ଫିଲିପିନୀୟ ଦୈତ୍ୟ: କାପ୍ରି

କାପ୍ରି ହେଉଛି ଫିଲିପିନୀୟ କିଂବଦନ୍ତି ବର୍ଣ୍ଣିତ ଦୈତ୍ୟ। ଗଛ ହେଉଛି କାପ୍ରିର ବାସସ୍ଥାନ। ଫିଲିପିନୀୟମାନେ କାପ୍ରିକୁ ମଣିଷ ଭାବେ କଳ୍ପନା କରିଛନ୍ତି। କାପ୍ରି ମାତ୍ରକେ ହିଁ ପୁରୁଷ; କେଉଁଠି ସ୍ତ୍ରୀ କାପ୍ରିର ଉଲ୍ଲେଖ ନାହିଁ। ତାହାର ବର୍ଣ୍ଣ ବାଦାମୀ, ଶରୀର ଲୋମଶ ଏବ˚ ସେ ଶ୍ମଶ୍ରୁଧାରୀ। କାପ୍ରିର ଉଚ୍ଚତା ସାତ ଫୁଟ୍‌ ନଅ ଇଞ୍ଚ୍‌। ସେ ବିଶାଳ ଚିଲମରେ ଧୂମପାନ କରିବାକୁ ପସନ୍ଦ କରେ। ଧୂମ ଗନ୍ଧରୁ ଫିଲିପିନୀୟମାନେ କାପ୍ରିର ଉପସ୍ଥିତି ଠଉରାଇପାରନ୍ତି।

‘କାପ୍ରି’ ଶବ୍ଦଟି ‘କାଫେର’ ଶବ୍ଦରୁ ଆସିଥାଇପାରେ। ଅରବୀ ଓ ମୁର‌୍‌ମାନେ କଳା ବା ବାଦାମୀ ବର୍ଣ୍ଣର ଅଣ-ମୁସଲମାନମାନଙ୍କୁ ‘କାଫେର’ କହୁଥିଲେ। ମୁର‌୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ପାନିସ୍‌ମାନେ ସେହି ଶବ୍ଦଟିକୁ ଗ୍ରହଣ କରିଥିଲେ। ସ୍ପାନିସ୍‌ମାନଙ୍କ ଜରିଆରେ ଫିଲିପିନୀୟମାନେ ସେହି ଶବ୍ଦଟିକୁ ଶିଖିଥିବା ବିଶ୍ବାସ କରାଯାଏ। ଚାକୁଣ୍ତା, ଆମ୍ବ, ବାଉଁଶ ଓ ବର ଗଛ କାପ୍ରିର ପ୍ରିୟ ସ୍ଥାନ। ସେ ଗଛ ମୂଳେ ବସିବାକୁ ଭଲପାଏ। କାପ୍ରି ଉତ୍ତର ଫିଲିପିନୀୟମାନେ ପିନ୍ଧୁଥିବା ଲେଙ୍ଗୁଟି ଜାତୀୟ ବସ୍ତ୍ର ପିନ୍ଧେ। ସ୍ଥାନୀୟ ଭାଷାରେ ତାହାକୁ ‘ବାହଗ୍‌’ କହାଯାଏ। ପୁଣି, ସେ ଅଣ୍ଟାରେ କମରପଟି ମଧୢ ଭିଡ଼ିଥାଏ। କମରପଟି ଯୋଗୁଁ ସେ ମଣିଷକୁ ଦିଶେନାହିଁ। କାପ୍ରି ମଣିଷଙ୍କର କୌଣସି କ୍ଷତି କରେନାହିଁ। ଏକୁଟିଆ ମଣିଷ ପାଇଲେ ‘ସଙ୍ଗାତ’ ହେବା ପାଇଁ ପ୍ରସ୍ତାବ ଦିଏ। ଥରେ ବନ୍ଧୁ ହୋଇଗଲେ, ତା’କୁ ଦେଖିହୁଏ।

କାପ୍ରି ବେଳେବେଳେ ଗମାତ ପାଇଁ ଲୋକଙ୍କୁ ହଇରାଣ କରେ। ପବନ ନ ଥାଇ ଗଛ ହଲିଲେ ବା ମଣିଷ ନ ଥାଇ ହସ ଶୁଭିଲେ ବା ଗଛ ଉପରେ ଧୂମ ଦିଶିଲେ ବା ଗୋଟିଏ ସ୍ଥାନରେ ମେଞ୍ଚାଏ ଖଦ୍ୟୋତ ଦିଶିଲେ, କାପ୍ରି ଥିବା ଅନୁମାନ କରାଯାଏ।

ସମ୍ବନ୍ଧିତ ଖବର