ରାମାୟଣ ଓ ମହାଭାରତ ପୌରାଣିକ ଗାଥା ହେଲେ ମଧ୍ୟ ଆଜି ଆମର ଦୈନନ୍ଦିନ ଜୀବନରେ ତା’ର ଢେର ପ୍ରାସଙ୍ଗିକତା ରହିଛି। ଏହି ଦୁଇ ମହାକାବ୍ୟରୁ ପ୍ରାପ୍ତ ବଳିଦାନ, ସମ୍ପର୍କ, ନୀତି ଓ କର୍ତ୍ତବ୍ୟବୋଧର ଶିକ୍ଷା ଆଧୁନିକ ଜୀବନର ବିଭିନ୍ନ ଦିଗରେ ପ୍ରୟୋଗ କରାଯାଇପାରେ। ପାରିବାରିକ ସମ୍ପର୍କ ହେଉ ଅବା ବ୍ୟକ୍ତିଗତ ଜୀବନ, ବ୍ୟବସାୟ ହେଉ ଅବା ରାଜନୀତି, ପ୍ରତ୍ୟେକ କ୍ଷେତ୍ରରେ, ଆମ ପ୍ରାଚୀନ ଗ୍ରନ୍ଥାଦିର ଅନୁସରଣରେ ଜୀବନର ଦୃଷ୍ଟିଭଙ୍ଗୀ ତଥା ଆଭିମୁଖ୍ୟକୁ ସଜାଡ଼ି ହୁଏ।
ମହାଭାରତର ଏପରି ଅନେକ ବ୍ୟାଖ୍ୟାନ ଅଛି, ଯାହାକୁ ପଢ଼ିଲେ ପୁରାଣ ବର୍ଣ୍ଣିତ ବହୁ ଘଟଣାବଳି ଏବଂ ସେଥିରେ ସନ୍ନିବେଶିତ ଚରିତ୍ରମାନଙ୍କ ସହିତ ଆମ ବାସ୍ତବ ଜୀବନର ସାମଞ୍ଜସ୍ୟ ବାରି ହୋଇଯାଏ। ଏମିତି ତ ମହାଭାରତ ଗ୍ରନ୍ଥର ପ୍ରତ୍ୟେକ ଚରିତ୍ର ଓ ଘଟଣାର ଅନେକ ସ୍ଥାନରେ ଅନେକ ଅର୍ଥ କରାଯାଇଛି। ତନ୍ମଧ୍ୟରୁ ମୁଁ ପଢ଼ିଥିବା ଏକ ବିଶ୍ଳେଷଣ ମତେ ଖୁବ୍‌ ପ୍ରଭାବିତ କରିଛି। ଯଦି ଆମେ ଏପରି ଭାବିବା, ପଞ୍ଚୁପାଣ୍ଡବ ହେଉଛନ୍ତି ଆମର ପାଞ୍ଚ ଇନ୍ଦ୍ରିୟ। ଦର୍ଶନ ପାଇଁ ଚକ୍ଷୁ, ଶ୍ରବଣ ପାଇଁ କର୍ଣ୍ଣ, ଆଘ୍ରାଣ ପାଇଁ ନାସା, ସ୍ୱାଦ ପାଇଁ ଜିଭ ଓ ସ୍ପର୍ଶ ପାଇଁ ଚର୍ମ। ପଞ୍ଚୁପାଣ୍ଡବଙ୍କ ପରି ଆମ ଇନ୍ଦ୍ରିୟଗୁଡ଼ିକ ଭିତରେ ସମନ୍ୱୟ ଏବଂ ସୁସମ୍ପର୍କ ଅଛି ବୋଲି ଶରୀର ସଙ୍ଗଠିତ ପଦ୍ଧତିରେ କାର୍ଯ୍ୟ ସମ୍ପାଦନ କରିପାରୁଛି। ଏହା ସନ୍ତୁଳନ ଓ ଏକତାର ମହତ୍ତ୍ୱକୁ ସୂଚାଉଛି।
ଆମ ଭିତରେ ପ୍ରତି ମୁହୂର୍ତ୍ତରେ ଉଦ୍ରେକ ହେଉଥିବା ନାନାଦି ନକାରାତ୍ମକ ଚିନ୍ତାର ପ୍ରତୀକ ହେଉଛନ୍ତି କୌରବ ଶହେ ଭାଇ। ମଣିଷ ହୋଇଥିବାରୁ ଆମ ଭିତରେ ରାଗ, ଈର୍ଷା, ଅସୂୟା, ହିଂସା ଓ ମୋହ ପରି ନକାରାତ୍ମକ ଭାବନା ଆସିବା ସ୍ୱାଭାବିକ। କିନ୍ତୁ ଏସବୁ ତାମସିକ ପ୍ରବୃତ୍ତି ଆମ ଜୀବନର ଅସଲ ଲକ୍ଷ୍ୟପଥରେ କଣ୍ଟା ସାଜି ଠିଆ ହୁଅନ୍ତି। ସେଇ ଆସୁରିକ ଭାବନାଗୁଡ଼ିକୁ ପରାସ୍ତ କରି ଅସଲ ଲକ୍ଷ୍ୟପଥରେ ଆଗେଇ ଯିବା ଆମ ପାଇଁ ଏକ କଠିନ ଆହ୍ୱାନ। ଆମ ପାଞ୍ଚଇନ୍ଦ୍ରିୟ ଅନବରତ ଶତ କୁପ୍ରବୃତ୍ତି ସହ ଯୁଦ୍ଧ କରି ଚାଲନ୍ତି, ଯେପରି ଆମେ କୌଣସି ପ୍ରକାରେ ପଥଚ୍ୟୁତ ନହେଉ।
ଦ୍ରୌପଦୀ ହେଉଛନ୍ତି ଉଦ୍ଦେଶ୍ୟର ପ୍ରତୀକ। ବିନା ଉଦ୍ଦେଶ୍ୟରେ କାର୍ଯ୍ୟ ସାଧିତ ହୁଏନାହିଁ। ଦୁଃଶାସନର ରକ୍ତରେ ଦ୍ରୌପଦୀଙ୍କ କେଶ ପ୍ରକ୍ଷାଳନର ଶପଥ ହିଁ ମହାଭାରତ ଯୁଦ୍ଧର ଅୟମାରମ୍ଭ ଥିଲା। କୁରୁସଭାରେ ଦ୍ରୌପଦୀଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ହିଁ ଥିଲା ମହାଭାରତ ଯୁଦ୍ଧର ମୁଖ୍ୟ କାରଣ। ବିନା ଲକ୍ଷ୍ୟରେ ଆମେ ଦିଗଭ୍ରଷ୍ଟ ହେଇଥାଉ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏକ ପରମ ଉଦ୍ଦେଶ୍ୟ ରହିବା ନିତାନ୍ତ ଆବଶ୍ୟକ, ଯାହା ତାକୁ ପ୍ରତି ମୁହୂର୍ତ୍ତରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ।
ଧୃତରାଷ୍ଟ୍ର ହେଉଛନ୍ତି ମସ୍ତିଷ୍କ। ମସ୍ତିଷ୍କ ଅନ୍ଧ। ଧୃତରାଷ୍ଟ୍ର ବିଚଳିତ ହେଲେ ଏବଂ ପୁତ୍ରମୋହ ଓ ଗର୍ବକୁ ତାଙ୍କ ବିଚାରକୁ ଆଚ୍ଛାଦିତ କରିବାପାଇଁ ଅନୁମତି ଦେଲେ। ମସ୍ତିଷ୍କ ସର୍ବଦା ତଥ୍ୟ ଓ ସୂଚନା ପ୍ରଦାନକାରୀ ମାଧ୍ୟମ ଉପରେ ନିର୍ଭରଶୀଳ। ଏହା ସବୁବେଳେ ସତର୍କ ରହିବା, ସମସ୍ତ ସୂଚନା ସଂଗ୍ରହ କରିବା ଏବଂ ସୂଚନା ଆଧାରରେ ଉଚିତ ନିର୍ଣ୍ଣୟ କରିବା ଜରୁରି।
ଶ୍ରୀକୃଷ୍ଣ ହେଉଛନ୍ତି ଆମର ଅନ୍ତଃସ୍ୱର। ପାଣ୍ଡବ ଓ କୌରବ ଉଭୟଙ୍କ ପାଖେ ପାଖେ ଥିଲେ ଶ୍ରୀକୃଷ୍ଣ। ଉଭୟ ତାଙ୍କୁ ବାଛିପାରିଥାନ୍ତେ। ସେ ଧର୍ମର ମାର୍ଗ ଉଭୟଙ୍କୁ ଦେଖାଇଥିଲେ। କିନ୍ତୁ ତାଙ୍କର ପରାମର୍ଶକୁ କୌରବ ଗ୍ରହଣ କରିବା ପାଇଁ ଉଚିତ ମନେକଲେ ନାହିଁ। ପାଣ୍ଡବ ତାଙ୍କୁ ନିଜର ଶୁଭଚିନ୍ତକ ଭାବେ ଗ୍ରହଣ କଲେ। ଆମର ଚରମ ସମୟରେ, ଯେତେବେଳେ ଆମେ ଦ୍ବନ୍ଦ୍ୱରେ ପଡ଼ିଥାଉ, ସେତେବେଳେ ଆମ ଅନ୍ତରାତ୍ମା ଆମକୁ ସଙ୍କେତ ମାଧ୍ୟମରେ ଉଚିତ ମାର୍ଗଦର୍ଶନ କରାଇଥାଏ। ଅନ୍ତରାତ୍ମାକୁ ଶୁଣିବା ବା ଅଣଶୁଣା କରିବା, ତାହା ଆମ ଉପରେ ନିର୍ଭର କରେ।
କର୍ଣ୍ଣ ହେଉଛନ୍ତି ମଣିଷର ଅଭିମାନ ବା ଅହଂକାରର ପ୍ରତୀକ। ସେ ଥିଲେ ଅଦ୍ବିତୀୟ ଯୋଦ୍ଧା। ପୁଣି କ୍ଷମତାଶାଳୀ ଓ ଯୋଗ୍ୟ। କିନ୍ତୁ ଆତ୍ମବଡ଼ିମାରେ ବିଭୋର ରହି, ନିଜକୁ ସଦାସର୍ବଦା ଅର୍ଜୁନଙ୍କଠାରୁ ଶ୍ରେୟସ୍କର ବୀର ବିବେଚନା କରି, ଅଭିମାନ ଓ ଅହଂଭାବରେ ମୁହ୍ୟମାନ ହୋଇ ଧର୍ମ-ଅଧର୍ମ, ଠିକ୍‌-ଭୁଲ୍‌ ବିଚାର କରିବାର ଶକ୍ତି ହରାଇଥିଲେ। ସେହିପରି ବେଳେବେଳେ ଆମେ ଆତ୍ମକୈନ୍ଦ୍ରିକ ହୋଇଯାଉ। ନିଜ ଆଗରେ ଅନ୍ୟକୁ ତୁଚ୍ଛ ମନେକରୁ। ସେତେବେଳେ ଆମ ଅହଂକାର ଆମକୁ ବିପଥଗାମୀ କରେ। ଆମପାଖରେ ସବୁ ଯୋଗ୍ୟତା ଥାଇ ସୁଦ୍ଧା ଆମକୁ ପରାଜୟ ସ୍ୱୀକାର କରିବାକୁ ପଡ଼େ।
ଅପରପକ୍ଷରେ ଅର୍ଜୁନ ମଧ୍ୟ ପ୍ରତିଭାଧାରୀ। ସେ ଥିଲେ ସୌମ୍ୟ। ଶାସ୍ତ୍ର ଓ ଶସ୍ତ୍ର ଉଭୟରେ ନିପୁଣ। ଭୀଷ୍ମ ଓ ଦ୍ରୋଣାଚାର୍ଯ୍ୟଙ୍କଠାରୁ ଆରମ୍ଭକରି ଶ୍ରୀକୃଷ୍ଣଙ୍କ ଯାଏଁ ସେ ସବୁରି ପ୍ରିୟ ଥିଲେ। କିନ୍ତୁ ଏସବୁକୁ ସେ କେବେ ବି ନିଜ ଉପରେ ଭାରୀ ହେବାକୁ ଦେଇ ନ ଥିଲେ। ସେ ଥିଲେ ନିରହଙ୍କାରୀ। ବିନମ୍ରତା ପୂର୍ବକ ଉଚିତ-ଅନୁଚିତ ବିବେଚନା କରି ଧର୍ମର ମାର୍ଗକୁ ବାଛିନେଇଥିଲେ।
ଜୀବନ କୁରୁକ୍ଷେତ୍ରରେ କେହି ମହାନାୟକ ବା କେହି ଖଳନାୟକ ନଥାନ୍ତି। ସମସ୍ତଙ୍କ ଭିତରେ ଉଭୟ ଯୋଗ୍ୟତା ଓ ଦୁର୍ବଳତା ରହିଥାଏ। ସବୁସମୟରେ ଆମ ପାଖରେ ଏକ ବିକଳ୍ପ ମଧ୍ୟ ଉପଲବ୍ଧ ଥାଏ। କେଉଁ ସମୟରେ କେଉଁ ମାର୍ଗରେ ଗତି କରିବାପାଇଁ ଆମେ ନିଷ୍ପତ୍ତି ନେଉଛେ, ତାହା ହିଁ ନିର୍ଦ୍ଧାରଣ କରେ ଆମର ଭାଗ୍ୟ ଓ ଭବିତବ୍ୟ।

Advertisment

ତନୟା ପଟ୍ଟନାୟକ
ସଂପାଦକ