କରୋନା ଗୀତ ଗାଇ ଫସିଲେ ହ୍ୟୁମାନ୍‌ ସାଗର

ଭୁବନେଶ୍ୱର : କରୋନା ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ତାଚ୍ଛଲ୍ୟ କରି ଗୀତ ଗାଇ ଫସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ନାମକ ଏହି ଗୀତ ଗାଇ ସେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡିସିପିଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ସିପି ଅନୁପ କୁମାର ସାହୁଙ୍କୁ ଅଭିଯୋଗ କରାଯାଇଛି। ଥାନାରେ ମାମଲା ରୁଜୁ କରିବା ପାଇଁ ଆଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ଶିବ ଅଡିଓ ନାମକ ଏକ ସଂସ୍ଥା ଏହି ଗୀତ ପ୍ରସ୍ତୁତ କରିବା ପରେ ଏହା ୟୁ-ଟ୍ୟୁବ୍‌‌‌‌ରେ ଆସିଛି। କରୋନା ନାଁ ଶୁଣିଲେ ଲୋକ ଛାନିଆ ହୋଇଯାଉଥିବା ବେଳେ ଏଭଳି ଏକ ଗୀତକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ‘କରୋନା’ ଶବ୍ଦଟିକୁ ସମଗ୍ର ବିଶ୍ବ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିବା ବେଳେ କଣ୍ଠଶିଳ୍ପୀ କିଭଳି ଏହାକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କଲେ ସେ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ତା’ ଛଡ଼ା ଏଥିରେ ସେ ଝିଅକୁ ମହାମାରୀ ସହ ତୁଳନା କରି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ବୋଲି ଷ୍ଟେଟ୍‌ ଓମେନ୍‌ ଅର୍ଗାନାଇଜେସନ ଫର ଡେଭଲପ୍‌ମେଣ୍ଟ, ନାରୀ ସୁରକ୍ଷା ମଞ୍ଚ, ୟୋ‌ର୍ସ ଅଫ୍ ହୋପ୍‌ ଫାଉଣ୍ଡେସନ, କଳିଙ୍ଗ ଜାଗୃତି ମଞ୍ଚ ପକ୍ଷରୁ ବିନ୍ଦୁଶ୍ରୀ ଖଣ୍ଡାୟତରାୟ, ଉଷା ନାୟାର, ସସ୍ମିତା ସାହୁ, ସ୍ବୟଂପ୍ରଭା ସାହୁ, ରୀନା ରାଣୀ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଅତିରିକ୍ତ ସିପି ଶ୍ରୀ ସାହୁ କହିଛନ୍ତି, ଅଭିଯୋଗ ଗ୍ରହଣ କରାଯାଇଛି। ବିଚାର କରାଯିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର