ସର୍ବସାଧାରଣ ରାସ୍ତାରେ ଗାଡ଼ିମୋଟରର ସୁପରିଚାଳନା ପାଇଁ କିଛି କଟକଣା ଲାଗୁ କରାଯାଇଥାଏ, ଯେପରିକି ଦ୍ରୁତ ବେଗରେ ଗାଡ଼ି ଚଲାଇଲେ ଜରିମାନା ଦେବାକୁ ପଡ଼ିଥାଏ। ତେବେ ଫିନ୍ଲାଣ୍ଡର ଜଣେ କୋଟିପତି ଗାଡ଼ିଚାଳକ ସ୍ବଳ୍ପ ବେଗରେ ଗାଡ଼ି ଚଳାଇ ମଧ୍ୟ କୋଟିଏ ଟଙ୍କାର ତଣ୍ଡ ଗଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଫିନ୍ଲାଣ୍ଡରେ କଡ଼ାକଡ଼ି ଆଇନ ପାଳନର ଏହା ଏକ କଠୋର ନମୁନା। ସେଠାରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଅପରାଧର ଗମ୍ଭୀରତା ଓ ଅପରାଧୀର ଆୟ ଅନୁଯାୟୀ ଜରିମାନା ପରିମାଣ ନିର୍ଣ୍ଣୟ କରାଯାଇଥାଏ।
ଆଣ୍ଡର୍ସ ଵିକ୍ଳଫ ନାମକ ଜଣେ ୭୬ ବର୍ଷୀୟ କୋଟିପତି ଏକ ଜନଗହଳି ଛକ ପାଖରେ ତାଙ୍କ କାର୍କୁ ଘଣ୍ଟାକୁ ୩୦ କି.ମି. ବେଗରେ ଚଳାଉଥିଲେ। ତେବେ ତାହା ଉକ୍ତ ସ୍ଥାନ ପାଇଁ ନିର୍ଦ୍ଧାରିତ ବେଗଠାରୁ ଅଧିକ ଥିଲା। ତେଣୁ ତାଙ୍କ ଉପରେ ଜରିମାନା କଷା ଯାଇଥିଲା। ତେବେ ଏହି ଜରିମାନାର ପରିମାଣ ତାଙ୍କ ଦୁଇ ସପ୍ତାହ ଆୟର ଅଧା ହିସାବରେ ୧,୨୧,୦୦୦ ୟୁରୋ ବା କୋଟିଏ ଟଙ୍କାରୁ ଅଧିକ ହୋଇଥିଲା। ଅପରପକ୍ଷେ, ଵିକ୍ଳଫ୍ ଏପରି ଜରିମାନା ବିରୋଧରେ ଆବେଦନ କରିବା ପରିବର୍ତ୍ତେ ନିଜର ତ୍ରୁଟି ପାଇଁ ଅନୁତାପ କରିବା ସହ ଉଦାର ହୃଦୟରେ ସରକାରଙ୍କୁ ତାହା ପ୍ରଦାନ କରିଥିଲେ। ତାଙ୍କ ଜରିମାନା ବାବଦ ଅର୍ଥ ସର୍ବସାଧାରଣଙ୍କ ସେବାରେ ସରକାର ଖଟାଇବେ ବୋଲି ସେ ସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅନୁରୂପ ଅପରାଧ ପାଇଁ ୨୦୧୩ରେ ୯୫,୦୦୦ ୟୁରୋ ବା ପାଖାପାଖି ୮୪ ଲକ୍ଷ ଟଙ୍କା ଓ ୨୦୧୮ରେ ୬୪,୦୦୦ ୟୁରୋ ବା ୫୬ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଜରିମାନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/1-9.jpg)
