ନିଜର ଘରଟିଏ କିଣିବା ପାଇଁ ଅନେକେ ବ୍ୟାଙ୍କ୍ରୁ ଋଣ ନେଇଥାନ୍ତି। ଅଧିକାଂଶ ଲୋକ କେବଳ ସୁଧ ହାର ଦେଖି ବ୍ୟାଙ୍କ୍ ବାଛନ୍ତି। ହେଲେ ତା’ର ନିୟମ ଓ ସର୍ତ୍ତାବଳୀ ପ୍ରତି ଧ୍ୟାନ ନ ଦେଲେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇପାରେ। ଏଣୁ ଗୃହ ଋଣ ନେବା ପୂର୍ବରୁ ନିମ୍ନୋକ୍ତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ।
ସୁଧ ହାର-ବିସ୍ତାର ବୁଝନ୍ତୁ: ସ୍ପ୍ରେଡ୍ ବା ବିସ୍ତାର ଯେତେ କମ୍ ହେବ, ଶସ୍ତା ଗୃହ ଋଣ ପାଇବାର ସମ୍ଭାବନା ସେତେ ଅଧିକ। ପ୍ରତ୍ୟେକ ବ୍ୟାଙ୍କ୍ର ସୁଧ ହାର ଓ ସ୍ପ୍ରେଡ୍ ଭିନ୍ନ। ଏହି ସ୍ପ୍ରେଡ୍ ସମଗ୍ର ଋଣ ଅବଧି ମଧ୍ୟରେ ପରିବର୍ତ୍ତନ ହୁଏ ନାହିଁ।
ଋଣ ପରିମାଣ ଓ ସର୍ତ୍ତାବଳୀ ଯାଞ୍ଚ କରନ୍ତୁ: ବ୍ୟାଙ୍କ୍ ଦେଉଥିବା ଋଣ ପରିମାଣ ସମ୍ପତ୍ତିର ମୋଟ୍ ମୂଲ୍ୟର କେତେ ପ୍ରତିଶତ ଜାଣିବା ଉଚିତ। ଏହାକୁ ଲୋନ୍-ଟୁ-ଭାଲ୍ୟୁ (ଏଲ୍ଟିଭି) ଅନୁପାତ କୁହାଯାଏ। ପ୍ରତ୍ୟେକ ବ୍ୟାଙ୍କ୍ର ଋଣ ଦେବାର ଭିନ୍ନ ଭିନ୍ନ ନିୟମ ଅଛି। ଯେପରିକି, ଆପଣଙ୍କ ବୟସ, ଚାକିରି, ଆୟ, କ୍ରେଡିଟ୍ ସ୍କୋର୍ ଇତ୍ୟାଦି। ତେଣୁ ଯୋଗ୍ୟତା ଜାଣିବା ପାଇଁ ବ୍ୟାଙ୍କ୍ ୱେବ୍ସାଇଟ୍ରେ ଥିବା କାଲ୍କୁଲେଟର୍ ବ୍ୟବହାର କରନ୍ତୁ।
ପ୍ରିପେମେଣ୍ଟ: ସମୟ ପୂର୍ବରୁ ଋଣ ପରିଶୋଧ କରିବାର ନିୟମ ଜାଣିବା ଜରୁରି। ଅନେକ ବ୍ୟାଙ୍କ୍ ପ୍ରତି ମାସରେ ପ୍ରିପେମେଣ୍ଟର ସୁବିଧା ଦେଇଥାନ୍ତି, ଅନ୍ୟ ବ୍ୟାଙ୍କ୍ କେବଳ ୩ ମାସ ପରେ ବା ବର୍ଷକୁ ଥରେ ଏହି ସୁଯୋଗ ଦିଅନ୍ତି।
ଋଣ ପ୍ରକ୍ରିୟାକରଣ ସମୟ: ଯେଉଁ ବ୍ୟାଙ୍କ୍ଗୁଡ଼ିକ ଶୀଘ୍ର ଋଣ ଆବେଦନଗୁଡ଼ିକୁ ଅନୁମୋଦନ କରନ୍ତି ଆପଣ ସେଭଳି ବ୍ୟାଙ୍କ୍କୁ ବାଛନ୍ତୁ। ଋଣ ପାଇବା ପରେ ମଧ୍ୟ ବ୍ୟାଙ୍କ୍ ସେବା ଆବଶ୍ୟକ। ତେଣୁ, ଭଲ ସେବା ଦେବାର ଟ୍ରାକ୍ ରେକର୍ଡ ଥିବାପରି ଏକ ବ୍ୟାଙ୍କ୍ ବାଛନ୍ତୁ।