ଆମେ ଘରଟିଏ କରିବାର ସ୍ବପ୍ନ ପୂରଣ ପାଇଁ ଟଙ୍କା ସଞ୍ଚୟ କରୁ। ହେଲେ ଅନେକ ସମୟରେ ଟଙ୍କା ଅଭାବ ଯୋଗୁଁ ଗୃହଋଣ କରିବାକୁ ପଡ଼େ। ଯଦି ଆପଣ ଗୃହଋଣ ନେବା ବିଷୟରେ ଭାବୁଛନ୍ତି, ତେବେ ନିୟମ ଓ ସର୍ତ୍ତାବଳୀ ବ୍ୟତୀତ, ଋଣ ନେବା ସମୟରେ ଆପଣଙ୍କୁ କେଉଁ ଅତିରିକ୍ତ ଚାର୍ଜଗୁଡ଼ିକ ଦେବାକୁ ପଡ଼ିବ ଜାଣିବା ଆବଶ୍ୟକ।
ଆପ୍ଲିକେସନ୍ ଚାର୍ଜ: ଋଣ ଆବେଦନ କରିବାବେଳେ ଆପଣଙ୍କୁ ଏହି ଚାର୍ଜ ଦେବାକୁ ପଡ଼ିବ। ଋଣ ନ ମିଳିଲେ ବି ଏହି ଶୁଳ୍କ ଫେରସ୍ତଯୋଗ୍ୟ ନୁହେଁ। ତେଣୁ ଆବେଦନ ପୂର୍ବରୁ, ଆପଣ କେଉଁ ବ୍ୟାଙ୍କ୍ କିମ୍ବା ଆର୍ଥିକ ସଂସ୍ଥାରୁ ଋଣ ନେବାକୁ ଚାହୁଛନ୍ତି, ତାହା ପ୍ରଥମେ ନିଶ୍ଚିତ କରିବା ଉଚିତ।
ବନ୍ଧକ ଚୁକ୍ତିନାମା ଶୁଳ୍କ: ଗୃହଋଣ ବାଛିବା ବେଳେ ମର୍ଟଗେଜ୍ ଡିଡ୍ ଚାର୍ଜ ବା ବନ୍ଧକ ଚୁକ୍ତିନାମା ଶୁଳ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହା ଗୃହଋଣର ପ୍ରତିଶତ ଆଧାରରେ ନିଆଯାଏ। ଅନେକ ବ୍ୟାଙ୍କ୍ ଓ ଏନ୍ବିଏଫ୍ସି ଏହି ଶୁଳ୍କ ଛାଡ଼ କରନ୍ତି।
ଲିଗାଲ୍ ଫିସ୍: ଆବେଦନ ପରେ ବ୍ୟାଙ୍କ୍ କିମ୍ବା ସଂସ୍ଥା ଜଣେ ଓକିଲଙ୍କୁ ନିଯୁକ୍ତ କରନ୍ତି। ଓକିଲ ଋଣଗ୍ରହୀତାଙ୍କ ସମ୍ପତ୍ତି ଓ ଆଇନଗତ ସ୍ଥିତିର ଯାଞ୍ଚ କରନ୍ତି। ଏଥିପାଇଁ ଓକିଲଙ୍କ ଫିସ୍ ଗ୍ରାହକ ନିଜେ ପ୍ରଦାନ କରନ୍ତି। ଯଦି ଆପଣ ଆଇନଗତ ଫି’ ସଞ୍ଚୟ କରିବାକୁ ଚାହାନ୍ତି, ତେବେ ଆପଣ ପୂର୍ବରୁ ଜାଣିବା ଉଚିତ ଯେ ଆପଣ ଯେଉଁ ପ୍ରକଳ୍ପରେ ନିବେଶ କରୁଛନ୍ତି ତାହା କୌଣସି ବ୍ୟାଙ୍କ୍ କିମ୍ବା ଆର୍ଥିକ ସଂସ୍ଥାଠୁ ଅନୁମୋଦନ ପାଇଛି କି ନାହିଁ।
ପ୍ରିପେମେଣ୍ଟ୍ ଚାର୍ଜ: କେବେକେବେ ଆମେ ଧାର୍ଯ୍ୟ ସମୟ ପୂର୍ବରୁ ଋଣ ପରିଶୋଧ କରିବା ପାଇଁ, ଋଣର ଏକ ଅଂଶ ପୈଠ କରିଥାଉ। ଏହାକୁ ପ୍ରିପେମେଣ୍ଟ୍ କୁହାଯାଏ। ଏହି ପରିସ୍ଥିତିରେ, ବ୍ୟାଙ୍କ୍ ଏହାର ଖର୍ଚ୍ଚ ଓ ସୁଧ ହାର କ୍ଷତି ଭରଣା କରିବା ପାଇଁ ପ୍ରିପେମେଣ୍ଟ୍ ଚାର୍ଜ କିମ୍ବା ଜରିମାନା ଆଦାୟ କରେ। ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ପ୍ରତିଷ୍ଠାନରେ ଏହି ଦେୟ ଭିନ୍ନ।
କମିଟ୍ମେଣ୍ଟ୍ ଫିସ୍: ଅନେକ ବ୍ୟାଙ୍କ୍ ଗ୍ରାହକଙ୍କଠାରୁ କମିଟ୍ମେଣ୍ଟ୍ ଫିସ୍ ଆଦାୟ କରନ୍ତି। ଗ୍ରାହକ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ ନ କଲେ ଏହି ଶୁଳ୍କ ଆଦାୟ କରାଯାଏ।
ଋଣ ନେବାବେଳେ ଧ୍ୟାନ ଦିଅନ୍ତୁ:
ଆବେଦନ ପୂର୍ବରୁ, ବିଭିନ୍ନ ବ୍ୟାଙ୍କ୍ କିମ୍ବା ଆର୍ଥିକ ପ୍ରତିଷ୍ଠାନର ସୁଧହାର ଓ ଆର୍ଥିକ ସୁବିଧାଗୁଡ଼ିକୁ ତୁଳନା କରନ୍ତୁ।
ବଜେଟ୍ ଅନୁସାରେ ଋଣ ନିଅନ୍ତୁ। ଅଧିକ ଋଣ ନେଲେ, ପରିଶୋଧରେ ଅସୁବିଧା ହୋଇପାରେ।
ଆର୍ଥିକ ସମସ୍ୟା ଏଡ଼ାଇବା ପାଇଁ ଆବେଦନ ପୂର୍ବରୁ ସୁଧହାର ଓ ସଞ୍ଚୟ ଆଦି ହିସାବ କରନ୍ତୁ।
ଋଣ ଚୁକ୍ତିନାମା ସ୍ୱାକ୍ଷର କରିବା ପୂର୍ବରୁ ଋଣର ନିୟମ ଓ ସର୍ତ୍ତାବଳୀକୁ ଭଲଭାବେ ପଢ଼ନ୍ତୁ ଓ ବୁଝନ୍ତୁ।