ଗତ ସପ୍ତାହରେ ‘କନକ ନ୍ୟୁଜ୍’ ପକ୍ଷରୁ ଏକ ଶିକ୍ଷା ସମାବେଶ ‘ଉତ୍କର୍ଷ’ ଆୟୋଜିତ ହୋଇଥିଲା। ସେଠାରେ ଅନେକ କୃତୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷା କ୍ଷେତ୍ରର ଅନ୍ୟ ଦିଗ୍‌ଗଜମାନଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ମିଳିଥିଲା। ଉପସ୍ଥିତ ପ୍ରତିଭାବାନ୍‌ ଯୁବବନ୍ଧୁଙ୍କ ଭିତରେ ରହିଥିବା ସ୍ୱପ୍ନ, ଅଭିଳାଷ ଓ ଉଦ୍ଦୀପନା ମୋ ମନରେ ଭରସା ସଞ୍ଚାର କଲା ଯେ ଏ ଜାତି, ଏ ପ୍ରଦେଶର ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ୱଳ। ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ଲୋକସେବା ଆୟୋଗ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଅନୁଗୁଳ ଜିଲ୍ଲାର ଅନିମେଷ ପ୍ରଧାନ ଥିଲେ ଅନ୍ୟତମ। ବିଶ୍ୱର ସବୁଠାରୁ କଠିନ କୁହାଯାଉଥିବା ଏହି ପରୀକ୍ଷାରେ ଈର୍ଷଣୀୟ ସଫଳତା ଲାଭ କରିଥିବା ଅନିମେଷଙ୍କର ସଂଘର୍ଷପୂର୍ଣ୍ଣ ଯାତ୍ରା ସଂପର୍କରେ ଆମେମାନେ ସମସ୍ତେ ଊଣାଅଧି‌େକ ଜାଣିଛେ। ୨୦୧୭ ମସିହାରେ ତାଙ୍କର ବାପା ଚାଲିଗଲେ। କିଛି ବର୍ଷ ପରେ ତାଙ୍କ ମା’ କର୍କଟ ରୋଗରେ ଆକ୍ରାନ୍ତ ହେଲେ। ଗୋଟିଏପଟେ ଅନିମେଷଙ୍କର ଚାକିରି ସହ ପରୀକ୍ଷା ପାଇଁ ପ୍ରସ୍ତୁତି, ଆରପଟେ ତାଙ୍କର ସବୁଠାରୁ ବଡ଼ ସାହସ ମା’ଙ୍କର ଚିକିତ୍ସା ଚାଲିଥାଏ। ଏପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଅନିମେଷ ପ୍ରଥମ ପ୍ରୟାସରେ ହିଁ ଶୀର୍ଷ ସଫଳତା ପାଇଲେ। ହେଲେ ଜୀବନର ଏହି ଶ୍ରେଷ୍ଠ ଉପଲବ୍ଧି, ୟୁ.ପି.ଏସ୍.ସି. ଫଳାଫଳର ମାସକ ପୂର୍ବରୁ, ଅନିମେଷଙ୍କ ମା’ କର୍କଟ ସହ ଯୁଦ୍ଧରେ ହାରିଯାଇଥିଲେ। ଅନିମେଷଙ୍କ ସଫଳତା ପଛରେ ରହିଛି ଅପୂର୍ବ ସାହସ, ନିଷ୍ଠା, ଧୈର୍ଯ୍ୟ ଓ ଜିଦ୍। ତାଙ୍କର ଏ କାହାଣୀ କେବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ସେଦିନ ଅଧିବେଶନରେ ନିଜର ସଙ୍ଘର୍ଷ ଓ ସଫଳତାର ଯାତ୍ରା ସମ୍ପର୍କରେ ଦର୍ଶକମାନଙ୍କ ସହ ମନଖୋଲା କଥା ହୋଇଥିଲେ ଅନିମେଷ। ହେଲେ ଗୋଟିଏ କଥାରେ ମୁଁ ଅଟକିଗଲି, ଯାହା ମତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲାଗିଲା। ସେ ବିନା ଦ୍ୱିଧାରେ ଖୋଲାଖୋଲି କହିଲେ ଯେ, “ଦୁଇ ବର୍ଷ ହେଲା ତାଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ଜଣେ ଥେରାପିଷ୍ଟ୍‌ଙ୍କ ଠାରୁ ସେ ପରାମର୍ଶ ନେଉଛନ୍ତି। ଚିନ୍ତା, ବ୍ୟଗ୍ରତା, ଚାପକୁ ନିୟନ୍ତ୍ରଣ କରିବାରେ ତଥା ମାନସିକ ସ୍ତରରେ ନିଜକୁ ସୁସ୍ଥ ରଖିବାରେ ଏହା ତାଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହୋଇଛି।” ଅଧିବେଶନ ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପ୍ରଶ୍ନ, ପରାମର୍ଶ ଏବଂ ସେଲ୍‌ଫି ପାଇଁ ଅନିମେଷଙ୍କୁ ଘେରି ଯାଇଥିଲେ। ସେହି ସମୟରେ ଏକାଦଶ ଶ୍ରେଣୀର ଛାତ୍ରୀଟିଏ ମୋ ପାଖକୁ ଆସିଲା। ସମାବେଶଟି ବେଶ୍ ଉପାଦେୟ ଥିବା ସହ ତାକୁ ଭଲ ଲାଗିଲା ବୋଲି ମତେ ଜଣାଇଲା। କିନ୍ତୁ ହଲ୍ ଭିତରେ ଏତେ ହସହସ ମୁହଁ ଭିତରେ ସେ କାହିଁକି ଟିକିଏ ଦୁଃଖୀ ଜଣାପଡୁଥିଲା। ମୋ ସହ ପଦେ ଦୁଇପଦ କଥା ହେଲା ପରେ ସେ କହିଲା, “ଆଜି ଏଠାରେ ମୋ ବାପା, ମା’ ଅନିମେଷ ଭାଇକୁ ଶୁଣିପାରିଥାଆନ୍ତେ କି! ଯେତେବେଳେ ମୋ ବଡ଼ଭଉଣୀ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ସହ ମେଡିକାଲ୍‌ କଲେଜ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିଲା, ସେତେବେଳେ ତା’ ସହ କିଛି ଅଜବ ଘଟଣା ଘଟିଥିଲା। ବିନା କାରଣରେ ହଠାତ୍‌ କାନ୍ଦି ପକେଇବା, ଚିଡ଼ିଚିଡ଼ି ହେବା, କୌଣସି କଥାରେ ମନ ନଲାଗିବା, ସକାଳେ ଖଟରୁ ଉଠିବାକୁ ଇଚ୍ଛା ନହେବା, ଅନେକ ସମୟ ଯାଏଁ ଶୋଇ ରହିବା ଇତ୍ୟାଦି ପାଇଁ ଆମେ ସମସ୍ତେ ଚିନ୍ତିତ ଥିଲୁ। ପଡ଼ିଶା ଘରର ଜଣେ ଅଙ୍କଲ୍‌ କହିଲେ, ‘ସେ ବୋଧେ ଅବସାଦର ଶିକାର ହେଇଛି। ତାକୁ ମନୋଚିକିତ୍ସକଙ୍କ ପରାମର୍ଶ ଲୋଡ଼ା।’ ଅପା ବି କହିଲା, ‘ମୁଁ ଯେତେ ଚେଷ୍ଟା କଲେ ବି ମତେ ସବୁବେଳେ ହତାଶ ଆଉ ମାନ୍ଦା ଲାଗୁଛି। ମନୋଚିକିତ୍ସକଙ୍କ ପରାମର୍ଶ ଗ୍ରହଣ ଦ୍ୱାରା ହୁଏତ କିଛି ହେଇପାରେ।’ ବାପା କିନ୍ତୁ ଏକଥାକୁ ଗ୍ରହଣ କଲେନି। ମା’ କହିଲା, ‘ଡିପ୍ରେସନ୍‌, କାଉନ୍‌ସେଲିଂ ଏସବୁ ଆଜିକାଲିର ନୂଆ କଥା। ତମର କୋଉଥିରେ ଅସୁବିଧା ଅଛି? ଆମେ କେତେ ଅଭାବ ଅସୁବିଧାରେ ପଢ଼ିଛୁ ଆଉ ବଢ଼ିଛୁ। କାଇଁ ଆମ ସାଙ୍ଗେ ତ ଏମିତି କିଛି ହଉ ନ ଥିଲା! ଯା, ଟିକେ ବାହାରେ ବୁଲାବୁଲି କର। ମନ ଭଲ ଲାଗିବ। ଏସବୁ ବେକାର କଥା ମୁଣ୍ଡରେ ଭର୍ତ୍ତି କରିବା ଦରକାର ନାହିଁ।’ ଅପା ଯେତେ ବୁଝେଇଲେ ବି ବାପା ମାନିଲେ ନାହିଁ। ବରଂ ଝିଅ ମନୋଚିକିତ୍ସକଙ୍କ ପାଖକୁ ଯାଉଛି ଜାଣିଲେ, ଲୋକେ କ’ଣ କହିବେ, କ’ଣ ଭାବିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ଏମିତିକି ମା’ କହିଲା, ‘ଆମ ଝିଅକୁ ବୋଧେ କାହା ଦୃଷ୍ଟି ଲାଗିଯାଇଛି। ପାଖ ଠାକୁରାଣୀ ମନ୍ଦିରକୁ ନେଇ ଟିକେ ଝାଡ଼ି ଆଣିଲେ ହୁଅନ୍ତା।’ ଆଜିଯାଏଁ ମାଆବାପା ବୁଝିବାକୁ ନାରାଜ ଯେ ସେମାନଙ୍କ ଅବହେଳା ପାଇଁ ଆଜି ବି ଅପା ତା’ ଆତ୍ମବିଶ୍ୱାସ ଫେରିପାଇ ନାହିଁ।’’
ଯେତେବେଳେ ଆମ ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ କରୁ, କୌଣସି ଶାରୀରିକ ରୋଗ ହୋଇଥାଏ, ଆମକୁ ତତ୍‌କ୍ଷଣାତ ଡାକ୍ତରୀ ପରାମର୍ଶ ସହ ଚିକିତ୍ସା ପାଇଁ କୁହାଯାଏ। କିନ୍ତୁ ମାନସିକ ଯନ୍ତ୍ରଣା ସମୟରେ ଆମକୁ ଏପରି ପରାମର୍ଶ କାହିଁକି ମିଳେନାହିଁ? ମାନସିକ ଯନ୍ତ୍ରଣା, ଅବସାଦକୁ କାହିଁକି ଏତେ ଅଣଦେଖା କରିଦିଆଯାଏ?
ଅଭିଭାବକମାନେ ସେମାନଙ୍କ ସଂଘର୍ଷ ସମୟକୁ ପିଲାଙ୍କ ସହ ତୁଳନା କରିବା ଅଯଥାର୍ଥ। ସମୟ ବଦଳୁଛି। ଆମେ ଆଜି ଏକ ପ୍ରଦୂଷିତ ପରିବେଶରେ ଜୀବନଧାରଣ କରୁଛେ। ପବନ, ପାଣି, ଖାଦ୍ୟ ଆଉ କିଛି ବି ଖାଣ୍ଟି ନୁହେଁ। ଆଜି ସବୁ ଅପମିଶ୍ରିତ। ତା’ ସହିତ ଟେକ୍ନୋଲୋଜି, ସ୍ମାର୍ଟଫୋନ୍‌ର ମାତ୍ରାଧିକ ବ୍ୟବହାର, ସବୁ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଓ ସଫଳ ହେବାର ଅବାସ୍ତବ ଚାପ। ଆଜିର ଦିନରେ ଆମ ସମସ୍ତଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ପ୍ରସଙ୍ଗ ହେଉଛି ଏକ ବାସ୍ତବିକ୍‌ ଆହ୍ୱାନ। ଅନିମେଷ ତାଙ୍କ ବକ୍ତବ୍ୟରେ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ନିବେଦନ କରିଥିଲେ, “ଯଦି ଆପଣମାନଙ୍କ ପାଖରେ ସୁବିଧା ଓ ସମ୍ବଳ ଉପଲବ୍ଧ ଅଛି, ତେବେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ।”
ମୁଁ ଆଶା କରୁଛି, ଯେତେବେଳେ ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ଅନିମେଷଙ୍କୁ ଉଦାହରଣ ଭାବରେ କୌଣସି ବାପାମା’ ପିଲାଙ୍କ ପାଖରେ ଉପସ୍ଥାପନ କରିବେ, ସେତେବେଳେ ଅନିମେଷ କରିଥିବା ନିବେଦନକୁ ଅବଶ୍ୟ ସ୍ୱୀକାର କରିବେ।

Advertisment

ତନୟା ପଟ୍ଟନାୟକ
ସଂପାଦକ