ଆଗରୁ ଏକ ସମୟ ଥିଲା ଯେବେ ଆମେ ହାତରେ ବ୍ୟାଗ୍ ଧରି ଦୋକାନକୁ ସଉଦା ପାଇଁ ଯାଉଥିଲେ। ହେଲେ ଏବେ ଅନ୍ଲାଇନ୍ ସପିଂ ଓ ଅନ୍ଲାଇନ୍ ପେମେଣ୍ଟ୍ ମାଧ୍ୟମରେ ସହଜରେ ଘରେ ବସି ସଉଦା ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ କିଣାକିଣି କରିପାରୁଛୁ। ବର୍ତ୍ତମାନ ୟୁପିଆଇ ଆପ୍ ମାଧ୍ୟମରେ ପ୍ରିପେଡ୍ ପେମେଣ୍ଟ୍ ଇନ୍ଷ୍ଟ୍ରୁମେଣ୍ଟ୍ସ (ପିପିଆଇ) ବ୍ୟବହାର କରି ଦେୟ ପୈଠ ସମ୍ଭବ ହେବ। ମେଟ୍ରୋ କାର୍ଡ, ଗିଫ୍ଟ କାର୍ଡ, ଟୋକନ୍ ଆଦି ହେଉଛି ଗୋଟିଏ ଗୋଟିଏ ପିପିଆଇ। ଡିଜିଟାଲ୍ ପେମେଣ୍ଟ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ଜାରି କରାଯାଇଥିବା ସର୍କୁଲାର୍ ଅନୁଯାୟୀ, କେବଳ ଫୁଲ୍-କେୱାଇସି ଥିବା ପିପିଆଇକୁ ୟୁପିଆଇ ଦେୟ ପାଇଁ ଅନୁମତି ଦିଆଯିବ। ଏହା ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ କରିବ।
ନୂଆ ୟୁପିଆଇ ନିୟମ କ’ଣ?
ପୂର୍ବରୁ ଡିଜିଟାଲ୍ ୱାଲେଟ୍, ଗିଫ୍ଟ କାର୍ଡ ଓ ମେଟ୍ରୋ କାର୍ଡ ପରି ପିପିଆଇଗୁଡ଼ିକୁ କେବଳ ନିଜ ନିଜ ଆପ୍ ମାଧ୍ୟମରେ ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ, ବ୍ୟାଙ୍କ୍ ଆକାଉଣ୍ଟ ଲିଙ୍କ୍ ହେଲାପରି ପୂର୍ଣ୍ଣ-କେୱାଇସି ସହିତ ପିପିଆଇ ଧାରକମାନେ ସେମାନଙ୍କର କାର୍ଡ କିମ୍ବା ଆଇଡିକୁ ଗୁଗଲ୍ ପେ, ଫୋନ୍ ପେ, ପେଟିଏମ୍ ଓ ଭିମ୍ ଭଳି ଲୋକପ୍ରିୟ ୟୁପିଆଇ ଆପ୍ ସହିତ ଲିଙ୍କ୍ କରିପାରିବେ।
ପିପିଆଇ କ’ଣ?
କୌଣସି ଦ୍ରବ୍ୟ କ୍ରୟ, ସେବା ହାସଲ କିମ୍ବା ଟଙ୍କା ପଠାଇବା ଲାଗି ପିପିଆଇ ବ୍ୟବହାର ହୋଇଥାଏ। ପିପିଆଇ ତିନି ପ୍ରକାରର ଯଥା, କ୍ଲୋଜ୍ଡ, ସେମି-କ୍ଲୋଜ୍ଡ ଓ ଓପନ୍ ସିଷ୍ଟମ୍।
କ୍ଲୋଜ୍ଡ ସିଷ୍ଟମ୍ ହେଉଛି ପିପିଆଇକୁ ଯେଉଁ ସଂସ୍ଥା ଜାରି କରିଥିବ କେବଳ ସେଠାରେ ହିଁ ଏହାକୁ ବ୍ୟବହାର କରିହେବ। ଯେମିତି, ମେଟ୍ରୋ କାର୍ଡ ଓ ଟୋକନ୍। ଏହା ମାଧ୍ୟମରେ ଆପଣ ଟଙ୍କା ଉଠାଇ ପାରିବେନାହିଁ ଏବଂ ତୃତୀୟ ପକ୍ଷ ସେବାରେ ଦେୟ ବା ସେଟଲ୍ମେଣ୍ଟ ପାଇଁ ବ୍ୟବହୃତ ହୋଇପାରିବନି। ଏହା ଆର୍ବିଆଇ ଦ୍ବାରା ବର୍ଗୀକୃତ ନୁହେଁ, ତେଣୁ ଏହାକୁ ୟୁପିଆଇରେ ବ୍ୟବହାର କରାଯାଇପାରିବ ନାହିଁ।
ସେମି-କ୍ଲୋଜ୍ଡ ପିପିଆଇ ସିଷ୍ଟମ୍ ଏକାଧିକ ବ୍ୟବସାୟୀ କିମ୍ବା ଅଂଶୀଦାରମାନଙ୍କର ଅନ୍ଲାଇନ୍ କାରବାରରେ ବ୍ୟବହାର କରାଯାଇପାରିବ। ଏହି ପିପିଆଇଗୁଡ଼ିକ କେବଳ ଆର୍ବିଆଇ ଦ୍ୱାରା ଅନୁମୋଦିତ ବ୍ୟାଙ୍କିଙ୍ଗ୍ ବା ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ଦ୍ୱାରା ଦିଆଯାଇପାରିବ। ଏପରି ପିପିଆଇ ପାଇଁ ଆର୍ବିଆଇର ପ୍ରାକ୍ ଅନୁମୋଦନ ଆବଶ୍ୟକ। ପେଟିଏମ୍, ଫୋନ୍ପେ, ମୋବିକ୍ବିକ୍ର ଡିଜିଟାଲ୍ ଵାଲେଟ୍ ହେଉଛନ୍ତି ସେମି-କ୍ଲୋଜ୍ଡ ପିପିଆଇ ସିଷ୍ଟମ୍।
ଓପନ୍ ସିଷ୍ଟମ୍ ପିପିଆଇଗୁଡ଼ିକ କେବଳ ଆର୍ବିଆଇ ଦ୍ୱାରା ଅନୁମୋଦିତ ବ୍ୟାଙ୍କିଙ୍ଗ୍ ସଂସ୍ଥା ଦ୍ୱାରା ଦିଆଯାଇପାରିବ। ଏହା ଦ୍ରବ୍ୟ ଓ ସେବା କିଣିବା, ଟଙ୍କା ପଠାଇବା ତଥା ନଗଦ ଟଙ୍କା ଉଠାଇବା ପାଇଁ ବ୍ୟବହୃତ ହୁଏ। ଏହା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଗ୍ରହଣ କରାଯାଏ। ଉପଭୋକ୍ତାମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କିଣାକିଣି କରିପାରିବେ। କୌଣସି ୟୁପିଆଇ ପ୍ଲାଟ୍ଫର୍ମ ମାଧ୍ୟମରେ ୟୁପିଆଇ ସହ ପ୍ରିପେଡ୍ ୱାଲେଟ୍ ଲିଙ୍କ୍ କରି ଏହାକୁ ବ୍ୟବହାର କରିହୁଏ। ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି ଏହା ସୁରକ୍ଷିତ ଓ ସୁବିଧାଜନକ।