ଜେସାଲମେର: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମାଟି ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ତେବେ ମାଟି ତଳୁ ନିଆଁ କିପରି ବାହାରୁଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ଏହି ରହସ୍ୟମୟ ନିଆଁକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି।
ପ୍ରକାଶିତ ରିପୋର୍ଟ ମୁତାବକ, ରାଜସ୍ଥାନର ଜେସାଲମେର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ବଞ୍ଜାରୋ ଢ଼ାଣିରୁ ଅଧ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା କିଛିଲୋକ ରାତିରେ ମାଟି ତଳୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଲୋକମାନେ ଭୟରେ ସେଠାରୁ ଚାଲି ଯାଇଥିଲେ। ତା’ପର ଦିନ ସକାଳୁ ଗ୍ରାମବାସୀ ମିଶି ଏହି ସ୍ଥାନକୁ ଆସିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ରାତି ଭଳି ଦିନରେ ବି ମାଟି ତଳୁ ନିଆଁ ବାହାରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ତେବେ ବିଶେଷ କଥାଟି ହେଉଛି ବର୍ଷା ହେଲେ ବି ଏହି ନିଆଁ ଲିଭୁ ନାହିଁ। ବିଶେଷଜ୍ଞଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।
ଏପଟେ ଜେସାଲମେର ବଞ୍ଜାରୋ ଢ଼ାଣିସ୍ଥିତ ବସବାସ କରୁଥିବା ଲୋକମାନଙ୍କ କହିବାନୁସାରେ, ଏଠାରେ ତେଲ ଓ ଗ୍ୟାସ ପାଇଁ କିଛିଦିନ ତଳେ ମାଟି ଖୋଳା କାର୍ଯ୍ୟ ହୋଇଥିଲା। ଏହି ଖନନରୁ କିଛି ବିଶେଷ ସନ୍ଧାନ ନମିଳିବାରୁ କାମକୁ ବନ୍ଦ କରାଯାଇଥିଲା । କାମ ବନ୍ଦର କିଛିଦିନ ପରେ ମାଟି ତଳେ ପୋତା ଯାଇଥିବା ପାଇପକୁ କାଟି ଚୋର ନେଇ ଯାଇଥିଲା। ପାଇପ୍ କାଟି ଚୋର ନେଇଯିବା ପରେ ସେଠାରେ ମାଟି ତଳୁ ଏପରି ଭାବେ ନିଆଁ ବାହାରୁଛି।
ଜେସାଲମେର ଜିଲ୍ଲାପାଳ ଆଶିଷ ମୋଦୀଙ୍କ କହିବାନୁସାରେ, ମାଟି ତଳୁ ବାହାରୁଥିବା ନିଆଁକୁ କାବୁ କରିବା ପାଇଁ ଦୁଇଟି ଉପାୟ ସାମ୍ନାକୁ ଆସିଛି। ଗୋଟିଏ ପାଇପ୍ ଲାଇନ୍ ଲିକେଜ୍କୁ ଠିକ୍ କରିବା କିମ୍ବା ପାଇପ୍ ଲାଇନ୍ରେ ଯେଉଁ ଗ୍ୟାସ୍ ରହିଛି ତାହାକୁ ପରିଷ୍କାର କରିବା। ଏତଦ୍ ଦ୍ୱାରା ନିଆଁ ଆପଣାଛାଏଁ ଲିଭି ଯିବ।