ନିଜର ଘର ଖଣ୍ଡେ କରିବାକୁ କାହାର ବା ସ୍ବପ୍ନ ନଥାଏ! ତେବେ ଏଥିପାଇଁ ଆବଶ୍ୟକ ଋଣ କ’ଣ ସମସ୍ତେ ନେଇପାରିବେ? ନା ଏଥିପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା କିମ୍ବା ଅନ୍ୟ କିଛି ନିୟମ ରହିଛି କି?
ପ୍ରଥମତଃ ଘର କିଣିବା କିମ୍ବା ନିର୍ମାଣ କରିବାର ପ୍ରକୃଷ୍ଟ ସମୟ କେଉଁଟି ଏବଂ ଋଣ ବୋଝ ବହନ କରିବାର କ୍ଷମତା ସଂପୂର୍ଣ୍ଣ ରୂପେ ଋଣକର୍ତ୍ତାଙ୍କ ଉପରେ ନିର୍ଭର କରେ। ସାଧାରଣତଃ, ୨୫ରୁ ୩୦ ବର୍ଷ ବୟସ ଗୃହ ଋଣ ଆବେଦନ କରିବା ପାଇଁ ସର୍ବୋତ୍ତମ ସମୟ। କାରଣ ଏହି ସମୟରେ ଆପଣ ଯୁବକ, ସକ୍ରିୟ ଓ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥା’ନ୍ତି। ଆପଣଙ୍କର ମାସିକ ଆୟରୁ ଆପଣ ଋଣ ଟଙ୍କା ପରିଶୋଧ କରିପାରିବେ ଏବଂ ୪୦ ବର୍ଷ ବୟସ ଭିତରେ ପୂରା ଋଣ ପରିଶୋଧ ହୋଇଯିବ। ଗୃହ ଋଣ ପାଇଁ ସର୍ବନିମ୍ନ ବୟସସୀମା ହେଉଛି ୧୮ ବର୍ଷ। କମ୍ ବୟସରେ ଋଣ ନେବା ଏକପ୍ରକାର ଲାଭଦାୟକ। କାରଣ ଏହି ସମୟରେ ଅନାବଶ୍ୟକ ଖର୍ଚ୍ଚ ବଢ଼ିଥାଏ। ଋଣ ନେଲେ ଆପଣଙ୍କର ପରିଶୋଧର ଚିନ୍ତା ରହିବ ଏବଂ ଆପଣ ଅଯଥା ଖର୍ଚ୍ଚକୁ ଏଡ଼ାଇବେ। ଯୁବାବସ୍ଥାରେ ଋଣ ଆବେଦନ କଲେ ଆପଣ ଶୁଝିବା ଲାଗି ଦୀର୍ଘ ଅବଧି ପାଇପାରିବେ।
ତେବେ ଗୃହଋଣ ପାଇଁ ଋଣଦାତାଙ୍କର ବିଭିନ୍ନ ବୟସ ସୀମା ଥାଏ। ଅନେକ ଋଣଦାତା ୪୦ ଓ ୫୦ ବର୍ଷ ବୟସର ଋଣଗ୍ରହୀତାଙ୍କୁ ଗୃହ ଋଣ ପାଇଁ ମଧ୍ୟ ଅନୁମତି ଦିଅନ୍ତି। ତଥାପି ଏହା ଋଣଦାତାଙ୍କ ଦ୍ୱାରା ସ୍ଥିରୀକୃତ ବୟସ ସୀମା ଉପରେ ନିର୍ଭର କରେ। ଋଣ ଅବଧି ପରେ ଆପଣଙ୍କ ସର୍ବାଧିକ ବୟସ ସୀମା ୬୫ ବର୍ଷ ଅତିକ୍ରମ କରିପାରିବ ନାହିଁ। ଏହାସହିତ, ୪୦ କିମ୍ବା ୫୦ ବର୍ଷ ବୟସରେ ଗୃହ ଋଣ ନେବାର ଅନେକ ସୁବିଧା ଅଛି। ଉଦାହରଣସ୍ୱରୂପ, ଯଦି ଆପଣ ୪୦-୫୦ ବର୍ଷ ବୟସରେ ଋଣ ନିଅନ୍ତି, ତେବେ ଆପଣ ଅଧିକ ଡାଉନ୍ ପେମେଣ୍ଟ ଦେବା ପାଇଁ ଯଥେଷ୍ଟ ସଞ୍ଚୟ କରିସାରିଥିବେ। ଏକ ବଡ଼ ପୁଞ୍ଜିକୁ ଡାଉନ୍ ପେମେଣ୍ଟ ଭାବେ ରଖିବା ଦ୍ବାରା ଗୃହଋଣ ଉପରେ କମ୍ ସୁଧ ହାରର ଲାଭ ଉଠାଇପାରିବେ। କିନ୍ତୁ ପ୍ରାୟତଃ ୫୦ ବର୍ଷ ପରେ କୌଣସି ନୂଆ ଋଣ ନ ନେବାକୁ ପରାମର୍ଶ ଦିଆଯାଏ।
ଗୃହ ଋଣ ପାଇଁ ଆବେଦନ କରିବା ପୂର୍ବରୁ:
ଆପଣଙ୍କର ଭବିଷ୍ୟତ ପାଇଁ ଏକ ସ୍ଥିର ଆୟ ଉତ୍ସ ଓ ସୁରକ୍ଷିତ ଆର୍ଥିକ ଅବସ୍ଥା ଅଛି କି ନାହିଁ, ତାହା ନିଶ୍ଚିତ କରିବାକୁ ପଡ଼ିବ।
ଆପଣଙ୍କ ପରିବାରର ଆକାର କେତେ?
ଆପଣ କେତେ ରୋଜଗାର କରନ୍ତି?
ଆପଣଙ୍କ ଚାକିରିରେ ସ୍ଥାନାନ୍ତରଣ ଅଛି କି?
ପ୍ରଥମେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ କେଉଁ ପ୍ରକାରର ଘର କିଣିପାରିବେ ଏବଂ ବର୍ତ୍ତମାନ ଗୃହଋଣ ନେବା ପାଇଁ ଉପଯୁକ୍ତ ସମୟ କି ନାହିଁ ତାହା ଜାଣିବା ଲାଗି ଇଏମ୍ଆଇ କାଲ୍କୁଲେଟର୍ ବ୍ୟବହାର କରନ୍ତୁ। ଏହାଦ୍ବାରା ଋଣ ପାଇବା ଓ ଆପଣଙ୍କ ସ୍ୱପ୍ନର ଘର କିଣିବା ପାଇଁ ଉପଯୁକ୍ତ ବୟସ ତଥା ସମୟ, ସଠିକ୍ ଯୋଜନା, ଆୟ, ସଞ୍ଚୟ ଓ ପରିଶୋଧ କ୍ଷମତା ନିର୍ଣ୍ଣୟ କରାଯାଇପାରିବ।