କ୍ୟାର୍ଲିନ୍ ଏଲିଜାବେଥ୍ ସାରା ନର୍ଟନ୍ ୧୮୦୮ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ଇଂଲଣ୍ଡର ଏକ ଆଭିଜାତ୍ୟ ସଂପନ୍ନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଏକାଧାରରେ ଜଣେ ଅଭିନେତା, ସୈନ୍ୟ ଓ ଔପନିବେଶିକ ପ୍ରଶାସକ ଥିଲେ ଏବଂ ୧୮୧୭ ମସିହାରେ ଦକ୍ଷିଣ ଆଫ୍ରିକାରେ କଲୋନିଆଲ୍ ସେକ୍ରେଟାରି ଭାବରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। ବାପାଙ୍କ ମୃତ୍ୟୁପରେ ଭୀଷଣ ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ତାଙ୍କ ପରିବାର ଜେଜେବାପାଙ୍କର ଜଣେ ବନ୍ଧୁଙ୍କ ସହଯୋଗ ଫଳରେ ଚଳୁଥିଲେ। କ୍ୟାରଲିନ୍ଙ୍କର ଦୁଇ ଭଉଣୀଙ୍କ ବିବାହ ତତ୍କାଳୀନ ଦୁଇ ବିଖ୍ୟାତ ବ୍ୟକ୍ତିଙ୍କ ସହ ହୋଇଥିଲା ଏବଂ ୧୮୨୭ ମସିହାରେ ୧୯ବର୍ଷ ବୟସରେ ଇଚ୍ଛା ବିରୋଧରେ କ୍ୟାର୍ଲିନ୍ଙ୍କ ବିବାହ ଜର୍ଜ ଚାପେଲ୍ ନର୍ଟନ୍ଙ୍କ ସହ ହୋଇଥିଲା। ଜର୍ଜ ଜଣେ ବାରିଷ୍ଟର ତଥା ଗିଲଫୋର୍ଡ ପାର୍ଲିଆମେଣ୍ଟର ସଦସ୍ୟ ଥିଲେ। କ୍ୟାର୍ଲିନ୍ଙ୍କ ବୈବାହିକ ଜୀବନରେ ସୁଖ ନ ଥିଲା। ବାରିଷ୍ଟର ଭାବରେ ଅସଫଳତା ତାଙ୍କ ସ୍ୱାମୀଙ୍କୁ ଅଧିକ ହିଂସ୍ର କରିଦେଇଥିଲା। ନିଶାଗ୍ରସ୍ତ ଅବସ୍ଥାରେ ପ୍ରତିଦିନ ଘରକୁ ଫେରିବା ପରେ କ୍ୟାର୍ଲିନ୍ଙ୍କୁ ପ୍ରଚୁର ମାରପିଟ୍ କରୁଥିଲେ। ଅପରପକ୍ଷରେ କ୍ୟାର୍ଲିନ୍ ତାଙ୍କର ସୌନ୍ଦର୍ଯ୍ୟ, ଯୋଗ୍ୟତା ଓ ରାଜନୈତିକ ଯୋଗାଯୋଗକୁ କାମରେ ଲଗାଇ ସମାଜର ସମ୍ଭ୍ରାନ୍ତ ଶ୍ରେଣୀରେ ନିଜକୁ ପ୍ରତିଷ୍ଠିତ କରିଥିଲେ। କ୍ୟାର୍ଲିନ୍ଙ୍କ ଉଦାର ମାନସିକତା, ସୁନ୍ଦର କଥାବାର୍ତ୍ତା, ଲୋକଙ୍କ ସହିତ ମିଳାମିଶା ଫଳରେ ଊନବିଂଶ ଶତକର ଏଲିଟ୍ ସୋସାଇଟିରେ ଯେମିତି ତାଙ୍କର ଅନେକ ବନ୍ଧୁ ହୋଇଥିଲେ ଠିକ୍ ସେହିପରି ଅନେକ ଶତ୍ରୁ ମଧ୍ୟ ସୃଷ୍ଟି ହୋଇଥିଲେ। ସେହି ଶତ୍ରୁମାନଙ୍କ ଭିତରେ ତାଙ୍କ ସ୍ବାମୀ ମଧ୍ୟ ଥିଲେ।
ସ୍ବାମୀଙ୍କ ଅତ୍ୟାଚାର ଓ ଦୁଃଖକୁ ଭୁଲିବା ପାଇଁ କ୍ୟାର୍ଲିନ୍ ଲେଖାଲେଖିରେ ନିଜକୁ ବୁଡ଼ାଇ ରଖୁଥିଲେ। ୧୮୨୯ ମସିହାରେ ତାଙ୍କର ଦି ସରୋଜ୍ ଅଫ୍ ରୋଜେଲି ପୁସ୍ତକ ଏବଂ ୧୮୩୦ ମସିହାରେ ଦି ଅନ୍ଡାଇଙ୍ଗ୍ ୱାନ୍ ପୁସ୍ତକ ପ୍ରକାଶ ପାଇଥିଲା। ଏହାପରେ ସେ ଲା ବେଲ୍ ଆସେମ୍ବଲ୍ ଓ କୋର୍ଟ ମାଗାଜିନ୍ର ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ। କ୍ୟାର୍ଲିନ୍ଙ୍କ ରାଜନୈତିକ ଯୋଗାଯୋଗକୁ ଅବଲମ୍ବନ କରି ଜର୍ଜ ୧୮୩୧ ମସିହାରେ ମେଟ୍ରୋପଲିଟାନ୍ ପୁଲିସ ମାଜିଷ୍ଟ୍ରେଟ୍ ହୋଇଥିଲେ ଅଥଚ ସ୍ତ୍ରୀଙ୍କ ପ୍ରତି ତାଙ୍କର ଅତ୍ୟାଚାର ଆଦୌ କମ୍ ହୋଇନଥିଲା।
କ୍ୟାର୍ଲିନ୍ ୪ଟି ସନ୍ତାନର ଜନନୀ ହୋଇଥିଲେ। ସ୍ବାମୀଙ୍କ ଅପମାନ, ଅତ୍ୟାଚାର ସହ୍ୟ କରି ନପାରି ସେ ୧୮୩୬ ମସିହାରେ ଜର୍ଜଙ୍କୁ ତ୍ୟାଗକରି ଚାରି ପୁତ୍ରଙ୍କୁ ସାଥିରେ ନେଇ ଅଲଗା ରହିଲେ। ସନ୍ତାନମାନଙ୍କର ଭରଣପୋଷଣ ପାଇଁ କ୍ୟାର୍ଲିନ୍ ଲେଖାକୁ ପେସା କଲେ। କିନ୍ତୁ ତତ୍କାଳୀନ ବ୍ରିଟିସ୍ ଆଇନ ଅନୁସାରେ ସ୍ତ୍ରୀ ଉପାର୍ଜନରେ ସ୍ବାମୀର ହିଁ ଅଧିକାର ଅଛି ବୋଲି କ୍ୟାର୍ଲିନ୍ଙ୍କ ସମସ୍ତ ଉପାର୍ଜନ ଜର୍ଜ ଛଡ଼ାଇ ନେଉଥିଲେ। କେବଳ ସେତିକି ନୁହେଁ ତତ୍କାଳୀନ ବ୍ରିଟିସ୍ ଆଇନ ବଳରେ ଜର୍ଜ କ୍ୟାର୍ଲିନ୍ଙ୍କ ଚାରି ପୁତ୍ରଙ୍କୁ ମଧ୍ୟ ଛଡ଼ାଇ ନେଇଥିଲେ। କ୍ୟାର୍ଲିନ୍ ଯେମିତି ପୁଅମାନଙ୍କ ସହିତ ସାକ୍ଷାତ କରି ନପାରିବେ, ସେଥିପାଇଁ ପୁଅମାନଙ୍କୁ ଜର୍ଜ ୟାର୍କଶାୟାରକୁ ପଠାଇ ଦେଇଥିଲେ। ଏହାପରେ ଜର୍ଜ କ୍ୟାର୍ଲିନ୍ଙ୍କ ବିରୋଧରେ ବ୍ୟଭିଚାରର ଅଭିଯୋଗ କରି ଅଦାଲତରେ ମାମଲା ଦାୟର କରିଥିଲେ। ଯୁଗେ ଯୁଗେ ନାରୀକୁ ଅପମାନିତ କରିବାର ସହଜତମ ଉପାୟ ହେଉଛି ନାରୀର ଚରିତ୍ର ସଂହାର, ଜର୍ଜ ମଧ୍ୟ ସେହି ଉପାୟକୁ ଆପଣେଇ ନେଇଥିଲେ। ସେ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, କ୍ୟାର୍ଲିନ୍ ତାଙ୍କର ବନ୍ଧୁ, Whigର ପ୍ରଧାନମନ୍ତ୍ରୀ ଲର୍ଡ ମେଲ୍ବର୍ଣ୍ଣଙ୍କ ସହିତ ଅନୈତିକ ସମ୍ପର୍କରେ ଜଡ଼ିତ। ତେଣୁ କ୍ଷତିପୂରଣ ସ୍ବରୂପ ମେଲ୍ବର୍ଣ୍ଣ ତାଙ୍କୁ ଦଶହଜାର ଡଲାର୍ ପ୍ରଦାନ କରିବାକୁ ଅଦାଲତ ଆଦେଶ ଦିଅନ୍ତୁ।
ଏହି ମାମଲା ଫଳରେ କ୍ୟାର୍ଲିନ୍ ଓ ମେଲ୍ବର୍ଣ୍ଣଙ୍କର ଯଥେଷ୍ଟ ଦୁର୍ନାମ ହୋଇଥିଲା। କ୍ୟାର୍ଲିନ୍ ଓ ମେଲ୍ବର୍ଣ୍ଣଙ୍କର ବନ୍ଧୁତା ମଧ୍ୟ ଭାଙ୍ଗିଗଲା। ଅବଶ୍ୟ ବିଚାରରେ କ୍ୟାର୍ଲିନ୍ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ପରାଜିତ ଜର୍ଜ ଅଧିକ ହିଂସ୍ର ହୋଇ ପଡ଼ିଥିଲେ। ୧୮୩୬ ମସିହା ପର୍ଯ୍ୟନ୍ତ ବ୍ରିଟିସ୍ ଆଇନ ଅନୁଯାୟୀ ସନ୍ତାନମାନଙ୍କ ଉପରେ ମା’ର କୌଣସି ଅଧିକାର ନଥିଲା ଏବଂ ସ୍ତ୍ରୀ ସ୍ବାମୀ ବିରୋଧରେ ବିବାହ ବିଚ୍ଛେଦ ପାଇଁ ଅଧିକାର ପାଇ ପାରୁନଥିଲେ। ତେଣୁ ଆଇନର ଆଳରେ ଜର୍ଜ କ୍ୟାର୍ଲିନ୍ଙ୍କଠାରୁ ତାଙ୍କର ସନ୍ତାନମାନଙ୍କୁ ଦୂରେଇ ରଖିବାକୁ ସକ୍ଷମ ହୋଇଥିଲେ।
କ୍ୟାର୍ଲିନ୍ଙ୍କୁ ଇଂଲଣ୍ଡର ପ୍ରଥମ ନାରୀବାଦୀ ଆଇନ ନିର୍ମାତା କୁହାଯାଏ। ଏକବିଂଶ ଶତାବ୍ଦୀ କ୍ୟାର୍ଲିନ୍ଙ୍କୁ ଭୁଲି ଯାଇଥିଲେ ମଧ୍ୟ ତାଙ୍କ ଜୀବନ ଯୁଦ୍ଧରେ ଏକକ ସଂଗ୍ରାମର ଫଳସ୍ବରୂପ ଯେଉଁ ଆଇନସବୁ ଗୃହୀତ ହୋଇଥିଲା ତାହା ନାରୀମାନଙ୍କର ଆଇନ ସୁରକ୍ଷା କ୍ଷେତ୍ରରେ ଯେ ଐତିହାସିକ ବିଜୟ ତାହା ଅନସ୍ବୀକାର୍ଯ୍ୟ
କ୍ୟାର୍ଲିନ୍ଙ୍କ ସାନପୁଅ ଉଇଲିୟମ୍ ଘୋଡ଼ା ଉପରୁ ପଡ଼ି ଆହତ ହୋଇଥିଲେ ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ଆଘାତ ସ୍ଥାନରେ ବ୍ଲଡ୍ ପଏଜନିଂ ହୋଇ ତାଙ୍କର ମୃତ୍ୟୁ ହେଇଥିଲା। ସାନ ପୁଅର ମୃତ୍ୟୁପରେ ତାଙ୍କ ସହିବାର ସୀମା ଅତିକ୍ରମ ହୋଇଗଲା। ସେ ପ୍ରଥମେ ସମାଜର ଶିକ୍ଷିତ ବର୍ଗଙ୍କ ନିକଟରେ ଜଣେ ଦୁଃଖିନୀ ମା’ର ପ୍ରତିଭୂସ୍ବରୂପ ଆବେଦନ ଜଣାଇଲେ ଏକ ପାମ୍ପଲେଟ୍ ମାଧ୍ୟମରେ। ତାଙ୍କର ପ୍ରଥମ ପାମ୍ପଲେଟ୍ ୧୮୩୭ ମସିହାରେ Observation on the Natural Claims of a Mother to the Custody her Children as Affected by Common Law Right of the father ଶୀର୍ଷକରେ ପ୍ରକାଶ ପାଇଥିଲା। ଏଥିରେ ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ଅନ୍ତତଃ ୭ବର୍ଷ ବୟସ ଯାଏ ଶିଶୁମାନେ ମା’ ପାଖରେ ରହିବା ଉଚିତ। ଏହାପରେ ସନ୍ତାନମାନେ କାହା ପାଖରେ ରହିବେ ତାହା ମାନ୍ୟବର ଅଦାଲତ ସ୍ଥିର କରିବେ। କ୍ୟାର୍ଲିନ୍ଙ୍କର ଦ୍ବିତୀୟ ପାମ୍ପଲେଟ୍ର ଶୀର୍ଷକ ଥିଲା- The separation of mother and child by the Law of Custody of Infant। ଏହିପରି ଭାବରେ ଲଗାତାର ସ୍ବାମୀଙ୍କ ଦ୍ବାରା ନିର୍ଯାତନାର କାହାଣୀ ସେ ଜନସାଧାରଣଙ୍କୁ ଜଣାଇବାକୁ ଲାଗିଲେ। ୧୮୩୭ ମସିହା, ତଥାପି ପୃଥିବୀର ସଭ୍ୟ ଜାତି ଭାବରେ ପରିଚିତ ବ୍ରିଟିସ୍ ଆଇନର କ୍ଷମତା ନଥିଲା ଯେ, ଯଦି ସ୍ତ୍ରୀ ସ୍ବାମୀ ଦ୍ବାରା ଅତ୍ୟାଚାରିତା କିମ୍ବା ବିତାଡ଼ିତା ହୁଏ, ମା’ ତା’ର ସନ୍ତାନମାନଙ୍କୁ ଦେଖା କରିପାରିବେ। ବ୍ରିଟିସ୍ ଆଇନର ଏହି ଦୁର୍ବଳତା ସମ୍ପର୍କରେ ସେ ଦୃଢ଼ ଭାବରେ ଲେଖିଥିଲେ- ବ୍ରିଟିସ୍ ଆଇନ ମା’ମାନଙ୍କ ଅପେକ୍ଷା ବାପାମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛି। ଏହି ଆଇନର ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ଏହିପରି ଭାବେ କ୍ୟାର୍ଲିନ୍ ନିଜର ଲେଖା ମାଧ୍ୟମରେ ଏକା ଏକା ସଂଗ୍ରାମ ଜାରି ରଖିଥିଲେ। ଧୀରେ ଧୀରେ ତାଙ୍କର ଏହି ଆନ୍ଦୋଳନକୁ ତାଙ୍କ ବନ୍ଧୁମାନେ ସମର୍ଥନ ଦେବା ଆରମ୍ଭ କରିଦେଲେ। ଶେଷରେ କ୍ୟାର୍ଲିନ୍ ବିଜୟ ହାସଲ କରିଥିଲେ ଏବଂ ବ୍ରିଟିସ୍ ପାର୍ଲିଆମେଣ୍ଟର ଉଭୟ ହାଉସ୍ରେ Infant Custody Bill ଗୃହୀତ ହେଲା ଏବଂ ୧୮୩୯ ମସିହାରେ ଆଇନ ହିସାବରେ କାର୍ଯ୍ୟକାରୀ ହୋଇଥିଲା।
କ୍ୟାର୍ଲିନ୍ଙ୍କ ଅନବରତ ଆନ୍ଦୋଳନ ଫଳରେ ବ୍ରିଟିସ୍ ପାର୍ଲିଆମେଣ୍ଟରେ ମହିଳାମାନଙ୍କ ପାଇଁ ଆହୁରି ନୂତନ ଆଇନ ପ୍ରଣୟନ କରାଗଲା- Married woman could inherit and bequeath property! ଏହାଫଳରେ ନାରୀମାନେ ଆର୍ଥିକ ନିରାପତ୍ତା ପାଇବା ସହିତ ଅତ୍ୟାଚାରିତା ସ୍ତ୍ରୀମାନଙ୍କୁ ସ୍ବାମୀଙ୍କ ବିରୋଧରେ ମାମଲା ଦାୟର କରିବାର ଅଧିକାର ମଧ୍ୟ ଦିଆଗଲା। କିନ୍ତୁ ଦୁଃଖର ବିଷୟ ଯେ, ଏକଦା କ୍ୟାର୍ଲିନ୍ଙ୍କ ବନ୍ଧୁ Whigର ପ୍ରଧାନମନ୍ତ୍ରୀ ମେଲ୍ବର୍ଣ୍ଣ ଓ ରାଣୀ ଭିକ୍ଟୋରିଆ ଏହି ଆନ୍ଦୋଳନ ବିରୋଧରେ ଥିଲେ। ଏପରିକି ରାଣୀ ଭିକ୍ଟୋରିଆ ନାରୀମାନଙ୍କର ଭୋଟ ଦାନର ଅଧିକାର ବିରୋଧରେ ମଧ୍ୟ ଥିଲେ। କ୍ୟାର୍ଲିନ୍ଙ୍କ ଆନ୍ଦୋଳନ ଫଳରେ ଏହି ନୂତନ ଆଇନଗୁଡ଼ିକ ବ୍ରିଟିସ୍ ଆଇନ ଅନ୍ତର୍ଭୁକ୍ତ ହୋଇଥିଲା। ୧୮୫୭ ମସିହାରେ ଇଂଲଣ୍ଡରେ Marriage and Divorce Act , ୧୮୭୦ ମସିହାରେ The Married Woman Property Act ଗୃହୀତ ହୋଇଥିଲା। କ୍ୟାର୍ଲିନ୍ କେବଳ ନାରୀମାନଙ୍କ ଅଧିକାର ପାଇଁ ଆନ୍ଦୋଳନ କରିନଥିଲେ, ସେ ବ୍ରିଟିସ ସରକାରଙ୍କ ଶିଶୁଶ୍ରମ ଆଇନ ବିରୋଧରେ ମଧ୍ୟ ପ୍ରତିବାଦ ଜଣାଇଥିଲେ। ଶିଶୁ ଶ୍ରମିକମାନଙ୍କର ସମସ୍ୟା ସମ୍ପର୍କରେ ୧୮୩୬ ମସିହାରେ ତାଙ୍କ ରଚିତ Voice from the Factories ପୁସ୍ତକଟି ପ୍ରକାଶ ପାଇଥିଲା। ୧୮୭୭ ମସିହା ଜୁନ୍ ମାସ ୧୫ ତାରିଖ ଦିନ କ୍ୟାର୍ଲିନ୍ଙ୍କ ମୃତ୍ୟୁ ହୋଇଥିଲା।
ଉପସ୍ଥାପନା- ପ୍ରଦୀପ କୁମାର ରାୟ
ମୋ- ୯୪୩୭୫୩୪୭୭୩