାମଣା, ସହାନୁଭୂତି ଓ ସମର୍ଥନର ସଂସ୍କୃତିକୁ ପ୍ରୋତ୍ସାହିତ କରିପାରିବା। ଏଣୁ ଅବସାଦଗ୍ରସ୍ତ ମାନସିକ ରୋଗୀଙ୍କୁ ଯଥେଷ୍ଟ ଭଲପାଇବା ଓ ଆନ୍ତରିକତା ଦେଖାନ୍ତୁ। ସେମାନଙ୍କ କଥା ଶୁଣନ୍ତୁ ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତୁ ତଥା ସମର୍ଥନ କରନ୍ତୁ। ସେମାନଙ୍କୁ ଗମ୍ଭୀରତାର ସହ ଗ୍ରହଣ କରିବା ଏବଂ ଅବହେଳା ନକରି ବୃତ୍ତିଗତ ସହାୟତା ପାଇବାକୁ ଉତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋ ମତରେ ଆମେମାନେ ସେହି ମାନସିକ ରୋଗୀପ୍ରତି କୌଣସି ସମୟରେ ସାମାନ୍ୟତମ ବିଚାରଶୀଳ ହେବା କିମ୍ବା ପ୍ରତିକ୍ରିୟା ପ୍ରକାଶ କରିବା ଅନୁଚିତ। ଯଦି ଏପରି ହୁଏ ତେବେ ବିଶେଷତଃ ମହିଳା ରୋଗୀ ଅଧିକ ଗୁରୁତର ହୁଅନ୍ତି ଏବଂ ଆତ୍ମହତ୍ୟାର ନିଷ୍ପତ୍ତି ଅତି ଶୀଘ୍ର ନେଇ ତାକୁ କାର୍ଯ୍ୟକାରୀ କରିଦିଅନ୍ତି। ମହିଳାମାନେ ଅଧିକ ସହନଶୀଳ ଓ ସମ୍ବେଦନଶୀଳ ଏହା ଆମେ ଭୁଲିଯିବା ଉଚିତ ନୁହେଁ।

ଅତ୍ୟଧିକ ମୁଡ୍‌ ସୁଇଙ୍ଗ୍‌ କିମ୍ବା ଆଚରଣରେ ହଠାତ୍‌ ପରିବର୍ତ୍ତନ, ପରିବାର ଓ ସାଙ୍ଗସାଥୀମାନଙ୍କଠୁ ନିଜକୁ ଦୂରେଇ ରଖିବା ତଥା ଚୁପ୍‌ଚାପ୍‌, ଏକୁଟିଆ ଓ ନିରାଶାରେ ରହିବା,  ନିଜକୁ ନିଜେ ଏକ ବଡ଼ ବୋଝ ତଥା ଅଦରକାରୀ ବୋଲି କହିହେବା ଓ ଭାବିବା, ଅତିମାତ୍ରାରେ ବେପରୁଆ ଆଚରଣ ପ୍ରଦର୍ଶନ କରିବା ସହିତ ଏହା କ୍ରମଶଃ ବୃଦ୍ଧି ପାଇବା, ହଠାତ୍‌ ସମସ୍ତଙ୍କୁ ‘ଆଉ ବେଶିଦିନ ନୁହେଁ, ଦେଖାଯାଉ କ’ଣ ହେଉଛି’ ଭଳି ଶବ୍ଦ କଥାକଥାକେ କହିବା, ଅନ୍ୟମନସ୍କ ରହିବା ଏବଂ ମୁହଁରେ ଏକପ୍ରକାର ଭିନ୍ନ ଖୁସିର ଭାବଭଙ୍ଗୀ ଜାହିର କରି ସମସ୍ତଙ୍କୁ ‘ଗୁଡ୍‌ ବାଏ’ ଭଳି ଶୁଭେଚ୍ଛା ଜଣାଇବା ସତେ ଯେପରି ସେମାନଙ୍କ ସହିତ ଆଉ ଦେଖାହେବନି; ଯଦି ଆପଣ ଏହିସବୁ ଲକ୍ଷଣ କୌଣସି ବ୍ୟକ୍ତିଠାରେ ନିଜର ପରିସରରେ ଦେଖୁଛନ୍ତି ତେବେ ଯଥାଶୀଘ୍ର ମନୋବିଜ୍ଞାନୀ କିମ୍ବା ମାନସିକ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସା କରିଲେ ଗୋଟିଏ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ ଏବଂ ସମାଜରୁ ମାନସିକ ବିକାର ଦୂରହୋଇ ଏକ ସୁସ୍ଥ ସମାଜ ଗଠନ ହେବ ବୋଲି ଡାକ୍ତର ଗୀତା ଦାସ କହିଛନ୍ତି।