ଯଦି କୌଣସି ବ୍ୟକ୍ତିଙ୍କର ଜରୁରି ଆବଶ୍ୟକତା ପଡ଼େ କିମ୍ବା ପରିବାର ସହିତ ବୁଲି ଯିବାକୁ ଚାହାନ୍ତି, ତା’ହେଲେ ସେ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ (ପର୍ସନାଲ୍ ଲୋନ) ନେଇ ପାରିବେ। ବ୍ୟକ୍ତିଗତ ଋଣ ଆବେଦନ ବେଳେ, ଆପଣ ଏହି ଅର୍ଥ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିବେ ବୋଲି ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ସଂସ୍ଥାକୁ ଜଣାଇବାକୁ ପଡ଼େ ନାହିଁ। ଯଦିଓ ଏହି ଋଣର ଅନେକ ଭଲ ଦିଗ ଅଛି, କିନ୍ତୁ ଏମିତି କିଛି ଭ୍ରାନ୍ତି ଅଛି ଯାହା ଲୋକମାନଙ୍କୁ ବ୍ୟକ୍ତିଗତ ଋଣ ନେବାରୁ ରୋକିଥାଏ। ସେଭଳି କେତେକ ସାଧାରଣ ଭ୍ରାନ୍ତି ବିଷୟରେ ଜାଣିବା।
‘ବ୍ୟକ୍ତିଗତ ଋଣ କେବଳ ଜରୁରି ପରିସ୍ଥିତି ପାଇଁ ଦିଆଯାଏ’
ଏହି ବର୍ଗର ଋଣ ସଂପର୍କରେ ଏକ ସାଧାରଣ ଭ୍ରାନ୍ତି ହେଲା ବ୍ୟକ୍ତିଗତ ଋଣ କେବଳ ଚିକିତ୍ସା ସମ୍ବନ୍ଧୀୟ କାରଣ କିମ୍ବା ଅନ୍ୟାନ୍ୟ ଜରୁରି ପରିସ୍ଥିତି ପାଇଁ ଦିଆଯାଏ। ଯଦିଓ ବ୍ୟକ୍ତିଗତ ଋଣ ଏହିସବୁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ, କିନ୍ତୁ ଏହାର ସୀମା କେବଳ ଏତିକି ନୁହେଁ। ଘର ନବୀକରଣ, ବିବାହ କିମ୍ବା ଅନ୍ୟାନ୍ୟ ପାରିବାରିକ ଅନୁଷ୍ଠାନ, ପରିବାର ସହିତ ଭ୍ରମଣ, ଶିକ୍ଷା ଖର୍ଚ୍ଚ, ନୂଆ କିମ୍ବା ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି କିଣିବା, ନୂଆ ବ୍ୟବସାୟ ଆରମ୍ଭ କରିବା ଆଦି କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଋଣ କରାଯାଇପାରେ।
‘ଋଣ ପାଇଁ ୭୫୦+ କ୍ରେଡିଟ୍ ସ୍କୋର୍ ଅତ୍ୟାବଶ୍ୟକ’
ଏ ସଂପର୍କିତ ଅନ୍ୟ ଏକ ଅନ୍ୟ ଭ୍ରାନ୍ତି ହେଲା, ବ୍ୟକ୍ତିଗତ ଋଣ ପାଇଁ ୭୫୦ରୁ ଅଧିକ କ୍ରେଡିଟ୍ ସ୍କୋର୍ ଅନିବାର୍ଯ୍ୟ। ଋଣ ଲାଗି ଏକ ଉଚ୍ଚ କ୍ରେଡିଟ୍ ସ୍କୋର (୭୫୦+) ନିଶ୍ଚୟ ଉପକାରୀ ହୁଏ, କିନ୍ତୁ ଏହା ଅନିବାର୍ଯ୍ୟ ନୁହେଁ। ଅନେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଏମିତି ଲୋକମାନଙ୍କୁ ବି ବ୍ୟକ୍ତିଗତ ଋଣ ପ୍ରଦାନ କରନ୍ତି, ଯାହାଙ୍କର କ୍ରେଡିଟ୍ ସ୍କୋର୍ ୭୦୦-୭୫୦ ମଧ୍ୟରେ ଥାଏ। କେତେକ ଅବସ୍ଥାରେ ୭୦୦ରୁ କମ୍ ସ୍କୋର ଥିଲେ ମଧ୍ୟ ଋଣ ମିଳିପାରେ।
‘କେବଳ ଚାକିରିଆଙ୍କୁ ବ୍ୟକ୍ତିଗତ ଋଣ ମିଳେ’
ଜଣେ ଚାକିରିଆଙ୍କ ପାଇଁ ବ୍ୟକ୍ତିଗତ ଋଣ ହାସଲ ଅଧିକ ସହଜ ହୋଇଥିଲେ ମଧ୍ୟ, ଆତ୍ମନିଯୁକ୍ତ, ବ୍ୟବସାୟୀ ଓ ଅନ୍ୟାନ୍ୟ ବୃତ୍ତିରେ ଥିବା ବ୍ୟକ୍ତିମାନେ ମଧ୍ୟ ବ୍ୟକ୍ତିଗତ ଋଣ ନେଇପାରିବେ। ମନେ ରଖିବା ଉଚିତ ଯେ ଋଣକୁ ଦାୟିତ୍ବପୂର୍ଣ୍ଣ ଭାବେ ବ୍ୟବହାର କରାଗଲେ ଏହା ଏକ ଉପକାରୀ ଆର୍ଥିକ ସାଧନ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/20/pambcINJUk6WOMuTTR62.jpg)